Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ପୋଲିସର ସହାୟତା ଲୋଡିଲେ ଆନ୍ଧ୍ରରେ ଠକେଇର ଶିକାର ହୋଇଥିବା ଶ୍ରମିକ

ବାଣପୁର: ନିକଟରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ତେବେ ଅଦ୍ୟାବଧି ଆନ୍ଧ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ନିରୁପାୟ ହୋଇ ବାଣପୁର ଅଞ୍ଚଳର ଏକାଧିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ଆଜି ସଂନ୍ଧ୍ୟାରେ ଆଇଆଇସି ରମେଶ ଦେବତାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଠକେଇ ଟଙ୍କା ଫେରିପାଇବା ଦାବି ନେଇ ଏତଲା ଦେଇଛନ୍ତି ଉକ୍ତ ବ୍ୟକ୍ତିମାନେ। ତେବେ ଏ ନେଇ ବାଣପୁର ଆଇଆଇସିଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ପୁର୍ବରୁ ଏକ ମାମଲା ଆନ୍ଧ୍ର ପୋଲିସ କରିଛି। ତେଣୁ ଏହା ଷ୍ଟେସନ ଡ଼ାଇରୀ ରେ ପଞ୍ଜିକୃତ ହେବ ଏବଂ ବାଣପୁର ପୋଲିସ ଆନ୍ଧ୍ର ପୋଲିସ ସହ ଯୋଗାସୂତ୍ର ରକ୍ଷାକରି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଶ୍ରୀ ଦେବତ୍ତା।

ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରିଥିଲା।

ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରିବାକୁ ପ୍ରଲୋଭିତ କରିଥିଲା।ପ୍ରଲୋଭନରେ ପଡ଼ି ବାଲୁଗାଁ-ବାଣପୁର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଲୋକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କମ୍ପାନୀ ତରଫରୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଦେଶାଗତ ଶ୍ରମିକମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୬୦ ରୁ ୭୦ ହଜାର ଟଙ୍କା ବିମାନ ଟିକେଟ ପାଇଁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।

କିଛି ଶ୍ରମିକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କ ଗଜୱାକା ବ୍ରାଞ୍ଚ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟକୁ (ନଂ-୧୪୭୨୧୫୫୦୦୦୦୯୭୨୪୨) ସମସ୍ତ ଟଙ୍କା ପଠାଇଥିବା ବେଳେ କିଛି ଶ୍ରମିକ ବିଜୟାନଗରମ ସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଜମା ଦେଇଥିଲେ। କିଛି ଦିନ ପରେ କମ୍ପାନୀ ତରଫରୁ ବିଦେଶାଗତ ଶ୍ରମିକମାନଙ୍କୁ ବିମାନ ଟିକେଟ ପ୍ରଦାନ କରାଯାଇଥିଲା।

ହେଲେ ସମସ୍ତ ନଥିପତ୍ର ଯାଞ୍ଚ ନିମିତ୍ତ ଶ୍ରମିକମାନେ ବିଜୟାନଗରମ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଦେଖିବା ବେଳକୁ ସେଠାରେ କୌଣସି ଅଫିସ ନଥିବା ବେଳେ ବିମାନ ଟିକେଟ ବାତିଲ ହୋଇଯାଇଲା। ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ସହ ଗ୍ରାମୀଣ ପୋଲିସ ଥାନାରେ ଲିଖିତ ଏତଲା କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳିରୁ ହଟିଲା ଦଳୀୟ ପତାକା ଓ ବ୍ୟାନର, ଆରମ୍ଭ ହେଲା ପଦକ୍ଷେପ

ଚିଲିକା( ସୀତୀରାମ ଅଗ୍ରୱାଲ): ସାଧାରଣ ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଏହି ଅବସରରେ ନିର୍ବାଚନକୁ କିଭଳି ଭାବେ ସ୍ଵଛ, ଅବାଧ ଓ ନିରପେକ୍ଷ ଭାବେ କରାଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁର ଓ ବାଲୁଗାଁ ପ୍ରଶାସନ ଆରମ୍ଭ କଲାଣି କଡା ପଦକ୍ଷେପ।

ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା, ଦଳୀୟ ପୋଷ୍ଟର ଓ ହୋର୍ଡିଙ୍ଗ କୁ କାଢି ନିଆଯାଉଛି। ସରକାରୀ ଅଧିକାରୀମାନଙ୍କ ତତ୍ୱାବଧାନରେ ଜାରି ରହିଛି ଏହି କାର୍ଯ୍ୟ। ବିଭିନ୍ନ ଛକ ସହ ଗଳି କନ୍ଦି ବୁଲି ବୁଲି ଦଳୀୟ ପତାକା ସହ ପ୍ରଚାର ବୋର୍ଡ ଗୁଡିକୁ ଉଛେଦ କରାଯାଇଛି। ଯାହା ଫଳରେ କି ନିର୍ବାଚନ ସ୍ଵଛ ଓ ନିରପେକ୍ଷ ହୋଇପାରିବ।

