Categories
ଆଞ୍ଚଳିକ

ଚିଲିକା: ପ୍ରାର୍ଥୀ ଘୋଷଣା ପରେ ସୋମବାର ଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ

ଚିଲିକା (ସୀତାରାମ ଅଗ୍ରୱାଲ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚିଲିକା ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆଜି ବିଜେଡି ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ଏହି ତାଲିକାରେ ବିଜେଡିରୁ ଚିଲିକା ବିଧାନସଭା ପ୍ରାର୍ଥୀ ଭାବେ ରଘୁନାଥ ସାହୁଙ୍କ ନାମ ପ୍ରକାଶ ପାଇଛି। ଯାହାକୁ ନେଇ ରଘୁନାଥଙ୍କ କାର୍ଯ୍ୟାଳୟରେ ସମର୍ଥକ ମାନେ ଉତ୍ସବ ପାଳନ କରିଥିବାବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ଲାଗି କଂଗ୍ରେସ ଦଳ ଛାଡି ବିଜେଡିରୁ ବିଧାୟକ ହୋଇଥିବା ବେଳେ ୨୦୧୪ ରେ ସ୍ୱଳ୍ପ ବ୍ୟବଧାନ ଭୋଟରେ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାଜୟ ହୋଇଥିଲେ ରଘୁନାଥ। ୨୦୧୯ ରେ ପ୍ରାର୍ଥୀ ନହୋଇ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରଘୁନାଥ ସମର୍ଥନ କରିବା ସହ ଦଶ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ।

ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ସହ ସୁଖଦୁଃଖରେ ଅଞ୍ଚଳବାସୀଙ୍କ ନିକଟତର ହୋଇ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଦେଇଆସିଛନ୍ତି ରଘୁନାଥ। ନିଜର ନିଷ୍ଠାପର ସେବା ମନୋବୃତ୍ତି, ସ୍ଥାନୀୟ ଜନସାଧାରଣଙ୍କ ଭଲ ପାଇବା ଏବଂ ପ୍ରତି ମୁହୂର୍ତ୍ତରେ ଦଳୀୟ ସଂଗଠନ ବଜାୟ ରଖିଥିବା ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଉପରେ ଭରସା କରି ଟିକେଟ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଟିକେଟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ରଘୁଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସିରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିବାବେଳେ ଚିଲିକାର ବିକାଶ ଦିଗରେ ଯଥା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ସମସ୍ତ ବର୍ଗର ଲୋକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି।

ଏଥିସହିତ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଆପଣାର କରିବା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅଗାଢ ଭଲ ପାଇବା ଓ ବିଶ୍ୱାସ ନେଇ ନିର୍ବାଚନ ବୈତରଣୀରେ ବିପୁଳ ମାତ୍ରାରେ ବିଜୟୀ ଲାଭ କରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ସାହୁ।

୨୦୧୪ ପରଠାରୁ ଚିଲିକାରେ ଲାଗିଥିବା ବିକାଶର ବ୍ରେକକୁ ଚଳିତ ନିର୍ବାଚନ ଜିତି ପୁନଶ୍ଚ କ୍ଷିପ୍ର ଗତିରେ ଉନ୍ନୟନ ଆରମ୍ଭ କରିବେ ବୋଲି ଆଶାବାଦୀ ଅଛନ୍ତି ଶ୍ରୀ ସାହୁ।

ତେବେ ଆସନ୍ତା ସୋମବାର ଦିନ ସେ ଏକ ବିରାଟ ପଟୁଆରରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ସମର୍ଥକଙ୍କ ଗହଣରେ ଆସି ବାଣପୁର ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡିି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ, ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ। ସେଠାରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ସ୍ୱୟମପ୍ରକାଶ ମହାପାତ୍ର, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ଇତ୍ୟାଦି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୧ ତାରିଖରୁ ବିଧାନସଭା, ଏହା କଣ ଶେଷ ଅଧିବେସନ ହେବ କି ?

