Categories
ଆଞ୍ଚଳିକ

ଚିଲିକା: ପ୍ରାର୍ଥୀ ଘୋଷଣା ପରେ ସୋମବାର ଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ

ଚିଲିକା (ସୀତାରାମ ଅଗ୍ରୱାଲ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚିଲିକା ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆଜି ବିଜେଡି ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ଏହି ତାଲିକାରେ ବିଜେଡିରୁ ଚିଲିକା ବିଧାନସଭା ପ୍ରାର୍ଥୀ ଭାବେ ରଘୁନାଥ ସାହୁଙ୍କ ନାମ ପ୍ରକାଶ ପାଇଛି। ଯାହାକୁ ନେଇ ରଘୁନାଥଙ୍କ କାର୍ଯ୍ୟାଳୟରେ ସମର୍ଥକ ମାନେ ଉତ୍ସବ ପାଳନ କରିଥିବାବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ଲାଗି କଂଗ୍ରେସ ଦଳ ଛାଡି ବିଜେଡିରୁ ବିଧାୟକ ହୋଇଥିବା ବେଳେ ୨୦୧୪ ରେ ସ୍ୱଳ୍ପ ବ୍ୟବଧାନ ଭୋଟରେ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାଜୟ ହୋଇଥିଲେ ରଘୁନାଥ। ୨୦୧୯ ରେ ପ୍ରାର୍ଥୀ ନହୋଇ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରଘୁନାଥ ସମର୍ଥନ କରିବା ସହ ଦଶ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ।

ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ସହ ସୁଖଦୁଃଖରେ ଅଞ୍ଚଳବାସୀଙ୍କ ନିକଟତର ହୋଇ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଦେଇଆସିଛନ୍ତି ରଘୁନାଥ। ନିଜର ନିଷ୍ଠାପର ସେବା ମନୋବୃତ୍ତି, ସ୍ଥାନୀୟ ଜନସାଧାରଣଙ୍କ ଭଲ ପାଇବା ଏବଂ ପ୍ରତି ମୁହୂର୍ତ୍ତରେ ଦଳୀୟ ସଂଗଠନ ବଜାୟ ରଖିଥିବା ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଉପରେ ଭରସା କରି ଟିକେଟ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଟିକେଟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ରଘୁଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସିରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିବାବେଳେ ଚିଲିକାର ବିକାଶ ଦିଗରେ ଯଥା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ସମସ୍ତ ବର୍ଗର ଲୋକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି।

ଏଥିସହିତ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଆପଣାର କରିବା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅଗାଢ ଭଲ ପାଇବା ଓ ବିଶ୍ୱାସ ନେଇ ନିର୍ବାଚନ ବୈତରଣୀରେ ବିପୁଳ ମାତ୍ରାରେ ବିଜୟୀ ଲାଭ କରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ସାହୁ।

୨୦୧୪ ପରଠାରୁ ଚିଲିକାରେ ଲାଗିଥିବା ବିକାଶର ବ୍ରେକକୁ ଚଳିତ ନିର୍ବାଚନ ଜିତି ପୁନଶ୍ଚ କ୍ଷିପ୍ର ଗତିରେ ଉନ୍ନୟନ ଆରମ୍ଭ କରିବେ ବୋଲି ଆଶାବାଦୀ ଅଛନ୍ତି ଶ୍ରୀ ସାହୁ।

ତେବେ ଆସନ୍ତା ସୋମବାର ଦିନ ସେ ଏକ ବିରାଟ ପଟୁଆରରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ସମର୍ଥକଙ୍କ ଗହଣରେ ଆସି ବାଣପୁର ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ, ବଢିଲା ଚର୍ଚ୍ଚା

ଭୁବନେଶ୍ବର: ଆଜି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଚିଲିକାରେ କିଏ ବିଜେଡି ଟିକେଟ ପାଇବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହିପରି ସ୍ଥିତିରେ ରଘୁନାଥଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ନେଇ ସାଧାରଣରେ ଆଲୋଚନା ଚାଲିଛି।

ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବର୍ତ୍ତମାନ ସୁଦ୍ଧା ବିଜେଡି ଦଳକୁ ଫେରାଇ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରଶାନ୍ତ ବିଜେପିରେ ଯୋଗ ଦେବେ ବୋଲି ବିଜେଡି ତରଫରୁ କୁହାଯାଉଛି। ଫଳରେ ସେ ପୁଣି ଆଉ ବିଜେଡିକୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି କ୍ଷେତ୍ରରେ ଚିଲିକାରୁ ରଘୁନାଥ ନା ପ୍ରଶାନ୍ତ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ରଘୁନାଥଙ୍କ ପାଣ୍ଡିଆନଙ୍କ ସହ ସାକ୍ଷାତ କରିବା ନେଇ ତାଙ୍କୁ ଟିକେଟ ମିଳିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପୁଣି ରଘୁବାଣୀ: ଏଥର ସରକାରୀ ଅଧିକାରୀଙ୍କୁ କଲେ ଟ୍ୟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ପୁଣି ଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବଥର ସେ ସିଧା ନିର୍ବାଚିତ ବିଜେଡି ପ୍ରତିନିଧୀଙ୍କୁ ଟ୍ୟାର୍ଗେଟ କରିଥିଲେ। ହେଲେ ଏଥର ସେ ଚିଲିକା ଅଞ୍ଚଳର ସରକାରୀ ଅଧିକାରୀଙ୍କୁ ଟ୍ୟାର୍ଗେଟ କରିଛନ୍ତି। ଆଜି ରଘୁନାଥଙ୍କ ନେତୃତ୍ବରେ ଚିଲିକା ବ୍ଲକ କର୍ମି ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀ ପରେ ସେ ସାମ୍ବାଦିକଙ୍କୁ ରଘୁବାଣୀ ଶୁଣାଇଛନ୍ତି।

ରଘୁନାଥ କହିଛନ୍ତି ଯେ, ଚିଲିକାରେ ପିସି କାରବାର ଜୋରଯାର ଚାଲିଛି। ଏଥିରେ ନେତାଙ୍କ ସହିତ ସରକାରୀ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ଏଥିରେ ସେ ନାମ ନ ନେଇ କେତେକ ସରକାର ଅଧିକାରୀ ଦୁର୍ନିତି ଗସ୍ତ ବୋଲି କହିଛନ୍ତି। ସେ ସିଧା ବାଣପୁର ଏବଂ ଚିଲିକାର ଜେଇଇ ପିସି କାରବାରରେ ସଂପୃକ୍ତ ବୋଲି କହିଛନ୍ତି।

ସେହିପରି ଚିଲିକାର ଆରଆଣ୍ଡବି ର ଜଣେ ଏସଡିଓ ମ୍ୟାଡାମ ମଧ୍ୟ ଏହି ଦୁର୍ନିତିରେ ସଂପୃକ୍ତ ଅଛନ୍ତି। ତାଙ୍କ ନାମ ନ ନେଇ ରଘୁନାଥ କହିଛନ୍ତି ଯେ , ସେ ମ୍ୟାଡମ ପାଖକୁ ଗଲେ ସେ ବିଧାୟକଙ୍କୁ ଦେଖାକଲେ କାମ ମିଳିବ ବୋଲି କହୁଛନ୍ତି। ପୂର୍ବରୁ ଯେଉଁ ସରକାରୀ ଅଧିକାରୀ ବେଗୁନିଆ ବୋଲଗଡରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଚିଲିକାକୁ ବଦଳି କରି ପିସି କାରବାର କରାଯାଉଛି ବୋଲି ରଘୁ କହିଛନ୍ତି।

