Categories
ଆଞ୍ଚଳିକ

ମା’ ଭଗବତୀ ମନ୍ଦିର ନବୀକରଣ ନିମନ୍ତେ ରାସ୍ତା ଅବରୋଧ କଲା ପ୍ରଶାସନ: ବିରୋଧ କଲେ ଗ୍ରାମବାସୀ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ମା’ ଭଗବତୀଙ୍କ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତାକୁ ମନ୍ଦିର ନବୀକରଣ କରାଯିବାର କାରଣ ଦର୍ଶାଇ ପ୍ରଶାସନ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଚାରିଖଣ୍ଡ ଗ୍ରାମବାସୀ ଆଜି ଅପରାହ୍ନରେ ବାଣପୁର ଆଇଆଇସି ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ରାସ୍ତା ବାଣପୁର ଏନଏସି ତୁଳସୀଦେଇପୁର ଗ୍ରାମକୁ ସଂଯୋଗ କରୁଥିବା ବେଳେ ସେହି ରାସ୍ତା ଦେଇ ଅଚ୍ୟୁତରାଜପୁର, ମହାନ୍ତି ସାହି, ଶ୍ରୀନିବାସପୁର ଶାସନର ଗ୍ରାମବାସୀ ବାଣପୁର ସହରକୁ ଯିବା ଆସିବା କରନ୍ତି। ଦାବିପତ୍ର ମୁତାବକ ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ରାସ୍ତାକୁ ଅବରୋଧ କରାଯାଇଛି। ଯାହାକି କେଉଁ ପ୍ରାଚୀନ କାଳରୁ ପୁରୁଷାନୁକ୍ରମିକ ଗ୍ରାମର ଅଧିବାସୀ ମାନେ ଉକ୍ତ ରାସ୍ତା ଦେଇ ବିବାହ, ବ୍ରତ, ଦିଅଁ ଗନସା ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଯା’ ଆସ କରନ୍ତି।

ପ୍ରକାଶ ଥାଉକି ମା’ ଭଗବତୀ ଗ୍ରାମ ଗୁଡିକର ଇଷ୍ଟଦେବୀ ଏବଂ ଗ୍ରାମ ଦେବୀ ହୋଇଥିବା ବେଳେ ରାସ୍ତାଟି ଅବରୋଧ କରାଗଲେ ସେମାନଙ୍କର ଧାର୍ମିକ ଓ ସାମାଜିକ ଅଧିକାର କ୍ଷୁର୍ଣ୍ଣ ହେବ। ରାସ୍ତାଟି ଅଞ୍ଚଳ ବାସିଙ୍କର ଦୈନନ୍ଦିନ ଆବଶ୍ୟକୀୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ନିତିଦିନ ଛୋଟ ଛୋଟ ପିଲା ପାଠ ପଢିବା, ଝିଅ ବୋହୁ ମାନେ ବଜାରକୁ ଯିବା ଆସିବା କରୁଥିବାରୁ ଏହା ଅବାଧ ଓ ମୁକ୍ତ ଯିବା ଆସିବା କାର୍ଯ୍ୟରେ ଲାଗୁଛି। ଏଥିରେ ବାଧା ଉପୁଜିଲେ ଅଞ୍ଚଳବାସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମବାସୀମାନଙ୍କର ଅପୂରଣୀୟ କ୍ଷତି ହେବ। ତେଣୁ ଏହାକୁ ଅବାଧ ଓ ମୁକ୍ତ ଯିବା ଆସିବାର ବନ୍ଦୋବସ୍ତ କରିବାକୁ ବାଣପୁର ତହସିଲଦାରଙ୍କୁ ନିଜର ଦାବୀ ଉପରୋକ୍ତ ଗ୍ରାମବାସୀମାନେ ଜଣାଇଛନ୍ତି।

ତେବେ ଏ ନେଇ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ଏବଂ ଏକ ପାଦଚଲା ରାସ୍ତା ଜନସାଧାରଣଙ୍କ ପାଇଁ ନିର୍ମାଣ ହେବ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀ ମନ୍ଦିରର ଭିତର ହୁଣ୍ଡି, ମା’ଙ୍କ ନୀତିକାନ୍ତି ସେବାରେ ଲାଗିବ ସଂଗୃହୀତ ଅର୍ଥ

ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୫ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା, ଥାନା ଏସ୍ଆଇ ସଂଜୟ କୁମାର ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ସମର୍ପୀତ ହୋଇ ମା’ଙ୍କ ଭିତରହୁଣ୍ଡି ଖୋଲିଥିଲେ।

ଏଥିରୁ ସମୁଦାୟ ଟ୧,୯୪,୫୭୫/୦୦ଙ୍କ (ଏକ ଲକ୍ଷ, ଚୌରାନବେ ହଜାର, ପାଞ୍ଚଶହ ପଞ୍ଚସ୍ତରୀ ଟଙ୍କା) ସହ ମଇଳା ଓ ପଥର ଥାଇ ୧୮କ୍ୟାରେଟ୍ ବିଶିଷ୍ଠ ୦ ଗ୍ରାମ, ୬୧୦ମିଲିଗ୍ରାମ ଓଜନର ଏକ ସୁନାର କାନଫୁଲ, ୯ ଗ୍ରାମ ୭୧୦ ଗ୍ରାମ ଓଜନର ଏକ ରୂପାର ଖଡ଼ୁ (ବଳା) ୦ ଗ୍ରାମ ୧୬୦ ମିଲିଗ୍ରାମର ଏକ ରୂପା ଆଖି ସଂଗ୍ରହ କରାଯାଇ ଅର୍ଥକୁ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମା’ଙ୍କ କାର୍ଯ୍ୟାଳୟ ନାମରେ ଥିବା ଜମା ଖାତାରେ ଜମାରଖାଯିବା ସହିତ ସୁନାରୂପା ଗହଣା କାର୍ଯ୍ୟାଳୟ ଟ୍ରେଜେରୀରେ ରଖାଯାଇଛି।

ଏଥିରେ କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର, ମନ୍ଦିର ପୂଜକ ପ୍ରକାଶ ଚନ୍ଦ୍ର ପରିଛା ସାଆନ୍ତ, ପାଳିଆ ମାଳି ସେବକ ଗୋପୀନାୟକ’ ପ୍ରମୁଖ ସହଯୋଗ କରିଥିଲ ଏହି ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଞ୍ଚଳିକ

ବାଣପୁର ମା ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ତଦାରଖ କଲେ ଓବିସିସି ଟିମ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଓବିସିସି ର ଏକ ଉଚ୍ଚସ୍ତରୀୟ ଟିମ ଗତକାଲି ଅନୁଧ୍ୟାନ କରିଛନ୍ତି। ଓବିସିସି ଏମଡ଼ି ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ସିନିଅର ସିଜିଏମ ପୂର୍ଣଚନ୍ଦ୍ର ମହାପାତ୍ର, ସିଜିଏମ ପ୍ରିୟବ୍ରତ ସାମନ୍ତରାୟ, ଜିଏମ ଅକ୍ଷୟ କୁମାର ସାହୁ ଏବଂ ଠିକାଦାର ବଳଦେବ ପଣ୍ଡା ଆଦି ମନ୍ଦିର ଯାଇ ତଦାରଖ କରିଥିଲେ।

ଉକ୍ତ ଟିମ ମନ୍ଦିରରେ ଆରମ୍ଭ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ 5T ରେ ମନ୍ଦିରର ରୂପାନ୍ତରିକରଣ, ବସ ପାର୍କିଙ୍ଗ, ପ୍ରାଚୀର ନିର୍ମାଣ ଆଦି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନିକଟରେ ଉକ୍ତ ଉନ୍ନୟନ ପ୍ରକଳ୍ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଏମଡ଼ି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ବାଣପୁର ଜନସାଧାରଣଙ୍କ ସହାୟତା ମଧ୍ୟ ଲୋଡିଛନ୍ତି ।

Categories
ଆଞ୍ଚଳିକ

ମା ଭଗବତୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମରେ ବିଜେପି କାଉନସିଲରଙ୍କୁ ଉପେକ୍ଷା, ଆନ୍ଦୋଳନ ଧମକ

ବାଣପୁର: ଗତ ୧ ତାରିଖ ଦିନ ବାଣପୁର ମା ଭଗବତୀଙ୍କ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସାଂସଦ ମାନସ ମଙ୍ଗରାଜ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ଏବଂ ଉପଧ୍ୟକ୍ଷ ଯୋଗଦେଇଥିଲେ। ହେଲେ ସେହି ୱାର୍ଡର କାଉନସିଲର ସସ୍ମିତା ପୃଷ୍ଟିଙ୍କୁ ଡକାଯାଇ ନ ଥିଲା କି ଫଳକରେ ତାଙ୍କ ନାମ ଲେଖାଯାଇ ନ ଥିଲା। ଯାହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ଦଳିୟ କାର୍ଯ୍ୟକ୍ରମ କରି ଦିଆ ଯାଇଛି। ମୁଁ ନିଜେ ବିଜେପି କାଉନିସଲର ହୋଇଥିବାରୁ ମୋତେ ଡକାଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ  ଓବିସିସି ଚେୟାରମ୍ୟାନ, ଖୋର୍ଦ୍ଧା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବାଣପୁର ତହସିଲଦାର ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସାତ ଦିନ ମଧ୍ୟରେ ଯଦି ଏହାର ସମାଧାନ ନ ହୁଏ ଏବଂ ମହିଳା କାଉନସିଲରଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ ତେବେ ସେ ବାଧ୍ୟ ହୋଇ ଆଇନର ଦ୍ୱାରସ୍ତ ହେବା ସହ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ସସ୍ମିତା ଗଣମାଧ୍ୟମକୁ କହିଛନ୍ତି।