Categories
ଆଞ୍ଚଳିକ

ମା’ ଭଗବତୀ ମନ୍ଦିର ନବୀକରଣ ନିମନ୍ତେ ରାସ୍ତା ଅବରୋଧ କଲା ପ୍ରଶାସନ: ବିରୋଧ କଲେ ଗ୍ରାମବାସୀ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ମା’ ଭଗବତୀଙ୍କ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତାକୁ ମନ୍ଦିର ନବୀକରଣ କରାଯିବାର କାରଣ ଦର୍ଶାଇ ପ୍ରଶାସନ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଚାରିଖଣ୍ଡ ଗ୍ରାମବାସୀ ଆଜି ଅପରାହ୍ନରେ ବାଣପୁର ଆଇଆଇସି ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ରାସ୍ତା ବାଣପୁର ଏନଏସି ତୁଳସୀଦେଇପୁର ଗ୍ରାମକୁ ସଂଯୋଗ କରୁଥିବା ବେଳେ ସେହି ରାସ୍ତା ଦେଇ ଅଚ୍ୟୁତରାଜପୁର, ମହାନ୍ତି ସାହି, ଶ୍ରୀନିବାସପୁର ଶାସନର ଗ୍ରାମବାସୀ ବାଣପୁର ସହରକୁ ଯିବା ଆସିବା କରନ୍ତି। ଦାବିପତ୍ର ମୁତାବକ ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ରାସ୍ତାକୁ ଅବରୋଧ କରାଯାଇଛି। ଯାହାକି କେଉଁ ପ୍ରାଚୀନ କାଳରୁ ପୁରୁଷାନୁକ୍ରମିକ ଗ୍ରାମର ଅଧିବାସୀ ମାନେ ଉକ୍ତ ରାସ୍ତା ଦେଇ ବିବାହ, ବ୍ରତ, ଦିଅଁ ଗନସା ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଯା’ ଆସ କରନ୍ତି।

ପ୍ରକାଶ ଥାଉକି ମା’ ଭଗବତୀ ଗ୍ରାମ ଗୁଡିକର ଇଷ୍ଟଦେବୀ ଏବଂ ଗ୍ରାମ ଦେବୀ ହୋଇଥିବା ବେଳେ ରାସ୍ତାଟି ଅବରୋଧ କରାଗଲେ ସେମାନଙ୍କର ଧାର୍ମିକ ଓ ସାମାଜିକ ଅଧିକାର କ୍ଷୁର୍ଣ୍ଣ ହେବ। ରାସ୍ତାଟି ଅଞ୍ଚଳ ବାସିଙ୍କର ଦୈନନ୍ଦିନ ଆବଶ୍ୟକୀୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ନିତିଦିନ ଛୋଟ ଛୋଟ ପିଲା ପାଠ ପଢିବା, ଝିଅ ବୋହୁ ମାନେ ବଜାରକୁ ଯିବା ଆସିବା କରୁଥିବାରୁ ଏହା ଅବାଧ ଓ ମୁକ୍ତ ଯିବା ଆସିବା କାର୍ଯ୍ୟରେ ଲାଗୁଛି। ଏଥିରେ ବାଧା ଉପୁଜିଲେ ଅଞ୍ଚଳବାସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମବାସୀମାନଙ୍କର ଅପୂରଣୀୟ କ୍ଷତି ହେବ। ତେଣୁ ଏହାକୁ ଅବାଧ ଓ ମୁକ୍ତ ଯିବା ଆସିବାର ବନ୍ଦୋବସ୍ତ କରିବାକୁ ବାଣପୁର ତହସିଲଦାରଙ୍କୁ ନିଜର ଦାବୀ ଉପରୋକ୍ତ ଗ୍ରାମବାସୀମାନେ ଜଣାଇଛନ୍ତି।

