Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି।  ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆସନ୍ତାକାଲି ଠାରୁ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବେ।

ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ କରିବେ। ଏବଂ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ।

ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ଶତାଧିକ ଯୁବକ ଏହି ପଦଯାତ୍ରାରେ ସାମିଲ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହେବା ଲାଗି ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡଧରଣର ଡକାୟତି: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟ୍ ଅଭିଯୋଗ

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ।

ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ।

ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ଛାନଭିନ କରୁଥିବା ବେଳେ ଦୁର୍ବୁର୍ତ୍ତମାନଙ୍କର ପତ୍ତା ମିଳିପାରିନାହିଁ। ତେବେ ଶାଳିଆଡ୍ୟାମ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାତ୍ରି ସମୟରେ ଲୋକଙ୍କ ଯାତାୟତ ବହୁ କମଥାଏ। ଫାଇନାନ୍ସ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ଉକ୍ତ ରାସ୍ତା ଦେଇ ଫେରିବାକୁ ସାଧାରଣ ଲୋକ ନାପସନ୍ଦ କରିବା ସହ ଉକ୍ତ ଘଟଣା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇନାନ୍ସ କର୍ମଚାରୀ ମାନଙ୍କର ଏହିଭଳି ବେପରୁଆ କାର୍ଯ୍ୟହେତୁ ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ଅଡୁଆ ପରିସ୍ଥିତିରେ ପଡୁଛି। ତେବେ ଏହାର ତଦନ୍ତ ପରେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଞ୍ଚଳିକ

ବାଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ଶାଳିଆ ଡ୍ୟାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ୯୮୦୦ ଲିଟର ପୋଚ ଏବଂ ୧୦୮୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି।

ଅନୁରୂପ ଭାବେ ଦାଶରଥିପୁର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତ ସୁକାନ୍ତି ନାୟକ ଏବଂ ବାପି ନାୟକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା, ଜିଲ୍ଲା ମୋବାଇଲ ୟୁନିଟ ଏସଆଇ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁର ଥାନା ହାତୀବାରି ଗ୍ରାମରେ ଅଗ୍ନିକାଣ୍ଡ, ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଥାନା ହାତୀବାରି ଗ୍ରାମରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ହାତିବାରୀ ଗ୍ରାମରେ ଆଜି ଅପରାହ୍ନରେ ତ୍ରିନାଥ ଶବରଙ୍କ ପରିବାରବର୍ଗ ରୋଷେଇ କରୁଥିବା ବେଳେ ହଠାତ ଚାଳ ଘରେ ନିଆଁ ଧରିଦେଇଥିଲା।

ଫଳରେ ତ୍ରିନାଥଙ୍କ ଏକ ବଖରା ଚାଳ ଘର ଏବଂ ପଡୋଶୀ ଶରତ ଶବରଙ୍କ ଏକ ବଖରା ଚାଳ ଘର ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଉଭୟ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ତୁରନ୍ତ ସରକାରୀ ସାହାଯ୍ୟପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକାର ସମସ୍ତ ଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ନେଇ ଗଠିତ ହେଲା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଓ ଚ଼ିଲିକା ମଣ୍ଡଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରମୁଖ ମାନଙ୍କୁ ନେଇ “ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ” ଗଠିତ ହୋଇଯାଇଛି। ଆଞ୍ଚଳିକ ସ୍ତରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକର ସୁରକ୍ଷା ସହିତ ଜଗନ୍ନାଥ ଧର୍ମ,ଐତିହ୍ୟ, ସଂସ୍କୃତି, ଚ଼େତନାର ପ୍ରଚାର ପ୍ରସାରର ଲକ୍ଷ୍ୟ ରଖି କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁଙ୍କ ଆବାହକତ୍ଵରେ ଏବଂ ଭାଟପଡ଼ାଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସଭାପତିତ୍ବରେ ଗଡ଼ଠାକୁରଦଧିବାମନଜୀଉଙ୍କ ମନ୍ଦିର ନିକଟରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଉଭୟ ମଣ୍ଡଳରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରମୁଖମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରର ବିଭିନ୍ନ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକର ସ୍ଥାୟୀ ସମାଧାନ ନହୋଇପାରିଲେ ଧୀରେ ଧୀରେ ମନ୍ଦିର ସହିତ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ,ଐତିହ୍ୟ ଲୋପ ପାଇଯିବ ବୋଲି ମତ ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ନିମନ୍ତେ ବର୍ତ୍ତମାନଯୁଗାନ୍ତକାରୀ ପଦକ୍ଷେପମାନ ଗ୍ରହଣ କରିଥିବାବେଳେ ଏବଂ ପ୍ରତି ପଞ୍ଚାୟତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ମନ୍ଦିରର ନୀତିକାନ୍ତି, ପୂଜାବିଧିବିଧାନ, ଭୋଗଲାଗି ଓ ପବପର୍ବାଣୀ ପରିଚାଳନା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଅର୍ଥର ଅଭାବ ଦେଖାଦେଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ମନ୍ଦିର ନାମରେ ଥିବା ଜମି ଜୁମା ଗୁଡ଼ିକରୁ ଆଦାୟ ଫସଲ ଧୀରେ ଧୀରେ ବନ୍ଦ ହେବାକୁ ଯାଉଥିବାରୁ ଜୀଉମାନଙ୍କ ପାଖରେ ପ୍ରତ୍ୟହ ଭଲରେ ଟିକେ ଭୋଗଲାଗି ହୋଇପାରୁ ନାହିଁ। କେତେକ ମନ୍ଦିର ସୁରକ୍ଷା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ସରକାରଙ୍କ ସାହାଯ୍ୟ ସମୁଦ୍ରକୁ ଶଙ୍ଖେପରି ଅନୁଭବ ହେଉଛି। ମନ୍ଦିରମାନଙ୍କରେ କାର୍ଯ୍ୟରତ ପୂଜାରୀମାନଙ୍କ ନିମନ୍ତେ ମାସିକ ଦରମା ର ସ୍ଥାୟୀବ୍ୟବସ୍ଥା ନ ହୋଇପାରୁଥିବାରୁ ପୂଜାରୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି ଫଳରେ ମନ୍ଦିରମାନଙ୍କରେ ତାଲା ଝୁଲିବା ଅବସ୍ଥା ଦେଖାଯାଉଛି। ଏ ଭଳି ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନକଲେ ଧୀରେ ଧୀରେ ଏହି ମହାନ ସଂସ୍କୃତି ଲୋପପାଇଯିବ ବୋଲି ମତପ୍ରକାଶ କରି ଆଜିର ଏହି ନବଗଠିତ ସମନ୍ବୟ ପରିଷଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସମ୍ମିଳନୀରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।