ଗତକାଲି ରଘୁଙ୍କ ବିରୋଧରେ ବିଜେଡିର ଏକ ବଡ ଗୋଷ୍ଠୀ କରିଥିବା ଆନ୍ଦୋଳନକୁ ନେଇ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରଘୁ କହିଛନ୍ତି ଯେ, ଯେଉଁମାନେ ଦୁର୍ନିତି କରି କାମ କରୁଛନ୍ତି ସେହିମାନେ ସେହି ଶୋଭାଯାତ୍ରାରେ ସାମିଲ ଥିଲେ। ସେମାନେ ଅଧିକାଂଶ କଣ୍ଟ୍ରାକ୍ଟର ଥିଲେ। ସେମାନଙ୍କ ଆନ୍ଦୋଳନର କୌଣସି ମାନେ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ଆଗାମୀ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ହେବ ତାହାର ଉତ୍ତରରେ ରଘୁ କହିଛନ୍ତି ଯେ, ମୁଁ ଟିକେଟ ପାଇଁ ଆଶା ରଖିଛି। ନବୀନ ପଟ୍ଟନାୟକ ଏଥର ମୋତେ ଟିକେଟ ଦେବେ ବୋଲି ଭାବିଛି। ମୋତେ ଚିଲିକାରେ ପ୍ରାୟ ଅଧିକାଂଶ ବିଜେଡି କର୍ମୀ ସମର୍ଥନ କରୁଛନ୍ତି ବୋଲି ରଘୁନାଥ ଦାବୀ କରିଛନ୍ତି। ଚିଲିକାରେ ନିଶ୍ଚିତ ବିଜେଡି ଜୟଯୁକ୍ତ ହେବ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ବିପକ୍ଷ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ସେମାନେ ତାଙ୍କର ନାମ ପ୍ରକାଶ ନ କରି କହିଛନ୍ତି ଯେ, ରଘୁନାଥଙ୍କ ପାଖରେ ଯଦି ଦୁର୍ନିତିର ପ୍ରମାଣ ରହିଛି ତେବେ ସେ ଭିଜିଲାନସ କିମ୍ବା କୋର୍ଟକୁ ଯାଆନ୍ତୁ। ତାହା ନ କରି ନିଜର ବାହାଦୂରୀ ପାଇଁ ଏପରି ଲୋକଙ୍କ ଆଗରେ ମିଛକଥା କହିବା ଠିକ୍ ନୁହେଁ।

ଚଳିତ ଏନଏସି ଏବଂ ପଞ୍ଚାୟତ ନିର୍ବାଚନରେ ରଘୁନାଥ କିପରି ଦଳୀୟ ବିରୋଧରେ କାମ କରିଥିଲେ ତାହାର ପ୍ରମାଣ ଦଳ ପାଖରେ ରହିଛି। ଆଗାମୀ ଦିନରେ ରଘୁନାଥଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ହେଲେ ରଘୁନାଥ ଯେଉଁ ସରକାରୀ ଅଧିକାରୀମାନଙ୍କ ବିରୋଧରେ କହିଛନ୍ତି ସେମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ଏକ ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେମାନେ ଏ ନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ଏପରିକି ସେମାନଙ୍କ ଅଫିସର ସଂଘ ସହିତ ଯୋଗାଯୋଗ କରି କଣ କରାଯିବ ସେ ନେଇ ବିଚାର କରୁଥିବାର ଜଣାପଡିଛି। କାରଣ ସର୍ବ ସମ୍ମୁଖରେ ରଘୁନାଥଙ୍କ ଏପରି ମନ୍ତବ୍ୟ ସେମାନଙ୍କ ସମ୍ମାନ ଉପରେ ବାଧା ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବିରୋଧରେ ବିସ୍ପୋରକ ମନ୍ତବ୍ୟ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲା

ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି।

ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଛନ୍ତି। ସେହିପରି ମାନସ ପ୍ରଧାନ ମଧ୍ୟ କୋଟିକୋଟି ଟଙ୍କାର କାମ ନେଇଛନ୍ତି। ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି। ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏହି ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନିତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗୀବେ। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି ରଘୁନାଥ କହିଛନ୍ତି। ଏ ନେଇ ସେ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ଚିଲିକା ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି। ହଠାତ ରଘୁନାଥଙ୍କ ଜୟ ବିଜେଡି କହି ସାମ୍ବାଦିକ ସମ୍ମିଳନୀ କରିବା ନେଇ ଅନେକ ସନ୍ଦେହ କରିଛନ୍ତି। ତେବେ ଉଭୟ ରଘୁ ସାହୁ ଏବଂ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଚା ଚାଲିଛି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।