ତେବେ ଏ ନେଇ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ଏବଂ ଏକ ପାଦଚଲା ରାସ୍ତା ଜନସାଧାରଣଙ୍କ ପାଇଁ ନିର୍ମାଣ ହେବ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଡାଙ୍ଗୁଆ ଗ୍ରାମର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ (୩୦) ବାଇକ ଯୋଗେ ନାଭାଲ ଅଭିମୁଖେ ଯାଉଥିବା ବେଳେ ଏକ କ୍ରେଟା କାର (ଗାଡି ନଂ- ଓଡ଼ି ୦୧ ଏଜେ ୫୩୫୪) ବାଇକକୁ ପଛ ପାର୍ଶ୍ୱରୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ସ୍ବାଇଁ ବାଇକରୁ ଛିଟିକି ରାସ୍ତା ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଦ୍ୟୁମ୍ନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରଦ୍ୟୁମ୍ନଙ୍କ ବାମ ହାତ, ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଆଶୁଚିକିତ୍ସା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବାସହ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: ଚିଲିକା ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ବସିଲେ ଏକାଧିକ କାର୍ଯ୍ୟଗ୍ରାହୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ ଏକାଧିକ କାର୍ଯ୍ୟଗ୍ରାହୀ। ତେବେ ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପକ୍ରମେ ଉକ୍ତ ଧାରଣ ସ୍ଥଗିତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଦୀର୍ଘ ୬ ମାସ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପାଣ୍ଠିରୁ ଏକାଧିକ କାର୍ଯ୍ୟାଗ୍ରାହୀଙ୍କୁ ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପତ୍ର ଦେଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ସେହି ପ୍ରତିବାଦରେ ଆଜି ବାଣପୁର ବ୍ଲକ ଓ ଏନଏସି ର ଏକାଧିକ କାର୍ଯ୍ୟାଗ୍ରାହୀ ମାନେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଏ ନେଇ ପୁର୍ବରୁ ସେମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଧାରଣା ଦେଇଛନ୍ତି ବୋଲି କହିଥିଲେ। ପାଖାପାଖି ୪୪ ରୁ ଉର୍ଦ୍ଧ୍ଵ କାର୍ଯ୍ୟାଦେଶ ସ୍ଥଗିତ ଥିବା କାର୍ଯ୍ୟାଗ୍ରାହୀ ମାନେ କହିଛନ୍ତି।

ତେବେ ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ବିଡ଼ିଓଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ।  ତେବେ କୌଣସି କାଗଜପତ୍ର ତ୍ରୁଟି ଲାଗି କାର୍ଯ୍ୟାଦେଶ ବଣ୍ଟନ କରାଯାଇପାରିନାହିଁ ଏବଂ ଆସନ୍ତାକାଲି ତାହା ବଣ୍ଟନ କରାଯିବ ବୋଲି ବିଡିଓ ବ୍ଲକ ଅଧ୍ୟକ୍ଷ ଙ୍କୁ କହିଥିବାର ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ତେବେ ଏ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଯୋଗାଯୋଗ କରାଯାଇବାରୁ ଏହା ବ୍ଲକ ପ୍ରଶାସନର ଅସମ୍ବିଧାନିକ କାର୍ଯ୍ୟ ବୋଲି କହିଛନ୍ତି। ସାମ୍ବିଧାନିକ ପଦ୍ଧତି ଅନୁଯାୟୀ ବିଧାୟକଙ୍କ ପାଣ୍ଠି ବିଧାୟକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କାର୍ଯ୍ୟାଗ୍ରାହୀଙ୍କୁ କାର୍ଯ୍ୟ ନିମନ୍ତେ ଅନୁଦାନ ପ୍ରଦାନ କରିବେ ଏବଂ ପ୍ରଶାସନ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା କଥା। ତେବେ ଜାଣିଶୁଣି ବିଧାୟକଙ୍କୁ ହଇରାଣ କରାଯାଉଛି ବୋଲି କହିଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ।

ଯଦି ଯଥାଶୀଘ୍ର କାର୍ଯ୍ୟାଗ୍ରାହୀମାନଙ୍କୁ କାର୍ଯ୍ୟାଦେଶ ବ୍ଲକ ପ୍ରଶାସନ ପ୍ରଦାନ ନକରେ ତେବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ ହେବ ଏବଂ ତାହାର ପରିଣାମ ଭୟାବହ ହେବ ବୋଲି ବିଧାୟକ କହିଛନ୍ତି।

Categories
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆସନ୍ତା ୩୦ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହେବାକୁ ଥିବା ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପଠାରେ କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କମିଟି ଉପ ସଭାପତି, ସମ୍ପାଦକ ବାଣପୁର ଆଇଆଇସି, ପୂର୍ତ୍ତବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ବାଣପୁର ଅଂଚଳର ବୁଦ୍ଧିଜୀବୀ ଏବଂ ଗ୍ରାମ ମୁଖିଆମାନେ ଉପସ୍ଥିତ ଥିଲେ।

ଚଳିତ ପଞ୍ଚୁଦୋଳରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ସହ ଗ୍ରାମ ଦେବତାମାନଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ଉକ୍ତ ସମୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ। ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋକ ନଥିବା ଖୁଣ୍ଟ ଗୁଡିକରେ ବିଦ୍ୟୁତ ବିଭାଗକୁ ଯଥାଶୀଘ୍ର ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ମାନେ ଉକ୍ତ ଦାଇତ୍ୱସବୁ ସୁଚାରୁରୂପେ ତୁଲେଇବାକୁ ବୈଠକରେ ପ୍ରତିଶୃତି ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଅବକାରୀର ମିଳିତ ଚଢ଼ାଉ, ୭ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ, ଏକ ପ୍ଲାଟୁନ ଫୋର୍ସ ସମସ୍ତ ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଲୁଗାଁ ଅବକାରୀ ମାନେ ସାମିଲ ଥିଲେ।

