ବାଣପୁର: ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି, ମୂଳାଷ୍ଟମୀରେ ଶୟନରୁ ଉଠିବେ ମା’ ଭଗବତୀ। ଆରମ୍ଭ ହେବ ବାଣପୁରର ପ୍ରାଚୀନ ଶକ୍ତିପୀଠରେ ପବିତ୍ର ଶାରଦୀୟ ପର୍ବ। ସହରସାରା ଚଳଚଞ୍ଚଳ। ସପ୍ତମୀରେ ରାଜା ସନ୍ତୋଷ କୁମାରମାନସିଂ ମର୍ଦ୍ଦରାଜ ହରିଚନ୍ଦ୍ରଙ୍କ ନଅରକୁ ଗଲା ପାରମ୍ପରିକ ଗୁଆପଇତା। ରାଜା ଆଜି ମନ୍ଦିରର ଶାରଦୀୟ ଷୋଳପୂଜା ନିମନ୍ତେ ଗୁଆପଇତା ଛୁଇଁ ବ୍ରାହ୍ମଣବରଣୀ କଲେ।
କାର୍ଯ୍ୟାଳୟର କର୍ମଚାରୀ ଅକ୍ଷୟ ମିଶ୍ର ,ସୁରେନ୍ଦ୍ର ସାହୁଙ୍କ ସହଯୋଗରେ ମନ୍ଦିର ପୁରୋହିତ ଶାରଦା ମହାପାତ୍ର, ପୂଜକ ନିରଞ୍ଜନ ମହାପାତ୍ର, ପ୍ରକାଶ ଚନ୍ଦ୍ର ମହାପାତ୍ର ଙ୍କୁ ବରଣୀ କରି ମଠା ବନ୍ଧାଇଲେ ରାଜା। ମା’ଙ୍କ ଶ୍ରୀଅଙ୍ଗଭୂଷଣ ପାଇଁ କାଠିନାହାକ ପବିତ୍ରନାୟକ, ପ୍ରତିନିଧି ଗଣେଶ ନାୟକଙ୍କ ହାତରେ ପାଟ,ଓଢ଼ଣୀ , ସିନ୍ଦୁର, କଜ୍ବଳ, ଶଙ୍ଖା, ଚୁଡ଼ି ଶାଢ଼ି, ଅଳତା ପୁଷ୍ପମାଲ୍ୟ ପଠାଇଲେ ରାଜା।
ଶୟନରୁ ଉଠି ଶହସ୍ର କୁମ୍ଭାଭିଷେକ ପରେ ୧୦୮ ସୁବାଷିତ ଜଳରେ ଅଙ୍ଗରାଗ ମାଜଣା ପରେ ରଜାଘର ପାଟଶାଡ଼ିଚୁଡ଼ି ପିନ୍ଧି ମଣ୍ଡଣୀ ହୋଇ ସଂଧ୍ୟାରେ ଥାଟ ପଟୁଆରରେ ସାତଦିନ ପାଇଁ ଭିତର ପର୍ବ ଗୃହକୁ ବିଜେ କରିବେ ମା’ ଭଗବତୀ ସ୍ତମ୍ଵେଶ୍ଵରୀ କାଠିଠାକୁରାଣୀ। ସାଥିରେ ଥିବେ ରାଜାଙ୍କ ଇଷ୍ଟଦେବୀ ମା’ କନକଦୁର୍ଗା। ସେଥିପାଇଁ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିରଠାରୁ ମାଭଗବତୀଙ୍କ ମନ୍ଦିର ବେଢା ଭିତର ପର୍ବ ଗୃହପର୍ଯ୍ୟନ୍ତ ସବୁଠି ଚାଲିଛି ପ୍ରସ୍ତୁତି। କେଉଁଠି କେଉଁଠି ଆଲୋକର ସୁଉଚ୍ଚ ତୋରଣ ତ ରାସ୍ତାର ଉଭୟ ପାର୍ଶ୍ଵରେ ଝିଲିମିଲିଆଲୁଅର ମନଲୋଭା ଦୃଶ୍ୟ।
ପରିମଳ ବ୍ୟବସ୍ତା ସହିତ ମନ୍ଦିରଚର୍ତୁପାର୍ଶ୍ଵରେ ନାଲି ହଳଦିଆ ଗେଣ୍ଡୁଫୁଲର ଆକର୍ଷଣୀୟ ସାଜସଜ୍ଜା। ଦେବୀ ସ୍ତମ୍ବେଶ୍ଵରୀ କାଠି ଠାକୁରାଣୀଙ୍କ ତାଣ୍ଡବ ନୃତ୍ୟ ଦେଖିବାକୁ ସମଗ୍ରବାଣପୁର ଅଞ୍ଚଳ ଅପେକ୍ଷାରତ। ଘଣ୍ଟା ଘଣ୍ଟ ମାଦଳର ତାଳେତାଳେ ଛତ୍ର ତରାଶ ଚ଼ାମର ମଶାଲ ସହିତ ମା’ ଙ୍କଜୟଜୟକାର ଧ୍ଵନୀ, ଶଙ୍ଖ ହୁଳହୁଳି ଶବ୍ଦରେ ବାଣପୁର ବଡ଼ଦାଣ୍ଡ ଉଛୁଳି ପଡ଼ିବ। ସେବାୟତ ମାନେ ବନଦୁର୍ଗା ବେଶରେ ମା’ଙ୍କୁ ନ ଚ଼େଇ ନଚ଼େଇ ବଡ଼ଦାଣ୍ଡରେ ପବିତ୍ର ପର୍ବଗୃହକୁ ନେଲା ବେଳେ ସାଥିରେ ରହିବେ ଆଦ୍ୟ ସେବକ ନରବଳୀର ପ୍ରତୀକ ବଳିଜେନା, ନିଯୋଗୀ ସେବାୟତଙ୍କ ଗହଣରେ ଅନନ୍ୟ ପରମ୍ପରା କ୍ରମେ ଏହି ବଳିଜେନା ନୃତ୍ୟ ଅତ୍ୟନ୍ତ ବିଚିତ୍ର ମୟ।
ମୂଳାଷ୍ଟମୀ ଠାରୁ କୃଷ୍ଣଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ମା’ଙ୍କ ଦେବୀ ନୃତ୍ୟ ପରେ ମହାଳୟା ଭେଟ ଅମାବାସ୍ୟାରେ ସାତ ଭଉଣୀଙ୍କ ଭେଟଘାଟରୁ ସାତବଖରା ଘରେ ଆରମ୍ଭ ହେବ ସପ୍ତମାତୃକା ପୂଜା। ମା’ଭଗବତୀଙ୍କ ସହିତ ଭଉଣୀ ବିରଜାଇ, ନାରାୟଣୀ, କାଳିଜାଇ ,ଶିଦ୍ଧେଶ୍ୱରୀ, କନକଦୁର୍ଗା, ବୁଢ଼ି ଠାକୁରାଣୀ ସାତ ଭଉଣୀଙ୍କୁ ଗୋଟିଏସ୍ଥାନରେ ସାତ ବଖରା ପର୍ବଗୃହରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ମା’ଙ୍କ ଅଶେଷ କରୁଣା ପାଇବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସୁଅଛୁଟିବ। ମା’ଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ କର୍ମଚାରୀମାନଙ୍କ ସହଯୋଗରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।