ନବଗଠିତ ଏହି ପରିଷଦରେ ସଭାପତି ଡ଼ା ସୁଶାନ୍ତ କୁମାର ସାହୁ, ଉପସଭାପତି ଦାଶରଥିସାହୁ ଏବଂ ପ୍ରଫୁଲ୍ଲ କୁମାର ସାହୁ, ସାଧାରଣ ସଂପାଦକ ବାଳମୁକୁନ୍ଦ ଦାସ, ଯୁଗ୍ମ ସଂପାଦକ ପ୍ରଦୋଷ କୁମାର ଦାସ, ବୃନ୍ଦାବନ ମହାରଣା, ବଳଭଦ୍ର ବିଶୋଇ, ଅସୀତ ବରଣ ବଳିୟାର ସି, କୋଷାଧକ୍ଷ ସତ୍ୟେନ୍ଦ୍ର କୁମାର ସ୍ୱାଇଁ, ସହ କୋଷାଧ୍ୟକ୍ଷ ବିଭୁଧେନ୍ଧୁ କେଶରୀ ଭୋଳ, କାର୍ଯ୍ୟକାରୀ କମିଟିର ସଭ୍ୟ ନିରଞ୍ଜନ ମହାରଣା, ଶାରଳା ଦାସ, ଲକ୍ଷ୍ମୀଧର ବେହେରା, ମଦନ ମୋହନ ମହାନ୍ତି, ରୂପକକୁମାର ମହାନ୍ତି, ସଦେଇ ବାରିକୀ ଓ ସୁଧୀର ପଣ୍ଡା ଏବଂ ଉପଦେଷ୍ଠାମଣଳୀ ସଭ୍ୟ ଭାବରେ ମାନବେନ୍ଦ୍ର ମହାରଥା, ନୃସିଂହ ପ୍ରସାଦ ମିଶ୍ର, ବାବାପଦ୍ମପାଦ ଦାସ, ହାଡ଼ିବନ୍ଧୁ ପଟ୍ଟନାୟକ, ଗୌରୀ ଶଂକର ରଥ ଶର୍ମା, ସୁରେନ୍ଦ୍ରନାଥ ଜଗଦ୍ଦେବ ଓ ମଧୁସୂଦନ ସେନାପତି ମନୋନୀତ ହୋଇଥିଲେ।

ସ୍ଥାନୀୟ ଦାସକାଠିଆ କଳାକାରଙ୍କ ଦ୍ୱାରା ଲୋକସଂଗୀତ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ପ୍ରଦୋଷକୁମାର ଦାସ ଧନ୍ୟବାଦାର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ମୃତଦେହ ରଖାଯାଇଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ।

ସୂଚନା ମୁତାବକ ନନ୍ଦପୁର ପଞ୍ଚାୟତ ଭେଷରୀ ଗ୍ରାମରେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ବୁଲିବା ଏବଂ ମରିଯିବି ବୋଲି ଚିତ୍କାର କରୁଥିବା ପୋଲିସ ଖବର ପାଇ ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ତେବେ ବ୍ୟକ୍ତି ଜଣକ ଓଡ଼ିଆ ଭାଷାରେ କଥା କହୁଥିବା ଏବଂ ନିଜ ଘର ବାଲେଶ୍ୱର ବୋଲି କହିଥିବା ଆଇଆଇସି ରମେଶ ଦେବତା କହିଛନ୍ତି। ମୃତ ବ୍ୟକ୍ତିର ପରିଚୟ ମିଳିପାରିନଥିବାରୁ ଡାକ୍ତରଖାନାରେ ତିନିରୁ ଚାରିଦିନ ପର୍ଯ୍ୟନ୍ତ ମୃତଦେହକୁ ଗଚ୍ଛିତ ରଖାଯିବ ବୋଲି ବାଣପୁର ପୋଲିସ କହିଛି।

