ନୂଆଦିଲ୍ଲୀ: ବିଭିନ୍ନ ବର୍ଗର ଯାନବାହନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ (ପିୟୁସି) ସାର୍ଟିଫିକେଟ୍ର ବୈଧତା ଅବଧିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୧୧୫(୭)ରେ ହୋଇଥିବା ଏହି ସଂଶୋଧନ ଅନୁଯାୟୀ, ଏଣିକି ଗାଡ଼ିର ନିର୍ଗମନ ମାନକ ବର୍ଗ ଏବଂ ବୟସ ଆଧାରରେ ପିୟୁସି ବୈଧତା ନିର୍ଦ୍ଧାରଣ କରାଯିବ। ନୂଆ ନିୟମରେ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍-୬ ଘରୋଇ ଯାନ ପାଇଁ ବୈଧତା ୩ ବର୍ଷ (୩୬ ମାସ)କୁ ବୃଦ୍ଧି କରାଯାଇଥିବା ବେଳେ ପୁରୁଣା ଓ ଅଧିକ ନିର୍ଗମନକାରୀ ଯାନଗୁଡ଼ିକ ପାଇଁ ନବୀକରଣ ଅବଧିକୁ ହ୍ରାସ କରାଯାଇଛି।
ସଂଶୋଧିତ ନିୟମ ଅନୁଯାୟୀ, ଘରୋଇ ଯାନବାହାନ କ୍ଷେତ୍ରରେ ବିଏସ୍-୧, ବିଏସ୍-୨ ଏବଂ ବିଏସ୍-୩ ନିର୍ଗମନ ମାନକ ବିଶିଷ୍ଟ ଯାନଗୁଡ଼ିକ ପାଇଁ ପିୟୁସି ସାର୍ଟିଫିକେଟ୍ ତିନି ମାସ ପର୍ଯ୍ୟନ୍ତ ବୈଧ ରହିବ, ଯାହାକି ପୂର୍ବରୁ ୬ ମାସ ବୈଧଯୁକ୍ତ ଥିଲା। ସେହିପରି ବିଏସ୍-୪ ମାନକବିଶିଷ୍ଟ ଯାନଗୁଡ଼ିକ ପାଇଁ ଏହାର ବୈଧତା ଏବେ ଆଉ ୧ ବର୍ଷ ନୁହେଁ ବରଂ ୬ ମାସ ରହିବ। ତେବେ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍-୬ ଯାନ ପାଇଁ ସାର୍ଟିଫିକେଟ୍ ୩ ବର୍ଷ (୩୬ମାସ) ପର୍ଯ୍ୟନ୍ତ ବୈଧ ରହିବ, ଯେତେବେଳେକି ପୂର୍ବରୁ ଏହା ମାତ୍ର ୧୨ମାସର ବୈଧତା ପ୍ରଦାନ କରୁଥିଲା। ଅନ୍ୟପକ୍ଷେ ୬ ବର୍ଷରୁ ଅଧିକ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଯାନ ପାଇଁ ଏହାର ବୈଧତା ପୂର୍ବ ଭଳି ସେହି ୧ ବର୍ଷ ହିଁ ରଖାଯାଇଛି। ତେବେ ୧୦ ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ ଏହାର ବୈଧତା ପୂର୍ବରୁ ୧୨ ମାସ ଥିବା ବେଳେ ଏବେ ଏହାକୁ ଛଅ ମାସରେ ସୀମିତ କରିଦିଆଯାଇଛି।
ଏତଦ୍ବ୍ୟତୀତ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍-୬ ପରିବହନ/ବାଣିଜ୍ୟିକ ଯାନ ପାଇଁ ସାର୍ଟିଫିକେଟ୍ ବୈଧତା ୨ ବର୍ଷ ରହିବ। ୬ ବର୍ଷରୁ ଅଧିକ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଯାନ ପାଇଁ ସାର୍ଟିଫିକେଟ୍ ବୈଧତା ୧ ବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ ୬ ମାସ ରହିବ। ସରକାରୀ ଗେଜେଟ୍ ଅନୁସାରେ ଯଦି କୌଣସି ସାର୍ଟିଫିକେଟ୍ର ଅବଧି ଶେଷ ହେବାର ଦଶ ଦିନ ପୂର୍ବରୁ ଏହାର ନବୀକରଣ କରାଯାଏ, ତେବେ ନୂଆ ସାର୍ଟିଫିକେଟ୍ଟି ପୂର୍ବ ସାର୍ଟିଫିକେଟ୍ର ଅବଧି ଶେଷ ହେବା ତାରିଖରୁ ହିଁ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରାଯାଇଛି।


