Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ପାଇଁ ୫୮ଟି ଅନୁମତି ପତ୍ର ପ୍ରଦାନ

ଭୁବନେଶ୍ବର: ଗୋଶାଳାଗୁଡ଼ିକୁ ସ୍ୱୟଂସମ୍ପନ୍ନ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଆଜି ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର (ଭର୍ମିକମ୍ପୋଷ୍ଟ) ୟୁନିଟ୍‌ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର (ଗୋ ଆହେଡ ଲେଟର) ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ରାଜ୍ୟର ୫୮ଟି ଗୋଶାଳାକୁ ଏହି ଅନୁମତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଉପଲକ୍ଷେ କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣିକଲ୍ୟାଣ ଓ ଗୋପାଳକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ସ୍ୱରୂପ ଗୋଶାଳାରେ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ। ଜିଆଖତ ଉତ୍ପାଦନ କରି ଗୋଶାଳାଗୁଡ଼ିକ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଗୋପାଳକମାନେ ସେମାନଙ୍କ ଆୟକୁ ଅନେକାଂଶରେ ବୃଦ୍ଧି କରିପାରିବେ।

ଜିଆଖତ ରାଜ୍ୟର ଜୈବିକ କୃଷିକୁ ପ୍ରୋତ୍ସାହିତ କରିବ ଏବଂ ମୃତ୍ତିକାର ଉର୍ବରତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ଉପଯୋଗୀ ହୋଇପାରିବ। ଗୋବର ଓ ଗୋମୂତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା କରି ସେଥିରୁ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଗୋଶାଳା, ପ୍ରାଥମିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଦସ୍ୟ ଓ ଗୋପାଳକମାନଙ୍କ ଗୋଧନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସହାୟତା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ରାଜ୍ୟ ସରକାର ପ୍ରାଣିସମ୍ପଦ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ସୁବିଧାକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଦୁଃସ୍ଥ ଓ ଅସହାୟ ବୁଲା ଷଣ୍ଢ ଓ ବଳଦ ଇତ୍ୟାଦିଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ବେସରକାରୀ ସ୍ତରରେ ସ୍ଥାପିତ ହୋଇଥିବା ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ଓ ନୂତନ ଗୋଶାଳା ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଚଳିତ ବର୍ଷ ଏ ବାବଦରେ ପ୍ରାୟ ୯ କୋଟି ଟଙ୍କା ବଣ୍ଟନ କରାଯାଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣିସେବା ଯାନର ବ୍ୟବସ୍ଥା ହୋଇଛି ଏବଂ ସହରାଞ୍ଚଳରେ ତୁରନ୍ତ ପ୍ରାଣିଚିକିତ୍ସା ପାଇଁ ମଧ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଗୋଶାଳାରୁ ଉତ୍ପାଦିତ ବର୍ଜ୍ୟବସ୍ତୁର ସୁପରିଚାଳନା ହେବା ସହିତ ଏଥିରୁ କୃଷି ଉପଯୋଗୀ ମୂଲ୍ୟବାନ ଜିଆଖତ ଉତ୍ପାଦନ ହୋଇପାରିବ।

ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ବିଭିନ୍ନ ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଏବଂ ଗୋବରୁ ଜିଆଖତର ଉତ୍ପାଦନର ବୈଷୟିକ ଦିଗ ସମ୍ପର୍କରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗୋଶାଳାର କର୍ମକର୍ତ୍ତା, ଗୋପାଳକ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

Categories
ଆଜିର ଖବର

ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ପାଇଁ ରାଜ୍ୟବ୍ୟାପୀ ନିର୍ମାଣ ହେବ ହ୍ୟାଚେରୀର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ ପଦକ୍ଷେପ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇ ୨୦୨୨-୨୩  ମସିହରେ ୧୦ ଲକ୍ଷ ଟନ୍‌ରୁ ଊଦ୍ଧ୍ୱର୍ରେ ପହଞ୍ଚିଛି। ରାଜ୍ୟରେ ବର୍ଷିକ ମୁଣ୍ଡପିଛା ମାଛ ଆହରଣ ଗତ ୨୩ ବର୍ଷ ମଧ୍ୟରେ ୭.୭୧ କେଜିରୁ ୧୭.୭୩ କେଜିକୁ ବୃଦ୍ଧି ପାଇଛି।

ମାଛଚାଷର ବିକାଶ ପାଇଁ ବିଭାଗ ପକ୍ଷରୁ ମାଛଚାଷୀଙ୍କୁ ଗୁଣାତ୍ମକ ମାଛ ଜାଆଁଳ ଯୋଗାଇଦେବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥି ପାଇଁ ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍‌ୱାର୍କ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥି ପାଇଁ ପ୍ରତି ବ୍ଲକ୍‌ରେ ମାଛ ଜାଆଁଳ ହ୍ୟାଚେରୀ ସ୍ଥାପନ ସହିତ ଅଚଳ ହୋଇପଡ଼ିଥିବା ସରକାରୀ ମାଛ ହ୍ୟାଚେରୀଗୁଡ଼ିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ଋତୁକାଳୀନ ଓ ଆଗୁଆ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମରେ ପ୍ରାୟ ୧୦୯୪ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରାଯାଇପାରୁଛି।

ଗୁଣ୍ଡ ଜାଆଁଳରୁ ଉନ୍ନତ ମାନର ଫ୍ରାଏ ଓ ଆଙ୍ଗୁଳିକା ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାର ଜାଆଁଳ ଉତ୍ପାଦନକାରୀ ନେଟ୍‌ୱାର୍କ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ଜାଆଁଳ ଉତ୍ପାଦନକାରୀଙ୍କୁ ଇନ୍‌ପୁଟ୍‌ ସହାୟତା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ରାଜ୍ୟରେ ୨୯୬ କୋଟି ଫ୍ରାଏର ଆବଶ୍ୟକତା ଥିବାବେଳେ ରାଜ୍ୟରେ ୩୧୦ କୋଟି ଫ୍ରାଏ ଉତ୍ପାଦନ କରିବାରେ ସମର୍ଥ ହୋଇ ଜାଆଁଳ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ଏଥିରେ ବିବିଧତା ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

କର୍ମଶାଳାରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ଅବସରପ୍ରାପ୍ତ କେନ୍ଦ୍ର ସଚିବ ଶ୍ରୀ ଯତୀନ୍ଦ୍ରନାଥ ସ୍ୱାଇଁ କହିଲେ ଯେ ମତ୍ସ୍ୟକ୍ଷେତ୍ରର ବାର୍ଷିକ ୮ ପ୍ରତିଶତ ଅଭିବୃଦ୍ଧି ଘଟୁଛି ଏବଂ ଏହା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ । ଉନ୍ନତ ମାନର ମାଛ ଜାଆଁଳର ପ୍ରାମାଣିକତା ପ୍ରଦାନ ଦିଗରେ ପଦକ୍ଷେପ ନେବା ସହିତ ପିପିପି ମୋଡ୍‌ରେ ମାଛ ଜାଆଁଳ ପାଇଁ ବ୍ରୁଡ୍‌ ବ୍ୟାଙ୍କ ସ୍ଥାପନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଗାମୀ ୫ ବର୍ଷ ପାଇଁ ମାଛ ଜାଆଁଳ ଉତ୍ପାଦନ ଦିଗରେ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳା ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌ ରାଜ୍ୟରେ ଆଗାମୀ ଦିନରେ ମାଛ ଜାଆଁଳର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହିତ ନୂତନ ଜ୍ଞାନକୌଶଳର ପ୍ରୟୋଗ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମଶାଳାରେ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଜ୍ୟର ବେସରକାରୀ ଯୁବ ମାଛ ଜାଆଁଳ ହ୍ୟାଚେରୀ ମାଲିକମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ । କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ମାଛ ଜାଆଁଳ ହ୍ୟାଚେରୀ ମାଲିକ ଯୋଗଦେଇଥିଲେ।

କର୍ମଶାଳାର ବୈଷୟିକ ଅଧିବେଶନରେ ଭାରତୀୟ କୃଷି ଗବେଷଣା ପରିଷଦ-ସିଫାର ପ୍ରିନ୍‌ସିପାଲ୍‌ ବୈଜ୍ଞାନିକ, ଏନ୍‌ଏଫଏଫ୍‌ବିବି, କଲେଜ୍‌ ଅଫ୍‌ ଫିସରିଜ୍‌, ୱାଲର୍ଡ ଫିସ୍‌, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସମେତ ଏମ୍‌ଡି, ଓପିଡିସି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାଛ ଜାଆଁଳ ଓ ମାଛ ଉତ୍ପାଦନର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନି ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଏହି କ୍ରମରେ କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ବଣ୍ଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବୁଲା ଗାଈଗୋରୁଙ୍କ ଏକମାତ୍ର ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ପ୍ରାଣୀକଲ୍ୟାଣ ପାଇଁ ପ୍ରତିବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୁଲା ଓ ଅସହାୟ ପ୍ରାଣୀଙ୍କ ହିତ ପାଇଁ ଗୋଶାଳାକୁ ପ୍ରଦାନ କରାଯାଉଥିବା ସହାୟତା ରାଶିର ପରିମାଣକୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇଗୁଣ କରିଛନ୍ତି।

ଚଳିତବର୍ଷ ଏହି ସହାୟତା ରାଶି ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପ୍ରତି ଗୋରୁପିଛା ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଗତ ବର୍ଷର ସହାୟତା ରାଶି ୧୬ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏଥି ସହିତ ଗୋଶାଳାରେ ଜିଆଖତ ପ୍ରସ୍ତୁତି ନିମନ୍ତେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରି ସେଥିରୁ ଉପାର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରିକରି ଗୋଶାଳାଗୁଡିକର ଆର୍ଥିକ ଉନ୍ନତି ହୋଇପାରିବ।

ସେଥିପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଗୋଶାଳାରେ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚର ୫୦ ପ୍ରତିଶତ ସହାୟତା ତଥା ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଚଳିତ ବର୍ଷ ଏଥି ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି ସହିତ ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନେ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଆଜିର କାର୍ଯ୍ୟକ୍ରମରେ ଗୋଶାଳାକୁ ସହାୟତା ରାଶି ବଣ୍ଟନ ସହିତ ଗୋଶାଳାଗୁଡିକ ଜିଆଖତ ଉତ୍ପାଦନ ନିମନ୍ତେ କିପରି ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବେ ସେ ବିଷୟରେ ସଚେତନତା କରାଯାଇଛି। ଏହା ଦ୍ୱାରା ଗୋବର ଓ ଗୋମୁତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା ହେବ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜିଆଖତ ସୃଷ୍ଟି ହୋଇ ପାରିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷରେ ପଞ୍ଜୀକୃତ ଗୋଶାଳାର ରକ୍ଷଣାବେକ୍ଷଣ ଓ ଗୋରୁମାନଙ୍କ ଯନି ନିମନ୍ତେ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରୁ ୯ କୋଟି ଟଙ୍କା ପଞ୍ଜୀକୃତ ଗୋଶାଳାଗୁଡିକୁ ସହାୟତା ରାଶି ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିବାବେଳେ ୧ କୋଟି ଟଙ୍କା ଅନୈତିକ ଗୋଚାଲାଣରେ ଜବତ ଓ ଦୁର୍ଘଟଣାଗସ୍ତ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯିବ। ଏଥି ସହିତ ରାଜ୍ୟରେ ନୂତନ ଭାବେ ଗୋଶାଳା ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥାଗୁଡିକୁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ରହିଛି।