Categories
ଆଞ୍ଚଳିକ

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣପୁର ହବ୍ ରେ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ

ବାଣପୁର: +୨ ବିଜ୍ଞାନ ବିଭାଗର ପ୍ରଥମ ଦିନର ଓଡ଼ିଆ ଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅଧ୍ୟକ୍ଷ ତଥା ହବ୍ ପରିଚାଳକ ବିନାୟକ ହୋତାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଯାଇଛି। ଏହି ହବ୍ ଅଧୀନରେ ଥିବା ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ବିଜ୍ଞାନ ବିଭାଗ ଥିବା ତିନୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଶ୍ନପତ୍ର ସକାଳ ୭ ଘଟିକା ୩୦ ମିନିଟ୍ ରେ ପଠାଯାଇଥିଲା।

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଚନ୍ଦନ ଲଗାଇ ସ୍ବାଗତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ଆନ୍ଦୋଳନ କଲେ ଶତାଧିକ ଆଦିବାସୀ

ବାଣପୁର (ସୀତାରାମ ଅଗ୍ରୱାଲ): ଚାଷୀମୁଲିଆ ସଙ୍ଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ତରଫରୁ ଦାମିଆ ବରବରା ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଆଞ୍ଚଳିକ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ନୀଳାମ୍ବର ନାୟକ, ନିରଞ୍ଜନ ଶବର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ କରିଥିଲେ। ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ସ୍ୱାଧୀନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ପଞ୍ଚାୟତର ବହୁ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ପଞ୍ଚାୟତର ୬ ଓ ୭ନମ୍ବର ୱାର୍ଡର ମଶାଣି ସାହି, ବରକୋଳି, ଚନ୍ଦ୍ରମା, କରଞ୍ଜ ପଲ୍ଲୀ, କଳାପାଟ ସମେତ ୧୦ଖଣ୍ଡ ଗ୍ରାମର ଆଦିବାସୀ ଧାରଣା ସ୍ଥଳରେ ଲାଲ ସଲାମ ସ୍ଲୋଗନ ଦେବା ସହ ଆନ୍ଦୋଳନକାରି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ।

ସେମାନଙ୍କ ଦାବୀ ମୁତାବକ ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ କରୁଥିବା ଯୋଜନା ଦ୍ୱାରା କେବଳ ପୁଞ୍ଜିପତି ମାନେ ଉପକୃତ ହେଉଛନ୍ତି। ରାଜ୍ୟର ବିକାଶ ହୋଇଛି ବୋଲି ସରକାର କହୁଥିବା ବେଳେ ଆଦିବାସୀ ମାନଙ୍କ ଜୀବନ ଧାରଣ ପାଇଁ ରାସ୍ତା ଭଳି ମୌଳିକ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇପାରିଲା ନାହିଁ। ଯାହାଫଳରେ ଆମ ଦଶ ଖଣ୍ଡ ଗ୍ରାମର ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପହଂଚି ପାରୁ ନାହିଁ। ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାକୁ ଅସୁବିଧା ହେଉଛି।

ଉକ୍ତ ଘଟଣାକୁ ଆଜି ଆମେ ଦାବିପତ୍ର ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ନିବେଦନ କରୁଛୁ। ଯଦି ଏହାର ସମାଧାନ କରାନଯାଏ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସଙ୍ଘ ତରଫରୁ ଦିଆଯାଇଥିବା ଦାବିପତ୍ରକୁ ବିଡ଼ିଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀ ପ୍ରଦୀପ କୁମାର ସର୍ଦାର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଅବଗତ କରାଯିବ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ନନ୍ଦପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଚି଼ହ୍ନଟ ଉପରେ ଗୁରୁତ୍ୱ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ସଫଳତା ଓ ଯୋଜନା ଗୁଡିକୁ ପ୍ରଚାର ଓ ପ୍ରସାର କରିବାକୁ ଆଜି ମା’ ମେଘାମ୍ବରୀଙ୍କ ପୀଠରେ ନନ୍ଦପୁର ଗ୍ରାମ ପଞ୍ଚାୟତର ନୂଆ ଓ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହଚରଣ ଜେନା, ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ସଭାନେତ୍ରୀ ସରୋଜିନୀ ପାଳ, ବ୍ଲକ ଏପିଓ ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସଫଳ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବା ସହ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ।

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗରିବଙ୍କ ନିମିତ୍ତ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅତିଥି ମାନେ ବର୍ଣ୍ଣନା କରିଥିଲେ। ସରକାରୀ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ସିଆରପି, ଅଙ୍ଗନବାଡି କର୍ମୀ ଏବଂ ସରକାରୀ କର୍ମଚାରୀ ମାନଙ୍କୁ ଉପାଧ୍ୟକ୍ଷ ନିବେଦନ କରି ଲୋକମାନଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ।

