Categories
ଆଞ୍ଚଳିକ

ସରିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମମୟ ହେଲା ବାଣପୁର-ବାଲୁଗାଁ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି।  ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ଏହି ଉପଲକ୍ଷେ ସାରା ଦେଶରେ ଦୀପାବଳି ପରି ଉତ୍ସବ ପାଳନ କରାଯାଇଛି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ରାମ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ ଉକ୍ତ ଉତ୍ସବ।

ବାଣପୁରର ରଘୁନାଥ ଦେବ, ରଙ୍କନାଥ ଦେବ, ଦାଶରଥିପୁର, ଭେଟେଶ୍ୱର, ମଙ୍ଗରାଜପୁର, ଗମେଇ, ଗୋଡ଼ିଝର, ସାନ ହନ୍ତୁଆଡ଼, ରାଣୀପଡ଼ା ଆଦି ପ୍ରମୁଖ ଅଞ୍ଚଳରେ ଆଡମ୍ବର ସହକାରେ ପାଳନ ହୋଇଛି ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବାଣପୁର ବଜାରରେ ଏକାଧିକ ଧାର୍ମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ରାମଙ୍କ ବିଗ୍ରହ ଓ ହନୁମାନଙ୍କ ପତାକା ସହ ନଗର ପରିକ୍ରମା କରାଯାଇଥିଲା। ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଘୁନାଥ ଦେବ କମିଟି ପକ୍ଷରୁ ଉଭୟ ରଙ୍କନାଥ ଏବଂ ରଘୁନାଥ ଦେବଙ୍କ ପିଠରେ ଦିନ ତମାମ ପୂଜାର୍ଚ୍ଚନା, ସୁନ୍ଦରାକାଣ୍ଡ ପଠନ, ହନୁମାନ ଚାଳିଶା ପଠନ, ହୋମ ଆଦି ଜାରି ରହିଥିଲା।

ଅନୁରୂପ ଭାବେ ବାଲୁଗାଁ ସହରଠୁ ନେଇ ଚିଲିକା ବ୍ଲକର ସବୁ ଗ୍ରାମାଞ୍ଚଳ ମଧ୍ୟ ଆଜି ଉତ୍ସବମୁଖର ହୋଇଉଠିଛି। ସବୁଠି ଗୈରିକ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା।  ରାମଭକ୍ତ ମାନେ ଉଭୟ ବାଣପୁର ଓ ବାଲୁଗାଁରେ ଆତସବାଜି ଫୁଟାଇବା ସହ, ମିଷ୍ଟାନ ବଣ୍ଟନ କରିଥିଲେ ଏବଂ ସଂନ୍ଧ୍ୟାରେ ଉଭୟ ଅଂଚଳବାସି ନିଜ ନିଜ ଘରେ ଦୀପ ଲଗାଇ ଶ୍ରୀ ରାମଙ୍କୁ ବନ୍ଦନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ବିଶ୍ଵ ନାଟ୍ୟମେଳାରେ ‘କଳା ଗୌରବ’ ସମ୍ମାନ

ଭୁବନେଶ୍ଵର: ବରିଷ୍ଠ ଶିକ୍ଷୟତ୍ରୀ ତଥା ନାଟ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳାରେ ‘କଳା ଗୌରବ’ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସେ କାର୍ଯ୍ୟରତ।

ରଞ୍ଜୁବାଳା ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା। ତାଙ୍କ ମାନସ କନ୍ୟା ‘କଳିଙ୍ଗ କନ୍ୟା କଳା ପରିଷଦ’ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି।

ସ୍ଵାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁଙ୍କର ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡିଆ ମଞ୍ଚ ନାଟକ ପାଇଁ କାମ କରିଆସୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ପଦ୍ମମୁକୁନ୍ଦ ବିଦ୍ୟାନିକେତନରେ କାର୍ଯ୍ୟରତ ରଞ୍ଜୁବାଳାଙ୍କୁ ‘କଳା ଗୌରବ’ ସମ୍ମାନ କଟକ କଳା ବିକାଶ କେନ୍ଦ୍ରରେ ବିଶ୍ଵ ନାଟ୍ୟମେଳା-୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Categories
ଆଞ୍ଚଳିକ