ତେବେ ଏ ନେଇ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଶାସକ ଦଳର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଆଗାମୀ ନିର୍ବାଚନରେ ଏହାର ସଠିକ ଜବାବ ଜନସାଧାରଣ ଦେବେ ବୋଲି ସେ କହିଛନ୍ତି । ଏ ବାବଦରେ ସେ ଓବିସିସି ଚେୟାରମ୍ୟାନଙ୍କ ସହ କଥା ହେବେ ବୋଲି କହିଛନ୍ତି। ଖୁବଶୀଘ୍ର ଯଦି ଏହାର ସମାଧାନ ଓବିସିସି ନ କରେ ତେବେ ବିଜେପି ତାହାର ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ତେବେ ଉକ୍ତ ଫଳକ କେଉଁ ବିଭାଗ ଦ୍ୱାରା ଲଗାଯାଇଛି ଏବଂ କାହା ନିର୍ଦ୍ଦେଶରେ ଫଳକରେ ନାମ ସବୁ ଲେଖାଯାଇଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀଙ୍କ ଦର୍ଶନ କଲେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି

ବାଣପୁର: ଆଜି ସଂନ୍ଧ୍ୟାରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନକୁ ଆସିଥିଲେ।  ଏହି ପରିପ୍ରେକ୍ଷୀରେ ମନ୍ଦିର ଦ୍ୱାରଦେଶରେ ତାଙ୍କୁ ବାଣପୁର ଓକିଲ ସଂଘ, ଦେବୋତ୍ତର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ ଜ୍ଞାପନ କରାଯାଇଥିଲା।

ଡ଼. ଷଡ଼ଙ୍ଗୀ ମା’ ଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଅତିବାହିତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ବିଚାରପତିଙ୍କ ଗସ୍ତ ସମୟରେ ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର, ଜେଏମଏଫସି ସ୍ନାତକୀ ଦାସ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି, ଆଇନଜୀବୀ ରଞ୍ଜନ କୁମାର ବେଦମତା, ସୁନୀଲ ମହାପାତ୍ର, ଜଗଦୀଶ ପଟ୍ଟନାୟକ, ସଚିତ ମିଶ୍ର, ରମେଶ ବିଷୋୟୀ, ସନ୍ତୋଷ ପାତ୍ର, ସୀତାରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରସ୍ଥିତ ମା ଭଗବତୀଙ୍କୁ ଦର୍ଶନ କଲେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ଓଟିଡ଼ିସି ଅଧ୍ୟକ୍ଷ ଡା ଲେନିନ ମହାନ୍ତି। ଶ୍ରୀ ମହାନ୍ତି ଆଜି ମଧ୍ୟାହ୍ନରେ ସପରିବାର ସହ ବାଣପୁର ଆସି ମା’ ଭଗବତୀ ମନ୍ଦିର ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଶକ୍ତିପିଠ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମନ୍ଦିରକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାର କହିଥିଲେ ଶ୍ରୀ ମହାନ୍ତି।

ଏହି ଅବସରରେ ବାଣପୁର-ବାଲୁଗାଁ ବାଇପାସଠାରେ ଓଟିଡ଼ିସି ପକ୍ଷରୁ ମା’ ଭଗବତୀ ମନ୍ଦିରର ବିରାଟ ସାଇନବୋର୍ଡ ସ୍ଥାପନ କରିବାକୁ ସେବାୟତ ମାନେ ଶ୍ରୀ ମହାନ୍ତିଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଅନୁରୋଧକୁ ରକ୍ଷାକରି ଖୁବଶୀଘ୍ର ଏହି କାର୍ଯ୍ୟ ପୂରଣ ହେବ ବୋଲି ସେବାୟତଙ୍କୁ ସେ ପ୍ରତିଶୃତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାଣପୁର ମା’ ଭଗବତୀଙ୍କ ପ୍ରସିଦ୍ଧ ଭେଟ ଅମାବାସ୍ୟା ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା।

ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର ପୂଜା ଆରାଧନା କରିବା ସହ ପରମ ଭକ୍ତ ମଧ୍ୟ ଥିଲେ। ମା’ଙ୍କର ପୂଜା ବିଧିସହ ମନ୍ଦିରର ସମସ୍ତ ଦାଇତ୍ୱ ବୁଝୁଥିଲେ। ସେହି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଭେଟେଶ୍ୱର ଠାରେ ଉଭୟ ଠକୁରାଣୀଙ୍କର ଏହି ମିଳନ ଯାତ୍ରା ଅନୁଷ୍ଠିତ ହେଉଥିଲା।

କାଳକ୍ରମେ ତାହା ପରିବର୍ତ୍ତନ ହୋଇ ଏହି ଭେଟ ଯାତ୍ରା ବାଣପୁର ବଜାରରେ ପାଳନ ହେଉଛି। ଉଭୟ ଠାକୁରାଣୀଙ୍କର ଭେଟ ହେଲା ପରେ ଉଭୟ ଭଉଣୀ ବାହାର ପୂଜା ପାଇଁ ମା ଙ୍କର ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ସମ୍ମୁଖରେ ଥିବା ସାତ ବଖରା ଘରକୁ ଗମନ କରିଛନ୍ତି।

ବହୁ ସଂଖ୍ୟାରେ ଜନ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିଲା। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଉତ୍ସବ ସ୍ଥଳରେ ଉପସ୍ଥିତ ରହି ମା’ ଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟତଥା ଦେଶର ପ୍ରତ୍ୟେକ ଶକ୍ତିପୀଠମାନଙ୍କରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡଷ ଦିବସ ଧରି ଶାରଦୀୟ ଦୂର୍ଗା ପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣ ପୁରରେ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ରପୀଠ ଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠ ଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ନାରାୟଣୀ, ମା’କାଳିଜାଇ, ମା’ଶିଦ୍ଧେଶ୍ଵରୀ, ମା’ବିରିଜାଇ, ବଙ୍କାଡଗଡ଼ଦେବୀ ମା’ କନକଦୁର୍ଗା, ଓ ମା’ ବୁଢୀ ଠାକୁରାଣୀ ଏହି ପରି ସପ୍ତମାତୃଶକ୍ତି ଯାହା ସାତ ଭଉଣୀ ଭାବରେ ପରିଚିତ ସମସ୍ତଙ୍କୁ ସାଥିରେ ନେଇ ଦୁର୍ଗୋତ୍ସବ ପାଳନ କରାଯାଉଥିବାର ନିଆରା ପରମ୍ପରା, କାହିଁକେଉଁକାଳରୁ ଚଳି ଆସିଛି।

ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ଆଶ୍ଵିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ସର୍ବତ୍ର ପରିଚିତ ଥିବାବେଳେ ବାଣପୁରରେ ଏହି ତିଥିକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।

ପଶ୍ଚିମଓଡିଶାର ନୂଆଖାଇ ଭେଟଘାଟ ପର୍ବ ପରି ବାଣପୁରର ଭେଟ ଅମାବାସ୍ୟା ପର୍ବ ଅବିଭକ୍ତ ପୁରୀ ଜିଲ୍ଲା ସହିତ ଉତ୍ତର ଗଞ୍ଜାମ ଅଞ୍ଚଳରେ ମା’ ଭଗବତୀଙ୍କ ପ୍ରଧାନ ପର୍ବ ଭାବରେ ଜନମାନସରେ ପରିଚିତ। ବର୍ଷର ଏହି ଦିବସକୁ ବାଣପୁର ବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଆଶ୍ଵିନ ଅମାବାସ୍ୟା ତିଥି ପରେ ପ୍ରତିପଦା ଲାଗି ହେଲେ ଏହି ପବିତ୍ର ଲଗ୍ନରେ ସପ୍ତମାତୃଶକ୍ତି ମାନଙ୍କର ମହାମିଳନ ବା ଭେଟଉତ୍ସବ ବାଣପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ହୁଏ।

ଶାରଦୀୟ ଦୁର୍ଗା ଉତ୍ସବର ଏହି ଦିବସଟି ଅନେକ ତାପ୍ତର୍ଯ୍ୟ ବହନ କରେ। ଏହି ପୁଣ୍ୟ ତିଥିରେ ମାତୃ ଶକ୍ତିର ମହାମିଳନକୁ ଦର୍ଶନ କରିବା ପାଇଁ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର ମଧ୍ୟଏକତ୍ର ହୋଇପୁଷ୍ପ ବୃଷ୍ଟି କରନ୍ତି ବୋଲି ବିଶ୍ୱାସ ଅଛି। ଆସୁରିକ ଶକ୍ତିଙ୍କୁ ସଂହାର କରି ଧରାପୃଷ୍ଠରେ ସୁଖ, ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମାତୃଶକ୍ତିର ବନ୍ଦନା କରାଯାଏ। ଏହି ଶୁଭଲଗ୍ନରେ ମା’ମାନଙ୍କୁ ଦର୍ଶନ କରି ଅଶେଷ ମାତୃ କୃପାଲାଭ କରିବା ପାଇଁ ବାଣପୁର ବାସୀ ଅପେକ୍ଷା କରିଥାନ୍ତି। ଏହି ଦିନ ଘରେ ଘରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି,କୁଣିଆ ମୈତ୍ର,ଝୀ ଅଝିଆରୀ, ଦୁର ଦୁରାନ୍ତରରୁ ଆସି ପହଞ୍ଚିଯାଆନ୍ତି। ସମସ୍ତଙ୍କର ପରସ୍ପର ପରସ୍ପର ଭିତରେ ଭେଟ ହୁଏ।

ଘରମାନଙ୍କରେ ପର୍ବ ଆସର ଜମେ।ସୁସ୍ଵାଦୁ ପର୍ବଘାଣ୍ଟ ହେଉଛି ବାଣ ପୁର ଅଞ୍ଚଳରେଏହି ସମୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ପ୍ରତି ଗାଁ ଗଣ୍ଡା,ପୁରପଲ୍ଲୀର ଦେବୀ ପୀଠମାନଙ୍କରେ ଏହି ପର୍ବଘାଣ୍ଟର ମହ ମହ ବାସ୍ନା ସମସ୍ତଙ୍କୁ ଆତୁର କରିଦିଏ। ଗାଁମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେଏକତା , ସଂହତି,ଭାଇଚାରା ଭାବ ସୃଷ୍ଟି କରିଥାଏ ଏହି ଶାରଦୀୟ ପର୍ବ ଘାଣ୍ଟ। ବନ୍ଧୁବାନ୍ଧବ ମୈତ୍ରୀ ଭାବନାକୁ ବାନ୍ଧିରଖିବାରେ ଏହି ମା’ଙ୍କ ପର୍ବ ଘାଣ୍ଟ ବିଶେଷ ସହାୟକ ହୋଇଥାଏ। ଦିନରେ ମା’ଙ୍କପର୍ବ ପ୍ରସାଦ, ଘାଣ୍ଟ ଖାଇ ରାତିରେ ଭେଟ ଉତ୍ସବ ଦର୍ଶନ କରିବା ସହିତ ମାତୃ କୃପାଲାଭ କରିବା ପାଇଁ ଅଗଣିତଜନ ସମୁଦ୍ର ବାଣ ପୁର ବଡ଼ ଦାଣ୍ଡରେ ଏକାଠି ହୁଅନ୍ତି।

କେବଳ ମା’ଭଗବତୀ ଓ ମା’ ବିରି ଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ସେବାୟତମାନେ ଘଣ୍ଟା ଘଣ୍ଟ ବୀର ବାଦ୍ୟ କାହାଳୀର ତାଳେ ତାଳେ ନୃତ୍ୟ କରାଇପରସ୍ପରଙ୍କୁ ଭେଟକରାଉଥିବାବେଳେ ଅନ୍ୟ ପାଞ୍ଚ ଦେବୀଙ୍କର ଆଜ୍ଞାମାଳ ଓ ଦେବୀ ପ୍ରତିମାକୁ ମଧ୍ୟ ଏକ ତ୍ର ଭେଟ କରାଇ ପ ର୍ବଗୃହକୁ ବିଜେ କରାଯିବା ପରେ ପର୍ବ ପୂଜା ଆରମ୍ଭ ହୁଏ। ଥାଟ ପଟୁଆର ବାଜାରୋଷଣୀ, ଶଙ୍ଖ ହୁଳହୁଳି, ମା’ଙ୍କ ଜୟ ଜୟକାର ଧ୍ଵନୀରେ ବଡ଼ ଦାଣ୍ଡ ଉଛୁଳି ପଡ଼େ। ଚଳିତବର୍ଷ ଏହି ଯାତ୍ରା ମହାଳୟାଅମାବାସ୍ୟା ତିଥି ଶନିବାର ତା ୧୪_୧୦- ୨୩ରିଖ ରାତ୍ର ୯ ଘଟିକାରୁ ଆରମ୍ଭ ହୋଇରାତ୍ର ୧୧ ଘଟିକାରେ ଶେଷ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ଥିର କରାଯାଇଛି।

ଏହାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦିବ୍ଯଦର୍ଶନ କରାଇବା ପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମୁଳାଷ୍ଟମୀରେ ଶୟନରୁ ଉଠିଲେ ମା’ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଧରାପୃଷ୍ଟରେ ଶରତର ଆଗମନ। ମେଘମୁକ୍ତ ନିର୍ମଳ ଆକାଶ। ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ। କଳକଳ ତଟିନୀର କାଚ଼ କେନ୍ଦୁ ଜଳ। ଅପେକ୍ଷା ମା’ଙ୍କ ଆଗମନୀକୁ। ଆଶ୍ଵିନ କୃଷ୍ଣ ଅଷ୍ଟମୀ। ମା’ ଆସୁଛନ୍ତି। ଦେହ ମନ … ପ୍ରାଣରେ ଅ ପୂର୍ବ ଶିହରଣ। ସଚରାଚ଼ର ଜୀବଜଗତରେ ଅପୂର୍ବ ଆନନ୍ଦ। ନୀଳ କଇଁର ପାଖୁଡ଼ାରେଶିଶିର ସରସ ବିନ୍ଦୁ ଝଲମଲ।

ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ। ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’। ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢୋଲ ମହୁରୀର, ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ ମା’। ଜଗତର କଲ୍ୟାଣ ପାଇଁ ନିଦ୍ରା ଭଙ୍ଗ ହେଉ ମା'”ରେ ମା’ ନିଦ୍ରାରୁ ଉଠିଛନ୍ତି । ସହସ୍ରକୁମ୍ଭ ସୁବାଷିତଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ପାଟବସ୍ତ୍ର , ମନ୍ଦାର ମାଳ ପରିଧାନ ପରେ ସେ ବାୟତଙ୍କ ଗହଣରେ ମା’କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ପର୍ବଗୃହକୁ ବିଜେ କରି ବେ ମା’। ନିଶାର୍ଦ୍ଧରେ ଆରମ୍ଭ ହେବ ତନ୍ତ୍ର ପୂଜା।

ପର୍ବ ଆରମ୍ଭ ପୂର୍ବରୁ ମନ୍ଦିର ପୁରୋହିତ ସାରଦା ପ୍ରସାଦସାମନ୍ତରାୟ ସେବାୟତଙ୍କ ଗହଣରେ ପାରିକୁଦ ରାଜାସାହେବ ଙ୍କ ନଅରରୁ ରାଜାଙ୍କ ଅନୁପସ୍ତିତିରେ ରାଜଗୁରୁଙ୍କ ଠାରୁ ଗୁଆ ପଇତାଗ୍ରହଣ କରିବା ପରେ ଶ୍ରୀ ଶ୍ରୀ ଦ6କ୍ଷଶ୍ଵର ଦେବଙ୍କ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ମା’ କନକ ଦୁର୍ଗା କଦଳୀ ବୃକ୍ଷଆମ୍ରପତ୍ର ତୋରଣ ଆଛାଦିତ ସ୍ନାନବେଦୀରେ ସ୍ନାନ ସାରି ସିଂହାସନ କୁ ବିଜେ କରିବାପରେ ଷୋଡଷ ଉପଚାରରେ ପୂଜା କରାଯାଇଥିଲା।

ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତାଙ୍କ ଚଳନ୍ତି ପ୍ରତିମା ମା’କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ପର୍ବଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହେବ । ସବୁଠାରୁ ନିଆରା ପରମ୍ପରା ଅନୁସାରେ ନରବଳୀର ପ୍ରତୀକବଳି ଜେନା ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା’ ଭଗବତୀ, ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ। ମନ୍ଦିରର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀଙ୍କ ସହିତ ମା’ନାରାୟଣୀ, ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ, ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି।

ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା’ ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’ ଭଗବତୀଙ୍କୁ କୋଳରେ ଧାରଣ କରି ନୀଳାମ୍ବୁ ଚିଲିକା ଆନନ୍ଦରେ ଦୋଳାୟମାନ ହୋଇ ସତେ ଯେପରି ପାଣି ଦୋଳିରେ ଝୁଲାଇ ଝୁଲାଇ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ।