ସରକାରଙ୍କ ଯୋଜନା ଗୁଡିକୁ ଯେପରି ହିତାଧିକାରୀମାନଙ୍କୁ ସୁବିଧାରେ ଉପଲବ୍ଧ ହୋଇପାରିବ ତାହା ଉପରେ ସରପଞ୍ଚ ଶ୍ରୀଯୁକ୍ତ ଖୁଣ୍ଟିଆ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ସତସଙ୍ଗ ବାର୍ଷିକ ଉତ୍ସବ ପାଳିତ

ବାଣପୁର: ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଶୁଭ ଆବିର୍ଭାବ ଦିବସ ଓ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ୬ଷ୍ଠ ବାର୍ଷିକ ପଦାର୍ପଣ ଦିବସ ମହାସମାରୋହରେ ପାଳନ କରାଯାଇଛି। ସହ-ପ୍ରତି-ଋତ୍ବିକ ସୁରେନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତସଙ୍ଗରେ ସହ ପ୍ରତି ଋତ୍ବିକ ଇଂ କୁମୁଦ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ତ୍ରିନାଥ ମହାରଣା, ଶ୍ରୀଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଅଧୂର୍ଯୁ ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯାଜକ ମହେଶ୍ୱର ଜେନା, ଡଃ.ସୁକାନ୍ତ ବେହେରା ସଙ୍ଗୀତାଞ୍ଜାଳୀ ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ର ଗୁରୁଭାଇ ଓ ମାଆ ମାନେ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତ ଭକ୍ତ ଜନ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: କୁମାରାଙ୍ଗ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ର ଶୁଭାରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନୂଆ-ଓ ଜରିଆରେ ଆମ ଓଡିଶା ନବୀନ ଓଡିଶା ଅଧୀନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜନହିତକର ଯୋଜନାର ସଫଳ ରୂପାୟନକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବେଳେ କୁମାରାଙ୍ଗ ପଞ୍ଚାୟତରେ ଆଜି ଏହାର ଶୁଭାରମ୍ଭ କରାଯାଇଛି।

କୁମାରାଙ୍ଗ ପଞ୍ଚାୟତର ଝୀଂଟିକାପଲ୍ଲୀ ମା’ ତାରିଣୀଙ୍କ ପୀଠରେ ପଞ୍ଚାୟତର ପ୍ରାୟ ଦୁଇହଜାରରୁ ଅଧିକ ମହିଳା ଓ ପୁରୁଷଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସରୋଜିନୀ ପ୍ରଧାନଙ୍କ ତତ୍ୱାବଧାନରେ ହୋଇଥିବା ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମିତି ସଭ୍ୟା ଝୁନା ପଲେଇ, ନାଏବ ସରପଞ୍ଚ ବୋତକେଶ ମହାପାତ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମରେ ଉଦଘାଟନ କରିଥିଲେ।

ସଭାସ୍ଥଳ ନିକଟରେ ସ୍ୱାସ୍ଥ୍ୟ, କୃଷି, ମସ୍ଚ୍ୟ ଓ ପଶୁ ସମ୍ପଦ, ଭଳି ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ଖୋଲାଯାଇ ସରକାରଙ୍କ ଯୋଜନା ଗୁଡିକୁ ପ୍ରଦର୍ଶିତ କରିବା ସହ ଲୋକମାନଙ୍କୁ ଅବଗତ କରାଯାଇଥିଲା। ସଭାସ୍ଥଳରେ ପାଲା, ସମ୍ବଲପୁରୀ ଓ ସଂକୀର୍ତ୍ତନ ମେଳ ମାଧ୍ୟମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣଙ୍କ ହିତ ନିମିତ୍ତ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକୁ ଉପସ୍ଥିତ ହଜାର ହଜାର ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ଲକ୍ଷର ଅନୁଦାନ ଦ୍ୱାରା ପଞ୍ଚାୟତର ବହୁ ଉନ୍ନତି ସାଧିତ ହୋଇଥିବା ସାଧାରଣ ସମ୍ପାଦକ ମନୋଜ ପ୍ରଧାନ ପ୍ରକାଶ କରିଥିଲେ।

ଆଜି ପଞ୍ଚାୟତର ଯେଉଁ ବିକାଶ ଚାଲିଛି ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ପାଇଁ ସମ୍ଭବ ହୋଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନେ ଆଜି ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ସରପଞ୍ଚ ଶ୍ରୀମତୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ପରିଶେଷରେ ସରାକରଙ୍କ ଯୋଜନାକୁ ପ୍ରଚାର ଓ ପ୍ରସାର କରୁଥିବା କଳାକାର ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: କୁମାରାଙ୍ଗ ରୋଡରେ ପୁଣି ଏକ ଚୋରି, ପାଞ୍ଚ ଦିନ ପୂର୍ବେ ସମାନ ଢଙ୍ଗରେ ହୋଇଥିଲା ଲୁଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ରୋଡରେ ପୁଣି ଏକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଅଞ୍ଚଳର ସୁଚିତ୍ରା ପ୍ରହରାଜ ନିଜର ନବନିର୍ମିତ ଘରକୁ ତାଲା ପକାଇ ନିକଟସ୍ଥ ବାପ ଘର ଅଚ୍ୟୁତରାଜପୁର ଗ୍ରାମରେ ରହି ଆସୁଛନ୍ତି।