ବାଣପୁର କୁମ୍ଭାକାଡିହରେ ଚୋରୀ ଅଭିଯୋଗ ନେଇ ଥାନାରେ ଏତଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମ୍ଭାକାଡିହ ଗ୍ରାମରେ ଏକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ସଂଗୀତା ଲେଙ୍କାଙ୍କ ଘରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଅଜଣା ଦୁର୍ବୁତ୍ତମାନେ ପଛ କବାଟ ଭାଙ୍ଗି ଘରୁ ରୁ 50 ହଜାର ଟଙ୍କା ନଗଦ ଏବଂ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି।

ଅନୁରୂପ ଭାବେ ତାଙ୍କ ଭ୍ୟାନିଟି ବ୍ୟାଗରୁ ଦରକାରୀ କାଗଜପତ୍ର ଏବଂ ଛୋଟ ମନିପାର୍ସ ମଧ୍ୟ ନେଇଯାଇଛନ୍ତି ଏବଂ ଏକ ଆଟାଚିକୁ ଭାଙ୍ଗି ଦେଇଛନ୍ତି। ତେବେ ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର 40/24 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ପଦ୍ମଚରଣ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ

ବାଣପୁର ( ସୀତାରାମ ଅଗ୍ରୱାଲ): ବାଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲାଈଡିହ ଠାରେ ଥିବା ପଦ୍ମଚରଣ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ, ସୃଜନୀ ବିକାଶ, କୌଶଳ ଓ କ୍ରୀଡାଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଉତ୍ସବରେ ପରିଚାଳନା କମିଟି ସଭାପତି ବିଜୟ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ଗଳ୍ପଲିଖନ, ଲୋକନୃତ୍ୟ,ବିଜ୍ଞାନ ଭିତ୍ତିକ ପ୍ରକଳ୍ପ, କମ୍ପୁଟର ଓ କ୍ରୀଡା କୌଶଳ ପ୍ରଦର୍ଶନ କରାଯାଇଥିଲା।

ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ସିତ ଓଡିଶୀ ଲୋକକଳା ନୃତ୍ୟକୁ ଅତିଥି ମାନେ ଭୁୟସୀ ପ୍ରଂଶସା କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ପିଲାମାନଙ୍କୁ ଉତ୍ସଛାହିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ହିମାଂଶୁ ପତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ବାଇକ ଦୁର୍ଘଟଣା, ଦୁଇଜଣଙ୍କ ଅବସ୍ଥା ଗୁରୁତର, ଏମ୍ସକୁ ସ୍ଥାନାନ୍ତରିତ

ବାଣପୁର( ସୀତାରାମ ଅଗ୍ରୱାଲ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା ବଶତଃ ଏକ ଶଙ୍ଖରେ ନିଜ ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା।

ଯାହାଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ବଣ୍ଟି ଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ବିକ୍ରମଙ୍କର ଗୋଡ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ଘଟଣା ତଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ଵର: ଏକ ନୂତନ ଓ ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଆଜି ମେଘାଳୟର ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେମାନେ ଗ୍ରାମୀଣ ହିତାଧିକାରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବର୍ଣ୍ଣନା କରିଥିଲେ।

ମେଘାଳୟର ଏହି ଗଣମାଧ୍ୟମ ପ୍ରତିନିଧିମାନେ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ସେମାନେ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ‘ବିକଶିତ ଭାରତ ସଂକଳ୍ପ’ ଶପଥ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଓ ଉପଲବ୍ଧି ସମ୍ପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବିଷୟବସ୍ତୁ ଦେଖିଥିଲେ।

