Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ ଭଗବତୀଙ୍କ ମନ୍ଦିର

ସୀତାରାମ ଅଗ୍ରୱାଲ

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ଙ୍କ ମନ୍ଦିର ବେଢ଼ା। ମା ଭଗବତୀ ରଜ ମହୋତ୍ସବର ପ୍ରଥମସଂଧ୍ୟାରେ ଭୁବନେଶ୍ଵରର ମମତା ଶତପଥି ଓ ସାଥିଙ୍କ ଗଣେଶ ବନ୍ଦନା, ମଙ୍ଗଳାଚରଣ, ଦଶମହାବିଦ୍ୟା, ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ରଜ ଦୋଳି ଓ ଛୋଟ ମୋର ଗାଁଟି ପରି ପଲ୍ଲୀ ନୃତ୍ୟ ପରିବେଶଣରେ ବିଭୋର ଦର୍ଶକଙ୍କ ମନ ମୋହିଲା ପହିଲି ରଜ।

ପହିଲି ରଜରେ ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ହଳଦୀ ଚୁଆ ଚନ୍ଦନ କର୍ପୁର ଅଗରୁ ଅତର ମିଶ୍ରିତ ସୁବାସିତ ଜଳରେ ଅଙ୍ଗରାଗ ପରେ ବାରରଂଗୀ ପାଟ ପତନୀ ପିନ୍ଦି, ନାନାଦି ଅଳଙ୍କାରରେ ରଜସଜ ହୋଇ ରଜପାଳିଲେ ମା’ ଭଗବତୀ। ଶେଷ ରଜଯାଏ ଅଗାଧୁଆ ଏକ ବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ପରେ ବସୁମତି ସ୍ନାନରେ ପୁଣି ଗାଧୋଇ ରାଜରାଜେଶ୍ଵରୀ ବେଶରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’।

ଏହି ତିନିଦିନ ମହିଳାମାନେ ମା’ଙ୍କ ପାଖକୁ ଯିବା ମନା। ଏଣ୍ଡୁରି, କାକରା, ଖଜା, ସରପୁଳି, ମାଠ ପୁଳି, ଛେନପଣାର ବାସ୍ନାରେ ଫାଟି ପଡୁଥିଲା ମନ୍ଦିର ବେଢା। ସକାଳେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର କୁଞ୍ଜ ବିହାରୀ ବଡ ଜେନା ମା’ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ ଆଣି ଫଟୋଚିତ୍ରକୁ ବେତ ଦୋଳିରେ ରଖି ପୂଜା ଅର୍ଚ୍ଚନା ପରେ ମା’ଙ୍କ ମୁଖ୍ୟ ପୂଜକ ପରିଛା ସାମନ୍ତଙ୍କ ପରିବାରର ଝିଅମାନେ ହୁଳହୁଳି ଦେଇ ମା’ଙ୍କୁ ଝୁଲାଇବାର ଦୃଶ୍ୟ ଅତ୍ୟନ୍ତ ଆବେଗମୟ ଥିଲା।

କାରଣ ମା’ ଭଗବତୀ ପରିଛା ଘରର ଝିଅ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ପରେ ପରେ କୁନିକୁନି ଝିଅ ମାନଙ୍କ ରଜ ଦୋଳି ଖେଳ ପରିବେଶକୁ ଉତ୍ସବମୁଖର କରି ରଖିଥିଲା।

ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସେବକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ତିନି ଦିନ ଧରି ରଜ ପାଳିବେ ମା’ ଭଗବତୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ” ପରି କୁଆଁରୀମାନଙ୍କ ମିଳିତ ରଜ ଦୋଳି ଗୀତରେ ଫାଟି ପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ। କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ଗୁଆ ପାଟୁକାର ପାଣ୍ଡୋଇ ନାଇ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ବାଣପୁରର ଗାଁରୁ ସହର ବଜାର। ଏଣେ ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା, ମୁଢି ନଡ଼ିଆର ମହ ମହ ବାସ୍ନା ରଜପର୍ବକୁ ଆହୁରି ମଜାଳିଆ କରିଦେଇଛି।

ଏହାରି ଭିତରେ ମା’ ଭଗବତୀ ବି ଏହି ମାନବୀୟ ଲୀଳାକୁ ଗ୍ରହଣ କରି ପାଳୁଛନ୍ତି ରଜ ପର୍ବ।ମା’ପ୍ରତ୍ୟୁଷରୁ ହଳଦୀ, ଚୁଆ ଚନ୍ଦନ, ଆଗୁରୁ, କର୍ପୁର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରି ବାର ରଙ୍ଗି ପାଟ ରେ ସଜେଇ ହୋଇ ପରିଛା ଘରର ଝିଅ ପରି ଅଳତା ସିନ୍ଦୁର ନାଇ ଦୋଳି ଖେଳିବାକୁ ସଜବାଜ ହୋଇଛନ୍ତି। ମନ୍ଦିରରେ ଏଣ୍ଡୁରି, କାକରା, ମାଠ ପୁଳି, ଗଜା,ସରପୁଳି, କାନ୍ତି, ଗଜାମୁଆଁ ର ମହ ମହବାସ୍ନା ରେ ଫାଟିପଡୁଛି ବେଢ଼ା। ଗୀତ ନାଚରେ ଉଚ୍ଛୁଳି ପଡୁଛି ବାଣପୁର।