ତେବେ ଆଜି ଉକ୍ତ ଘରର କବାଟ ଖୋଲାଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଜାଣିବାକୁ ପାଇ ନିଜ ଘରକୁ ଯାଇଥିଲେ। ଘର ଖୋଲି ଦେଖିଲା ବେଳକୁ ଘରୁ ଚୋରି ହୋଇଥିବାର ସୁଚିତ୍ରା ଜାଣିବାକୁ ପାଇଥିଲେ। ଘର ଆସବାବପତ୍ର ସମେତ ରୁପାର ପୂଜା ସାମଗ୍ରୀ ଚୋରି ହୋଇଥିବା ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଏ ନେଇ କେସ ନମ୍ବର ୭୫/୨୪ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପାଞ୍ଚ ଦିନ ପୂର୍ବେ ଉକ୍ତ ସ୍ଥାନରେ ସମାନ ଢଙ୍ଗରେ ଆଉ ଏକ ଚୋରି ହୋଇଥିଲା। ତେବେ ଉକ୍ତ ଚୋରି ମଧ୍ୟ ସେହିଦିନ ରାତିରେ ସମାନ ଦୁର୍ବୁତ୍ତଙ୍କ ଦ୍ୱାରା ହୋଇଥିବା ପୋଲିସ ଅନୁମାନ କରୁଛି।

Categories
ଆଞ୍ଚଳିକ

ବାଣପୁର: ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ- ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନି ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଭେଟେଶ୍ୱର) ଆନୁକୂଲ୍ୟରେ ନୁଆ- ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନି ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଲୋକନୃତ୍ୟ ଓ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଓ ଶିକ୍ଷାବିତ ରାଜେନ୍ଦ୍ର କୁମାର ରଥ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ମଦନ ମୋହନ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବିଦ୍ୟାଳ ର ପୁରାତନ ଛାତ୍ର ସଂଗଠନ ସଭାପତି ଶଶିକାନ୍ତ ସୁବୁଦ୍ଧି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ସମସ୍ତେ ନିଜ ନିଜର ଅମୃତ ବାଣୀ ପ୍ରଦାନ କରିଥିଲେ।

ଉକ୍ତ ଉଦଯାପନି ଉତ୍ସବ କାର୍ଯ୍ୟକ୍ରମ ସଭାରେ ସଭାପତି ଭାବେ କାର୍ଯ୍ୟ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ଜେନା। ଏ ଅବସରରେ ଏକାଦଶ ଶ୍ରେଣୀର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏବଂ ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏବଂ ଯୋଗାଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶିତ ଗୀତିନାଟ୍ୟ ଭକ୍ତ ବନ୍ଧୁ ମହାନ୍ତି ପରିବେଷଣ ହୋଇଥିଲା।

ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଏହି ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିବାବେଳେ, ସମସ୍ତ ଅଭିଭାବକ ମାନେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଞ୍ଚଳିକ

ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା: ଆରମ୍ଭ ହେଲା ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା

ବାଣପୁର (ସୀତାରାମ ଅଗ୍ରୱାଲ): ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା। ସହରରେ ଡ୍ରେନେଜ ନିର୍ମାଣ ନେଇ ଆଶା ଉଜ୍ଜୀବିତ ହୋଇଛି। ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ତହସିଲ ଓ ଏନଏସି ପକ୍ଷରୁ ମୁଖ୍ୟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଥମ ଦିନରେ ବାଣପୁର ରଘୁନାଥ ସାହି ଦୋଳବେଦୀ ଛକଠାରୁ ନେହେରୁ ସେବା ସଂଘ ପର୍ଯ୍ୟନ୍ତ ସରକାରୀ ସ୍ଥାନ ଚି଼ହ୍ନଟ ହୋଇଥିବା ଜଣାପଡିଛି। ଆସନ୍ତାକାଲି ପୁନଶ୍ଚ ଅବଶିଷ୍ଟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ କରାଯିବ। ଚି଼ହ୍ନଟ ପରେ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ସ୍ଥାନ ମୁକ୍ତ କରାଯିବ ଏବଂ ଡ୍ରେନ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।

