ବାଣପୁର: ଆଜି ସକାଳ ୯ଘଟିକା ସମୟରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମାଣିତ୍ରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ସାତଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ପ୍ରକାଶ ଥାଉ କି ଉକ୍ତ ଗ୍ରାମର ଉଦୟନାଥ ସାହୁ, ରାଜକିଶୋର ସାହୁ, ଅଭିମନ୍ୟୁ ସାହୁ, ଦିଲୀପ ସାହୁ, ମହେଶ୍ୱର ମହାରଣା, ଶିବ ମହାରଣା, ଶ୍ୟାମ ସୁନ୍ଦର ସାହୁଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ପ୍ରତ୍ୟେକ ପରିବାର ଦିନ ମଜୁରିଆ ଅଟନ୍ତି। ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ପୀଡିତ ପରିବାର ତରଫରୁ କୁହାଯାଇଥିବା ବେଳେ ସୂଚନା ପାଇ ବାଣପୁର ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ଆଁ ଭିତରେ ଘରର ସବୁ ଆଶାବାବ ପତ୍ର ସହ ଟଙ୍କା ପଇସା ଧ୍ବଂସ ହୋଇଯାଇଥିଲା। ପୀଡିତ ପରିବାର ଲୋକ କେବଳ ପିନ୍ଧିଥିବା ବସ୍ତ୍ର ସହ ଅନ୍ୟ କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା।
ଖବର ପାଇ ରାଜସ୍ବ ନିରୀକ୍ଷକ ପହଂଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ କୌଣସି ସରକାରୀ ସାହାଯ୍ୟ ମିଳିପାରିନାହିଁ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସ୍ଥାନୀୟ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ପହଞ୍ଚି ସମସ୍ତ ପରିବାରର ୨୫ଜଣଙ୍କ ପାଇଁ ଖାଦ୍ୟ ପ୍ରଦାନ କରିବା ସହ ଅଙ୍ଗନବାଡି ଘରେ ରହିବା ପାଇଁ ସୁବିଧା କରିଥିଲେ।
ସରପଞ୍ଚ ଶ୍ରୀଯୁକ୍ତ ଖୁଣ୍ଟିଆ ସମସ୍ତ ପରିବାରକୁ ଦୈନଦିନ ବ୍ୟବହାର ସାମଗ୍ରୀ କିଣିବାକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିବା ବେଳେ ଆସନ୍ତା ପାଞ୍ଚଦିନ ପାଇଁ ଚାଉଳ,ରାସନ ସାମଗ୍ରୀ ସହ ପରିବା ପତ୍ର ଯୋଗାଇ ଦେଇଛନ୍ତି। ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ସମସ୍ତ ପୀଡିତ ପରିବାରକୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସମ୍ବାଦ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ପରିବାର ଗୁଡିକୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


