ବିଶ୍ୱ ଶକ୍ତି କଂଗ୍ରେସର ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲ ସମ୍ମିଳନୀ: ଶକ୍ତି କ୍ଷେତ୍ରରେ ତ୍ରିବିଧ ସମସ୍ୟା ଉପରେ ଆଲୋଚନା

Published: Apr 27, 2024, 8:25 pm IST

ନୂଆଦିଲ୍ଲୀ: ନେଦରଲାଣ୍ଡର ରୋଟେରଡାମଠାରେ ବିଶ୍ୱ ଶକ୍ତି କଂଗ୍ରେସର ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲ୍ ସମ୍ମିଳନୀ ଏପ୍ରିଲ ୨୪, ୨୦୨୪ ତରବକ୍ଷ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରାଉଣ୍ଡ ଟେବୁଲ ସମ୍ମିଳନୀରେ ଦୁବାଇଠାରେ ଅନୁଷ୍ଠିତ କୋପ୍୨୮ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କିଭଳି ପଟ୍ଟ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲରେ ଶକ୍ତି କ୍ଷେତ୍ରରେ ନବସୃଜନ ଏବଂ ସହଯୋଗ ତଥା ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ତ୍ରିବିଧ ସମସ୍ୟାର ମୁକାବିଲା ଓ ପରିଚାଳନା ନିମନ୍ତେ ପୁଙ୍ଖାନୁପୁଙ୍ଖ ବିଚାରବିମର୍ଷ କରାଯାଇଥିଲା। ବିଶ୍ୱ ଶକ୍ତି କଂଗ୍ରେସର ତୃତୀୟ ଦିନରେ ଏହି ରାଉଣ୍ଡ ଟେବୁଲର ଆୟୋଜନ କରାଯାଇଥିଲା ଏବଂ ଏଥିରେ ନେଦରଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଏବଂ ଜଳବାୟୁ ତଥା ଶକ୍ତି ନୀତି ନିର୍ଦ୍ଧାରଣ ମନ୍ତ୍ରୀ ମାନ୍ୟବର ରବ୍ ଜେଟେନ୍, ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ ଏବଂ ବିଭିନ୍ନ ରାଷ୍ଟ୍ର ତଥା ସଂଗଠନର ବରିଷ୍ଠ ପ୍ରତିନିଧି ଓ ପଦାଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀ ଅବସରରେ କେନ୍ଦ୍ର ଶକ୍ତି ସଚିବ କୋପ୍୨୮ରେ ଭାରତ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ଶକ୍ତି ପର୍ଯ୍ୟାନ୍ତରଣ କ୍ଷେତ୍ରରେ ଭାରତ ନୀତି ପରିବର୍ତ୍ତକ ଭାବରେ କିପରି ନେତୃତ୍ୱ ନେଉଛି ଏବଂ ଏହାର ଗୁରୁତ୍ୱ ସଂପର୍କରେ ସୂଚାଇଥିଲେ । ସେ ସୂଚାଇଥିଲେ ଯେ ଜି୨୦ ନୂଆଦିଲ୍ଲୀ ନେତୃ ଘୋଷଣାନାମା ହେଉଛି ଏହାର ଏକ ନମୁନା ଏବଂ ଭାରତ କୋପ୍୨୮ ନବୀକରଣ ଶକ୍ତି ଏବଂ ଶକ୍ତି ସକ୍ରିୟତା ପ୍ରତିବଦ୍ଧତା ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଏହାକୁ ନିଷ୍ଠାର ସହ ପ୍ରବର୍ତ୍ତନ କରୁଛି ଯାହା ଫଳରେ ପ୍ରତିବର୍ଷ ବିଶ୍ୱରେ ଶକ୍ତି ସକ୍ରିୟତା ଉନ୍ନତି ଦ୍ୱିଗୁଣିତ ହୋଇ ଚାଲିଛି ଏବଂ ୨୦୩୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ତିନିଗୁଣ ଅଧିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିପାରିବ। ସଚିବ ଶ୍ରୀ ଅଗ୍ରୱାଲ କହିଲେ ଯେ ଭାରତର ‘ମିଶନ ଲାଇଫ୍’ ପୋଷଣୀୟ ଜୀବନଶୈଳୀ ଆପଣାଇବା ସକାଶେ ଲୋକମାନଙ୍କୁ ଯେଉଁଭଳି ଭାବରେ ପ୍ରୋତ୍ସାହିତ କରୁଛି ତାହାକୁ ସଭିଏଁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ଏହା କୋପ୍୨୭ ଏବଂ ଜି୨୦ ଫୋରମରେ ହୋଇଥିବା ସହମତକୁ ପ୍ରତିଫଳିତ କରୁଛି। ସେହିଭଳି କୋପ୍୨୮ ଯେଉଁଭଳି ଭାବରେ କାର୍ବନ ନ୍ୟୁଟ୍ରାଲିଟି ଦିଗରେ ପର୍ଯ୍ୟାନ୍ତରଣକୁ ଗ୍ରହଣ କରିଛି ଏବଂ ସେଥିରେ କାର୍ବନ୍ ଆହରଣ, ଉପଯୋଗ ଏବଂ ସଂରକ୍ଷଣ (ସିସିୟୁଏସ) ଏବଂ ସବୁଜ ହାଇଡ୍ରୋଜେନ ଉପରେ ପ୍ରାଧାନ୍ୟ ଦିଆଯାଇଛି ତାହା ପ୍ରଶଂସନୀୟ।