ଭୁବନେଶ୍ବର: ଚଳିତ ନଭେମ୍ବର ୨୧ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେସନ। ଏ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ରାଜ୍ୟପାଳ ରଘୁବର ଦାସ ସମନ ଜାରୀ କରିବା ପରେ ବିଧାନସଭା ତରଫରୁ ବିଜ୍ଞପ୍ତି ବାହାରିଛି।

ଏହି ଅଧିବେସନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରୁ ୨୪ଟି ସରକାରୀ କାର‌୍ୟ୍ୟ ଦିବସ ଥିବା ବେଳେ ୬ ଟି ବେସରକାରୀ ଦିବସ ରହିଛି।

ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେସନ ଶେଷ ଅଧିବେସନ ହେବ ବୋଲି କୁହାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଦିବଗଂତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ କର୍ମୀ ଦେବାଶିଷ ବିଶ୍ବାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏହି ପ୍ରସ୍ତାବକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏହାପରେ ଏକ ମିନିଟ ପାଇଁ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ବାଚସ୍ପତି ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହା ପୂର୍ବରୁ ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ। ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ବୁଲି ଦେଖିଲେ କଲିକତାର ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ।

ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା।

ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପେଫମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଓଡ଼ିଶା ବିଧାନସଭା ବୁଲି ଦେଖିବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀଙ୍କୁ ଜଣାଇଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶ୍ରୀ ଶିକ୍ଷାୟତନ ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବସୁଛି ଓଡିଶା ବିଧାନସଭାର ବଜେଟ ଅଧିବେସନ। ତେବେ ଏହି ଅଧିବେସନରୁ ବଜେଟ ସଂପର୍କରେ ଜାଣିବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି। ବରଂ ଶାସକ ବିରୋଧୀ କିପରି ହେବେ ମୁହାଁମୁହିଁ ସେ ନେଇ ସମସ୍ତେ ଅନେଇ ରହିଛନ୍ତି। କାରଣ ହେଲା ଏଥର ବଜେଟ ଅଧିବେସନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ପାଖରେ ରହିଛି ସ୍ପର୍ଶକାତର ପ୍ରସଂଗ।

ଏଥର ବିଧାନସଭାରେ ପ୍ରମୁଖ ପ୍ରସଂଗ ମଧ୍ୟରେ ରହିଛି ନବ ଦାସ ହତ୍ୟାକାଣ୍ଡ। କାରଣ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ହତ୍ୟାକାଣ୍ଡରେ ଖୋଦ ପୋଲିସ ସଂପୃକ୍ତ। ଫଳରେ ବିରୋଧୀଙ୍କ ପାଇଁ ହାଙ୍ଗାମା କରିବା ପାଇଁ ଏହା ପ୍ରମୁଖ ପ୍ରସଂଗ ହୋଇ ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ କରିବେ।

ସେହିପରି ଶାସକ ବିଜେଡି ମଧ୍ୟ ପଛରେ ପଡିଯିବ ନାହିଁ। କାରଣ ବିଜେଡି ପାଖରେ ମଧ୍ୟ ବିରୋଧୀ ବିଜେପିକୁ ଘେରିବା ପାଇଁ ରହିଛି ମାଳମାଳ ପ୍ରସଂଗ। ଚାଉଳ କାଟିବା ହେଉ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରତିଶୃତି ପୁରଣ ନ ହେବା ପ୍ରଭୃତି ପ୍ରଂସଗ ରହିଛି। ସେହିପରି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ନେଇ ମଧ୍ୟ ବିଜେଡି ହୋହାଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ବିଜେଡି ପାଖରେ ଯେଉଁ ବଡ ହତିୟାର ରହିଛି ତାହା ହେଲା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସଙ୍କୁ ଆକ୍ରମଣ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବିଜେଡି ଏହାକୁ ପ୍ରମୁଖ ପ୍ରସଂଗ କରିବ। ଜଣେ ସାମ୍ବିଧାନିକ ପଦପଦବୀରେ ଥିବା ନେତା ପୋଲିସକୁ ଧକ୍କା ମାରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରି ନାହାଁନ୍ତି। ଫଳରେ ବିଜେଡି ଏହାକୁ ନେଇ ବିଜେପିକୁ ଆକ୍ରମଣ କରିବ।

