ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଯୋଗାଣ ମନ୍ତ୍ରୀ, ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ସମୀକ୍ଷା କଲେ

Published: May 27, 2021, 9:48 pm IST

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ ।

ଏଥି ସହିତ ମନ୍ତ୍ରୀ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର ସାରଥା, ଚକ୍ରସାରଥା, ଗଁନ୍ଦିଆ, ମୁହାଣ, ବାଙ୍ଗସିରି, ମେଘା, ହଳଦୀଗଡ଼ି, ଖୁଦକାଣ୍ଡିଆ, ମିରିଚି, ବୁଧିଆମାରିି, ଖଡ଼ଖଡ଼ି ଏବଂ ଆଲବେନ୍ଦା ଗ୍ରାମପଞ୍ଚାୟତରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଥିଲେ । ବାଲେଶ୍ୱର ସଦରର ବିଭିନ୍ନ ଗ୍ରାମ ବୁଲି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିବା ପରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇପାରିବ ସେ ବିଷୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Related posts