ବାଣପୁର ଥାନାର ଦାଶରଥିପୁର, ନୀଳାଦ୍ରି, କୋଷରଡ଼ା ଏବଂ ଦାମିଆ ବରବରା ଗ୍ରାମରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜଙ୍ଗଲ ଅଞ୍ଚଳରୁ ସମୁଦାୟ ୧୫୫୦୦ ଲିଟର ପୋଚ ଏବଂ ୧୨୦୦ ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଥଲା।

ଅନୁରୂପ ଭାବେ ଗ୍ରାମାଞ୍ଚଳରୁ ସମୁଦାୟ ୨୧୭ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ ଏବଂ ଅବକାରୀ ଗିରଫ କରିଛି। ଉଭୟ ବିଭାଗ ଏହି ପରିପ୍ରେକ୍ଷୀରେ ୭ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକ ସ୍ତରୀୟ ମିଲେଟ ମିଶନ ସଚେତନତା କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତୀୟ ଉଦ୍ୟୋମିତ ବିକାଶ ସଂସ୍ଥା ଆନୁକୁଲ୍ୟରେ ଆଜି ବାଣପୁର ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ତୋରସିଂହ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ସଂସ୍ଥାର ସଂଯୋଜକ ସୌକତ ସୂତ୍ରଧରକଂ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଆକାଶ ପ୍ରଧାନ ଯୋଗ ଦେଇ ବର୍ତ୍ତମାନ ଯୁଗରେ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଯାପନ ପାଇଁ ମାଣ୍ଡିଆ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଉପକାରୀତା ଚାଷ ଓ ପ୍ରକ୍ରିୟାକରଣ ଉପରେ ବକ୍ତବ୍ୟ ରଖିଥିଲେ।

ବିଗତ ଛବିଷ ଦିନଧରି ଗ୍ରାମ ପଞ୍ଚାୟତର ବିଭିନ୍ନ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନକୁଂ ଖାଦ୍ୟଶସ୍ୟର ଚାଷ, ଅମଳ ଓ ପ୍ରକ୍ରିୟାକରଣ ଉପରେ ସଚେତନତାର କରାଯିବା ସହ ଆଜି ପଚାଶ ଜଣ ମହିଳାଙ୍କୁ ଉଦ୍ୟୋମିତା ବିକାଶ ସଂସ୍ଥା ତରଫରୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସଂପାଦକ ବୈଦ୍ୟନାଥ ବରାଳ ସଭ୍ୟ ରାଧାଶ୍ୟାମ ବିଶ୍ବାଳ ପଞ୍ଚାୟତର ମହିଳା ସଭାନେତ୍ରୀ ସ୍ନେହଲତା ସାହୁ ସମ୍ପାଦିକା ରିତା ପ୍ରଧାନ ଓ ସୋନ୍ନଲତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଖୋର୍ଦ୍ଧା ବିଶ୍ବଜୀବନ ସେବା ସଂସ୍ଥା ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଶକ୍ତି ବୃଦ୍ଧି ପାଇଁ ବାଣପୁରରେ କଂଗ୍ରେସର ସାଙ୍ଗଠନିକ ବୈଠକ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ମୀନାକ୍ଷୀ ପ୍ରଧାନଙ୍କ ନେତୃତ୍ବରେ ଏକ ସାଙ୍ଗଠନିକ ବୈଠକ ଆଜି ବାଣପୁର ଘଣ୍ଟଶୀଳା ନିକଟସ୍ଥ ଅଲେଖ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିଲିକାରେ ଦଳକୁ କିପରି ଆଗକୁ ସୁଦୃଢ ଓ ମଜବୁତ କରାଯିବ ସେ ନେଇ କଂଗ୍ରେସ ନେତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀମାନେ ଶପଥ ନେଇଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରସିକ୍ ଚାନ୍ଦ ପଟ୍ଟନାୟକ, ଚିଲିକା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିପିନ ବିହାରୀ ବାରିକୀ, ବାଣପୁର ବ୍ଳକ ସଭାପତି ଶମ୍ଭୁନାଥ ବେହେରା, ଚିଲିକା ବ୍ଳକ ସଭାପତି ହରିବନ୍ଧୁ ସାହୁ, ବିପ୍ର ରଞ୍ଜନ ଜେନା, ସୁଶାନ୍ତ ବିଶୋଇ, ଚିତ୍ତରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ପ୍ରଧାନ ଏବଂ ମହିଳା ନେତ୍ରୀ ମାଧୁରୀ ନାୟକ, ପୂଜା ପ୍ରଧାନ ଏବଂ ଏକାଧିକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟନ ପଡିଆ ସ୍ଥିତ ବଡହନ୍ତୁଆଡ଼ ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାୱା ବିବି (୫୫) ନାମ୍ନୀ ଜଣେ ମୁସଲିମ ମହିଳାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରିଛି ପୋଲିସ। ମୃତକ ହାୱା ବିବି ଙ୍କର ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିବାର ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଉକ୍ତ ସାହିର ମୋହି ମିର୍ଜା (୬୦) ଙ୍କର ଦୁଇଜଣ ପତ୍ନୀ ଥିବାବେଳେ ହାୱା ବିବି ହେଉଛନ୍ତି ପ୍ରଥମ ପତ୍ନୀ। ତାଙ୍କର ତିନିଗୋଟି ପୁଅ ଥିବାବେଳେ ସମସ୍ତେ ବାହାରେ ରହୁଥିବା ଜଣାପଡିଛି। ଘରେ ସ୍ୱାମୀଙ୍କ ସହ ଦୁଇ ପତ୍ନୀ ଓ ଦ୍ୱିତୀୟ ସ୍ତ୍ରୀଙ୍କର ଦୁଇଟି ଝିଅ ରୁହନ୍ତି।