ଏଥିରେ ୫୦ ରୁ ୧୫୦ ପର୍ଯ୍ୟନ୍ତ ଅସହାୟ ଗୋରୁଙ୍କ ନିମନ୍ତେ ଆଶ୍ରୟସ୍ଥଳ ନିର୍ମାଣ କରାଯିବ।ନୂତନ ଗୋଶଳା ନିର୍ମାଣ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି ଓ ସେ ବାବଦକୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ରାଜ୍ୟରୁ ଆସିଥିବା ଗୋଶାଳାର କର୍ମଜୀବୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜାତୀୟ ରାଜପଥ ମଙ୍ଗୁଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ନେଇ କୃଷି ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ବର: ଜାତୀୟ ରାଜପଥ ୫୫ର ମଙ୍ଗୁଳିଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ ୧୬ର ମଙ୍ଗୁଳିଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଯାତାୟତ ବୃଦ୍ଧି ଦୃଷ୍ଟିରୁ ଯାନବାହନ ଚଳାଚଳକୁ ସୁଗମ କରି ଦୁର୍ଘଟଣା ଏଡ଼ାଇବା ପାଇଁ ଜାତୀୟ ରାଜପଥରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି।

ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଦୁର୍ଘଟଣା ଏଡାଇବା ପାଇଁ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକର ତୁରନ୍ତ ମରାମତି, ଆବଶ୍ୟକୀୟ ସର୍ଭିସ ରୋଡ୍‌ ନିର୍ମାଣ ଓ ବର୍ଷାଜଳର ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ୍‌ ନର୍ମାଣ ସମେତ ଫ୍ଲାଇଓଭର ଏବଂ ଅଣ୍ଡରପାସ୍‌ ଆଦି ନିର୍ମାଣ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ନେବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲ।

ବୈଠକରେ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ୍‌ ବିଶ୍ୱାଳ, କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ବିଶଦ ଆଲୋଚନା କରିଥିଲେ।

ବୈଠକର ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୨୫ ତାରିଖରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଜାତୀୟ ରାଜପଥର ବିଭିନ୍ନ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିବେ। ଏଥିରେ କଟକ ଲୋକସଭା ସାଂସଦ, ଚୌଦ୍ୱାର-କଟକ ବିଧାୟକ, କଟକ ସଦର ବିଧାୟକ, ଜିଲ୍ଲାପାଳ, କଟକଙ୍କ ସମେତ ଜାତୀୟ ରାଜପଥର କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିଦିନ ପୂର୍ବାହ୍ନରେ ଚୌଦ୍ୱାର କଲେଜର ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହେବ।

ଦୁର୍ଘଟଣା ଏଡାଇବା ପାଇଁ ମଙ୍ଗୁଳିଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାସ୍ତାରେ ଥିବା ସମସ୍ତ ଗର୍ତ୍ତଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଗାଡ଼ି ଚଳାଚଳ ଯୋଗୁ ଉଡ଼ୁଥିବା ଧୂଳିର ପ୍ରଭାବକୁ ଏଡ଼ାଇବା ପାଇଁ ନିୟମିତ ଜଳସିଂଚନ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ଜାତୀୟ ରାଜପଥର ଖୁଣ୍ଟୁଣିଠାରେ ବର୍ଷାଜଳର ନିଷ୍କାସନ ନିମନ୍ତେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ କୁହାଯାଇଥିଲା, ଯେପରି ବର୍ଷାଜଳ ନିକଟସ୍ଥ ଜନବସତି ମଧ୍ୟକୁ ପ୍ରବେଶ କରି ନପାରିବ।

ସେହିପରି ଖୁଣ୍ଟୁଣିଠାରେ ନିର୍ମାଣାଧିନ ଫ୍ଲାଇଓଭର/ଅଣ୍ଡରପାସ୍‌ ଏବଂ ସର୍ଭିସ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଢେଙ୍କାନାଳର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ବଉଳାଙ୍ଗ ଏବଂ ବାଳିଠାରେ ନିର୍ମାଣାଧିନ ଅଣ୍ଡରପାସ୍‌ ଏବଂ ସର୍ଭିସ୍‌ ରୋଡ୍‌ ଏବଂ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ଫେବୃଆରୀ ୨୦୨୪ ସୁଦ୍ଧା ଶେଷ ହେବ।

ସେହିପରି ରାଧାକିଶୋରପୁର ପଞ୍ଚାୟତର ପୁରୁଷୋତ୍ତମପୁରଠାରେ ଏକ ସର୍ଭିସ୍‌ରୋଡ୍‌ ଡ୍ରେନ୍‌ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯଦ୍ଦ୍ୱାରା ନିକଟସ୍ଥ ପାହାଡ଼ରୁ ଗଡ଼ି ଆସୁଥିବା ବର୍ଷାଜଳର ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଗ୍ରାମବାସୀଙ୍କ ଯିବାଆସିବାକୁ ସୁନିଶ୍ଚିତ କରାଯିବ।