ଏଥର ବିଧାନସଭାରେ ନବ ଦାସ ଏବଂ ଜୟନାରାୟଣ ମିଶ୍ର ଦୁଇଟି ବଡ ପ୍ରସଂଗ ବ୍ୟତିତ ଅନ୍ୟ କେତେକ ପ୍ରଂସଗ ରହିଛି। ସେଗୁଡିକ ମଧ୍ୟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ଏବଂ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଘେରିବ। ସେହିପରି ବିଜେଡି ମଧ୍ୟ କେନ୍ଦ୍ର ସରକାର ଚାଉଳ କାଟିବା, କେନ୍ଦ୍ରମନ୍ତ୍ରୀମାନେ ପଦମପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ପୁରଣ ନ କରିବା ପ୍ରଭୃତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ପ୍ରଥମ ଦିନରେ ପରଲୋକଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ପ୍ରଥମେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇଏମ ନେତା ଲକ୍ଷଣ ମୁଣ୍ଡା ସମର୍ଥନ କରିଥିଲେ।

ଯେଉଁ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ସେମାନେ ହେଲେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ସେହିପରି ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।

ଏହି ପରଲୋକଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୋଟାଏ ମିନିଟର ନିରବ ପ୍ରାର୍ଥନା କରାଯାଇଛି । ଗୃହ ପକ୍ଷରୁ ପରଲୋକଗତ ସଦସ୍ୟଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଦିଆଯାଇଛି। ଏହାପରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ତାରିଖରୁ ଓଡିଶା ବିଧାନସଭା, ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ୱର,  ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ସେହିପରି ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ ।  ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାୟକମାନଙ୍କ କରୋନା ପରୀକ୍ଷା ଆରମ୍ଭ, ବିଧାନସଭା ପରିସରରେ ତିନିଦିନ ଧରି ଚାଲିବ

ଭୁବନେଶ୍ୱର: ଆଜି ବିଧାନସଭା ପରିସରରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହି ପରୀକ୍ଷା ତିନିଦିନ ଧରି ଚାଲିବ। ଅଧିବେସନ ଆରମ୍ଭ ପୂର୍ବରୁ ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା ହେବ ବୋଲି ଜଣାପଡିଛି । ଆଜି ୪୦୦, ରବିବାର ୩୦୦ ଏବଂ ସୋମବାର ପ୍ରାୟ ୨୫୦ ଜଣଙ୍କର ପରୀକ୍ଷା ହେବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୭ଟି ଟିମ୍ ଗଠନ ହୋଇଛି ବୋଲି ବିଧାନସଭା କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ସମସ୍ତ ନମୁନା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେବ। ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବା ପରେ ତାପରଦିନ ବିଧାନସଭା ଅଧିବେସନ ଆରମ୍ଭ କରାଯିବ। ଏହି ଅଧିବେସନ ସେପ୍ଟମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଆହୂତ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଲେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର:  ସଂପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଏହାର ସ୍ଥିତି, ସଫଳ ମୁକାବିଲା ଓ ଲକ୍‌ ଡାଉନ୍‌ବେଳେ ବିଧାୟୀ କାର୍ଯ୍ୟ ପରିଚାଳନା ସଂପର୍କରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ପ୍ରକାଶ ବିର୍ଲା ଆଜି ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କୋଭିଡି୍‌-୧୯ ମୁକାବିଲା ଦିଗରେ ସମସ୍ତ ସାଂସଦ ଓ ବିଧାୟକମାନଙ୍କର ସକରାତ୍ମକ ସହଯୋଗ କାମନା କରିଥିଲେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶାରେ କରୋନା ସଂକ୍ରମଣ, କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍‌ପିଟାଲ୍‌ ପ୍ରତିଷ୍ଠା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଓଡ଼ିଶାରେ ଲକ୍‌ ଡାଉନ୍‌, କ୍ୱରାଣ୍ଟାଇନ୍‌, ଆଇସୋଲେସନ୍‌, ସାମାଜିକ ଦୂରତ୍ୱ, ହାତଧୁଆ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ। ସଂକ୍ରମିତ ଅଞ୍ଚଳଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ମନ୍ତ୍ରୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କ୍ଷମତାପନ୍ନ କମିଟି ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ପଂଜୀକରଣ ବାଧ୍ୟତାମୂଳକ କରାଯିବା ସହିତ ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ କ୍ୱରାଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ଓ ଗହମ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ୩ ମାସ ପାଇଁ ରାସନ୍‌ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ପ୍ରବକ୍ତା ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ କରୋନା ସଂକ୍ରମଣ ସଂପର୍କିତ ସୂଚନା ଦୈନିକ ପ୍ରଦାନ କରାଯାଉଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ।

ବିଧାୟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଧାନ ସୌଧକୁ ସାନିଟାଇଜ୍‌ କରାଯିବା ସହ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଲୋକସେବା ଭବନର ସମ୍ମେଳନ କକ୍ଷରେ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟରେ ପାରିତ ହୋଇଛି ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଥିଲେ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲାଙ୍କ ପରାମର୍ଶ କ୍ରମେ ଓଡ଼ିଶା ବିଧାନସଭାରେ ଏକ ନିୟନ୍ତ୍ରଣ କକ୍ଷ ଯଥାଶୀଘ୍ର ସ୍ଥାପନ କରାଯିବ। ନିଜ ନିର୍ବାଚନ ମଣ୍ଡଳୀର ଲୋକମାନେ ଅନ୍ୟ ରାଜ୍ୟରେ ଅସୁବିଧାରେ ଥିଲେ ସେମାନଙ୍କ ସବିଶେଷ ବିବରଣୀ ବିଧାୟକ/ବିଧାୟିକାମାନେ ଏହି କକ୍ଷକୁ ପ୍ରଦାନ କଲେ ବିଧାନସଭା ପକ୍ଷରୁ ଏହି ସୂଚନା ଲୋକସଭା ବାଚସ୍ପତି, ସଂପୃକ୍ତ ରାଜ୍ୟର ବାଚସ୍ପତି ଓ ସରକାରଙ୍କ ଦୃଷ୍ଟିକୁ ଅଣାଯିବ, ଯଦ୍ଦ୍ୱାରା ଏହି ସମସ୍ୟାର ସମାଧାନ ସହଜ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରରେ ପାନ, ଗୁଟଖା, ସୁପାରି ଆଦି ସେବନ କରି ଛେପ ପକାଇଲେ ଆର୍ଥିକ ଜରିମାନା ଆଦାୟ ହେବ । ୨୦ ତାରିଖଠାରୁ ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଏବଂ ଗ୍ରୁପ୍‌-ବି, ସି, ଡି ବର୍ଗର ୫୦ ପ୍ରତିଶତ ଅଧିକାରୀ/କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ଆଦେଶନାମା ପ୍ରକାଶ ପାଇଛି । ଏହି ଭିଡ଼ିଓ କନ୍‌ଫରେନ୍‌ସିଂବେଳେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଏନ୍‌ଆଇସିର ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ବୈଷୟିକ ନିର୍ଦ୍ଦେଶକ ଅଶୋକ କୁମାର ବେହେରା ଓ ବିଧାନସଭାର ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ

ଭୁବନେଶ୍ବର,ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରଂପରା ଅନୁସାରେ ବଜେଟ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଗୃହରେ ନିଜର ଅଭିଭାଷଣ ରଖିବେ। ସେଥିପାଇଁ ବିଧାନସଭାର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟପାଳ ବିଧାନସଭାରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ତାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୃହ ଭିତରକୁ ପାଛୋଟି ନେବେ। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ଆସନ୍ତା 18 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାର ଚଳିତ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପାନ କରିବେ।