ମୋହି ମିର୍ଜାଙ୍କର ବ୍ରେନ ଷ୍ଟ୍ରୋକ ହୋଇ ସେ ଶଯ୍ୟାଶାୟୀ ଅଛନ୍ତି। ଆଜି ସକାଳୁ ହାୱା ବିବି କୌଣସି କାରଣରୁ ଆତ୍ମହତ୍ୟା କରିଥିବା କଥା ଦ୍ୱିତୀୟ ପତ୍ନୀ ମୋହିରୁନ ବିବି ତାଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ ପରିବାର ଲୋକ ପହଁଚି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖି ମୋହିରୁନ ବିବି ଓ ତାଙ୍କର ଝିଅ ଆଉ ପୁଅ ମିଶି ହତ୍ୟା କରିଥିବା ସନ୍ଦେହରେ ବାଣପୁର ଥାନାରେ ଏତଲା ଦାୟର କରିଛନ୍ତି।

ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର କୁମାର ଦେବତା ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛି। ତେବେ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ବାଣପୁର ଡାକ୍ତରଖାନାକୁ ପଠାଇଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଏସଡ଼ିପିଓ ଶ୍ରୀ ମିଶ୍ର କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ରଙ୍କନାଥଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।

ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେଇଛନ୍ତି ଶ୍ରୀ କେଶବ ଦାସ ଦ୍ବିତିକୃଷ୍ଣ ଜୀ। ଅନୁରୂପ ଭାବେ ମହାଶିବରାତ୍ରି(ଶୁକ୍ରବାର ) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ। ସେହିପରି ଭାବେ ମହାଶିବରାତ୍ରି ପରବର୍ତ୍ତୀ ଦିନ ଅର୍ଥାତ ଶନିବାର ଦିନ ସକାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡିଛି।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୮ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ କରିଆସୁଅଛି।

Categories
ଆଞ୍ଚଳିକ

ବାଣପୁର: ନରେନ୍ଦ୍ରପୁରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିନ ସକାଳ ୯.୩୦ ଘଟିକା ସମୟରେ ନରେନ୍ଦ୍ରପୁର ପଂଚାୟତ ଅଙ୍ଗନବାଡି କେନ୍ଦ୍ରରେ ଆଦର୍ଶ ଆରୋଗ୍ୟ ସେବା ସଦନ ଓ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ ହେଲଥ ଭିଲେଜ ହସ୍ପିଟାଲର ଡାକ୍ତର ଶ୍ରୀ ରାମ ବାବୁ, ଆଦର୍ଶ ଆରୋଗ୍ୟ ସେବା ସଦନର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ସହ ମହା ପ୍ରବନ୍ଧକ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଭି. କାମେଶ୍ୱର ଆଚାରୀ, ସ୍ୱାସ୍ଥ୍ୟ ସହାୟକ ପ୍ରଦୀପ ସାହୁ ଏବଂ ଭବାନୀ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରି ୭୫ ଜଣ ରୋଗୀଙ୍କୁ ଚିକିତ୍ସା କରିଥିଲେ।

ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରୁଛନ୍ତି। ଶ୍ରୀ ଆଚାରୀ କହିଲେ ଏହି ସେବା କାର୍ଯ୍ୟ ପ୍ରତ୍ୟେକ ମାସରେ ଦୁଇ ଥର କରାଯିବ।

Categories
ଆଞ୍ଚଳିକ

ଆସନ୍ତାକାଲି ବାଣପୁର ଓ ଚିଲିକାରେ ୬ ଘଣ୍ଟାପାଇଁ ହେବ ବିଦ୍ୟୁତ କାଟ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତକାଟ ହେବ ବୋଲି ଜଣାପଡିଛି। ଏ ନେଇ ଟିପିସିଓଡ଼ିଏଲ ଏସଡ଼ିଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଉଭୟ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ହେବା ନିମନ୍ତେ ଉକ୍ତ ବିଦ୍ୟୁତକାଟ ହେବ ବୋଲି କହିଛନ୍ତି ଶ୍ରୀ ଦଳାଇ।

