ବାଣପୁର: ଜାନିଯାତ୍ରା ପର୍ବପର୍ବାଣୀରେ ଘରକୁ ନିମନ୍ତ୍ରଣ କରି ପର୍ବଶେଷରେ ସସମ୍ମାନେ ଭଉଣୀମାନଙ୍କୁ ଭାରଥୁରଦେଇ ବିଦାୟ ଦେବା ମା’ ଭଗବତୀଙ୍କ ମାନବୀୟ ଲୀଳାର ଏକ ବିଚିତ୍ର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଛି ଏହି ଶକ୍ତିପୀଠରେ। ବର୍ଷର ବିଭିନ୍ନ ସମୟରେ ଚାରିଦିଗକୁ ଯାତ୍ରା କରି ଶାରଦୀୟ ପର୍ବରେ ଯୋଗ ଦେବାକୁ ଚାରିଦିଗ ରକ୍ଷାକାରିଣୀ ମା’ ଶିଦ୍ଧେଶ୍ୱରୀ, ନାରାୟଣୀ, କାଳିଜାଇ, ବିରଜାଇଙ୍କ ସହିତ ପୀଠେଶ୍ଵରୀ ବୁଢ଼ୀ ଠାକୁରାଣୀ, ଗଡ଼ଦେବୀ ମା’ କନକଦୁର୍ଗାଙ୍କୁ ସାଥିରେ ନେଇ ଦୀର୍ଘ ଶୋଳ ଦିନ ଧରି ପାଳନ କରୁଥିବା ଭିତର ପର୍ବ, ବାହାରପର୍ବର ଶେଷ ଉତ୍ସବ ବିଜୟାଦଶମୀ ଦଶହରାର ମଧ୍ୟରାତ୍ରରେ ଶେଷ ହୋଇଛି।
ପ୍ରାଚୀନ ବଙ୍କାଡ଼ଗଡ଼ ଅଧୁନା ବାଣପୁର ରାଜ୍ୟର ସାମାଜିକ ଚ଼ଳଣୀ ଲୋକ ପରମ୍ପରାକୁ ଆଧାର କରି ଏହି ପୀଠରେ ପ୍ରଚଳିତ ସମସ୍ତ ଜାନିଯାତ୍ରା ପର୍ବପର୍ବାଣୀ ସବୁ ମା’ ଭଗବତୀଙ୍କ ମାନବୀୟ ଲୀଳାର ଅନନ୍ୟ ପରମ୍ପରା ଭାବରେ ଅନୁଭବ କରିହୁଏ । ଏହି ଅନୁସାରେ ଦଶହରାର ମଧ୍ୟରାତ୍ରରେ ମା’ ଭଗବତୀ କାଠିଠାକୁରାଣୀ ତିନି ଭଉଣୀ ନାରାୟଣୀ, କାଳିଜାଇ ଓ ବୁଢିଠାକୁରାଣୀ ଙ୍କ ବିଶ୍ୱାସର ପ୍ରତୀକ ଆଜ୍ଞାମାଳକୁ ସସମ୍ମାନେ ମେଲାଣି ଦେଇ ଥାଟ ପଟୁଆରରେ ମା’ ବିରଜାଇ, ଗଡ଼ଦେବୀ ମା’ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କୁ ସାଥିରେ ନେଇ ନିଜ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଯାତ୍ରା ପଥରେ ଦ୍ୱାପର ଯୁଗର ଯୋଗମାୟା ଭଗବତୀଙ୍କ ଅପାରଶକ୍ତି ବଳରେ ମଥୁରା ବିଜୟ ସ୍ମୃତିଙ୍କୁ ସମ୍ମାନ ଜଣାଇ ଶ୍ରୀରଙ୍କ ନାଥଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବ ମଧ୍ୟ ମା’ଙ୍କ ସାଥିରେ ସାମିଲ୍ ହୋଇ ଯାତ୍ରା କରିଥିଲେ । ଶାରଦୀୟ ପର୍ବରେ ଆସୁରିକ ଶକ୍ତିକୁ ପରାହତ କରି ସଂସାରକୁ ଅସୀମ ଶକ୍ତି ଶ୍ରଦ୍ଧା, ଶୁଖ ଶାନ୍ତି ପ୍ରଦାନ କରି ବିଜୟାଦଶମୀରେ ବିଜୟ ଉତ୍ସବ ପାଳନ କରି ଆନନ୍ଦ ଉଲ୍ଲାସ ମନରେ ସ୍ୱମନ୍ଦିରକୁ ଫେରିଥିବା ତିନି ଭଉଣୀ ଙ୍କ ସହିତ ଶ୍ରୀମଦନମୋହନଙ୍କୁ ଏକତ୍ର ସ୍ୱାଗତ କରିବାପାଇଁ ମନ୍ଦିର ନିଯୋଗୀ ସେବାୟତଙ୍କ ତରଫରୁ ଯଥୋଚିତ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ସମ୍ମୁଖରେ ଦେବୀମାନଙ୍କ ଉପବେଶନ ପାଇଁ ସ୍ୱତନ୍ତ୍ର ଆସନ ପକାଯାଇଥିଲା । କାଠିନାହାକ କାଠିଠାକୁରାଣୀଙ୍କୁ ଉକ୍ତ ଆସନରେ ଉପବେଶନ କରାଇବା ପରେ ପରମ୍ପରାକ୍ରମେ ବିଶିଷ୍ଟ ଶାକ୍ତପୂଜକ ସ୍ତୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନଚ଼ରଣ ଦାଶ ଦେବା ଦେବୀମାନଙ୍କୁ ଆବାହନ ସଂସ୍ଥାପନ କରି ପଞ୍ଚ ଉପଚାରରେ ପୂଜା କରିବା ପରେ ଆଳତୀ ବନ୍ଦାପନା ବଢ଼ାଇ ଦେବାଦେବୀଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଶୁଦ୍ଧପୂତ କରିବାକୁ ଅଗ୍ନି ଉତ୍ସବ କରିଥିଲେ । ଘଣ୍ଟା ଘଣ୍ଟ କାହାଳୀ ମାଦଳ ଢ଼ୋଲ ବାଦ୍ୟ ସହିତ ମା’ଙ୍କ ଜୟଜୟକାର ଧ୍ଵନୀ ହୁଳହୁଳି ଶବ୍ଦରେ ମନ୍ଦିର ସମ୍ମୁଖ ମୁଖରୀତ ହୋଇପଡ଼ିଥିଲା । ଶେଷରେ ଦେବୀମାନେ ଅଗ୍ନିସ୍ବର୍ଶ କରି ମନ୍ଦିରକୁ ପ୍ରବେଶ କରିବା ପରେ ଶ୍ରୀପତିତପାବନ ଦେବ ମାତୃଶକ୍ତିଙ୍କୁ ବିଦାୟ ଜଣାଇ ନିଜ ମନ୍ଦିରକୁ ଫେରିଯାଇଥିଲେ ।ମା’ଭଗବତୀ ମନ୍ଦିର ନିଯୋଗୀ ସେବାୟତଙ୍କ ତରଫରୁ ମନ୍ଦିର ସମ୍ମୁଖରେ ଖଇକୋରା, ଘଷା ବିଡ଼ିଆ,ବୁନ୍ଦିଆ, ରସଗୋଲା, ଫଳମୂଳ ନାନାଦି ନୈବେଦ୍ୟ ଦେବା ଦେବୀଙ୍କୁ ଅର୍ପଣ ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।
ମା’ ବିରଜାଇ କାଠିଠାକୁରାଣୀ ବର୍ଷସାରା ଭଗବତୀ ମନ୍ଦିର ନାଟମଣ୍ଡପ ପାଖରେ ଅବସ୍ଥାନ କରୁଥିବା ବେଳେ ବର୍ଷର ଏହି ଗୋଟିଏ ଦିନ ମା’କନକ ଦୁର୍ଗା ବିମାନରେ ବିଜେ କରି ଭଉଣୀ ଭଗବତୀଙ୍କ ମନ୍ଦିରରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଅବସ୍ତାନ କରି ଶ୍ରଦ୍ଧାଳୁମାନଙ୍କୁ ଏକତ୍ର ଦର୍ଶନ ଦେବେ । କୁମାର ପୂର୍ଣ୍ଣମୀ ଦିନ ମା’ ଭଗବତୀ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ବେଳେ ମଧ୍ୟରାତ୍ରରେ ମା’କନକ ମଧ୍ୟରାତ୍ରରେ ସହିତ ଶାରଦୀୟ ପର୍ବର ଆଦ୍ୟ ସେବକ ନରବଳୀର ପ୍ରତୀକ ବଳି ଜେନାଙ୍କ ସହିତ କଉଡ଼ିଖେଳ ଅନୁଷ୍ଟିତ ହେବ । ଖେଳରେ ହାରି ଜାଇ ବଳିଜେନା ପୁନର୍ବାର ଆଗାମୀ ବର୍ଷର ଶାରଦୀୟ ପର୍ବରେ ଯୋଗ ଦେଇ ନିଜସେବା ଯୋଗାଇ ଦେବାର ସଂକଳ୍ପ କରି ଅନ୍ଧକାର ମଧ୍ୟରାତ୍ରରେ ଲୋକଲୋଚନର ଆଢ଼ୁଆଳରେ ଅମୁହା ଆଢ଼ୁଆଳରେ ଏକା ଏକା ନିଜ ଗ୍ରାମ ଅଭିମୁଖେ ଯାତ୍ରା କଲାବେଳେ ତାଙ୍କ ଆଗରେ କେହି ପଡନ୍ତି ନାହିଁ ବୋଲି ବିଶ୍ୱାସ ଅଛି ।
ରାତ୍ରୀର ଶେଷ ପ୍ରହରରେ ମନ୍ଦିର ଭିତରେ ସବୁ ନୀତିକାନ୍ତି ସାରି ଦୁଇ ଭଉଣୀ ବିରଜାଇ, କନକ ଦୁର୍ଗାଙ୍କୁ ନିଜ ମନ୍ଦିର ଭିତରେ ଛାଡ଼ିଦେଇ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କାଳରେ ବାଣପୁର ରଘୁନାଥପୁରର ଆରାଧ୍ୟ ଠାକୁର ଶ୍ରୀରଘୁନାଥ ଦେବ ତ୍ରେତୟାରେ ରାମଚଣ୍ଡୀ ମା’ଭଗବତୀ ଙ୍କ ଅପାର ଶକ୍ତି ସାହାଯ୍ୟରେ ଲଙ୍କା ବିଜୟ ସ୍ମୃତିକୁ ସମ୍ମାନ ଜଣାଇ ଥାଟପଟୁଆରରେ ଯାଇଁ ମା’ଙ୍କୁ ଅର୍ଦ୍ଧ ବାଟରୁ ପାଛୋଟି ଆଣି ନିଜ ମନ୍ଦିରରେ କିଛି ସମୟ ପାଇଁ ଅବସ୍ଥାନ କରାଇ ମନ୍ଦିର ତରଫରୁ ପ୍ରସ୍ତୁତ ପ୍ରସିଦ୍ଧ ଅଧର ମୁଆଁ ଖଇକୋରା, ଘଷା ବିଡ଼ିଆ, ବୁନ୍ଦି ,ରସଗୋଲା ଆଦି ଶୀତଳ ମଣୋହିଁ କରିବା ପରେ ଶ୍ରୀରଘୁନାଥ ଦେବ ମା’ଭଗବତୀଙ୍କୁ ସସମ୍ମାନେ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିର ନିକଟରେ ଛାଡ଼ି ଆସିବା ପରେ ମା’ ରାତ୍ର ପହୁଡ଼ ଯାଇଥିଲେ । ଦଶହରାର ମାହୋଲ ଭିତରେ ବିଭିନ୍ନ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ଏବଂ ବିଜୟ ଦଶମୀରେ ମା’ଙ୍କ ଏହି ବିଜୟ ଉତ୍ସବ ଦର୍ଶନ କରିବା ପାଇଁ ବାଣପୁର ସହର ସାରାରାତି ଉତ୍ସବ ମୁଖର ଲୋକାରଣ୍ୟ ହୋଇପଡ଼ିଥିଲା । ମନ୍ଦିର କାର୍ଯ୍ୟାଳୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା ।


