ବାଣପୁରରେ ବିଜେଡ଼ି ର ବିରାଟ ଶୋଭାଯାତ୍ରା: ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

Published: Apr 23, 2024, 4:37 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ। ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦ ତଥା ପୁରୀ ଲୋକସଭା ବିଜେଡି ସଂଯୋଜକ ସୁଭାଶିଷ ଖୁଣ୍ଟିଆ ମଧ୍ୟ ସାମିଲ ହୋଇଥିଲେ। ରଘୁନାଥ ସାହୁ ଏବଂ ଅନ୍ୟ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାଣପୁର ବିଷରପାଟଣା ଛକରୁ ବାହାରି ଚାଲିଚାଲି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ ଏବଂ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଚିଲିକା ବିଜେଡିର ସମସ୍ତ ଆଗଧାଡିର ନେତା ମାନେ ଉକ୍ତ ଶୋଭାଯାତ୍ରାରେ ଉପସ୍ଥିତ ଥାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରଘୁନାଥ ସାହୁ ଜିନ୍ଦାବାଦ, ମାନସ ମଙ୍ଗରାଜ ଜିନ୍ଦାବାଦ, ଅରୂପ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ।

ସୂଚନା ଥାଉକି ବହୁ କସରତ ପରେ ଶେଷରେ ଚିଲିକା ବିଜେଡି ବିଧାୟକ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି ରଘୁନାଥ ସାହୁ। ଏହି ଅବସରରେ ରଘୁନାଥଙ୍କ ଶହ ଶହ ସମର୍ଥକ ମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ତେବେ ଗତକାଲି ପିପିଲିରେ ପ୍ରଚାର ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ବିଜେଡି ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ। କିନ୍ତୁ ଆଜି ମା’ଙ୍କ ଦର୍ଶନ କରିବା ପରେ ମା’ ଭଗବତୀଙ୍କ ଆଶୀର୍ବାଦରୁ ସେ ଶୀଘ୍ର ଆରୋଗ୍ୟଲାଭ କରିଥିବାର ଗଣମାଧ୍ୟମକୁ କହିଛନ୍ତି।

Related posts