ତେବେ ଡ୍ରେନକୁ ମିଶାଇ ୯ ମିଟର ପର୍ଯ୍ୟନ୍ତ ସରକାରୀ ରୋଡକୁ ଜବରଦଖଲ ମୁକ୍ତ କରାଯିବ ବୋଲି ତହସିଲଦାର ଶ୍ରୀ ଦୋରା କହିଛନ୍ତି। ସୂଚନା ଥାଉକି ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଜଳମଗ୍ନ ହୋଇଉଠୁଛି ସମ୍ପୂର୍ଣ୍ଣ ସହର। ଫଳରେ ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ଯାହାଦ୍ୱାରା ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନୁରୂପଭାବେ ବାଣପୁର ଏନଏସି ୧୦ ନମ୍ବର ୱାର୍ଡରେ ବିନା ଡ୍ରେନେଜ ବ୍ୟବସ୍ଥାରେ ରୋଡ ନିର୍ମାଣକୁ ବିରୋଧ କରି ନିକଟରେ ଉଚ୍ଚ ନ୍ୟାୟାଳୟରେ ଜନୈକ ଆଇନଜୀବୀ ଏକ ରିଟ ପିଟିସନ ମଧ୍ୟ ଦାୟର କରିଥିଲେ। ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ଗସ୍ତ ସମୟରେ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇଥିଲେ ଏବଂ ଡ୍ରେନେଜ ନିର୍ମାଣ ପାଇଁ ତୁରନ୍ତ ସରକାରୀ ସ୍ଥାନ ଜବରଦଖଲ ମୁକ୍ତ କରିବା ପାଇଁ ସ୍ଥାନୀୟ ତହସିଲ ଏବଂ ଏନଏସି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି।

ସୂଚନା ମୁତାବକ ବାଣପୁର ଏନଏସି କୁମାରାଙ୍ଗ ଛକ ସ୍ଥିତ ମନୋଜ ନରେନ୍ଦ୍ରସିଂହ ନିକଟରେ ନାଚୁଣୀ ହରିପୁର ଗ୍ରାମରେ ଏକ ବ୍ରତୋପନୟନ କାର୍ଯ୍ୟରେ ଘରେ ତାଲା ପକାଇ ଯାଇଥିଲେ। ତେବେ ଘରେ ଫେରି ଦେଖିବାକୁ ପାଇଥିଲେକି ଘର ତାଲା ଭଙ୍ଗାଯାଇଛି। ଏବଂ ଦୁର୍ବୃତ୍ତମାନେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି।

ଅଭିଯୋଗ ପାଇ ପୋଲିସ କେସ ନମ୍ବର ୬୪/୨୪ ରେ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିବାର ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ନାଗରିକର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଅଦାଲତ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନାଗରିକର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଣପୁର ଜେଏମଏଫସି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ସୁଧୀର ପ୍ରଧାନ ଏବଂ ପୂର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥି ମାନେ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ ସମ୍ବିଧାନ ପ୍ରତି କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘର ବହୁ ବରିଷ୍ଠ ଆଇନଜୀବୀମାନେ ଏବଂ ପାରା ଲିଗାଲ ସ୍ବେଛାସେବୀମାନେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବାଣପୁରର ଶିଶୁ କଳାକାରଙ୍କ ଦ୍ଵାରା ମଞ୍ଚସ୍ଥ ଓଡ଼ିଆ ନାଟକ “ଶର୍ମିଷ୍ଠା” କୁ ୬ ଜାତୀୟ ପୁରସ୍କାର

ଭୁବନେଶ୍ଵର: ନାଟ୍ୟକାର ଭିକାରୀ ଚରଣ ପ୍ରଧାନଙ୍କ ରଚିତ ଏବଂ ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶିତ ପ୍ରାଚୀନ କଥାବସ୍ତୁ ଉପରେ ଆଧାରିତ ନାଟକ “ଶର୍ମିଷ୍ଠା”କୁ ଚଳିତ ବିଶ୍ଵନାଟ୍ୟ ମେଳା-୨ ୦୨୪ରେ ୬ଟି ଜାତୀୟ ପୁରସ୍କାର ମିଳିଛି। ନାଟକଟିକୁ ବାଣପୁର ସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦ କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ମଞ୍ଚସ୍ଥ କରିଥିଲେ।

ସର୍ଵ ଭାରତୀୟ ସ୍ତରରେ ଓଡ଼ିଆ ନାଟକ ଶର୍ମିଷ୍ଠାକୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର, ଶ୍ରେଷ୍ଠ ଗୀତିନାଟ୍ୟ, ଶ୍ରେଷ୍ଠ ପ୍ରଯୋଜନା ପାଇଁ କ୍ୟାସ୍ ଆୱାଡ, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି। ମହାଭାରତର ଅମର କାହାଣୀ ରାକ୍ଷସରାଜ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠାର ପତିଭକ୍ତି, ତ୍ୟାଗ, ତିତିକ୍ଷା ଏବଂ ସମ୍ରାଟ ଯଯାତୀଙ୍କ ଠାରୁ ନବବିବାହିତ ପୁତ୍ର ପୁରୁଙ୍କର ବାର୍ଦ୍ଧକ୍ୟ ଗ୍ରହଣ ଜନିତ ବିରଳ ତ୍ୟାଗ ଆଦି କଥାବସ୍ତୁକୁ ଜୀବନ୍ତ ଭାବେ ମଞ୍ଚରେ ଉପସ୍ଥାପିତ କରାଯାଇଥିଲା। ସେଇଭଳି ଶର୍ମିଷ୍ଠା ଅଭିନୟ କରିଥିବା ଲକ୍ଷ୍ମୀ ସ୍ୱାଇଁ, ଶୁକ୍ରାଚାର୍ଯ୍ୟ ଅଭିନୟ କରିଥିବା ପାପାଲୀ ସାସମଲ୍ ଏବଂ ପୁରୁ ଭୂମିକାରେ ଅଭିନୟ କରିଥିବା ରାଜଶ୍ରୀ ପଲାଇ ଙ୍କୁ ଚେୟାରମେନ ଆୱାର୍ଡ ମିଳିଛି।