ସୁସଜ୍ଜିତ ନୌକାରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ହରିବୋଲ ଶବ୍ଦରେ ମା’ଙ୍କର ଜୟ ଜୟକାର ଧ୍ଵନୀ ପୁଣି ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ, ଚିଲିକା ତରଙ୍ଗର କଳକଳନିନାଦରାତ୍ରିର ଅନ୍ଧକାରକୁ ଝଙ୍କୃତ କରୁଥିଲା। ତେଣେ ପରିଛା ସାଆନ୍ତ ନିରଞ୍ଜନ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, କାଠି ନାହାକ ଗଣେଶ ନାୟକଙ୍କ ସହଯୋଗରେ ନୈକା ଉପରେ କଳସ, ଦୀପ, ଧୂପ, ପୁଷ୍ପ ନୈବେଦ୍ୟ ସ୍ଥାପନ କରି ପଞ୍ଚ ପୋଚାରରେ ପୂଜା ଆଳତି ବଢାଇ ମା’ କାଳିଜାଇଙ୍କୁ ଆବାହନ କରି ସାଥିରେ ନେଇଥିବା ମା’ ଭଗବତୀଙ୍କ ନିମନ୍ତ୍ରଣ ଆଜ୍ଞାମାଳକୁ ଚିଲିକା ଜଳରେ ଭସାଇ ମା’ କାଳିଜାଇଙ୍କ ଆଜ୍ଞାମାଳକୁ ଖୋଜି ବୁଲୁଥିଲେ।

ମା’କାଳିଜାଇ ଙ୍କ ମନ୍ଦିରରେ ପୂଜକ ମା’ଙ୍କ ସଂଧ୍ୟା ଆଳତୀ ଶେଷ କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ହାଣ୍ଡିରେ ଭର୍ତ୍ତି କରି ଦୀପଜାଳି ଚିଲିକା ବକ୍ଷରେ ଭସାଇ ଦେଇଥିଲେ। ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ ୬ ତାଳି ଦଣ୍ଡସେନା ସେବାୟତମାନେ କଳା ଶାଢି ଦେହରେ ତାକୁ ଗଣ୍ଠିଲି କରି ଠେଙ୍ଗାରେ ବାନ୍ଧି ଆଣିବା ପରେ ମା’ଙ୍କର ନୌବିହାର ପାଣି ତୋଳା ନୀତି ଶେଷ କରି ମା’ ସାମନ୍ତରାପୁରର ବିଭୂତି ଭୂଷଣ ସାମନ୍ତରାୟଙ୍କ ଦୁଆରେ ବିଜେ କରିଥିଲେ। ସେଠାରେ ଦୁଇ ମା’ଙ୍କୁ ଏକ ହଜାର ସରାରେ ଖିରି କାକରା, ଖେଚଡ଼ି ବଳି ପୋଡ଼ା ପରସା ଯାଇ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଫେରିବା ବାଟରେ ପତିତ ପାବନ ମନ୍ଦିର, ଗୁଣ୍ଡରୁପୁର, ମୋହନ ଗୋସ୍ୱାମୀ ମଠ, ଅନ୍ତରକିଆରୀ ଗ୍ରାମ ସହିତ ଜଗନ୍ନାଥ ପୁର, ପରିଛା ସାହିରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଦ୍ଵାର ମାନଙ୍କରେ ପଂକ୍ତି ଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ।

ଶେଷରେ ଦୁର୍ଗାଶୟନଷ୍ଟମୀରେ ମା’ଙ୍କ ଶୟନ ନୀତିକାନ୍ତି ଶେଷ ହୋଇଥିଲା। ପୁଣି ଆଶ୍ଵିନ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ମା ଶୟନ କାଳରେ ଘଣ୍ଟା ଘଣ୍ଟକାହାଳୀ ବାଜିବ ନାହିଁ।ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ଦିନ ମା’ଙ୍କୁ ଉତ୍ ଥାପନ କରାଯାଇ ମା’ଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହେବ।

ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବାଲୁଗାଁ ଏସ୍‌. ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା ଓ ଆରକ୍ଷୀ ବାହିନୀ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ୍‌.ଏ .ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ସଂଗଠକ ବିକ୍ରମ କେଶରୀ ଜେନା ଓ ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ସେବାୟତ ଓ କର୍ମଚାରୀମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାବ୍ରତ, ଲଳିତା ସପ୍ତମୀ ପର୍ବ ଓ ମା’ଙ୍କ ନୌବିହାର: ଲଗ୍ନ ସ୍ଥିର କଲେ ମନ୍ଦିରଗଣକ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ପର୍ବପର୍ବାଣୀ ଓ ଷାବ୍ରତକୁ ସମଗ୍ର ଜିଲ୍ଲାର ପ୍ରତି ଘରେ ଧୁମଧାମରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଛି। ମା’ଙ୍କ ପୀଠରେ ବାରମାସରେ ତେର ପର୍ବ ପାଳିତ ହୁଏ। ଭାଦ୍ରବ ଶୁକ୍ଳଷଷ୍ଠୀ ଓ ସପ୍ତମୀ ତିଥିକୁ ଷଷ୍ଠି ଓଷା ଓ ଲଳିତା ସପ୍ତମୀ ଭାବରେ ମନ୍ଦିରରେ ପାଳନ କରାଯାଉଥିବାବେଳେ ସପ୍ତମୀରେ ଚିଲିକାରେ ମା’ଙ୍କ ନୈବିହାର ସହିତ ପୂର୍ବ ଦିଗସୁରକ୍ଷାକାରିଣୀ ଭଉଣୀ ମା’କାଳିଜାଇ ଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ଦୁର୍ଗା ଅଷ୍ଟମୀରୁ ଶୟନ କରିବା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ସଂପୂର୍ଣ୍ଣ ନିଆରା।

ଚଳିତବର୍ଷ ଏହି ଷଷ୍ଠି ଓଷାବ୍ରତ ପାଳନ ପାଇଁ ତା ୨୧_୯-୨୩ରିଖ ଗୁରୁବାର ଦିବା ୧ ଘଟିକା ୩୧ ମିନିଟ ଠାରୁ ଶୁଭ ମୂହୁର୍ତ୍ତରେ ଆରମ୍ଭ କରିବା ପାଇଁ ମନ୍ଦିର ଗଣକ ଶରତ ଚନ୍ଦ୍ର ପଣ୍ଡିତ ରାୟ ଙ୍କ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପରିଛା ସାଆନ୍ତ ବିନାୟକ ମହାପାତ୍ର, ମା’ଙ୍କ ଅଙ୍ଗ ଲାଗି ବରିଷ୍ଠ ସେବକ ଭାସ୍କର ଚନ୍ଦ୍ର ନାୟକ, ସୁକାନ୍ତ ନାୟକ,କାଠି ନାହାକ ଗଶେଷ ନାୟକ , ମନ୍ଦିର କର୍ମ ଚାରୀ ସୁରେନ୍ଦ୍ର ସାହୁ, ସହିତ ନିଯୋଗୀ ସେବାୟତମାନେ ବସିଲଗ୍ନ ସ୍ଥିର କରିଛନ୍ତି। ଏହି ଅନୁସାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ରଙ୍ଗ ବେରଙ୍ଗର ପାଟବସ୍ତ୍ର, ସହିତ ମନ୍ଦାର କନିଅର, ମଲ୍ଲୀ ମାଳତୀ , ରଜନୀଗନ୍ଧା, ବେଲପତ୍ର ଆଦି ସୁଗନ୍ଧିତ ପୁଷ୍ପମାଲ୍ୟ ମଣ୍ଡିତ ହୋଇ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା, ଘଣ୍ଟ, କାହାଳୀ ,ବାଦ୍ୟ,ସଂକୀର୍ତ୍ତନ, ରେ ଦିହୁଡ଼ି, ଛତ୍ର , ତରାସ, ଆଲଟ, ଚାମର ସହିତ ଶ୍ରଦ୍ଧାଳୁଙ୍କ ସାଥିରେ ପିତ୍ରାଳୟଦକ୍ଷେଶ୍ଵର ଦେବ ମନ୍ଦିରରୁ ଥାଟ ପଟୁଆରରେ ନିଜ ମନ୍ଦିରୁ ଶୁଭ ଲଗ୍ନରେ ଯାତ୍ରା କରନ୍ତି।