ଏହାପରେ ପ୍ରତିନିଧିମାନେ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା  ପରିଦର୍ଶନ କରି ଏହାର ଅନନ୍ୟ ପରିବେଶ ଓ ସମୃଦ୍ଧ ଜୈବ ବିବିଧତା ବିଷୟରେ ଜାଣିବାକୁ ପାଇଥିଲେ। ଓଡ଼ିଶାର ଗୌରବମୟ ଅତୀତ ଓ ସାଂସ୍କୃତିକ ଐତିହ୍ୟକୁ ଦେଖିବା ପାଇଁ ପ୍ରତିନିଧିମାନେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିଥିଲେ, ଯାହାର ଇତିହାସ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଏହି ଦୁଇଟି ପାହାଡ଼ ଜୈନ ପ୍ରସ୍ତର ସ୍ଥାପତ୍ୟର ପ୍ରାରମ୍ଭିକ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ପ୍ରାଚୀନ ପଥର  ଗୁମ୍ଫା ମୁଖ୍ୟତଃ ପ୍ରାଚୀନ କାଳରେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଞ୍ଚଳିକ

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ 

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜଳସେଚନ ବିଭାଗ ଆନୁକୂଲ୍ୟରେ ବାଣପୁର ଶାଳିଆ ଉପଖଣ୍ଡ ଜଳସେଚନ ବିଭାଗ ତରଫରୁଡ୍ୟାମ ଠାରେ ଏକ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ମରଲୀଧର ବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ଶାଳିଆ ଶୀର୍ଷ କମିଟି ସଭାପତି ପ୍ରକାଶ ବେହେରା, ସମ୍ପାଦକ ଗିରିଜା ଶଙ୍କର ନାୟକ ବର୍ମା ଏବଂ କୃଷି ବିଭାଗର ବିଭିନ୍ନ ଅଧିକାରୀ ଚାଷୀ ମାନଙ୍କର ଚାଷ ଜମିକୁ ଜଳର ସୁଷମ ବଣ୍ଟନ ଓ ତାହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ।

କୃଷି ଅଧିକାରୀ ମାନେ ଚାଷୀମାନଙ୍କର ଉନ୍ନତି କଳ୍ପେ ଚାଷୀ ମାନଙ୍କ ପାଖରେ କିପରି ସରକାରୀ ଯୋଜନା ଗୁଡିକ ସୁବିଧାରେ ଉପଲବ୍ଧ ହୋଇ ସରକାରଙ୍କ ପ୍ରଦତ୍ତ ସବିସିଡ ପାଇପାରିବେ ଚାଷୀ ମାନଙ୍କୁ ବୁଝାଇଥିଲେ। ସରକାରଙ୍କ ଯୋଜନା ଗୁଡିକ ଚାଷୀମାନଙ୍କ ଅବଗତ ନିମନ୍ତେ ଏକ ସଚେତନତା ରଥ ପ୍ରତି ଗାଁକୁ ଯାଇ ଚାଷୀ ମାନଙ୍କୁ ସଚେତନ କରିବା ସହ ଚାଷୀ ମାନେ ସିଧାସଳଖ ଅଧିକାରୀ ମାନଙ୍କ ସହ ଯୋଡିହେବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ପାଣି ପଞ୍ଚାୟତ ତରଫରୁ ବିଭିନ୍ନ ସ୍କୁଲ ଗୁଡିକରେ ଆୟୋଜନ କରାଯାଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆସନ୍ତା ୨୪ତାରିଖରେ ଜିଲ୍ଲା ସ୍ତରୀୟ ପକ୍ଷ ପାଳନ ହେବା ପାଇଁ ସ୍ଥିର ହୋଇଥିବା ସହକାରୀ ଯନ୍ତ୍ରୀ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ୯୧ ଲିଟର ଦେଶୀମଦ ସହ ଚାରିଜଣ ଗିରଫ

ବାଣପୁର/ବାଲୁଗାଁ: ଶନିବାର ବାଲୁଗାଁ ଓ ଟାଙ୍ଗୀ ଅବକାରୀ ବିଭାଗ ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରିଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।