ଏହି ପୁରସ୍କାର ଗୁଡ଼ିକ ବିଭିନ୍ନ ବିଚାରକ, ମୁଖ୍ୟଅତିଥି ବାରବାଟି ବିଧାୟକ ମହମ୍ମଦ ମୋକିମ୍, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଧରଣୀଧର ନାୟକ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ନଳିନୀକାନ୍ତ ସାହୁଙ୍କ ଠାରୁ କଳିଙ୍ଗ କନ୍ୟା କଳା ପରିଷଦ ପକ୍ଷରୁ ଉପଦେଷ୍ଟା ପ୍ରମୋଦ କୁମାର ସ୍ୱାଇଁ ଏବଂ ଅନୁଷ୍ଠାନର ସଂଗଠକା ରଞ୍ଜୁବାଲା ଚମ୍ପତିରାୟ ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବାଣପୁର ବିଇଓ ସନାତନ ଜାଲି, ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଏବଂ ଖୋର୍ଦ୍ଧା ଡ଼ିଆଇଇଟି ରୁ ମହେଶ କୁମାର ବେହେରା ଯୋଗଦେଇ ବାଳିକା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସିଆରସିସି ମନୋରଞ୍ଜନ ଖୁଣ୍ଟିଆ, ସୂର୍ଯ୍ୟକାନ୍ତ ବେହେରା, ତାପସ କୁମାର ମହାରଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପରିଶେଷରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ପାଳନ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ପଲଟନ ପଡିଆ ସ୍ଥିତ ବିଜୁ ଭବନ ପରିସରରେ ଭବାନୀ ଶଙ୍କର ବଳିୟାରସିଂହଙ୍କ ସଭାପତିତ୍ବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜୟନ୍ତୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଓ ଆକାଶ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଅଜୟ ରାଉଳ, ସୂର୍ଯ୍ୟକାନ୍ତ ରଣସିଂହ ଅତିଥି ଭାବେ ଯୋଗଦେବା ସହ ବହୁ ସଂଖ୍ୟାରେ ଯୁବକ ମାନେ ସାମିଲ ହୋଇଥିଲେ।

ଅତିଥି ମାନେ ନେତା‌ଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନେତାଜୀଙ୍କ ତ୍ୟାଗ ଓ ବଳିଦାନ, ସଂଘର୍ଷର ଗାଥା ଉପସ୍ଥିତ ଯୁବକ ମାନଙ୍କୁ କହିଥିଲେ l ସୁବାସ ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରି କିପରି ଇଂରେଜ ମାନଙ୍କର ନିଦ ହଜାଇ ଦେଇଥିଲେ ଏବଂ ଭାରତ ବାସୀଙ୍କୁ ଆହ୍ୱାନ ଦେଇଥିଲେ ‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ’ l

ତାଙ୍କର ଏହି ଡାକରାରେ ଭାରତର ବହୁ ଯୁବକ ଆଜାଦହିନ୍ଦ ଫୌଜରେ ଯୋଗ ଦେଇଥିଲେ l ଶେଷରେ ଇଂରେଜ ମାନେ ଭାରତକୁ ସ୍ୱାଧୀନତା ଦେବାକୁ ବାଧ୍ୟ ହେଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ

Categories
ଆଞ୍ଚଳିକ

ବାଣପୁର: ବୋରିଗାଁ ଗ୍ରାମରେ ମହା ଧୁମଧାମରେ ପାଳନ କଲେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ବାଣପୁର: ଆଜି ଭାରତୀୟ ତଥା ଦେଶ ବାହାରେ ଥିବା ହିନ୍ଦୁମାନଙ୍କ ପାଇଁ ଏକ ଐତିହାସିକ ଦିନ ଥିଲା। ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟି ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ର ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇପଡିଥିଲା। ଦେଶର ପୁର ପଲ୍ଲୀରେ ଆଜି ଉତ୍ସବ ପାଳନ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମପଞ୍ଚାୟତର ବୋରିଗାଁ ଗ୍ରାମରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ମହା ସମାରୋହରେ ପାଳନ କରାଯାଇଥିଲା।

