ଢାକା: ପଡ଼ୋଶୀ ବାଂଲାଦେଶରେ ମିଳିମିଳା ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ବେଳେ ମୃତ୍ୟୁସଂଖ୍ୟା ୧,୩୮୯ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ବିଶେଷକରି ଶିଶୁମାନେ ଏହି ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହେଉଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି। ଗତ ଦୁଇ ବର୍ଷ ଧରି ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ବାଧା ଓ ବିଳମ୍ବ ଯୋଗୁଁ ଏହି ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ କହିଥିବା ବେଳେ ଏବେ ‘ହୁ’ ଓ ୟୁନିସେଫ୍ ସହାୟତାରେ ଦେଶବ୍ୟାପୀ ଜରୁରୀ ଟିକାକରଣ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ ପ୍ରଶାସନ।
ବାଂଲାଦେଶର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ ଅନୁସାରେ, ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣରେ ଲକ୍ଷାଧିକ ଲୋକ ମିଳିମିଳାର ଲକ୍ଷଣ ଦେଖାଇଛନ୍ତି। ଏଥିମଧ୍ୟରୁ ୨୬ ହଜାରରୁ ଅଧିକ ମାମଲା ନିଶ୍ଚିତ ଭାବେ ମିଳିମିଳା ବୋଲି ଚିହ୍ନଟ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ୨୦୨୪ ଓ ୨୦୨୫ରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ବାଧା, ଟିକା ଯୋଗାଣରେ ଅଭାବ ଏବଂ ଟିକାକରଣ ଅଭିଯାନ ବିଳମ୍ବ ହେବା ଏହି ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ। ଫଳରେ ଅନେକ ଶିଶୁ ମିଜେଲ୍ସ ବିରୋଧୀ ଟିକାରୁ ବଞ୍ଚିତ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଂଲାଦେଶ ସରକାର ଦେଶବ୍ୟାପୀ ଜରୁରୀ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଓ ୟୁନିସେଫ୍ ମଧ୍ୟ ଏହି ଅଭିଯାନରେ ସହଯୋଗ କରୁଛନ୍ତି। ମିଳିମିଳା ଏକ ଅତ୍ୟନ୍ତ ସଂକ୍ରାମକ ଭୂତାଣୁଜନିତ ରୋଗ ହୋଇଥିବାରୁ ଟିକାକରଣ ହିଁ ଏହାର ପ୍ରତିରୋଧର ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କର ଟିକାକରଣ ସୁନିଶ୍ଚିତ କରିବା ସହ ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।


