ବାଣପୁର: ମା’ଭଗବତୀଙ୍କ ଶାରଦୀୟ ପର୍ବର ମୁଖ୍ୟ ଆକର୍ଷଣ ପ୍ରସିଦ୍ଧ ଭେଟଯାତ୍ରା। ଆଶ୍ୱିନ ଅମାବାସ୍ୟାକୁ ଉତ୍କଳର ସର୍ବତ୍ର ମହାଳୟା ଅମାବାସ୍ୟା ଭାବରେ ପାଳନ କରାଯାଇ ପିତୃ ପୁରୁଷଙ୍କୁ ତର୍ପଣ ପିଣ୍ଡଦାନ ଶ୍ରାଦ୍ଧ କରିବାର ପରମ୍ପରା ଚଳି ଆସୁଥିବା ବେଳେ ବାଣପୁର ଅଞ୍ଚଳରେ ଏହି ଅମାବାସ୍ୟା ଭେଟ ଅମାବାସ୍ୟା ଭାବରେ ବେଶ୍ ପରିଚିତ।
ଏହି ଦିନଟି ଶାରଦୀୟ ଭିତର ଓ ବାହାର ପର୍ବର ସନ୍ଧିକ୍ଷଣ ଦିବସ। ଏହି ଦିନ ମା’ଭଗବତୀ ଭିତର ପର୍ବ ସାରି ବାହାର ପର୍ବ ପାଇଁ ସାତବଖରା ଘରକୁ ବିଜେ କରନ୍ତି। ସାଥିରେ ଛ’ ଭଉଣୀଙ୍କୁ ହକାରୀ ନେଇ ଏକତ୍ର ପର୍ବ ପାଳନ କରିବାର ସ୍ଵତନ୍ତ୍ର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଛି। ଏହାକୁ ସପ୍ତମାତୃକା ପୂଜା ମଧ୍ୟ କୁହାଯାଏ।
ବାଣପୁର ବଡ଼ ଦାଣ୍ଡରେ ମା’ ଭଗବତୀଙ୍କ ଚ଼ଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ସହିତ ମା’ ବିରଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଦୁଇ ଭଉଣୀଙ୍କ ଅପୂର୍ବ ମିଳନ ପର୍ବ ବା ଭେଟଘାଟକୁ ଭେଟଯାତ୍ରା ବୋଲି କୁହାଯାଏ। ଦୁଇ ଠାକୁରାଣୀଙ୍କ ଏହି ଦୁର୍ଲଭ ପବିତ୍ର ମିଳନ ଦର୍ଶନ ସହିତ ମାତୃକୃପା ଲାଭ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଯାତ୍ରାକୁ ଶୃଙ୍ଖଳିତ ଆକର୍ଷଣୀୟ କରିବାପାଇଁ ମନ୍ଦିର ପରିଚାଳନା କମିଟି ସହିତ ନିଯୋଗୀ ଓ ଗହଣସେବାୟତଙ୍କୁ ନେଇ ପ୍ରସ୍ତୁତି ବୈଠକ ବସି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା।
ମନ୍ଦିର ପାଞ୍ଜି ଗଣକ ଶରତ ଚନ୍ଦ୍ର ନାୟକ ଭେଟ ଲଗ୍ନସ୍ଥିର କରି ବୈଠକରେ ଉପସ୍ଥାପନ କରିଥିଲେ। ଚଳିତ ତା୧୦- ୧୦-୨୬ ରିଖ ଶନିବାର ଅମାବାସ୍ୟା ତିଥିର ସଂଧ୍ୟା ୫ ଘଟିକା ୨୫ ମିନିଟ୍ ଠାରୁ ରାତ୍ର ୧୨ଘଟିକା ୩୭ ମିନିଟ ମଧ୍ୟରେ ଅମୃତବେଳା ପଡ଼ୁଥିବାରୁ ଉକ୍ତଦିନ ସଂଧ୍ୟା ୭ ଘଟିକା ସୁଧା ମନ୍ଦିର ଭିତର ନୀତିକାନ୍ତି ସାରିବାକୁ ସ୍ଥିର କରାଗଲା।