ସେହିପରି ରାଧାଦାମୋଦରପୁରସ୍ଥିତ ଓମ୍‌ଫେଡ୍‌ ପାର୍ଲରଠାରୁ ଖୁଣ୍ଟୁଣି ଥାନା ପର୍ଯ୍ୟନ୍ତ ରାସ୍ତାରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଏଡ଼ାଇବା ପାଇଁ ସର୍ଭିସ୍‌ ରୋଡ୍‌ ଏବଂ ଡ୍ରେନ୍‌ ନିର୍ମାଣ ଦିଗରେ ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହିତ କୁଶପଙ୍ଗି ଏବଂ ଧୁମାବତୀ ମନ୍ଦିରଠାରେ ଅଣ୍ଡରପାସ୍‌ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଜାତୀୟ ରାଜପଥ-୧୬ର ମଙ୍ଗୁଳିଠାରୁ ଭୁବନେଶ୍ୱର ରାସ୍ତାରେ ଜଗତପୁର ସର୍ଭିସ୍‌ ରୋଡ୍‌ର ମରାମତି, କଟକ ସଦର ଥାନା ସର୍ଭିସ ରୋଡ୍‌ ମରାମତି, ଶିଖରପୁରରେ ବିଦୁ୍ୟତ ଖୁଣ୍ଟି ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ, ହଂସପାଳ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଓ କଟକ ସହର ଦେଇ ଯାଇଥିବା ଜାତୀୟ ରାଜପଥ ପାଶ୍ୱର୍ରେ ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ସଂପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଶ୍ରୀ ନରହରି ସେଠୀଙ୍କ ସମେତ ପିଡି, ଡୁଡା, କଟକ, ପିଡି ଏନ୍‌ଏଚ୍‌ଏଆଇ, ଭୁବନେଶ୍ୱର, କଟକ ସଦର ଏବଂ ଟାଙ୍ଗି-ଚୌଦ୍ୱାର ତହସିଲଦାର, ଚୌଦ୍ୱାର ମୁନିସିପାଲିଟିର ଉପାଧ୍ୟକ୍ଷଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଭିନ୍ନ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା

ଭୁବନେଶ୍ବର: ଜୀବେ ଦୟା ଓ ପ୍ରାଣୀ କଲ୍ୟାଣ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ। ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଗୋଶାଳାଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍‌ଲାଇନ୍‌ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି।

ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟରେ ସଂପ୍ରତି ୮୦ଟି ପଂଜିକୃତ ଗୋଶାଳା ରହିଛି। ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି।

ଏଥି ସହିତ ବିଭିନ୍ନ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୨୨-୨୩ ବର୍ଷରେ ୫୨ଟି ପଂଜିକୃତ ଗୋଶାଳାକୁ ପ୍ରତି ବୟସ୍କ ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଂଜୁର କରାଯାଇଛି। ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଏ ବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଯାଇଛି।

ଗୋଶାଳାଗୁଡ଼ିକ କୃଷି ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆବଶ୍ୟକ ହେଉଥିବା ଜୈବିକ ଖତ ଓ ଜିଆ ଖତ ଉତ୍ପାଦନ କରି ଆର୍ଥିକ ଉପାର୍ଜନ କରିବାର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଷୟିକ ଜ୍ଞାନକୌଶଳ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ଗ୍ରହଣ କରାଯାଇପାରେ ବୋଲି ସେ କହିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଟୋଲ୍‌ ଫି୍ର ନମ୍ବର ୧୯୬୨କୁ କଲ୍‌ କଲେ ପୀଡ଼ିତ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି। ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି। ଅସହାୟ ଓ ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ଏହା ଏକ ଲାଇଫ୍‌ଲାଇନ୍‌ ଭାବରେ କାର୍ଯ୍ୟ କରୁଛି ଓ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ମିଳିପାରୁଛି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗୋଶାଳାଗୁଡ଼ିକର ଉନ୍ନତି ନିମନ୍ତେ ଅନ୍ୟ ବିଭାଗ ସହିତ ମିଳିମିଶି କାମ କରିବାକୁ ପଡ଼ିବ। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରତି ମାସରେ ଥରେ ଗୋଶାଳା ପରିଦର୍ଶନରେ ଯିବେ ଏବଂ ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ଟୀକାକରଣ, ଡି-ୱର୍ମିଂ ଓ ଗୋ-ବନ୍ଧ୍ୟା ନିରାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ।

ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବୀରକିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଗୋଶାଳା ପରିଚାଳନା ସହ ଜଡ଼ିତ ଶତାଧିକ ବ୍ୟକ୍ତିବିଶେଷ, ଆନିମଲ୍‌ ହେଲପ୍‌ଲାଇନ୍‌ର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ କୋରାପୁଟର କୁନି ଝିଅ, ଅଭିନୟ ମାଧ୍ୟମରେ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ଗାଁର ସମସ୍ୟା

କୋରାପୁଟ: ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି କୋରାପୁଟର ଶିଶୁମନ୍ଦିର ଶିଶୁ ବାଟିକାରେ ପଢୁଥିବା ଚାରି ବର୍ଷର କୁନି ଝିଅ ସୋନାଲି ଦାସ। ଅଗଷ୍ଟ ପନ୍ଦର ଅବସରରେ ସେ ମୁଖ୍ୟ ଅତିଥୀଙ୍କ ଆଗରେ ଅଭିନୟ କରି ବଖାଣିଥିଲେ ନିଜ ଗାଁର ସମସ୍ୟା। ସେହି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେଇ ଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ବହୁ ଅତିଥି।

ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସୋନାଲି ଅଭିନୟ କରିବାର କାର୍ଯ୍ୟକ୍ରମ ରହିଥିଲା। ସେ ଅଭିନୟ ମାଧ୍ୟମରେ ଗାଁର ସମସ୍ୟା କୋରାପୁଟିଆ ଭାଷାରେ ଅତିଥୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲା। ତାଙ୍କ ଗାଁ ହେଉଛି ଦଶମନ୍ତପୁର ବ୍ଲକ କୁଲା ପଞ୍ଚାୟତର ପଦଗୁଡା ଗାଁ। ସେହି ଗ୍ରାମର ସମସ୍ୟା ନେଇ ସେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ସେ କହିଥିଲେ ଯେ, ଆମର ଗାଁ କେ ଯିବା କେ ରାସ୍ତା ନାଏଁ ବାବୁ, ପିଇବା କେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପାଉଛେ କେ ବାବୁ, ଖଟିଆନ କେ ବୁହା ହୋଏ ମେଡିକାଲ ଆସୁଛେଁ ବାବୁ, ଆମେ ବଡ ଦୁଃଖରେ ଅଛେଁ ବାବୁ ପ୍ରଭୃତି ସମସ୍ୟା ସେ ଉପସ୍ଥାପିତ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ରାଜ୍ୟରେ ଆସିବ ଛେଳି ପ୍ରଜନନ ନୀତି, ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେଣ୍ଢା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ।

ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ନୂତନ ପ୍ରଜନନ ନୀତିରେ ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ବେଙ୍ଗଲ୍‌ ଏବଂ ଗଞ୍ଜାମ ଆଦି ଅତି ଉଚ୍ଚ ମାନର ଜେନେଟିକ୍‌ ପ୍ରଜାତିର ଛେଳିକୁ ସଂରକ୍ଷଣ କରାଯିବା ସହିତ ଏହାକୁ ଅଧିକ ଉନ୍ନତ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍‌, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍‌ ବେଙ୍ଗଲ୍‌ ସହିତ କ୍ରସ୍‌ବି୍ରଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯିବ। ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସରୀ ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ କରାଯିବା ପାଇଁ ପ୍ରଜନନ ନୀତିରେ ଗୁରୁତ୍ୱ ଦିଆଯାଉଛି।

ବୈଠକରେ ସ୍ଥାନୀୟ ପ୍ରଜାତିର ଛେଳି ରାଇଘର, ଘୁମୁସରୀ, ନାରାୟଣପାଟଣା, ମାରାଗୁଡ଼ା ଆଦି ପ୍ରଜାତିର ଛେଳିକୁ ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସରେ ପଂଜିକୃତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତ କରାଯାଉଥିବା ଛେଳି ପ୍ରଜନନ ନୀତିର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ପାଇଁ ଉଦଘାଟିତ ହେଲା କୃଷକ ନିବାସ

ଭୁବନେଶ୍ବର: ଅଧିକ ଅମଳ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ଉନ୍ନତ ମାନର ପରୀକ୍ଷିତ ବିହନର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକନିବାସ ନିର୍ମାଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷିଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସଂପ୍ରସାରିତ ରାଜ୍ୟ ବିହନ ପରୀକ୍ଷାଗାର ଓ ନୂତନ କୃଷକନିବାସକୁ ଉଦ୍‌ଘାଟନ କରିଛନ୍ତି ।

ରାଜ୍ୟ ବିହନ ପରୀକ୍ଷଣ କେନ୍ଦ୍ରକୁ ଅନ୍ତର୍ଜାତୀୟ ମାନକୁ ଉନ୍ନୀତ କରିବା ଓ ଏଠାରେ ଚାଷୀ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ବିହନ ପରୀକ୍ଷଣ ଦିଗରେ ଆଧୁନିକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

୧୯୬୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପରୀକ୍ଷାଗାର ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପରୀକ୍ଷାଗାରରେ ବର୍ଷକୁ ଚାଷୀମାନଙ୍କ ଦ୍ୱାରା ସଂରକ୍ଷିତ ୧୨ ହଜାରରୁ ୧୬ ହଜାର ବିହନ ନମୁନାର ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିନ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଇଛି, ଯାହା ସମଗ୍ର ଦେଶରେ ଏକ ନିଆରା ଜିନ୍‌ ବ୍ୟାଙ୍କ୍‌ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଜିନ୍‌ ବ୍ୟାଙ୍କ୍‌ରେ ୧୦୭୮ କିସମର ସ୍ଥାନୀୟ ଧାନ ବିହନ ଓ ୨୮୩ଟି ଅଣଧାନ ବିହନ ସଂରକ୍ଷିତ କରି ରଖାଯାଇଛି । ଏଥି ମଧ୍ୟରୁ ୭୪୫ଟି ଧାନ ବିହନ ଭାରତ ସରକାରଙ୍କ ଦ୍ୱାରା ପ୍ରୋଟେକ୍‌ସନ୍‌ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ୍‌ ରେଜିଷ୍ଟ୍ରେସନ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଂଜୀକୃତ ହୋଇଛି ଓ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଜିନ୍‌ ବ୍ୟାଙ୍କ୍‌ରେ ୯୭ଟି ସ୍ଥାନୀୟ କିସମର ମିଲେଟ୍‌ ବିହନ ସଂରକ୍ଷିତ ହୋଇ ରହିଛି ।