ଏହି ଯାତ୍ରା ସମୟରେ ଘଣ୍ଟ କାହାଳୀ ଶବ୍ଦ ଶୁଣି ବାଣପୁର ଅଞ୍ଚଳର ଘରେ ଘରେ ଶୁଭ ଶଙ୍ଖ, ହୁଳହୁଳି ପକାଇ ଗୃହିଣୀମାନେ ନିଜ ନିଜ ଘରେ ଷଷ୍ଠୀଦେବୀଙ୍କୁ ଛ ତିଅଣ ନଭଜା,କ୍ଷିରୀଖେଚଡ଼ି , ପିଠାପଣା କରି ପୂଜାକରିବା ସହିତ ଛଖଣ୍ଡ ହଳଦୀରେ ବନ୍ଧା ହଳଦୀ କନାର ବଜ୍ର ଗଣ୍ଠି ବ୍ରତ ମା’ଙ୍କୁ ଅର୍ପଣ କରି ପିଲାମାନଙ୍କୁ ପିନ୍ଧାଇ ବାର ପରମ୍ପରା ରହିଆସିଛି। ମା’ ମନ୍ଦିରକୁ ଯାତ୍ରା ନ କରିବା ପର୍ଯ୍ୟନ୍ତ ଘରମାନଙ୍କରେ ପୂଜା ହୁଏ ନାହିଁ। ମା’ ମନ୍ଦିରରେ ପହଞ୍ଚିବାପରେ ମା’ଙ୍କୁ ଭାଗ୍ୟ ଓ ଆୟୁଷର ଦେବୀ ଷଷ୍ଠୀଦେବୀ ଭାବରେ ବରଣ କରାଯାଇ ମଙ୍ଗଳ କଳସ ସ୍ଥାପନ ପରେ ଷୋଡଷ ଉପଚାରରେ ପରିଛା ସାଆନ୍ତ ପୂଜା ଅର୍ଚ୍ଚନା କରି ଆଳତି ବନ୍ଦାପନା ପରେ ସମସ୍ଥସେ ବାୟତ ପରିବାରର ଯୁବକ ମାନେ ଷଠି କନା ଡୋରିହାତରେ ଧାରଣ କରି ମା’ଙ୍କ ଶାରଦୀୟ ପର୍ବ କୁ ନିର୍ବଘ୍ନରେ ପାଳନ କରିବାକୁ ସଂକଳ୍ପ ନେଇ ମା’ଙ୍କ ପାଖରେ ସମର୍ପିତ ହୋଇ ଆଶୀର୍ବାଦ କାମନା କରନ୍ତି।

ଏହାପରଦିନ ଲଳିତା ସପ୍ତମୀ ।ମୀନ ସପ୍ତମୀ ଭାବରେ ମା’କାଠି ଠାକୁରାଣୀକୁ ମନ୍ଦିର ବାମ୍ଫି ନିକଟରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ମା’ ପୂର୍ବ ଦିଗକୁ ଯାତ୍ରା ଆରମ୍ଭକରି ସୁରକ୍ଷା କାରିଣୀ ଚିଲିକାରେ ନୌବିହାର ସହିତ ନୀଳ ଜଳରାଶି ମଧ୍ୟରେ ପୂଜିତା ଭଉଣୀ କାଳିଜାଇ ଙ୍କୁ ଶାରଦୀୟ ନିମନ୍ତ୍ରଣ ସହିତ ଆଜ୍ଞାମାଳ ନେଇ ପିତ୍ରାଳୟକୁ ଫେରିବା ବାଟରେ ବାଲୁଗାଁ ନିକଟସ୍ଥ ସାମନ୍ତରାପୁର, ଗଣ୍ଡର ପୁର, ଅନ୍ତର କିଆରୀର ଶ୍ରଦ୍ଧାଳୁମାନଙ୍କ ଦ୍ଵାରେ ଦ୍ଵାରେ ସହିତ ପରିଛା ସାଆନ୍ତ ଙ୍କଦ୍ଵାରଠାରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ଦୁର୍ଗାଶୟନ ଅଷ୍ଟମୀ ତିଥିଠାରୁ ଆଶ୍ଵିନ କୃଷ୍ଣସପ୍ତମୀ ପର୍ଯ୍ୟନ୍ତ୍ର ଶୟନ କରନ୍ତି। ପରଦିନ ମୂଳାଷ୍ଟମୀରେ ଦେବୀ ଉତ୍ ଥାପନ, ସହସ୍ର କୁମ୍ଭାଭିଷେକ ହୋଇ ମା’ ଭାଗବତାଙ୍କଶାରଦୀୟ ଦୁର୍ଗୋତ୍ସବ ବାହାର ପର୍ବ ଆରମ୍ଭ ହୁଏ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ, ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା’ ଭଗବତୀଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେ ପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି।

ମା’ ଶକ୍ତିମୟୀ ଯୋଗମାୟା ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗର ମର୍ତ୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ। ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ହୋଇ ଶଙ୍କୁଡ଼ି, ଧୂପ, ପହଡ଼ ସଂଧ୍ୟାରେ ନିଶଙ୍କୁଡି ଧୂପ, ଆଳତି ପରେ ମଧ୍ୟରାତ୍ରରେ ମହାସ୍ନାନ, ବଡ଼ସିଂହାର ବେଶରେ ଜନ୍ମ ବିଧି ନୀତିକାନ୍ତି ସହିତ ରାଶିକୋରା, ନଡ଼ିଆ କୋରା, ଉଖର କୋରା ପଣା କାନ୍ତି ଧୂପ ହୋଇ ଆଳତି ପରେ ରାତ୍ର ପହୁଡ଼ ହୋଇଥିଲା।

ସେହିପରି ଦକ୍ଷେଶ୍ଵର ମନ୍ଦିରରେ ବିଜେ ଗୁରୁଣ୍ଡି ଗୋପାଳଙ୍କୁ ମଧ୍ୟ ମଧ୍ୟରାତ୍ରରେ ଜନ୍ମ ବିଧି ନୀତିକାନ୍ତି ସହ ପାଳିତ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି। ମଧ୍ୟରାତ୍ରରେ ମା’ଙ୍କ ଜନ୍ମ ଉତ୍ସବ ଦର୍ଶନ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଶ୍ରାବଣୀ ଚିତ୍ରକ ପର୍ବ: ଲାଗି ହେଲା ଚିତଉପିଠା

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା କୃଷିଭିତିକ ଶ୍ରାବଣୀ ଚିତ୍ରକ ପର୍ବ ଚିତଉ ଲାଗି।। ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥଙ୍କ ଚିତାଲାଗି ଅମାବାସ୍ୟା ଭାବରେ ପ୍ରତିଟି ଓଡ଼ିଆ ପରିବାରରେ ଅତିନିଷ୍ଠାର ସହିତ ପାଳିତ ହେଉଥିବାବେଳେ ମା’ଙ୍କ ପୀଠରେ ମଧ୍ୟ ଏହି ପର୍ବ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଆସୁଛି।

ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା, ବେଶ ପରେ ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଡାଲି ଖେଚଡ଼ି ଧୂପ ହୋଇ ପରେଶଙ୍କୁଡ଼ିରେ ଖେଚଡ଼ି ଡାଲି , ମାଛ ମହୁର , ଖିରି ଏଣ୍ଡୁରି ପୂଜା ବଢି ଦିବା ପହୁଡ଼ ପୁଣି ସଂଧ୍ୟାରେ ନିଶଙ୍କୁଡି ଖଜା ଖେଇ, ମାଠପୁଳି, ଶରପୁଳି, କାନ୍ତି ଧୂପ ପରେ ମା’ଙ୍କ ସଂଧ୍ୟା ଆଳତି ବଢି ମା’ଙ୍କ ବଡଶୃଙ୍ଗାର ବେଶରେ ଥାଇ ଏକୋଇଶିମୂର୍ତ୍ତି ଚିତଉପିଷ୍ଟା ଧୂପ କରାଯାଇଥିଲା। ସୁଆର ସେବକଙ୍କ ଦ୍ଵାରା ଚାଉଳ ନଡ଼ିଆ ଗୁଡ଼ଘିଅ ମସଲା ମିଶ୍ରିତ ଅତି ପବିତ୍ର ଭାବରେ ମାଟି ପଲମରେ ପ୍ରସ୍ତୁତ ଚିତଉପିଷ୍ଟା କୁ ଘଣ୍ଟ, ଘଣ୍ଟା କାହାଳୀ ବାଦ୍ୟ ବାଦନରେ ପରିଚ୍ଛା ସାଆନ୍ତ ଅତି ନିଷ୍ଠାର ସହିତ ଧୂପ କରି ଆଳତି ବଢାଇଥିଲେ।

ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ମନ୍ଦିର ପରିବେଶ ଅତି ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥିଲା। ପରେ ଦହିପ ଖାଳ,ମାଛ ଗୁଣ୍ଡି ଭଜା କାକରା କାନ୍ତି, ଛେନାପଣା ବିଡ଼ିଆ ଧୂପ ପରେ ରାତ୍ର ପହୁଡ଼ ହୋଇଥିଲା ମା’ଙ୍କ ସ୍ଵାଦିଷ୍ଟ ଚିତଉ ପ୍ରସାଦ ପାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ଖୁବ୍ ଭିଡ଼ ଜମିଥିଲା।