ଆସନ୍ତକାଲି ବାଣପୁର ଏନଏସି ସମେତ ବାଣପୁର ଓ ଚିଲିକା ବ୍ଲକର ନନ୍ଦପୁର, ବିଷ୍ଣୁଡିହ, ନିମିକ୍ଷେତା, ବଡ଼କୁଳ, ଭବାନୀପୁର, ଦାମିଆ ବରବରା, କୁମାରାଙ୍ଗ ଓ ତୁମୁରାପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୯ ରୁ ଅପରାହ୍ନ ୩ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ବାଣପୁର ସବଡିଭିଜନ ଦାବୀ, ଚାଲିଚାଲି ବାଣପୁରରୁ ଭୁବନେଶ୍ବର ଆସିଲେ ଶେଷଦେବ

ଭୁବନେଶ୍ଵର ( ସନ୍ତୋଷ ବଳିୟାରସିଂହ): ଦୀର୍ଘ ଦିନ ଧରି ଜାରି ରହିଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଉପରେ ଆଜି ଏକ ବଡ ଖବର ଆସିଛି। ବାଣପୁରର ଯୁବ ସମାଜସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ସମୟରେ ଶ୍ରୀ ସାହୁ ବାଣପୁର ଉପରେ ଅନେକ ସ୍ମୃତି ବାଣ୍ଟିଛନ୍ତି। ସେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଥିବାବେଳେ ବାଣପୁର ଅଂଚଳର ଇତିହାସ ସମ୍ବନ୍ଧରେ ଅବଗତ ଥିଲେ। ତେବେ ଦାବି ପତ୍ର ପ୍ରଦାନ ବେଳେ ଶେଷଦେବଙ୍କ ସହ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ସଂଗ୍ରାମ କରୁଥିବା ସମାଜସେବୀ ବ୍ରଜ କିଶୋର ଜେନା ଏବଂ ନିରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଅଭିନବ ଉପାୟରେ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ‘ବାଣପୁର ୟୁଥ ଭଏସ’ ସଂଗଠନର ସହଯୋଗରେ ଶେଷଦେବ ବରାଳ ଗତ ୨୮ ତାରିଖରୁ ମା’ ଭଗବତୀ ମନ୍ଦିରରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେଠାରେ ଶେଷଦେବ ଶତାଧିକ ଯୁବକମାନଙ୍କ ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଜି ସେମାନେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅର୍ଥଲଗାଣକାରୀ କର୍ମଚାରୀଙ୍କ ଟଙ୍କା ଚୋରୀ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ବାଣପୁର( ସୀତାରାମ ଅଗ୍ରୱାଲ): ଚଳିତ ୨୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରୁ ଅନ୍ନପୂର୍ଣ୍ଣା ଅର୍ଥ ଲଗାଣକାରି ସଂସ୍ଥା କର୍ମଚାରୀଙ୍କ ଠାରୁ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଲୁଟି ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଲୁଟ ଘଟଣାର ପର୍ଦାଫାଶ କରିଛି ବାଣପୁର ପୋଲିସ l ଏ ନେଇ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ।

ଉକ୍ତ ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି l ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା କୁମାରିପାରି ଗ୍ରାମର ଶାନ୍ତନୁ ତାରେଣି(୨୩) ଏବଂ ବାଣପୁର ଥାନା ଶାଳିଆଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ନିରଞ୍ଜନ ଶବର(୩୦) l ସେମାନଙ୍କ ନିକଟରୁ ୨,୪୭,୫୦୦ ଟଙ୍କା, ମାରଣାସ୍ତ୍ର ଏବଂ ଦୁଇ ଗୋଟି ମୋବାଇଲ ଜବତ କରିଛି ପୋଲିସ l

ତେବେ ଉକ୍ତ ଲୁଟ ଘଟଣାରେ ସମୁଦାୟ ୮ ଜଣ ଅଭିଯୁକ୍ତ ସାମିଲ ଥିଲେ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତ ଖଲିକୋଟ ଏବଂ ବେଗୁନିଆପଡା ଥାନା ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଅଛନ୍ତି l ତେବେ ଖୁବଶୀଘ୍ର ସେମାନେ ଗିରଫ ହେବେ ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର ଦେବତା, ଏଆସିଆଇ ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ସୂଚନା ଥାଉକି ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଦ ଏସପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳକୁ ଯାଇ ଦୀର୍ଘ ଘଣ୍ଟା ଧରି ଛାନଭିନ କରିଥିଲେ l ଏବଂ ଏସପିଙ୍କ ତତ୍ୱାବଧାନରେ ଏକାଧିକ ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା l

Categories
ଆଞ୍ଚଳିକ

ବାଣପୁରରେ ବନ୍ଧୁକ ମୂନରେ ଲୁଟ: କାରିଗରଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃର୍ତ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରରେ ପୁଣି ଏକ ଲୁଟ ହୋଇଛି। ଘରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା।