ଗୃହରେ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବାଚସ୍ପତି ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ନ ଆସି ନିଜନିଜ ଆସନରେ ଛିଡା ହୋଇ ଅଭିଯୋଗ କରିପାରିବେ ବୋଲି ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେହିପରି ସବୁଦଳର ପୃଥକ ପୃଥକ ବୈଠକ କରାଯାଇ ରଣନିତି ପ୍ରସ୍ତୁତ କରାଯାଇଛି। ତେବେ ଏଥର ବିଭିନ୍ନ ପ୍ରସଂଗ ନେଇ ବିରୋଧ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୧୪ ତାରିଖରୁ ବିଧାନସଭା ଅଧିବେଶନ, ୧୮ ତାରିଖରେ ବଜେଟ

ସମୀକ୍ଷା ବ୍ୟୁରୋ

ଫେବୃଆରୀ ୧୪ ତାରିଖରୁ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅଧିବେଶନ ଆରମ୍ଭ କରାଯିବା ନେଇ ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁସାରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ଗୃହରେ ତାଙ୍କର ଅଭିଭାଷଣ ରଖିବେ।  ଫେବୃଆରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2020- 2021 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।  ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ ତାରିଖଠାରୁ ଆରମ୍ଭ କରାଯାଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ସମୁଦାୟ ୩୨ଟି କାର୍ଯ୍ୟ ଦିବସ ଉକ୍ତ ଅଧିବେଶନ ପାଇଁ ନିର୍ଦ୍ଧାରଣ କରାଯାଇଛି। ଫେବୃୟାରୀ 1 ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନା ପରେ ରାଜ୍ୟ ତାହାକୁ ଅନୁଧ୍ୟାନ କରି ରାଜ୍ୟ ବଜେଟ ଉପସ୍ଥାପନ କରିବେ ।

 

Categories
ବିଶେଷ ଖବର

ମହିଳାଙ୍କ ବିରୋଧରେ କହିବାକୁ ରାଜନେତା,ଲୋକ ପ୍ରତିନିଧି ଓ ସାମ୍ବାଦିକ-କାହାକୁ ବି ଲାଜ ଲାଗୁନାହିଁ, ଆଶ୍ଚର୍ଯ୍ୟ!! 

କେଦାର ମିଶ୍ର 

ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ ଅଭିଯୋଗ ଆଣନ୍ତୁ, ତାହା ଗଣତନ୍ତ୍ର ଲାଗି ଶୁଭଂକର। ହେଲେ ସମାଲୋଚନା ଓ ଅଭିଯୋଗ ଯଦି କୌଣସି ମହିଳାଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ହୋଇଥାଏ, ତାହେଲେ ତାହା କେବଳ ଅନୈତିକ ନୁହେଁ, ଅପରାଧ ମଧ୍ୟ। ଗତ ସପ୍ତାହରେ ଦୁଇଟି ଖବର ଆମ ନଜରକୁ ଆସିଛି ଆଉ ଦୁଇଟି ଯାକ ଖବରରେ ଆମର ସମାଜ ଏବେ ମଧ୍ୟ ମଧ୍ୟଯୁଗୀୟ ମାନସିକତାରେ ଥିବାର ପ୍ରମାଣ ଦେଉଛି। ପ୍ରଥମ ଖବର ସହିତ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଜଡିତ ଥିବା ବେଳେ ଦ୍ଵିତୀୟ ଖବରରେ ଜଗତସିଂପୁରର କେତେଜଣ କଲେଜ ପଢୁଆ ଝିଅଙ୍କ ନାମ ଜଡିତ ଅଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ କଂଗ୍ରେସ ଦଳ ଏକ ଅଭିଯୋଗ ଆଣିଲା ଯେ, ସେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇ ହାଇଦ୍ରାବାଦ ର ଏକ ସରକାରୀ କାର୍ୟକ୍ରମକୁ ଯାଇଥିଲେ। ସରକାରୀ ଖର୍ଚ୍ଚରେ ଏହି ଦୁଇଜଣ ଭଦ୍ରମହିଳା ଯଦି ଯାଇଥିବେ, ତାହା ଭୁଲ। ତେବେ “ମନ୍ତ୍ରୀଙ୍କ ସହ ଦୁଇଜଣ ମହିଳା ଯାଇଥିଲେ”- ଏହା କଣ ପାପ ନା ଅପରାଧ? ଯେଉଁ ଦୁଇଜଣ ଭଦ୍ର ମହିଳା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ, ସେମାନଙ୍କର ନିଜସ୍ଵ ସମ୍ମାନ ରହିଛି। ତାଙ୍କ ଫଟୋ ଓ ଭିଡିଓ କୁ ଭାଇରାଲ କରିବା ଏକ ଅପରାଧ ନୁହେଁ କି? ମନ୍ତ୍ରୀମାନେ ମହିଳାଙ୍କ ସାଙ୍ଗରେ ବସିବା ଏକ ଅପରାଧ ବୋଲି କେଉଁ ଆଇନ ବା ସାମାଜିକ ନିୟମରେ ଲେଖା ହୋଇଛି?