ଚଳିତ ବର୍ଷ ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ଆସିଛନ୍ତି କଳାକାରମାନେ। ପହିଲି ରଜ ତଥା ଆଜି ସନ୍ଧ୍ୟା ୭ ଘଟିକାରେ ଭୁବନେଶ୍ୱରର ମମତା ଶତପଥୀ ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ, ମଝି ରଜ ତଥା ଆସନ୍ତାକାଲି ସଂଧ୍ୟା ୭ ଘଟିକାରେ ଜଟଣୀର ନୀଳଶୈଳ ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ ଏବଂ ଶେଷରଜ ଅବା ୧୬ ତାରିଖ ସଂଧ୍ୟା ୭ ଘଟିକାରେ ଗୋଟି ପୁଅ, ମାହାରୀ ନୃତ୍ୟସାଙ୍ଗକୁ ୧୭ ତାରିଖରେ ଠାକୁରାଣୀ ବୁଡ଼ ଦିନ ମା’ଙ୍କର ରାଜରାଜେଶ୍ଵରୀ ମହାଲକ୍ଷ୍ମୀବେଶ ଦର୍ଶନ ସହିତ ମମତା ମଲ୍ଲିକ ଓ ସାଥିଙ୍କ ଭଜନ ସମାରୋହ ବାଣପୁରର ରଜ ଉତ୍ସବକୁ ଆନନ୍ଦ ମୁଖର କରିବ ବୋଲି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀଙ୍କ ପୀଠରେ ରଜ ମହୋତ୍ସବ: ୪ ଦିନ ବ୍ୟାପୀ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହାଆଡମ୍ବରରେ ପାଳନ କରାଯିବ। ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ, ଭଜନ ପରି ବହୁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି।

ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବେ। କେବଳ କୁନିକୁନି ପିଲାଙ୍କ ପାଇଁ ରଜ ଦୋଳିର ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ବିଭିନ୍ନ ଦୋକାନ ବଜାର ମଧ୍ୟ ବସିବ। ଶ୍ରଦ୍ଧାଳୁମାନେ ରଜର ମଜା ଉଠାଇ ମା’ଙ୍କୁ ଦର୍ଶନ କରି ଶୃଙ୍ଖଳାର ସହିତ ଫେରିବାର ବ୍ୟାବସ୍ଥା ହୋଇଥିବା ବିଷୟ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ। ସେହିପରି ଭାବେ ତା ୧୭.୦୬.୨୨ ରିଖ ଠାକୁରାଣୀ ବୁଡ଼ ଦିନ ମା’ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କ ବାଣପୁର ଗସ୍ତ: ବିଭିନ୍ନ ସମସ୍ୟାଭିତ୍ତିକ କାର୍ଯ୍ୟ ବିଷୟରେ କଲେ ଆଲୋଚନା

ସୀତାରାମ ଅଗ୍ରୱାଲ

ବାଣପୁର: ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କାମନା କରିଥିଲେ। ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ସମୟରେ ମନ୍ଦିର ସେବାୟତମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ ଖୁବଶୀଘ୍ର ବ୍ୟୟବରାଦ କରିବେ ବୋଲି କହିଥିଲେ।

ମନ୍ଦିର ଦର୍ଶନ ସାରି ଫେରିଲା ପରେ ବାଣପୁରକୁ ସବ ଡିଭିଜନ ମାନ୍ୟତା, ଗୋଦାବରୀଶ ମହାବିଦ୍ୟାଳୟକୁ ଅଟୋନୋମସ ମାନ୍ୟତା ଆଦି ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ଉକ୍ତ ଦୁଇ ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି। ସାଂସଦଙ୍କ ଗସ୍ତ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସାତ ଦେବାଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଗତକାଲି ଭଉଁରିରେ ଶେଷ ହୋଇଛି। ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରି ଶକ୍ତି କ୍ଷେତ୍ର ବାଣପୁରରେ ମା’ଭଗବତୀଙ୍କ ଯାତ୍ରା ପରମ୍ପରା ମଧ୍ୟରୁ ଚନ୍ଦନ ଯାତ୍ରା ଅନନ୍ୟ। ଚନ୍ଦନ ଯାତ୍ରାର ଶେଷ ତିନିଦିନ ମା’ ସାଥିରେ ଚନ୍ଦ୍ରଶେଖରଦେବ,ଗୋପୀନାଥ ଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବାଣପୁର ନିକଟ ଗୋପାଳପୁର ଶାସନ ମାଜଣା ପୋଖରୀକୁ ବାଣ ରୋଷଣୀ, ଥାଟ ପଟୁଆରରେ ଯାତ୍ରା କଲାବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ଵନୀ ସହ ଚାପକୁ ବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର।