ସୂଚନା ମୁତାବକ ବାଣପୁର ବଜାରର ସୁନା ଅଳଙ୍କାର କାରିଗର ଦିଲ୍ଲୀପ କୁମାର ପାଲ (୬୪) ଗତକାଲି ରାତି ୧୦.୨୦ ରେ ପାଣି ସାହି ନିକଟସ୍ଥ ସୁନା ଦୋକାନ ବନ୍ଦ କରି ଏକ ବ୍ୟାଗରେ ମରାମତି ନିମନ୍ତେ ଗ୍ରାହକମାନଙ୍କଠାରୁ ଆଣିଥିବା ପାଖାପାଖି ୧୦୦ ଗ୍ରାମ ସୁନା ଏବଂ ନଗଦ ୬୦ ହଜାର ଟଙ୍କା ନେଇ ନଈ ସାହିସ୍ଥିତ ଘରକୁ ଫେରିଥିଲେ।

ତେବେ ଦିଲ୍ଲୀପ ଘରକୁ ପ୍ରବେଶ କରିବା ମାତ୍ରେ ହଠାତ ଘରେ ଭିତରେ ପୁର୍ବରୁ ଛପିଥିବା ଦୁଇ ଜଣ ମୁଖା ପିନ୍ଧାବା ଦୁର୍ବୁତ୍ତ ଦିଲ୍ଲୀପଙ୍କୁ ପିସ୍ତଲ ଓ ଖଣ୍ଡା ଦ୍ୱାରା ଭୟଭୀତ କରାଇ ଉକ୍ତ ବ୍ୟାଗ ଏବଂ ଦିଲ୍ଲୀପଙ୍କ ପତ୍ନୀଙ୍କ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଘର ଭିତରେ ବନ୍ଧକ ରଖି ବାରିପଟୁ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲେ ଲୁଟେରା। ଏନେଇ ଆଜି ଦିଲ୍ଲୀପ ଗଣମାଧ୍ୟମକୁ ବୟାନ ଦେଇଥିବା ବେଳେ ଥାନାରେ ଆଜି ଏତଲା ଦେବେ ବୋଲି କହିଛନ୍ତି।

ତେବେ ଉକ୍ତ ଖବର ପ୍ରଚାର ହେବା ମାତ୍ରେ ବାଣପୁରରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଣପୁର ବଜାରରେ ଏପରି ଘଟଣାକୁ କେହି ବିଶ୍ୱାସ କରିପାରୁନାହାନ୍ତି। ଯଥାଶୀଘ୍ର ଲୁଟେରାଙ୍କୁ ଗିରଫ ଦାବି ଜୋର ଧରିଛି। ତେବେ ବାରମ୍ବାର ବାଣପୁର ଅଞ୍ଚଳରେ ଚୋରି ଓ ଲୁଟ ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

ବିଗତ ଏକ ମାସ ମଧ୍ୟରେ ବାରମ୍ବାର ଏପରି ଘଟଣା ବାଣପୁରରେ ବଢ଼ିଚାଲିଛି। ଦୁର୍ବୁତ୍ତମାନଙ୍କୁ ଦୃଢହସ୍ତରେ ପୋଲିସ ପ୍ରଶାସନ ଦମନ କରୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ: ମଦ ଜବତ, ଦୁଇ ଗିରଫ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ବଜାରରେ ଚଢ଼ାଉ କରାଯାଇ ଅଭିଯୁକ୍ତ ଗୋବିନ୍ଦ ପଲେଇଙ୍କୁ ୯ ଲିଟର ଆସ୍କା-୪୦ ଏବଂ ବାଣପୁର ଥାନା ରାଣୀପଡ଼ା ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଦାସଙ୍କୁ ୯୦ ଲିଟର ଦେଶୀ ମଦ ଓ ବାଇକ ସହ ଗିରଫ କରାଯାଇଛି।

ଉଭୟଙ୍କ ବିରୁଦ୍ଧରେ ଦୁଇ ଗୋଟି ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ମିଶନ ଶକ୍ତି ସୁଧ ଛାଡ଼ ମେଳା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ପରିସରରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ମିଶନ ଶକ୍ତି ସୁଧ ଛାଡ଼ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବାଣପୁର ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଆଦି ଯୋଗ ଦେଇଥିବା ବେଳେ ମହିଳା ସ୍ୱୟଂ ସହାୟକ ବ୍ଲକ ସଭାନେତ୍ରୀ କବିତା ରାଣୀ ମହାପାତ୍ର ଓ ସମ୍ପାଦିକା ବେବିନା ତ୍ରିପାଠୀ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ବ୍ୟାଙ୍କ ମାଧ୍ୟମରେ ୫ଲକ୍ଷ ଟଙ୍କା ଲେଖାଏଁ ଋଣ ନେଇଥିବା ମହିଳା ଗୋଷ୍ଠୀ ମାନଙ୍କୁ ସାରା ରାଜ୍ୟରେ ରାଜ୍ୟ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ସୁଧ ଛାଡ଼ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ଓ ଏନଏସି ର ସମୁଦାୟ ୮୨୪ ଟି ମହିଳା ଗୋଷ୍ଠୀଙ୍କୁ ୬୦ ଲକ୍ଷ ୬୫ ହଜାର ୪୨୮ଟଙ୍କାର ସୁଧ ଛାଡ଼ କରାଯାଇଛି।