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏ ସମ୍ପର୍କରେ ଆଲୋଚନା କଲାବେଳେ ବିଧାନସଭାରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାମାନ୍ୟ ଶାଳୀନତା ମଧ୍ୟ ରହିଲା ନାହିଁ। ଦୁଇଜଣ ବେସରକାରୀ ଭଦ୍ର ମହିଳାଙ୍କର ଟିକଟ ଓ ରହଣୀ ବ୍ୟବସ୍ଥା କରିବା ହୁଏତ, ଅନୈତିକ ହୋଇପାରେ। ହେଲେ ସେ ଭଦ୍ରମହିଳାଙ୍କ ବିଷୟରେ ଯେଉଁ ପ୍ରକାର ଭାଷା ବ୍ୟବହାର କରାଗଲା, ତାହା ନିହାତି ଅସଭ୍ୟ ସମାଜରେ ହିଁ ଦେଖିବାକୁ ମିଳେ। ମାଁ-ଝିଅ ହୁଅନ୍ତୁ ବା ଦୁଇ ଭଉଣୀ ହୁଅନ୍ତୁ, ସେମାନେ ନିଜସ୍ଵ ପରିଚୟରେ ମହୀୟାନ। ତାଙ୍କ ଚରିତ୍ର ସଂହାର କରିବାର କୌଣସି ଅଧିକାର ବିଧାୟକ, ରାଜନୈତିକ ଦଳ, ସାମ୍ବାଦିକ ବା ସୋସିଆଲ ମିଡିଆ ତ୍ରୋଲଙ୍କର ନାହିଁ। ମନ୍ତ୍ରୀଙ୍କ ସହିତ ଏହି ଦୁଇ ଭଦ୍ର ମହିଳା ଲୁଚା ଚୋରାରେ ତ ଯାଇନାହାନ୍ତି। ସେଥିପାଇଁ ଓଟିଡିସି ଟିକଟ କରିଛି। ହେଲେ ଏହାର ପଇସା ସରକାର ପଇଠ କରିଛନ୍ତି ନା ଆଉ କିଏ ଦେଇଛି, ତାହା ସ୍ପଷ୍ଟ ନୁହେଁ। ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ କହିଛନ୍ତି, ଏଥିପାଇଁ ସରକାର ଖର୍ଚ୍ଚ କରିନାହାନ୍ତି। ତାପରେ ଏହି କଥାର ଅର୍ଥ କଣ?

