(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଛକରେ ମୋଟରସାଇକେଲ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳ। ଚିତ୍ତରଞ୍ଜନଙ୍କ ଭଣଜା ମିଥୁନ ବରାଡ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି।
ମିଥୁନଙ୍କ ଅଭିଯୋଗ ପ୍ରକାରେ ମଙ୍ଗଳବାର ମଧ୍ୟାହ୍ନରେ ଚିତ୍ତରଞ୍ଜନ ଗାଙ୍ଗପୁର ବ୍ୟାଙ୍କ୍ ରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ସିଙ୍ଗିପୁର ଛକରେ ନିଜ ସ୍କୁଟି ରଖି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ଆସିକା ପଟୁ ଏକ ମୋଟସାଇକେଲ ଆସି ଚିତ୍ତରଞ୍ଜନଙ୍କ ଆଗପଟୁ ଜୋର୍ ରେ ଧକ୍କା ଦେଇଥିଲା। ଫଳରେ ଚିତ୍ତରଞ୍ଜନ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।
ଖବର ପାଇ ମିଥୁନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଚିତ୍ତରଞ୍ଜନଙ୍କୁ ସାଙ୍ଗ ସାଥିଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ମୋଟରସାଇକେଲ ଚାଳକଙ୍କ ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁଁ ହିଁ ଦୁର୍ଘଟଣା ଘଟିଥିବା ନେଇ ମିଥୁନ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗାଁ ଅଞ୍ଚଳରେ କୋଳାହଳମୟ ପରିବେଶ ସୃଷ୍ଟି ହୋଇଛି।