ମହିଳାମାନଙ୍କୁ ଉତ୍ସାହ କରିବା ଲକ୍ଷ୍ୟରେ ଅନୁଷ୍ଠିତ ସୁଧ ଛାଡ଼ ମେଳାରେ ସବୁଠାରୁ ଅଧିକ ସୁଧ ଛାଡ଼ ପାଇଥିବା ୫୦ଟି ମହିଳା ଗୋଷ୍ଠୀଙ୍କୁ ଅତିଥି ମାନେ ଡମୀ ଚେକ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଆୟତପୁର ଗ୍ରାମପଞ୍ଚାୟତର ବେଲେଡ଼ିହି ଗ୍ରାମର ସ୍ୱାଭିମାନ ସ୍ୱୟଂ ସହାୟକ ଗୋଷ୍ଠୀ ସବୁଠାରୁ ଅଧିକ ୩୮୦୨୫ ଟଙ୍କାର ସୁଧ ଛାଡ଼ ପାଇଥିବା ଜଣାପଡିଛି।

ଉକ୍ତ ମେଳାରେ ସମସ୍ତ ସିଆରପି, ଏମବିକେ, ପଂଚାୟତ ସଭାନେତ୍ରୀଙ୍କ ସହ ଛାଡ଼ ପାଇଥିବା ମହିଳା ଗୋଷ୍ଠୀ ମାନଙ୍କର ପ୍ରାୟ ୫୦୦ରୁ ଅଧିକ ମା’ମାନେ ଉପସ୍ଥିତ ଥିଲେ। ଏ ସମସ୍ତ କାର୍ଯ୍ୟକୁ ବିପିଏମ ଶିବ ପ୍ରସାଦ ଜାଲି ଓ ବିପିସି ରଶ୍ମିତା ଇଦ୍ରଜିତ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ନମିଳିଲେ କରାଯିବ ଆଇନ ଅମାନ୍ୟ ଆନ୍ଦୋଳନ: କ୍ରିୟାନୁଷ୍ଠାନ କମିଟି

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ରାଜ୍ୟ ସରକାର ଏକାଧିକ ଅଞ୍ଚଳକୁ ନୂତନ ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇବା ପାଇଁ ସଂଘର୍ଷ ଜାରି ରଖିଛି। ବିଗତ ଚାରି ଦଶନ୍ଧି ହେଲା ବାରମ୍ବାର ପ୍ରତିବାଦ ଏବଂ ଆନ୍ଦୋଳନ ସତ୍ବେ ସରକାର ଉକ୍ତ ଦାବିକୁ କର୍ଣ୍ଣପାତ କରୁନଥିବାରୁ ଆଜି ବାଣପୁର-ବାଲୁଗାଁ-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଛାୟା ମଣ୍ଡପ ପରିସରରେ କମିଟି ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଫେସର ପଟ୍ଟନାୟକ ବାଣପୁରକୁ ଯଥାଶୀଘ୍ର ରାଜସ୍ୱ ଉପଖଣ୍ଡ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ତେବେ ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ଏହି ଦାବି ପୂରଣ ନକରନ୍ତି ତେବେ ବାଧ୍ୟ ହୋଇ ବାଣପୁର ବାସି ଆଇନ ଅମାନ୍ୟ ଆନ୍ଦୋଳନ ହାତକୁ ନେବେ ବୋଲି ପ୍ରଫେସର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି।  ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆସନ୍ତାକାଲି ଠାରୁ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବେ।

ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ କରିବେ। ଏବଂ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ।

ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ଶତାଧିକ ଯୁବକ ଏହି ପଦଯାତ୍ରାରେ ସାମିଲ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହେବା ଲାଗି ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡଧରଣର ଡକାୟତି: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟ୍ ଅଭିଯୋଗ

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ।

ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ।

ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ଛାନଭିନ କରୁଥିବା ବେଳେ ଦୁର୍ବୁର୍ତ୍ତମାନଙ୍କର ପତ୍ତା ମିଳିପାରିନାହିଁ। ତେବେ ଶାଳିଆଡ୍ୟାମ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାତ୍ରି ସମୟରେ ଲୋକଙ୍କ ଯାତାୟତ ବହୁ କମଥାଏ। ଫାଇନାନ୍ସ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ଉକ୍ତ ରାସ୍ତା ଦେଇ ଫେରିବାକୁ ସାଧାରଣ ଲୋକ ନାପସନ୍ଦ କରିବା ସହ ଉକ୍ତ ଘଟଣା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇନାନ୍ସ କର୍ମଚାରୀ ମାନଙ୍କର ଏହିଭଳି ବେପରୁଆ କାର୍ଯ୍ୟହେତୁ ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ଅଡୁଆ ପରିସ୍ଥିତିରେ ପଡୁଛି। ତେବେ ଏହାର ତଦନ୍ତ ପରେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।