ସୂଚନା ମୁତାବକ ଅବକାରୀ ବିଭାଗ ବାଣପୁର ଥାନା ଅଂଚଳର ମଙ୍ଗରାଜ ବିଶ୍ୱାଳ ଠାରୁ ୩୦ ଲିଟର ମଦ ସହ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି, ଶୈଳବାଳା ମହାରଣା ଠାରୁ ୨୬ଲିଟର ସହ ବାଲୁଗାଁ ଥାନା ଅଂଚଳର ରଜତ ପଢିଆଳି ଓ ରମେଶ ପଢିଆଳୀଙ୍କ ଠାରୁ ୩୫ଲିଟର ଦେଶୀମଦ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଟାଙ୍ଗୀ ଅବକାରୀ ଅଧିକାରୀ ନାରାୟଣ ଜେନା, ବାଲୁଗାଁ ଏଏସଆଇ ସୁମତି ମହାନ୍ତି ଓ କନଷ୍ଟେବଳ ତୁଷାର ଚମ୍ପତି, ଆଶିଷ ପ୍ରଧାନ, ଚିନ୍ମୟ ଦାସ ଚଢ଼ାଉରେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁର: ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ ଦ୍ରୁତ ଗତିରେ ଆସି ଶିବ ମହାରଣାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶିବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାଣପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଶିବଙ୍କ ସ୍ତ୍ରୀ କୁନି ମହାରଣା ବାଣପୁର ଥାନାରେ ଏତଲା ଦେବା ପରେ ବାଣପୁର ପୋଲିସ ମୋଟର ସାଇକେଲଟିକୁ ଜବତ କରିଛି।

ଚାଳକ ଜଣକ ସୁନାକେରାର ବବୁଲ ସାହୁ ବୋଲି ଜଣାପଡିଛି। କିନ୍ତୁ ଶିବଙ୍କୁ ଜୋରରେ ଆଘାତ ଲାଗିଥିବା କାରଣରୁ ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚାଲୁ ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଣପୁରର ମିଶନ ଶକ୍ତି କାଫେରେ ପାଣ୍ଡିଆନ କଣ ଖାଇଲେ ଯେ ଦେଲେ ଅଢେଇ ହଜାର ଟଙ୍କା

ବାଣପୁର( ସୀତାରାମ ଅଗ୍ରୱାଲ): ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ ପନିର ତରକାରୀ ଆଦି ପାଣ୍ଡିଆନ ଖାଇଥିଲେ ଯାହାକି କମ ତେଲ ଏବଂ ମସଲା ବିହୀନ ଥିଲା।

ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପାଣ୍ଡିଆନ ସଦାବେଳେ ଏହିପରି ସାଧା ଖାଦ୍ୟ ଖାଉଥିବାର ଜଣାପଡିଛି। ଏହି ସମୟରେ ସେ ମିଶନ ଶକ୍ତି କାଫେ ର ମହିଳାମାନଙ୍କୁ ପ୍ରଶଂସା କରିବା ସହ ଘର ପରି ହାତ ରନ୍ଧା ଖାଦ୍ୟ ଖାଇ ବହୁତ ଖୁସି ଅଛି ବୋଲି କହିଥିଲେ। ତତସହିତ ଉକ୍ତ କାଫେରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

କାଫେକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। କାଫେର ସଠିକ ପରିଚାଳନା ପାଇଁ ବ୍ଲକ ପ୍ରଶାସନକୁ ଧନ୍ୟବାଦ ମଧ୍ୟ ଦେଇଥିଲେ ପାଣ୍ଡିଆନ। ବିଲ ବାବଦକୁ ଏତେ ଟଙ୍କା ହୋଇ ନ ଥିଲେ ମଧ୍ୟ ପାଣ୍ଡିଆନ ୨୫୦୦ ଟଙ୍କା ଦେଇଥିବାର ମିଶନ ଶକ୍ତି ବାଣପୁର ବ୍ଲକ ସମ୍ପାଦିକା ବବିନା ତ୍ରିପାଠୀ ଏବଂ ସଭାପତି କବିତାରାଣୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ମା’ ମାନଙ୍କ ପରିଶ୍ରମରେ ଖୁସି ହୋଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାଫେର ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୧ ଲକ୍ଷ ଟଙ୍କା ନଗଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଆଦିବାସୀ ମାଆମାନଙ୍କ ସୁରକ୍ଷା ଅଧିକାର ନିମିତ୍ତ ଆଇନ ସମ୍ପର୍କିତ କର୍ମଶାଳା