ବିହନ ପରୀକ୍ଷାଗାରରେ ବିହନର ଶୁଦ୍ଧତା, ଆଦ୍ରତା, ବିହନର ସ୍ୱାସ୍ଥ୍ୟ, ଅଙ୍କୁରୋଦ୍‌ଗମ କ୍ଷମତା ଓ କୀଟପୋକ ପ୍ରତିରୋଧି କ୍ଷମତା ଆଦିକୁ କଡ଼ାକଡ଼ି ଭାବରେ ପରୀକ୍ଷା କରାଯାଇ ବିହନର ମାନ ନିର୍ଣ୍ଣୟ କରାଯାଇଥାଏ । ପରୀକ୍ଷାଗାରର ସଂପ୍ରସାରଣ ଫଳରେ ଏଠାରେ ଅନ୍ତର୍ଜାତୀୟ ମାନର ବିହନ ପରୀକ୍ଷଣର ସୁବିଧା ମିିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ
କରିଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ବିହନ ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ କର୍ପୋରେଟର ଓ ବହୁ ବରିଷ୍ଠ ପଦାଧିକାରୀ ଏବଂ କୃଷକ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଦେଶରେ ଓଡିଶାର ମାଛ ଚିଙ୍ଗୁଡି ବିକ୍ରୀ କରି କେତେ ଟଙ୍କା ମିଳିଛି ଜାଣିଛନ୍ତି ?

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୪୮୦ କିମି ଉପକୂଳ ଓ ବ୍ୟାପକ ଖାରିପାଣି ଅଞ୍ଚଳ ଯୋଗୁ ରାଜ୍ୟରେ ବ୍ୟାପକ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ସୁଯୋଗ ରହିଛି । ସାମୁଦି୍ରକ ଖାଦ୍ୟ ରପ୍ତାନୀ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଛି ।

୨୦୨୧-୨୨ରେ ଏହି ରପ୍ତାନୀ କାରବାର ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପରିମାଣ ଏହି ସମୟରେ ୮ ଗୁଣା ବୃଦ୍ଧି ପାଇ ୧୦,୬୪୪ ମେଟି୍ରକ୍‌ ଟନ୍‌ରୁ ୮୬,୪୮୧ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି ।

ଆଗାମୀ ଦିନରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଆହୁରି ଅଧିକ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓଡ଼ିଶା ଭାରତରେ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଓ ମାଛ ଉତ୍ପାଦନ ପ୍ରାୟ ୧୨ ଗୁଣ ବୃଦ୍ଧି ପାଇଛି ।

କୃଷକଙ୍କ ରୋଜଗାରକୁ ବହୁଗୁଣିତ କରିବା ସହିତ ଲାଭଦାୟକ ନିଯୁକ୍ତି ସୃଷ୍ଟି, ଜୀବିକାରେ ଉନ୍ନତିକରଣ, ରପ୍ତାନୀ ବୃଦ୍ଧି ଦିଗରେ ମତ୍ସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଯୋଗୁ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ର ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଓ ଉଦ୍ୟୋଗୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟଚାଷ ସଂପୃକ୍ତ ବ୍ୟକ୍ତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୋତ୍ସାହନ, ପ୍ରକ୍ରିୟାକରଣ ଓ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିିଭିନ୍ନ ଯୋଜନା ଓ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀ, ମତ୍ସ୍ୟ ବିଶେଷଜ୍ଞମାନେ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମାଛ ଉତ୍ପାଦନରେ ବିବିଧିକରଣ ଆଣିବା ଓ ବିମାନ ଯୋଗେ ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ ଓ ପୂର୍ବ ଏସିଆ ଦେଶଗୁଡ଼ିକୁ ଶୀତଳୀକୃତ ସାମୁଦି୍ରକ ଖାଦ୍ୟ ରପ୍ତାନୀ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଉତ୍ପାଦିତ ମତ୍ସ୍ୟର ପ୍ରକ୍ରିୟାକରଣ କରି ମୂଲ୍ୟବୃଦ୍ଧି ଓ ଗଭୀର ସମୁଦ୍ରରେ ଟୁନା ଜାତୀୟ ମୂଲ୍ୟବାନ ମାଛ ଧରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

କର୍ମଶାଳାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ସାମୁଦି୍ରକ ଖାଦ୍ୟ ରପ୍ତାନୀ ନିମନ୍ତେ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରି ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ କହିଥିବାବେଳେ ମାଛ କାରବାର ବୃଦ୍ଧି ନିମନ୍ତେ ବାଲେଶ୍ୱରଠାରେ ଏକ ହୋଲ୍‌ସେଲ୍‌ ମାର୍କେଟ ନିର୍ମାଣ କରାଯାଉଛି ବୋଲି କହିଥିଲେ ।