ସେହିପରି ବାଣ ପୁରର ଆରାଧ୍ଯ ଠାକୁର ଶ୍ରୀଶ୍ରୀଦକ୍ଷେଶ୍ଵର ଦେବ, ଶ୍ରୀରଂକନାଥ ଦେବ, ଶ୍ରୀଚରଣଚକାଦେବଙ୍କ ପୀଠରେ ମଧ୍ୟ ଜୀଉମାନଙ୍କର ସୁବର୍ଣ୍ଣଚିତାଲାଗି ସହିତ ଅମାବାସ୍ୟା ପର୍ବ ଧୁମ୍ ଧାମ୍ ରେ ପାଳିତ ହୋଇଥିଲା। ଚଳିତବର୍ଷ ପବିତ୍ର ଚିତାଲାଗି ଅମାବାସ୍ୟା ସହିତ କର୍କଟ ସଂକ୍ରାନ୍ତି ଓ ଶ୍ରାବଣ ଜଳଲାଗି ସୋମବାର ଏକତ୍ର ପଡ଼ିଥିବାରୁ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କର ଖୁବ୍ ଭିଡ଼ ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

ଖୋଲିଲା ମା’ ଭଗବତୀଙ୍କ ମନ୍ଦିରର ବାହାର ହୁଣ୍ଡି

 ସୀତାରାମ ଅଗ୍ରୱାଲ

ବାଣପୁର: ମାତ୍ର ଛଅ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସ୍ଥାନୀୟ ତହସିଲଦାର୍ କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ସ୍ଥାନୀୟ ବି.ଡି.ଓ. ଶୀତଲ୍ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ସ୍ଥାନୀୟ ଆରକ୍ଷୀଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ହୁଣ୍ଡିକୁ ଖୋଲାଯାଇ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରଦତ୍ତ ଟଙ୍କା, ସୁନା, ରୂପା ବାହାର କରାଯାଇ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀ, ସେବାୟତ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଗଣତି କରାଯାଇଥିଲା।

ହୁଣ୍ଡିରୁ ସର୍ବମୋଟ ଟ୩,୩୮, ୮୦୫.୦୦ ପଇସା, (ତିନିଲକ୍ଷ ଅଠତିରିଶି ହଜାର ଆଠଶହ ପାଞ୍ଚ ଟଙ୍କା ମାତ୍ର), ୧୨ଗ୍ରାମ ୭୬୦ ମିଲିଗ୍ରାମ ଓଜନର ରୂପା ଅଳଙ୍କାର ଓ ୧୮କ୍ୟାରେଟ୍ ବିଶିଷ୍ଟ ୨ ଗ୍ରାମ୍‌ ଓଜନର ଏକ ସୁନାର ହନୁମାନ ଲକେଟ୍ ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମନ୍ଦିର ଜମା ଖାତରେ ଜମା କରାଯାଇଥିବା କଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସ ପ୍ରକାଶ କରିବା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଛନ୍ତି।

Categories
ଆଞ୍ଚଳିକ

ଅନ୍ଧକାରରେ ବାଣପୁର ମା’ ଭଗବତୀଙ୍କ ମନ୍ଦିରକୁ ଯୋଡୁଥିବା ରାସ୍ତା: କେବେ ଏହାର ସମାଧାନ?

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଏନଏସି ୮ ନମ୍ବର ୱାର୍ଡ ଦୀର୍ଘ ଦିନ ଧରି ଅନ୍ଧକାରରେ ରହିଥିବା ବେଳେ ଏଥିପ୍ରତି କାହାର ନିଘା ନାହିଁ। ଏହି ୱାର୍ଡ ଅନ୍ତର୍ଗତ ବଜାର ସାହି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଅଛି। ଏବଂ ଏହି ରାସ୍ତା ସିଧା ମା’ ଭଗବତୀଙ୍କ ମନ୍ଦିରକୁ ଯୋଡିଥାଏ। ସନ୍ଧ୍ୟା ହେଲେ ବଜାର ସାହି ଅନ୍ଧକାରମୟ ହୋଇ ରହୁଛି ଫଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ୱାର୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟ ସବୁ ଅଚଳ ହୋଇଯାଇଛି।

ତେବେ ଏ ନେଇ ସ୍ଥାନୀୟ କାଉନସିଲର ସସ୍ମିତା ପୃଷ୍ଟିଙ୍କୁ ପଚାରିବାରୁ ସେ ଏନଏସି କର୍ତ୍ତୃପକ୍ଷ ଏବଂ ଅଧ୍ୟକ୍ଷଙ୍କୁ ପାଖାପାଖି ୨୫ ଥର ଉକ୍ତ ସମସ୍ୟା ବିଷୟରେ ଅବଗତ କରିବାପରେ ମଧ୍ୟ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ୮ ନମ୍ବର ୱାର୍ଡର କାଉନସିଲର ବିରୋଧୀ ବିଜେପି ଦଳର ହୋଇଥିବାରୁ ତାଙ୍କ ୱାର୍ଡର ସମସ୍ୟାକୁ ଜାଣିଶୁଣି ଉପେକ୍ଷା କରାଯାଉଥିବାର କହିଛନ୍ତି କାଉନସିଲର ଶ୍ରୀମତୀ ପୃଷ୍ଟି।

ତେବେ ଶାସକ ବିରୋଧୀ ଦଳ କଳିରେ ସାଧାରଣ ନାଗରିକମାନେ ହଇରାଣ ହେଉଥିବା
ବେଳେ ତୁରନ୍ତ ଉକ୍ତ ୱାର୍ଡର ଷ୍ଟ୍ରିଟ ଲାଇଟ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ତିନି ଦିନ ଧରି ରଜ ପାଳିବେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ” ପରି କୁଆଁରୀମାନଙ୍କ ମିଳିତ ରଜ ଦୋଳି ଗୀତରେ ଫାଟି ପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ। କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ଗୁଆ ପାଟୁକାର ପାଣ୍ଡୋଇ ନାଇ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ବାଣପୁରର ଗାଁରୁ ସହର ବଜାର। ଏଣେ ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା, ମୁଢି ନଡ଼ିଆର ମହ ମହ ବାସ୍ନା ରଜପର୍ବକୁ ଆହୁରି ମଜାଳିଆ କରିଦେଇଛି।

ଏହାରି ଭିତରେ ମା’ ଭଗବତୀ ବି ଏହି ମାନବୀୟ ଲୀଳାକୁ ଗ୍ରହଣ କରି ପାଳୁଛନ୍ତି ରଜ ପର୍ବ।ମା’ପ୍ରତ୍ୟୁଷରୁ ହଳଦୀ, ଚୁଆ ଚନ୍ଦନ, ଆଗୁରୁ, କର୍ପୁର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରି ବାର ରଙ୍ଗି ପାଟ ରେ ସଜେଇ ହୋଇ ପରିଛା ଘରର ଝିଅ ପରି ଅଳତା ସିନ୍ଦୁର ନାଇ ଦୋଳି ଖେଳିବାକୁ ସଜବାଜ ହୋଇଛନ୍ତି। ମନ୍ଦିରରେ ଏଣ୍ଡୁରି, କାକରା, ମାଠ ପୁଳି, ଗଜା,ସରପୁଳି, କାନ୍ତି, ଗଜାମୁଆଁ ର ମହ ମହବାସ୍ନା ରେ ଫାଟିପଡୁଛି ବେଢ଼ା। ଗୀତ ନାଚରେ ଉଚ୍ଛୁଳି ପଡୁଛି ବାଣପୁର। ମା’ ଭଗବତୀ ତିନି ଦିନ ଧରି ରଜ ପାଳିବାକୁ ଥିବା ବେଳେ ୧୭ ତାରିଖରେ ଠାକୁରାଣୀ ବୁଡ଼ ଦିନ ମା’ଙ୍କର ରାଜରାଜେଶ୍ଵରୀ ମହାଲକ୍ଷ୍ମୀବେଶ ଦର୍ଶନ ଭକ୍ତଙ୍କୁ ଆନନ୍ଦ ମୁଖର କରିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବାଣପୁରରେ ମା ଭଗବତୀ ପାଳନ କଲେ ସାବିତ୍ରୀ ବ୍ରତ, ବାପଘରୁ ଆସିଥିଲା ଭାର

ସୀତାରାମ ଅଗ୍ରୱାଲ

ବାଣପୁର: ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ। ଦକ୍ଷ କନ୍ୟା ସତୀ, ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ। ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି।

ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ।ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି। କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ।

କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ନୀତିକାନ୍ତି ଓଡିଶାର ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟୁଷରୁ ଅଙ୍ଗରାଗ ମାଜଣା, ଅଂଳା ହଳଦୀ ଅଗୁରୁ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ମହାସ୍ନାନ, ବେଶ, ମହାପ୍ରସାଦ ସେବନ ,ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ।

ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ମନ୍ଦିରରୁ ‘ଦଣ୍ଡସେଣା ନେଇଥିଲେ ସାବିତ୍ରୀ ଭାର। ନୂଆ ଶାଢୀ,ଚୂଡ଼ି, ଅଳତା, ସିନ୍ଦୁର କଜ୍ବଳ, ପାନିଆ,ଦର୍ପଣ, ସହ ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ ଖଜୁରଇତ୍ୟାଦି ଫଳ ମୂଳ । ପାଳି ଆ ମାଳି ମଧ୍ୟାହ୍ନରେ ପୁଣି ମା’ଙ୍କୁ ନୂଆ ଶାଢିରେ ବେଶ କରାଇସିନ୍ଧୁର କଜ୍ଵଳ ଓ ଚୁଡ଼ି ଆଦି ସମର୍ପଣ କରି ସୁନ୍ଦର ଭାବରେ ବେଶ ବଢାଇଥିଲେ।

ପରିଚ୍ଛା ସାଆନ୍ତେ ବ୍ରତ ବିଧି ବଢାଇ ଆଳତୀ ବନ୍ଦାପନା ପରେଶଙ୍କୁଡ଼ି ଧୂପ ଲାଗି ହୋଇଥିଲା । ଘଣ୍ଟଘଣ୍ଟା କାହାଳୀ ବାଦ୍ୟହୁଳହୁଳି ଧୂନୀରେ ମନ୍ଦିର ବେଢା ଉଛୁଳି ପଡୁଥିଲା। ପରେ ସର୍ଵସାଧାରଣ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା।

ଓଡ଼ିଶାର ଏହି ପ୍ରସିଦ୍ଧ ସାବିତ୍ରୀ ବ୍ରତ କେବଳ ଓଡ଼ିଆଣି ମା’ ଭଉଣୀମାନେ ପାଳନ କରୁଥିବା ବେଳେ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମଧ୍ୟ ଏହି ବ୍ରତ ଓଷା ପାଳୁଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛି। ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପବିତ୍ର ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ମା’ଙ୍କ ପୀଠରେ ବାରମାସରେ ତେର ଯାତ। ଓଡ଼ିଆ ନବ ବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର ସହିତ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସହ ଉତ୍ତରଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ।

ନୂତନ ବର୍ଷ ପ୍ରାରମ୍ଭ ଦିନରେ ସୂର୍ଯ୍ୟଦେବତାଙ୍କ ବିଷୁବ ରେଖାରେ ଅବସ୍ଥାନ ପରେ ଉତ୍ତରାୟଣ ଗତି ଆରମ୍ଭକୁ ଆଧାର କରି ମା’ଙ୍କ ଉତ୍ତର ଦିଗ ରକ୍ଷାକାରିଣୀ, ଶୋଲରୀ ପାହାଡ଼ କୋଳରେ ପୂଜିତା ଭଉଣୀ ମା’ ଶିଦ୍ଧେଶ୍ଵରୀଙ୍କ ନିକଟକୁ ଯାତ୍ରା କରିବାର ପରମ୍ପରା କେଉଁ ପ୍ରାଚୀନ କାଳରୁ ଚଳି ଆସୁଛି।

ଏହି ଅନୁସାରେ ଯାତ୍ରା ପଥରେ ବଡ଼ହନ୍ତୁ ଆଡ଼ ଗ୍ରାମର ଦଣ୍ଡଠାକୁର ରାଜରାଜେଶ୍ଵରଙ୍କ ନିମନ୍ତ୍ରଣ ରକ୍ଷା କରି ଐତିହାସିକ ପଲଟଣ ପଡ଼ିଆରେ ଉଭୟ ଦେବା ଦେବୀ ବାଣ ରୋଷଣୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କୁ ଦର୍ଶନ କରିଫୁଲ ଚନ୍ଦନ ଗ୍ରହଣ କରିବା ପରେ ଗ୍ରାମ ପରିକ୍ରମା କରି ଟିକରାଇ ଦେବୀଙ୍କ ମନ୍ଦିର ପାର୍ଶ୍ଵ ଦେଇ ଯାତ୍ରା କରନ୍ତି। ଘନ ଅନ୍ଧାର ରାତିରେ ସେବାୟତମାନେ ଦିହୁଡ଼ି ଆଲୁଅରେ ଅଣବାଟରେ ରାମଚନ୍ଦ୍ରପୁର ଗ୍ରାମର ପାହାଡ଼ ତଳି ରାସ୍ତାରେ ଯାଇ ବାଟରେ ଡାଳ ଖାଇ ଠାକୁରାଣୀଙ୍କ ନିକଟରେ ବିଶ୍ରାମ ନିଅନ୍ତି।

ଭାଟପଡ଼ା ଗଡ଼ର ଦଳବେହେରାଙ୍କ ନିମନ୍ତ୍ରଣ କ୍ରମେ ଗ୍ରାମବାସୀଙ୍କ ତରଫରୁ ପୁଷ୍ପଚନ୍ଦନ ଗ୍ରହଣ କରି ପଟୁଆରରେ ଗ୍ରାମ ପରିକ୍ରମା ପରେ ଶୋଲରୀ ପାହାଡ଼ର ଖୋଲରେ ପୂଜିତା ମା’ ଶିଦ୍ଧେଶ୍ଵରୀଙ୍କ ମନ୍ଦିରକୁ ବିଜେ କରନ୍ତି। ସେଠାରେ ମନ୍ଦିର ଜାନି ସେବାୟତଙ୍କ ଦ୍ଵାରା ଉଭୟ ଠାକୁରାଣୀଙ୍କୁ ନୈବେଦ୍ୟ ଅର୍ପଣ ପରେ ସେବାୟତମାନେ ପ୍ରସାଦ ଗ୍ରହଣ କରିବା ପରେ ଆଜ୍ଞାମାଳ ହୁଏ।

ଆଗାମୀ ଶାରଦୀୟ ପର୍ବକୁ ଭଉଣୀ ଶିଦ୍ଧେଶ୍ଵରୀଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଧରି ଭାଟପଡ଼ାଗଡ଼ ଦଳ ବେହେରାଙ୍କ ଉଆସ ଆଗରେ ଦଧିବାମନ ମନ୍ଦିର ସମ୍ମୁଖରେ ପନ୍ତି ଭୋଗ ଖାଇ ପାହାନ୍ତି ପହରକୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଙ୍କୁ ପଣା ସଂକ୍ରାନ୍ତି ଦିନ ଦର୍ଶନ କରିବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଭାଟପଡ଼ାଗଡ଼ ଉତ୍ସବମୁଖର ହୋଇ ଉଠିଥିଲା।

ଗ୍ରାମରେ ପାଲା ସଂକୀର୍ତ୍ତନ ସହିତ ପାରମ୍ପରିକ ନୃତ୍ୟସଂଗୀତ ଆସରର ଆୟୋଜନ କରାଯାଇଥିଲା। ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ତରଫରୁ ମା’ଙ୍କ ନୀତିକାନ୍ତି ସହିତ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିବା କଥା ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକା ଯାତ୍ରା ମା’ଙ୍କର ବର୍ଷର ଶେଷ ଯାତ୍ରା। ଏହି ଦିନ ମା’ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା ଭଉଣୀ ନାରାୟଣୀଙ୍କ ମନ୍ଦିରକୁ ଯାତ୍ରା କରି ଅଶୋକ ଫୁଲ ଓ ପଇଡ଼ ପାଣି ଲାଗି ହୋଇ ରାତ୍ରିକାଳରେ କାକରା ପିଠା ସେବନ କରି ଶାରଦୀୟ ପର୍ବକୁ ଭଉଣୀଙ୍କୁ ନିମନ୍ତ୍ରଣ କରି ମନ୍ଦିରକୁ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଥିବା ବେଳେ କିଛି ବର୍ଷ ହେବ ତାହା ବନ୍ଦ ହୋଇ ଭାଲେରୀ ପାହାଡ଼ର ପାଦ ତଳେ ଶାଳିଆ ନଦୀ କୂଳରେ ମାଳି ଗୋବିନ୍ଦ ପୁରଠାରେ ପୂଜିତ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ପୀଠରେ ବିଧିରକ୍ଷା ପୂର୍ବକ ଅଶୋକ। ଯାତ୍ରା ପାଳନ କରାଯାଉଛି।