ଭାରତର ଶକ୍ତି ସଚିବ ଶକ୍ତି ପର୍ଯ୍ୟାନ୍ତରଣ ପରିଚାଳନାର ଜଟିଳତା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ସେଥିରେ ଥିବା ସମାବେଶୀ ଆଭିମୁଖ୍ୟ ସଂପର୍କରେ ଅବତାରଣା କରିଥିଲେ। ସେ କହିଥିଲେ ଯେ ପ୍ରଯୁକ୍ତିର ବିକାଶ ଏବଂ ସହଯୋଗର ଏଥିରେ ବିଶେଷ ଭୂମିକା ରହିଛି ଏବଂ ଏହାକୁ ସାଧନ ଭାବରେ ଗ୍ରହଣ କରି ‘ରିଭାମ୍ପଡ୍ ଇଣ୍ଡିଆ ଏନର୍ଜି ସିକ୍ୟୁରିଟି ସେନାରିଓ’ (ଆଇଇଏସଏସ) ୨୦୪୭ର ପରିକଳ୍ପନା କରାଯାଇଛି ଏବଂ ଏହି ଡ୍ୟାସବୋର୍ଡ (https://iess2047.gov.in/) ନିଷ୍ପତ୍ତି ଗ୍ରହଣରେ ସୂଚନା ତଥା ସହାୟତା ପ୍ରଦାନ କରୁଛି । ସଚିବ ଶ୍ରୀ ଅଗ୍ରୱାଲ କହିଲେ ଯେ ଶକ୍ତି ନିରାପତ୍ତା, ଉପଲବ୍ଧତା ଏବଂ ପୋଷଣୀୟତା ମଧ୍ୟରେ ସନ୍ତୁଳନ ରକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ‘ପିଏମ-କୁସୁମ ଯୋଜନା’ ଭଳି ଉପକ୍ରମ ମାଧ୍ୟମରେ ଏବଂ ଛାତ ଉପର ସୌର ପାନେଲ ଖଞ୍ଜା କାର୍ଯ୍ୟକ୍ରମ ଜରିଆରେ ପରିବେଶ ପୋଷଣୀୟତା ଏବଂ କର୍ମନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଭାରତୀୟ କାର୍ବନ ବଜାର ଏହି ପୋଷଣୀୟତା ପ୍ରୟାସକୁ ଆହୁରି ଆଗକୁ ଆଗେଇ ନିଆଯିବ ବୋଲି ସେ ସୂଚାଇଥିଲେ।

ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସେ ସୂଚାଇଥିଲେ ଯେ ବିକାଶଶୀଳ ରାଷ୍ଟ୍ରମାନେ ଆର୍ଥିକ ତଥା ସ୍ୱଚ୍ଛ ପ୍ରଯୁକ୍ତି ଉପଲବ୍ଧତା ଘେନି ସହଯୋଗ ଆବଶ୍ୟକ କରନ୍ତି ଯାହା ଫଳରେ ସେମାନେ ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ଏହି ତ୍ରିବିଧ ସମସ୍ୟାକୁ ସଫଳତାର ସହିତ  ମୁକାବିଲା କରିପାରିବେ।

Related posts