ବାଣପୁର (ସୀତାରାମ ଅଗ୍ରୱାଲ): ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ଆଦିବାସୀ ମାଆମାନଙ୍କ ସୁରକ୍ଷା ଅଧିକାର ନିମିତ୍ତ ଏକ ଆଇନ ସମ୍ପର୍କିତ କର୍ମଶାଳା ବାଣପୁର ନିକଟସ୍ଥ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏକତା ପରିଷଦର ପ୍ରତିଷ୍ଠାତା ସଦସ୍ୟା ଓ ପରିଚାଳିକା ସନ୍ଧ୍ୟାରାଣୀ ଦେବୀ କର୍ମଶାଳାର ସଭା ପରିଚାଳନା କରିଥିବା ବେଳେ ବାଣପୁର ସମନ୍ଵିତ ଶିଶୁ ବିକାଶ ଅଧିକାରୀ ସୁଜାତା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସରସ୍ବତୀ ପ୍ରଧାନ, ଟୁନି ଦାସ, ସବିତା ପ୍ରଧାନ ଯୋଗ ଦେଇ ମହିଳା ମାନଙ୍କ ଅଧିକାର ସମ୍ପର୍କରେ ଆଲୋକ ପାତ କରିଥିଲେ। ଅତିଥି ମାନେ ସମାଜରେ ଆଦିବାସୀ ମହିଳା ଓ ଶିଶୁ ସେମାନଙ୍କ ଅଧିକାର ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସଚେତନ ନଥିବାରୁ ସେମାନେ ଅବହେଳିତ ହୋଇ ରହୁଛନ୍ତି। ସରକାରଙ୍କ ପ୍ରଦତ୍ତ ଆଇନ ସେମାନଙ୍କ ସୁରକ୍ଷା ପାଇଁ କଣ ପ୍ରଣିଧାନ ଅଛି ମୁଖ୍ୟ ଅତିଥି ତାହାକୁ ଆଦିବାସୀ ମହିଳା ମାନଙ୍କ ଆଗରେ ପରିପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଦିବାସୀ ମାନଙ୍କର ଅଧିକାର ଓ ଆଇନ ସମ୍ପର୍କରେ ଦୀର୍ଘ ୨୦ବର୍ଷ ଧରି ଏକତା ପରିଷଦ ଏ ଅଞ୍ଚଳରେ କାର୍ଯ୍ୟକରି ଆସୁଥିବାରୁ ଅତିଥି ମାନେ ଟ୍ରଷ୍ଟକୁ ସାଧୁବାଦ ଜଣାଇଥିଲେ। ଦୀର୍ଘ କୋଡିଏ ବର୍ଷ ଧରି ନିରନ୍ତର ସେବାର ଅବତାରଣା କରି ଆଗକୁ ଆଦିବାସୀ ମହିଳା ଓ ଶିଶୁ ମାନଙ୍କର ସମସ୍ତ ଅସୁବିଧାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାକୁ ଏକତା ପରିଷଦ ବଦ୍ଧପରିକର ବୋଲି ସନ୍ଧ୍ୟାରାଣୀ ଦେବୀ ମତ ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀକୁ ଆସୁଛନ୍ତି ପାଣ୍ଡିଆନ, ମିଶନ ଶକ୍ତି ମହିଳାଙ୍କ ସହ କରିବେ ଭୋଜନ

ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ।

ଏହାପରେ ସେ ଭଗବତୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଣପୁର ପଲଟନ ପଡିଆକୁ ଆସିବେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଦୀର୍ଘ ୪୫ ମିନଟ ଧରି ଲୋକଙ୍କ ସହିତ ଆଲୋଚନା ସହ ଭାଷଣ ପ୍ରଦାନ କରିବେ। ଏହି ପଡିଆରେ ପ୍ରାୟ ୧୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଲଟନ ପଡିଆ କାର୍ଯ୍ୟକ୍ରମ ସାରି ସେ ସେହି ନିକଟରେ ଥିବା ମିଶନ ଶକ୍ତି କେଫ୍ ପରିଦର୍ଶନରେ ଯିବେ। ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ବୋଲି ଜଣାପଡିଛି। ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁରରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଗସ୍ତରେ ଯିବେ।