ମନ୍ତ୍ରୀ ତାଙ୍କ ସମ୍ପର୍କୀୟ ବା ତାଙ୍କ ବାନ୍ଧବୀଙ୍କ ସହ ଏକାଠି ଯିବା ଏକ ଅପରାଧ ବୋଲି ଏଣିକି ବିବେଚିତ ହେବ ବୋଧହୁଏ! ଏବେବି ମହିଳା ଓ ପୁରୁଷଙ୍କର ବନ୍ଧୁତାକୁ ଆମେ ସନ୍ଦେହ କରୁଛୁ କାହିଁକି? କଂଗ୍ରେସ ଭଳି ଏକ ପୁରୁଣା ଓ ପ୍ରଗତିଶୀଳ ବିଚାର ରଖୁଥିବା ଦଳ, ହଠାତ ଏତେ ମହିଳା ବିରୋଧୀ ହେବାର କାରଣ କଣ? ଆମେ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁ, ସରକାରୀ ଅର୍ଥର ଦୁରୁପଯୋଗ କୁ ନେଇ ପ୍ରଶ୍ନ ପଚାରିବାର ଅଧିକାର ବିରୋଧୀ ଦଳର ରହିଛି, ହେଲେ ବ୍ୟକ୍ତିଗତ ଚରିତ୍ର ସଂହାର ଓ ଦୁଇଜଣ ମହିଳାଙ୍କ ସ୍ବାଭିମାନକୁ ନେଇ କୁତ୍ସିତ ଟିପ୍ପଣୀ ଦେବା ଅତ୍ୟନ୍ତ ନିନ୍ଦନୀୟ।

ଦ୍ଵିତୀୟ ଖବରଟି ଆହୁରି ସାଂଘାତିକ। ଜଗତସିଂପୁରର ଏକ ଗେଷ୍ଟ ହାଉସରୁ କିଛି ଯୁବକ ଯୁବତୀ ପ୍ରେମ କରୁଥିବା ବେଳେ ପୋଲିସ ଧରିଥିବାର ଖବର ମିଳିଛି। କଣ ପ୍ରେମ କରିବା ମଧ୍ୟ ଅପରାଧ? ରାଇଟ୍ସ ଟୁ ପ୍ରାଇଭେସି ଏକ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟ କହି ସାରିବା ପରେ ଏହାକୁ ନେଇ ପୋଲିସ ତାମସା କରୁଛି କାହିଁକି? ଏହି ଯୁବତୀମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଓ ସେମାନଙ୍କ ଚରିତ୍ରକୁ ଆକ୍ଷେପ କରି ବହୁ ପ୍ରକାର ଟୀକା ଟିପ୍ପଣୀ ଦିଆଯାଉଛି। ଏଥିଲାଗି ପୋଲିସ ବିଭାଗ ବିରୋଧରେ ମାମଲା ହେବା ଉଚିତ। କେଉଁ ଅପରାଧରେ ଏହି ଯୁବକ ଯୁବତୀଙ୍କର ଫଟୋ ଉଠାଇବାର ସୁଯୋଗ ପୋଲିସ ଦେଇଛି? ଯେଉଁ ସାମ୍ବାଦିକମାନେ ଓ ସମ୍ପାଦକମାନେ ଏହି ଖବର ଛାପିଛନ୍ତି, ସେମାନଙ୍କର ସାମାନ୍ୟତମ ସଭ୍ୟତା ଜ୍ଞାନ ନାହିଁ ବୋଲି କୁହାଯାଇପାରିବ।

ଅନେକ ସମୟରେ ମହିଳାଙ୍କ ଇଜ୍ଜତ ଓ ସମ୍ମାନ ସହ ଜଡିତ ଘଟଣାକୁ ଖବର କଲାବେଳେ, ଆମେ ଆମର କାଣ୍ଡଜ୍ଞାନ ହରାଇବସୁଛୁ। ସାମ୍ବାଦିକତାର ମୌଳିକ ଦାୟିତ୍ଵ ଭାବରେ କୌଣସି ମହିଳାଙ୍କ ବ୍ୟକ୍ତିଗତ ଚରିତ୍ର ବା ସଂପର୍କକୁ ନେଇ ଖବର ଛାପିବା  ବେଳେ ଆମକୁ ଶହେଥର ଭାବିବା ଦରକାର। ହେଲେ ଭାବିବା ଭଳି ସମ୍ବାଦିକତା ଆଉ ଅଛି କି?