ଆଜି ସକାଳେ ଶ୍ରୀରାମଙ୍କ ଫଟୋ ଚିତ୍ରକୁ ଧରି ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଧ୍ୱନି ସହ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ଗ୍ରାମର ଇଷ୍ଟ ଦେବ ପ୍ରଭୁ ଶ୍ରୀରାଧାମୋହନ ଦେବଙ୍କ ମଣ୍ଡପରେ ସୁନ୍ଦରାକାଣ୍ଡ ପାଠ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ନିଜ ନିଜ ଘରେ ଝୋଟି ଚିତା ସହ ଦୀପ ଜାଳି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ତାପରେ ପୂର୍ବାହ୍ନ ୧୦ ଟାଠାରୁ ମଙ୍ଗଳ ମୂହୁର୍ତ୍ତ ୧୨ ଟା ୨୦ ମିନିଟ ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ନାମ କୀର୍ତ୍ତନ କରାଯାଇଥିଲା। ଏହି ସମୟରେ ଦୁଇଜଣ ସାଧୁ ମହାତ୍ମା ଆସି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରାମ ମୋହନ ଦାସଜୀ ମହାରାଜ ଉପସ୍ଥିତ ଥିଲେ। ସେମାନଙ୍କୁ ଗ୍ରାମ ମୁଣ୍ଡରୁ ସଙ୍କୀର୍ତ୍ତନ ମଣ୍ଡଳୀ ଯାଇ ସ୍ଵାଗତ କରି ଗ୍ରାମକୁ ପାଛୋଟି ଆଣିଥିଲେ।

ହରିବୋଲ ହୁଳହୁଳିରେ ଗ୍ରାମ ଦାଣ୍ଡ ଉଛୁଳି ପଡିଥିଲା। ଢୋଲ ଶଙ୍ଖ ଶବ୍ଦରେ ଦିଗ ବିଦିଗ ପ୍ରକମ୍ପିତ ହୋଇଉଠିଥିଲା। ଏହାପରେ ପଞ୍ଚାୟତର ସରପଞ୍ଚ ସାବିତ୍ରୀ ଭୋଳ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପଞ୍ଚାୟତ ସମିତି ସଭ୍ୟା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଜିତେନ୍ଦ୍ର କୁମାର ସାମନ୍ତରାୟଙ୍କ ସହ ପଞ୍ଚାୟତର ବହୁ ମାନଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ।

ସନ୍ଧ୍ୟାବେଳେ ଶ୍ରୀରାମ ଚନ୍ଦ୍ରଙ୍କ ଫଟୋ ଚିତ୍ରକୁ ଧରି ସଙ୍କୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ସମସ୍ତ ମହିଳା, ପୁରୁଷ ଓ ପିଲାମାନେ ନୂତନ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ କରିଥିଲେ। ଏଥିରେ ଗ୍ରାମର ଶ୍ରୀ ରାଧାମୋହନ ଦେବ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଯୁବକମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସରିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମମୟ ହେଲା ବାଣପୁର-ବାଲୁଗାଁ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି।  ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ଏହି ଉପଲକ୍ଷେ ସାରା ଦେଶରେ ଦୀପାବଳି ପରି ଉତ୍ସବ ପାଳନ କରାଯାଇଛି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ରାମ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ ଉକ୍ତ ଉତ୍ସବ।

ବାଣପୁରର ରଘୁନାଥ ଦେବ, ରଙ୍କନାଥ ଦେବ, ଦାଶରଥିପୁର, ଭେଟେଶ୍ୱର, ମଙ୍ଗରାଜପୁର, ଗମେଇ, ଗୋଡ଼ିଝର, ସାନ ହନ୍ତୁଆଡ଼, ରାଣୀପଡ଼ା ଆଦି ପ୍ରମୁଖ ଅଞ୍ଚଳରେ ଆଡମ୍ବର ସହକାରେ ପାଳନ ହୋଇଛି ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବାଣପୁର ବଜାରରେ ଏକାଧିକ ଧାର୍ମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ରାମଙ୍କ ବିଗ୍ରହ ଓ ହନୁମାନଙ୍କ ପତାକା ସହ ନଗର ପରିକ୍ରମା କରାଯାଇଥିଲା। ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଘୁନାଥ ଦେବ କମିଟି ପକ୍ଷରୁ ଉଭୟ ରଙ୍କନାଥ ଏବଂ ରଘୁନାଥ ଦେବଙ୍କ ପିଠରେ ଦିନ ତମାମ ପୂଜାର୍ଚ୍ଚନା, ସୁନ୍ଦରାକାଣ୍ଡ ପଠନ, ହନୁମାନ ଚାଳିଶା ପଠନ, ହୋମ ଆଦି ଜାରି ରହିଥିଲା।

ଅନୁରୂପ ଭାବେ ବାଲୁଗାଁ ସହରଠୁ ନେଇ ଚିଲିକା ବ୍ଲକର ସବୁ ଗ୍ରାମାଞ୍ଚଳ ମଧ୍ୟ ଆଜି ଉତ୍ସବମୁଖର ହୋଇଉଠିଛି। ସବୁଠି ଗୈରିକ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା।  ରାମଭକ୍ତ ମାନେ ଉଭୟ ବାଣପୁର ଓ ବାଲୁଗାଁରେ ଆତସବାଜି ଫୁଟାଇବା ସହ, ମିଷ୍ଟାନ ବଣ୍ଟନ କରିଥିଲେ ଏବଂ ସଂନ୍ଧ୍ୟାରେ ଉଭୟ ଅଂଚଳବାସି ନିଜ ନିଜ ଘରେ ଦୀପ ଲଗାଇ ଶ୍ରୀ ରାମଙ୍କୁ ବନ୍ଦନା କରିଥିଲେ।