ପରେ ପରେ ସେବାୟତଙ୍କ ନିମନ୍ତେ ସୂଚନା ଘଣ୍ଟ ବାଜିବ। ସଂଧ୍ୟା ଆଠ ଘଟିକାରେ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରରେ ମା’ଙ୍କ ବିଜେ କାହାଳୀ ବାଜିବ। ସଂଧ୍ୟା ୮ ଟା ୩୦ ମିନିଟରୁ ମାଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ବଜାର ବଡ଼ ଦାଣ୍ଡକୁ ଯାତ୍ରା କରିବେ। ସେଠାରେ ନୃତ୍ୟରତା ମା’ ପଶ୍ଚିମ ଓ ପୂର୍ବ ଦିଗକୁ ୭ଥର ନୃତ୍ୟ ପରିକ୍ରମା କରିବା ସମୟରେ ରାତ୍ର ୯ ଘଟିକାରେ ବଡ଼ ଭଉଣୀ ମା’ ବିରଜାଇଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀ ଭଗବତୀ ମନ୍ଦିରରୁ ଥାଟପଟୁଆରରେ ବାହାରି ବଜାର ବଡ଼ଦାଣ୍ଡ ଅଭିମୁଖେ ଯାତ୍ରା କରିବେ। ସେଠାରେ ମା’ଙ୍କ ଜୟଜୟକାର ଧ୍ୱନୀ , ହୁଳହୁଳି ,ଘଣ୍ଟା ଘଣ୍ଟକାହାଳୀ ଢୋଲ ବାଦ୍ୟର ତାଳେତାଳେ ଦୁଇକାଠି ଠାକୁରାଣୀ ଏକତ୍ର ନୃତ୍ୟ କରିବା ସହିତ ପରସ୍ପର ଭେଟିବା ର ଅପୂର୍ବ ମିଳନ ମୁହୂର୍ତ୍ତ ଅତ୍ୟନ୍ତ ମନୋରମ ଆଧ୍ୟାତ୍ମିକ ମୟଦୃଶ୍ୟ।
ରାତ୍ର ୧୦ ଘଟିକାରେ ମା’ ବିରଜାଇଙ୍କୁ ସାତବଖରା ପର୍ବ ଗୃହକୁ ଛାଡ଼ିଦେଇ ପରେ ରାତ୍ର ୧୧ଘଟିକାରେ ଭିତର ପର୍ବଗୃହରେ ଥିବା ମା’କନକଦୁର୍ଗା ଓ ଅନ୍ୟପାଞ୍ଚ ଭଉଣୀଙ୍କୁ ସାଥିରେ ନେଇ ମା’ସାତବଖରା ପର୍ବଗୃହକୁ ବିଜେ କରିବା ପରେ ଅମାବାସ୍ୟାର ପର୍ବ ନୀତିକାନ୍ତି ଆରମ୍ଭ ହେବାକୁ ନିଷ୍ପତି ଗ୍ରହଣ କରାଗଲା। ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ସହିତଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବାପାଇଁ ପୂର୍ବ ବର୍ଷ ପରି ଚଳିତ ବର୍ଷ ବଜାର ବଡ଼ ଦାଣ୍ଡରେ ବ୍ୟାରିକେଡ୍ କରିବା ସହିତ ଅଧିକ ଆରକ୍ଷୀ ବାହିନୀ , ପ୍ରାଥମିକ ଚିକିତ୍ସା, ଅଗ୍ନି ନିର୍ବାପକ ଯନ୍ତ୍ର, ଓ ଉଜ୍ବଳ ଆଲୋକିକରଣ ର ବ୍ୟବସ୍ଥା କରିବାକୁସ୍ଥିର କରାଗଲା। ଏଥି ସହିତ ମା’ଙ୍କ ଭେଟ ଯାତ୍ରା ସଂଧ୍ୟାରୁ ଭଜନ ସମାରୋହର ର ଆୟୋଜନ କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଥିଲେ।
ବୈଠକରେ ପରିଚାଳନା କମିଟିର ସଭାପତି ତହସିଲଦାର ହରପ୍ରିୟା ମଲ୍ଲିକ, ସଭ୍ୟା ବି.ଡ଼ି. ଓ ପୁନମ୍ ମହାପାତ୍ର, ଆଇ.ଆଇ.ସି ଜୟପ୍ରକାଶପରୀଡ଼ା, ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ମିଟୁନାୟକ, ଇ. ଓ ସ୍ମୃତିରଂଜନ ସାହୁ,ଏ.ବି.ଡ଼ି.ଓ ଯୋଗେନ୍ଦ୍ର ମହାକୁଡ଼, ଙ୍କ ସହିତ ମନ୍ଦିରର ସବୁ ନିଯୋଗୀ ଓ ଗହଣସେବାୟତ ଯୋଗ ଦେଇ ସମସ୍ତପ୍ରକାର ସହଯୋଗ କରିବାକୁ ପ୍ରକାଶ କରିଥିଲେ।


