ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସୋମବାର ଦିନ ସ୍ଥାନୀୟ ଭେଟିନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ‘ଜାତୀୟ ଆଇନ ସେବା ଦିବସ ‘ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା ଯୋଗଦେଇଥିଲେ।
ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ଅଧିନିୟମ, ମଧ୍ୟସ୍ଥତା,ନ୍ୟାୟ ସଂଯୋଗ, ଲୋକ ଅଦାଲତ ଆଦିର ସୁଫଳତା ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ସମସ୍ତ ଆଇନ ସେବା ଦ୍ୱାରା ନାଗରିକମାନଙ୍କ ବହୁ ଜଟିଳ ମାମଲା ଶୀଘ୍ର ସମାଧାନ ହୋଇପାରିବ ଏବଂ ସେମାନେ କୋର୍ଟ କଚେରୀର ବାରମ୍ବାର ଦ୍ୱାରସ୍ଥ ହେବାରୁ ମୁକ୍ତି ପାଇପାରିବେ ବୋଲି ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ଶାନ୍ତନୁ ମହାପାତ୍ର,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଆଇନଜୀବୀ ମାନେ ଯୋଗ ଦେଇଥିଲେ।