ଚାନ୍ଦିପୁରଠାରେ ଏକ ଅତ୍ୟାଧୁନିକ ମାଛଧରା ବନ୍ଦର ନିର୍ମାଣ କରାଯିବ ବୋଲି ସେ କହିଥିଲେ । ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ରାଜ୍ୟ ସରକାରଙ୍କ ଓଡ଼ିଶା ମତ୍ସ୍ୟନୀତି ୨୦୧୫ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି କହିବା ସହ ସାମୁଦି୍ରକ ଖାଦ୍ୟରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ନକରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ରାଜ୍ୟ ସରକାର ନୂତନ ମାଛଧରା ବନ୍ଦର ନିର୍ମାଣ ଓ ମତ୍ସ୍ୟ ଅବତରଣ କେନ୍ଦ୍ର ସହ ଭିତ୍ତିଭୂମିର ବିକାଶ ଦିଗରେ ପ୍ରାଥମିକତା ପ୍ରଦାନ କରୁଛନ୍ତି । ସାମୁଦ୍ରିକ ମାଛ ଉତ୍ପାଦନ ଦିଗରେ ପାରାଦୀପ, ଧାମରା, ବାହାବଳପୁର ଓ ଗୋପାଳପୁର ମାଛଧରା ବନ୍ଦର ସହ ୬୯ଟି ମତ୍ସ୍ୟ ଅବତରଣ କେନ୍ଦ୍ରର ଉନ୍ନତିକରଣ କରାଯାଉଛି । ୨୦୧୦ରେ ବିଦେଶୀ ଭେନାମାଇ ଚିଙ୍ଗୁଡ଼ି ଚାଷ ଆରମ୍ଭ ପରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ସେ କହିଥିଲେ ।

କର୍ମଶାଳାର ବୈଷୟିକ ଅଧିବେଶନରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚର ବୈଜ୍ଞାନିକ, ମାରାଇନ୍‌ ପ୍ରଡକଫସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ସଫଳ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀମାନେ ଅଂଶଗ୍ରହଣ କରି ବୈଷୟିକ ଜ୍ଞାନକୌଶଳ ଓ ନୀତିନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାରେ ସାମୁଦି୍ରକ ଖାଦ୍ୟ ରପ୍ତାନୀର ବିଭିନ୍ନ ଦିଗ ଉପରେ ମତାମତ ରଖିଥିଲେ । କର୍ମଶାଳାରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସଫଳ ମତ୍ସ୍ୟ ରପ୍ତାନୀକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉଦଘାଟିତ ହେଲା ଆକ୍ୱାକଲଚର ଏକ୍ସପୋ-୨୦୨୩

ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ବୃଦ୍ଧି ପାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ଆକ୍ୱାକଲଚର ଏକ୍ସପୋ-୨୦୨୩କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଗତ ୨୦ ବର୍ଷରେ ସାମୁଦି୍ରକ ଖାଦ୍ୟ ରପ୍ତାନୀ ପ୍ରାୟ ୧୨ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ଓଡ଼ିଶାରୁ ୩୭୯ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି ।

ଉତ୍ସବରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟଚାଷର ଭିତ୍ତିଭୂମିର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ଏମ୍‌ପେଡ଼ାର ଉପନିର୍ଦ୍ଦେଶକ ଶ୍ରୀ ରାଜକୁମାର ନାୟକ ଚିଙ୍ଗୁଡ଼ି ଓ ମତ୍ସ୍ୟ ରପ୍ତାନୀ ଦିଗରେ ଓଡ଼ିଶାର ଭୂମିକା ଓ ବାଲେଶ୍ୱର ଜିଲ୍ଲାର ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ମାଛଚାଷରେ କଟକଣା ଥିବା ଆଣ୍ଟିବାୟୋଟିକ୍‌ର ବ୍ୟବହାର ନକରିବା ପାଇଁ ଚାଷୀମାନଙ୍କୁ ନିବେଦନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ବିଭିନ୍ନ ମତ୍ସ୍ୟ ରପ୍ତାନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରି ବାଲେଶ୍ୱର ଜିଲ୍ଲା କିପରି ଅଧିକ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଆଗୁଆ ଜିଲ୍ଲା ହୋଇପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦର୍ଶନୀ ଷ୍ଟଲ ଏବଂ ବାୟୋଫ୍ଲକ୍‌ ୟୁନିଟ୍‌କୁ ପରିଦର୍ଶନ କରିବା ସହ ଋଷିଆ ଜଳଭଣ୍ଡାରରେ ନୂଆକରି ଆରମ୍ଭ ହୋଇଥିବା କେଜ୍‌ କଲଚର ମାଧ୍ୟମରେ ମାଛଚାଷକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨,୯୭,୯୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲ । ଏଥି ସହିତ ୭ ଜଣ ହିତାଧିକାରୀଙ୍କୁ ଶୀତତାପ ନିୟନ୍ତ୍ରିତ ଯାନ, ଅଟୋ ବରଫ ବାକ୍ସ ଏବଂ ମୋଟର ସାଇକେଲ୍‌ ବରଫ ବାକ୍ସ ପ୍ରଦାନ କରାଯାଇଥିଲା ।

ଉତ୍ସବରେ ଆକ୍ୱାଟିକ୍‌ ଫିଡ୍‌ ଡିଲର ଆସୋସିଏସନ୍‌ର ଉପସଭାପତି ପୌରୋହିତ୍ୟ କରିଥିବାବେଳେ ସଂସ୍ଥାର ସାଂଗଠନିକ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଁ ବ୍ୟବହାର ହେବ ଉନ୍ନତ ଜ୍ଞାନ କୌଶଳ

ଭୁବନେଶ୍ୱର: ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବେ ସମୀକ୍ଷା କରି କହଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ରଖିଥିବାବେଳେ ଯୋଜନାଗୁଡ଼ିକ ଧାର୍ଯ୍ୟ ସମୟରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ଉତ୍ପାଦନ ବଢ଼ିବା ସହିତ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ।

ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ଏବଂ ସ୍କିମ୍‌ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାର ସଫଳ ରୂପାୟନ ଦିଗରେ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବାୟୋଫ୍ଲକ୍‌ ଏବଂ ରାସ ପଦ୍ଧତି ଆଦି ନୂତନ ପଦ୍ଧତିରେ ମାଛଚାଷ ଦ୍ୱାରା ବହୁଳ ସଫଳତା ମିଳୁଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲର ପ୍ରଚଳନ କରାଯାଇଥିବାବେଳେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକଫର ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରାଯାଇଛି । ଏଥି ସହି ଫ୍ଲାଗ୍‌ସିପ୍‌ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛଚାଷ କରୁଥିବା ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା ଏବଂ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାର ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବଜେଟ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବୈଠକରେ ଡିପ୍‌ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡ଼ିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟାରେ ଚାଷ, ପ୍ରାଣୀସଂପଦ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଏନ୍‌ଡିଆର୍‌ଏଫ୍‌/ଏସ୍‌ଡ଼ିିଆର୍‌ଏଫ୍‌ର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି।

ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ, ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖିବାରେ କୌଣସି ଅସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମତ୍ସ୍ୟସଂପଦର ସ୍ଥିତି ସଂପର୍କରେ ସମୀକ୍ଷା କରି ମଧୁରଜଳ ଓ କ୍ଷାରିପାଣିର ଜଳାଶୟର ଜଳସ୍ତରକୁ କମ କରିବା ଓ ଜଳାଶୟ ଚାରିପଟେ ନେଟ୍‌ ଲଗାଇବା ଆଦି ନିମନ୍ତେ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରେରଣ କରାଯାଇଛି। ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀଧନର ସୁରକ୍ଷା କ୍ଷେତ୍ରରେ ଚିକିତ୍ସା ଓ ଟୀକାକରଣ ଆଦି କ୍ଷେତ୍ରରେ ୧୫ ଦିନ ପାଇଁ ୟୁଜର୍ସ ଫି ଛାଡ଼ କରାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ଯୋଗାଇ ଦିଆଯାଉଛି। ଅଦ୍ୟାବଧି ଓମ୍‌ଫେଡ୍‌ର ଗୋଖାଦ୍ୟ ପ୍ଲାଣ୍ଟରୁ ୮୨୨.୬୪ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଉଦ୍ଦିଷ୍ଟ ବ୍ଲକଗୁଡ଼ିକୁ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୪୧.୨୮ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ପ୍ରେରଣ କରାଯାଇଛି।

ଅତିରିକ୍ତ ଗୋଖାଦ୍ୟର ବାସ୍ତବିକ ଆକଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କହିଥିଲେ। ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଠି ଅନୁକୂଳ କଲେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

କଟକ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଏବଂ ତିଗିରିଆ ବ୍ଲକର ପାଞ୍ଚଗାଁ ଅନ୍ତର୍ଗତ ତେନ୍ତୁଳିରଗଡି ଗ୍ରାମରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।

କୃଷିଭିତ୍ତିକ ପର୍ଵ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏ ବର୍ଷର ଚାଷ କାର୍ଯ୍ୟ ଚାଷୀଭାଇମାନଙ୍କ ପାଇଁ ଅନୁକୂଳ ହେଉ ଵୋଲି କାମନା କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ରାଜ୍ୟରୁ ସଂଗୃହିତ ହେଲା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବିଧାନ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ରାଜ୍ୟର ୧୪ଟି ଜିଲ୍ଲାରୁ ଅଦ୍ୟାବଧି ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । ତନ୍ମଧ୍ୟରୁ ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ଧାନ କିଣାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା ।

ଚଳିତ ରବିରେ ଅଦ୍ୟାବଧି ରାଜ୍ୟର ୧୦୨୦ଟି ଧାନସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଅଛି । ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଧାନସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର ଅନ୍ୟ ତିନୋଟି ଜିଲ୍ଲା: କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ମଇ ମାସରୁ ଆରମ୍ଭ ହୋଇଥିବା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଦ୍ୟାବଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ୨ ଲକ୍ଷ ୮ ହଜାର ୮୯ ମେଟି୍ରକ୍‌ ଟନ୍‌, ସୁବର୍ଣ୍ଣପୁରରେ ୮୧,୮୨୪ ମେଟି୍ରକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟି୍ରକ୍‌ ଟନ ଓ କଳାହାଣ୍ଡି ଜିଲ୍ଲାରେ ୫୦,୬୧୦ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଯୋଗାଣ ମନ୍ତ୍ରୀ, ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ସମୀକ୍ଷା କଲେ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ ।

ଏଥି ସହିତ ମନ୍ତ୍ରୀ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର ସାରଥା, ଚକ୍ରସାରଥା, ଗଁନ୍ଦିଆ, ମୁହାଣ, ବାଙ୍ଗସିରି, ମେଘା, ହଳଦୀଗଡ଼ି, ଖୁଦକାଣ୍ଡିଆ, ମିରିଚି, ବୁଧିଆମାରିି, ଖଡ଼ଖଡ଼ି ଏବଂ ଆଲବେନ୍ଦା ଗ୍ରାମପଞ୍ଚାୟତରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଥିଲେ । ବାଲେଶ୍ୱର ସଦରର ବିଭିନ୍ନ ଗ୍ରାମ ବୁଲି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିବା ପରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇପାରିବ ସେ ବିଷୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Categories
ଫଟୋ ଖବର

କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପତାକା ଉତ୍ତୋଳନ କରୁଛନ୍ତି

କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।