ଅଷ୍ଟମୀର ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା , ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେଶଙ୍କୁତି ଧିପସାରି ମା’ ଯାତ୍ରା ପଡ଼ିଆକୁ ବାହାରି ଥିଲେ। ଶ୍ରୀ ଶ୍ରୀ ଗତି ଶ୍ୱରଦେବଙ୍କ ସେବାୟତ, ଗ୍ରାମବାସୀ ବୃନ୍ଦ ନିମନ୍ତ୍ରଣ ଓ ଚଉଦୋଳ ଧରି ମନ୍ଦିରକୁ ଆସିଥିଲେ। ମା’ଙ୍କ ସେବାୟତ ଚାମର ଆଲଟ ବାଜା ଘଣ୍ଟା ଘଣ୍ଟ କାହାଳୀ ବଜାଇ ଥାଟ ପଟୁଆରରେ ଦକ୍ଷେଶ୍ଵର ଦେବ, ଗୋପୀନାଥ ଦେବ ଓ ଶ୍ରୀରଙ୍କ ଦେବଙ୍କ ସହ ଦୁଲଣୀ ଶାସନର ଗୋପୀନାଥ ଦେବଙ୍କ ସହମିଶି ଯାତ୍ରା ପଡ଼ିଆକୁ ବିଜେ କରି ଗତିଶ୍ଵର ଦେବଙ୍କ ପୀଠରେ ଆସ୍ଥାନ ଗ୍ରହଣ କରିଥିଲେ। ପ୍ରଥମେ ପଣସପତ୍ର ଠୋଲାରେ ଅଶୋକ ଫୁଲ, ଓ ପଇଡ଼ଲାଗି କରାଯାଇଥିଲା। ଅସହ୍ୟ ଗରମରୁ ଶୀତଳ ଲାଗି ପାଇଁ କେବଳ ପଇଡ଼ ପହରକୁ ପହର ଧୂପବଢିଥିଲା। ରାତିରେ ମା’ଙ୍କୁ କାକରା ଧୂପ ପରେ ଯାତ୍ରା ଶେଷପୂର୍ବରୁ ମା’ନାରାୟଣୀଙ୍କୁ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମନ୍ଦିରକୁ ବାହୁଡ଼ିବା ବାଟରେ ବାପ ଘର ପରିଛା ସାଆନ୍ତଙ୍କ ଦୂଆରେ ନିଶଙ୍କୁଡ଼ି ଭୋଗ ଖାଇ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ପ୍ରବେଶ କରିଥିଲେ।

ମାଳିଗୋବିନ୍ଦପୁରର ଗ୍ରାମବାସୀ, ସ୍ଥାନୀୟ ଆରକ୍ଷୀ, ଓ ଏଣ୍ଡା ଓ ମେଣ୍ଟ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଅଶୋକାଷ୍ଟମୀରେ ମା’ଙ୍କ ଅଶୋକ ଫୁଲ ପ୍ରସାଦ ପାଇବା ସହିତ ମା’ଙ୍କୁ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପ୍ରବଳ ଜନଗହଳୀ ହୋଇଥିଲା। ଚଳିତ ବର୍ଷର ମା’ଙ୍କରଶେଷ ଯାତ୍ରା ଅଶୋକା ଶେଷ ହୋଇ ମହାବିଷୁବରେ ଉତ୍ତରଦିଗକୁ ଯାତ୍ରା ପୁଣି ବର୍ଷର ପ୍ରଥମ ପଣାଯାତ୍ରା ଭାବରେ ପାଳନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧି କାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଞ୍ଚଳିକ

ଅଶୋକାଷ୍ଟମୀ ଉପଲକ୍ଷେ ମା’ ଭଗବତୀଙ୍କ ଦକ୍ଷିଣ ଦିଗକୁ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଣପୁର: କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଳି ଗୋବିନ୍ଦପୁର ଠାରେ ପୂଜା ପାଆନ୍ତି ପଶ୍ଚିମାଭିମୁଖୀ ଠାକୁର ଶ୍ରୀ ଶ୍ରୀ ବୁଢା ଗତିଃଶ୍ଵରଦେବ। ଉକ୍ତ ମନ୍ଦିରରେ ବୁଧବାର ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀ ପର୍ବ ଖୁବ ଧୂମଧାମରେ ପାଳନ କରାଯାଇଛି। ପ୍ରଭୁ ଗତିଃଶ୍ଵର ଦେବ ଏ ଅଂଚଳର ଏକ ପ୍ରତ୍ୟେକ୍ଷ ଠାକୁର।

ପରମ୍ପରା ଅନୁଯାୟୀ ଏହି ଦିନ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ, ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଏବଂ ମା ଭଗବତୀଙ୍କ ପିତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଗତିଃଶ୍ଵରଙ୍କ ପୀଠକୁ ଆସିଥାନ୍ତି। ତତସହିତ ଗତିଃଶ୍ୱରଙ୍କ ମୂଳ ପୀଠ କୁହାଯାଉଥିବା ଦୁଲଣୀ ଗ୍ରାମର ଗୋପୀନାଥ ଦେବଙ୍କ ଆଗମନ ହେବାରୁ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୁଏ।

କିମ୍ବଦନ୍ତୀ ଅନୁସାରେ ମା’ ଭଗବତୀ ବର୍ଷକୁ ଚାରିଦିଗକୁ ଯାତ୍ରା କରିଥାନ୍ତି। ପୂର୍ବ କାଳରେ ମା ଦକ୍ଷିଣ ଦିଗରେ ଥିବା ଗଞ୍ଜାମ ଜିଲ୍ଲାର ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଅଶୋକଷ୍ଟମୀ ଦିନ ମା ବାଣପୁରରୁ ନାରାୟଣୀ ମନ୍ଦିରକୁ ଯାତ୍ରା କରୁଥିବା ବେଳେ ସେବାୟତ ମାନେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ନାରାୟଣୀ ମନ୍ଦିରର ସେବାୟତ ମାନେ ଆଉ ମା’ ଙ୍କୁ ଛାଡ଼ିବେନି। ସେହି ଭୟରେ ପଛକୁ ଫେରିବାର ପରମ୍ପରା ନ ଥିବାରୁ ରାସ୍ତା ପାର୍ଶ୍ୱରେ ବହିଯାଉଥିବା ଶାଳିଆ ନଦୀ ଭିତରେ ପଶି ଗୋବିନ୍ଦପୁରରେ ଥିବା ଗତିଃଶ୍ୱରଙ୍କ ପୀଠକୁ ସେବାୟତ ମାନେ ନେଇ ଯାଇଥିଲେ।

ସେହି ଦିନ ଠାରୁ ଏଠାରେ ଅଶୋକଷ୍ଟମୀ ପର୍ବ ପାଳନ ହୋଇ ଆସୁଅଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଅଶୋକାଷ୍ଟମୀ ଦିନ ରାସ୍ତା ଥିଲେ ମଧ୍ୟ ସେହି ନଦୀ ଭିତରେ ପଶି ମା’ ଯାଇଥାନ୍ତି। ସେଠାରେ ରାତ୍ରି ଯାପନ କରି ଭୋର ଚାରି ଘଟିକା ସମୟରେ ମା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଚଳିତ ବର୍ଷ ମା’ଙ୍କର ଆଗମନକୁ ଦେଖି ସକାଳ ଧୂପ, ସହ ଠାକୁର ମାନଙ୍କ ପାଖରେ ବିଭିନ୍ନ ପ୍ରକାର ଶଙ୍ଖୁଡି ଭୋଗର ବ୍ୟବସ୍ତା କରାଯାଇଥିଲା। ଦିନ ଓ ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବହୁ ଶ୍ରଦ୍ଧାଳୁ ମାନଙ୍କର ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଭିଡ଼ ପରିଲକ୍ଷିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ମାଳି ଗୋବିନ୍ଦପପୁର ଗ୍ରାମବାସୀଙ୍କ ସହଯୋଗରେ ସମ୍ପାଦନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ ବିଜେପି ନେତା ସମ୍ବିତ ପାତ୍ର, କଲେ ପୂଜାପାଠ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ସପ୍ତମୀ ପରିପ୍ରେକ୍ଷୀରେ ବଡ଼ି ଭୋରରେ ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ସକାଳୁ ମା’ ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଛନ୍ତି। ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ସେଠାରେ ଜାରି ରହିଥିବା ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳ ପରିକ୍ରମା କରିଥିଲେ।

ଆଧ୍ୟାତ୍ମିକ ଚିନ୍ତନରେ ବିଶ୍ୱାସ ରଖୁଥିବା ଶ୍ରୀ ପାତ୍ର ଏହି ନବରାତ୍ରିରେ ନବ ଦିନ ଉପବାସ କରୁଥିବାର ଜଣାପଡିଛି l ଜଣେ ବିଚକ୍ଷଣ ରାଜନେତା ସମେତ ନିଜର ବାକଚତୁରିରେ ବିରୋଧିଙ୍କୁ ଧରାଶାୟୀ କରି ପାରୁଥିବା ଶ୍ରୀ ପାତ୍ର ଆଗାମୀ ପୁରୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ସାତଗୋଟି ନିର୍ବାଚନମଣ୍ଡଳିରେ ନିରନ୍ତର ସଂଗଠନ ଜାରି ରଖିଥିବାର ଦେଖିବାକୁ ମିଳୁଛି।

ଆନୁଷ୍ଠାନିକ ଭାବେ ଘୋଷଣା ନହେଲେ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରରୁ ଡ଼ା ସମ୍ବିତ ପାତ୍ର ପୁନଶ୍ଚ ବିଜେପି ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ। ତେବେ ଶ୍ରୀ ପାତ୍ର ଗତ ଲୋକସଭା ନିର୍ବାଚନରେ ଖୁବ କମ ଭୋଟରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ପରାସ୍ତ ହେବା ପରେ ବିଗତ ଚାରିବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଅହରହ ସଂଗଠନ କରି ଆସୁଛନ୍ତି।