ତେବେ ପାଣ୍ଡିଆନ ଗସ୍ତକୁ ନେଇ ସବୁ ବିଜେଡି ନେତା ଏକାଠି ହୋଇଯାଇଛନ୍ତି। ସେଥିପାଇଁ ବାଣପୁରରେ ରାଜ୍ୟସ୍ତରୀୟ ନେତା ମଧ୍ୟ ଗତକାଲିଠାରୁ ପହଞ୍ଚି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ପୋଲିସ ପ୍ରଶାସନ ମଧ୍ୟ ବେଶ ତତ୍ପର ହୋଇ ଉଠିଛି। ପାଣ୍ଡିଆନ ଗସ୍ତ ସମୟରେ ଭିଡ ଏବଂ ପଲଟନ ପଡିଆରେ ଲୋକଙ୍କ ସମାବେଶକୁ ସୁନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୦ ରେ ଖୋର୍ଦ୍ଧା ଗସ୍ତରେ ଭି କେ ପାଣ୍ଡିଆନ: ବାଣପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧନ

ଖୋର୍ଦ୍ଧା/ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସେ ଖୋର୍ଦ୍ଧାର ହାବେଳୀ ପଡିଆ ଏବଂ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ ବୋଲି ଜଣାପଡିଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଦି ବାଣପୁର ପଲଟନ ପଡିଆ ଗସ୍ତ କରି ସମସ୍ତ ବ୍ୟବସ୍ଥା ପରଖିଥିଲେ।

ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଅଧିକାରୀ ମାନେ। ଶ୍ରୀ ପାଣ୍ଡିଆନ ବାଣପୁର ଗସ୍ତବେଳେ ମା’ ଭଗବତୀ ମନ୍ଦିର ମଧ୍ୟ ଦର୍ଶନ କରିବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ ଗ୍ରାମର ଜଣେ ଯୁବକଙ୍କୁ ଆଜି ଅପରାହ୍ନରେ ମଟରସାଇକେଲ ସହ ଅପହରଣ କରି ୬ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ ଖଣନ୍ତ ଗ୍ରାମର ନୀଳାଞ୍ଚଳ ପରିଡା ନାମକ ଜଣେ ଯୁବକଙ୍କ ଘରକୁ ଆସି କିଛି ଦୁର୍ବୃତ୍ତ ଗାଳି ଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ନୀଳାଞ୍ଚଳ ବଜାରକୁ ଯିବା ସମୟରେ ବାଟରେ ଛକି ରହିଥିବା ଦୁର୍ବୃତ୍ତ ମାନେ ଗାଡି ସହ ତାଙ୍କୁ ଅପହରଣ କରିଥିଲେ।

ଦୀକ୍ଷିତପଡା ଶଙ୍ଖ ଠାରେ ଥିବା ଏକ ବରଗଛ ପାଖରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ନୀଳାଞ୍ଚଳ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ମୋବାଇଲ, ସୁନାଚେନ ଓ ୫୦୦୦ଟଙ୍କା ନେଇ ଫେରାର ହୋଇଯାଇଥିବା ନୀଳାଞ୍ଚଳଙ୍କ ମା ମାଣିକ ପରିଡା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।

ପରିବାର ଲୋକ ସେଠାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ନୀଳାଞ୍ଚଳଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଜଣାଯାଇଛି।

ତେବେ ପୋଲିସ ତଦନ୍ତ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଖଣନ୍ତ ଗ୍ରାମବାସୀ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ।

ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ,ବାଣପୁର ଜେଏମଏଫସି ସ୍ନାତକୀ ଦାସ, ଚିଲିକା ଜେଏମଏଫସି ବିକାଶ ଗୋଏଲ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ତହସିଲଦାର ଟି.ପଦ୍ମନାଭ ଦୋରା ବିଶେଷ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥିଙ୍କୁ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ଯୁବଵିକାଶ କାର୍ଯ୍ୟକ୍ରମର ଉଦଯାପନୀର ମହାସମାରୋହ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ସରକାରଙ୍କ ଯୁବବିକାଶ କାର୍ଯ୍ୟକ୍ରମର ଉଦଯାପନୀ ମହାସମାରୋହ ଆଜି ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ରୋଟାରିୟାନ ବିଜୟ କୁମର ନନ୍ଦ ମୂଖ୍ୟ ଅତିଥି, ବାଣପୁର ଥାନା ଭାରପ୍ରାପ୍ତ ଅଧକାରୀ ରମେଶ କୁମାର ଦେବତା, ସମ୍ମ।ନିତ ଅତିଥ ଓ ବାଣପୁର ବିଜ୍ଞାପିତକ ଅ°ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନୟକ, ସମ୍ମନିତ ଅତିଥି ପୂର୍ବତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଏହି ବହୁମୁଖୀ କାର୍ଯ୍ୟକ୍ରମର ଭୁୟସି ପ୍ରସ°ଶା କରିଥିଲେ।

ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଅଧ୍ୟକ୍ଷତା କରିଥିବା ବେଳେ ଡିଗ୍ରୀ ନୋଡାଲ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ୍ ବର୍ମା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠପଢିବା ସହ ସଙ୍ଗୀତ, କ୍ରୀଡା, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନକରିଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ନୀତନିଷ୍ଠ ହୋଇ ଛାତ୍ର ଜୀବନ ଅତିବାହିତ କରିବାପାଇଁ କହିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଫିସର ଜୟନ୍ତ କୁମାର ବିହାରୀ ଦୀର୍ଘ ଏକ ମାସଧରି ଚାଲିଥିବା କାର୍ଯ୍ୟକ୍ରମର ଏକ ସ°କ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ।କୋର୍ଡିନେଟର ରଶ୍ମିତା ମହାରଣା, ହିଟଲର ବେହେରା ବାଦଲ ବେହେରା ନିଜ ନିଜ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ ଓ ଅତିଥି ମାନଙ୍କଦ୍ଵାରା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧ୍ୟାପିକା ମିକି ମନସ୍ଵିନୀ କାର୍ଯ୍ୟକ୍ରମ ସ°ଯୋଯନା କରିଥିଲେ।ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସମ୍ପୂର୍ଣ୍ଣ ସଫଳ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଞ୍ଚଳିକ

ଦୀର୍ଘ ୨୦ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ପୀଠରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ମାଆ ଶିଖରଚଣ୍ଡୀଙ୍କ ନିକଟରେ ଉପସ୍ଥିତ ବନ୍ଧୁମାନେ ପ୍ରାର୍ଥନା କରି ବନ୍ଧୁ ମିଳନ ଉତ୍ସବକୁ ଆରମ୍ଭ କରିଥିଲେ।

ଏହି ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁମାନେ ଦୀର୍ଘ ୨୦ ବର୍ଷ ପରେ ଏକାଠି ବସି ସୁଖ ଦୁଃଖ ବାଣ୍ଟିବା ସମୟରେ ଛାତ୍ର ଜୀବନର ଅନୁଭୂତିକୁ ମନ ପକାଇ ଭାବ ବିହ୍ଵଳ ହୋଇପଡିଥିଲେ। ହେଲେ ଏହି ସମୟରେ ଆହୁରୀ ଅନେକ ବନ୍ଧୁ ଆସିବାକୁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଉକ୍ତ ଉତ୍ସବରେ ସାମିଲ ହୋଇପାରିନଥିଲେ। ତେଣୁ ଏହାକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଆଗାମୀ ଫେବୃଆରୀ ମାସରେ ପୁନଃ ବନ୍ଧୁମିଳନ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।

ତେବେ ସିଦ୍ଧାର୍ଥ ଶଙ୍କର ଶ୍ୟାମାପାଦ ଦାଶ ଓ ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ରଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ଗୁରୁ, ଅଶୋକ କୁମାର ଘଡ଼ାଇ, ଟି. ମୋହନ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ଧନେଶ୍ୱର ଭୋଳ, ରଙ୍ଗନାଥ ବେହେରା, ଶକ୍ତିମାନ୍ ପାତ୍ର, ଶକ୍ତି ପ୍ରସାଦ ଦାସ, କୁନା ମୁଦୁଲି, ଗୀତାଞ୍ଜଳି ଦାସ, ସସ୍ମିତା ରାଉତ, ସର୍ବେଶ୍ୱର ନାୟକ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଗୋଠରୁ ଛେଳି ଚୋରି ଅଭିଯୋଗ, ୪ ମୃତ ଛେଳି ଉଦ୍ଧାର, ଜଣଙ୍କୁ ଅଟକ ରଖିଲା ପୋଲିସ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମନଇଛାପୁର ଗ୍ରାମରେ ୧୦ ଗୋଟି ଛେଳି ଚୋରି ଅଭିଯୋଗରେ ପୋଲିସ ଜଣକୁ ଅଟକ ରଖିଛି।

ସୂଚନା ମୁତାବକ କୁଲେଇ ଗ୍ରାମ ପଞ୍ଚାୟତ ମତପଖରା ଗ୍ରାମର ବଇଁଶୀ ପାତ୍ର ମନଇଚ୍ଛାପୁରର ଜନୈକ ବ୍ୟକ୍ତିଙ୍କ ଜମିରେ ଜମି ଉର୍ବର ପାଇଁ ୧୨ ଗୋଟି ଛେଳି ଗତ ରାତିରେ ଛାଡିଥିଲେ।  ଉକ୍ତ ଛେଳି ମଧ୍ୟରୁ ୧୦ଟି ଛେଳି ଗାଏବ ହେବା ସମ୍ପର୍କେ ବଂଶୀ ବାଣପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି ଛେଳିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯଇଥିବା ବେଳେ ସେମାନଙ୍କର ବ୍ୟବଚ୍ଛେଦ କରାଯାଇଛି।

ତେବେ ଅବଶିଷ୍ଟ ଛେଳି ଗୁଡିକୁ ଉଦ୍ଧାର କରାଯାଇ ନଥିବା ବେଳେ ବାଣପୁର ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ବରଡ଼ି ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଥାଉକି ଆଗକୁ ନୂଆବର୍ଷ ଥିବାବେଳେ ଏକାଧିକ ଛେଳି ଚୋରୀକୁ ନେଇ ଅଞ୍ଚଳରେ କୌତୁହଳ ଦେଖାଯାଇଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ‘ଖାଦ୍ୟ ଉତ୍ସବ’ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ‘ଖାଦ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଆଠଟି ମହାବିଦ୍ୟାଳୟରୁ ପ୍ରତିଯୋଗୀମାନେ ଆସି ଖାଦ୍ୟ ରନ୍ଧନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଯୋଗଦେଇଥିବା ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା  ଝରଣା ନାଥ, ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ ଏବଂ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମନସ୍ତତ୍ଵ ବିଭାଗ ଅଧ୍ୟାପିକା କଲ୍ୟାଣୀ ବୈରୀଗଞ୍ଜନଙ୍କୁ ଗୋଦାବରୀଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।  +୨ ବିଭାଗର ନୋଡାଲ ଅଫିସର ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀ ପ୍ରତିଯୋଗୀମାନଙ୍କ ବ୍ୟବସ୍ଥା ବୁଝିବା ସହିତ ସେମାନଂକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରସାୟନ ବିଭାଗର ଅଧ୍ୟାପିକା ଉତ୍କଳିକା ପାଢ଼ୀ, ଅଧ୍ୟାପକ ମନୋଜ ନାୟକ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିଜିତ ସାହୁ, ଦର୍ଶନ ଅଧ୍ୟାପକ ହିଟଲର ବେହେରା ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ବିନୀ। ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି କରିବା ସହିତ ମାଣ୍ଡିଆକୁ ପ୍ରାଥମିକତା ଦେଇ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ରନ୍ଧନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ରାଣୀପଡା ଗ୍ରାମରେ ଅଗ୍ନିକାଣ୍ଡ, ସଟ ସର୍କିଟ ସନ୍ଦେହ

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ରବୀନ୍ଦ୍ର ବାରିକ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୨ ଘଟିକା ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା।

ଚାହୁଁ ଚାହୁଁ ଦୁଇ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ରବୀନ୍ଦ୍ରଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରବୀନ୍ଦ୍ର ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।