ଗୋପାଳପୁର ଶାସନ ବିଜେ ବାବା ବାଲୁଙ୍କେଶ୍ଵର ଦେବ, ବାବା କପିଳେଶ୍ଵର ଦେବ, ବାବା ନୀଳକଣ୍ଠେଶ୍ଵର ଦେବ, ମା’କନକ ଦୁର୍ଗା ଓ ଶ୍ରୀଗୋପୀନାଥ ଦେବଙ୍କ ସ୍ଵାଗତପରେ ମା’ ଭଗବତୀ ମାଜଣା ଚକଡାରେ ବିଜେ କଲା ପରେ ଶୀତଳ ମଣୋହୀ ଲାଗି ହୋଇଥିଲା।

ଆଳତୀ ବନ୍ଦାପନା ପରେ ମା’ ଚାପରେ ବିଜେ କରିଥିଲେ। ଏକୋଇଶି ଥର ଜଳକ୍ରୀଡାରେ ମାଜଣା ପୋଖରୀ ପରିକ୍ରମା କଲାପରେ ମା’ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ପନ୍ତିଭୋଗ ଲାଗି ହେଲା ପରେ ମା’ ଜଳ ସ୍ପର୍ଶ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଅପୂର୍ବ ଚାପ ଯାତ୍ରା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଉପଲକ୍ଷେ ଗୋପାଳପୁର ଶାସନରେ ରାତିସାରା ଭଜନ ସମାରୋହ, ରାମ ନାଟକ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଚନ୍ଦନଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥିଲା। ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଓ ଗୋପାଳପୁର ଶାସନ ଗ୍ରାମବାସୀ ମିଳିତ ଭାବରେ ଏହାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଧର୍ମ

ଖୋଲିଲା ବାଣପୁର ମା’ ଭଗବତୀଙ୍କ ହୁଣ୍ଡି, ଜାଣନ୍ତୁ ଏଥର କେତେ ରହିଛି ଦାନ ପରିମାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀଙ୍କ ହୁଣ୍ଡି ଖୋଲାଯାଇଛି। ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା କରାଯାଇଛି। ଗତକାଲି ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩ ଲକ୍ଷ ୭୧ ହଜାର ୩୯୫ ଟଙ୍କା ସହିତ ୭ଟି ରୂପା ଆଖି, ୧ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବାବେଳେ ଆଜି ମନ୍ଦିର ଭିତର ହୁଣ୍ଡିରୁ ୧ ଲକ୍ଷ ୬୩ ହଜାର ୯୬୮ ଟଙ୍କା ସହିତ ୨ଟି ରୂପାର ଆଖି ଏହିପରି ସର୍ବମୋଟ ୫ ଲକ୍ଷ ୩୫ ହଜାର ୩୬୩ ଟଙ୍କା ସଂଗ୍ରହ କରାଯାଇଥିବାର ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି।

କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, କମିଟିର ସଭ୍ୟ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ଥାନା ପୋଲିସ୍‌ ଶାନ୍ତନୁ ପଟ୍ଟନାୟକ, ପୂଜକ ବିନାୟକ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, ଫଟୋଗ୍ରାଫର ବ୍ରଜ କିଶୋର ଜେନା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ଶ୍ରୀଯୁକ୍ତ ବଡ଼ଜେନା ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଉକ୍ତ ହୁଣ୍ଡି ଦୁଇଟିକୁ ଖୋଲି ଥିଲେ।

ହୁଣ୍ଡିରୁ ସଂଗୃହୀତ ଅର୍ଥ ଓ ଅଳଙ୍କାର ମା’ ଙ୍କ ନୀତିକାନ୍ତି ଓ ସେବାରେ ବିନିଯୋଗ ହେବ। ଏଥିପାଇଁ ଦାତାମାନଙ୍କ ମଙ୍ଗଳ କାମନା କରି କମିଟି ତରଫରୁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ହେବ ଜବରଦଖଲ ମୁକ୍ତ, ଆରମ୍ଭ ହେଲା ପକ୍ରିୟା

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ରାଜ୍ୟ ସରକାର ଓଡିଶାର ଥିବା ବିଭିନ୍ନ ଧର୍ମପିଠଗୁଡିକର ନବୀକରଣ କାର୍ଯ୍ୟ ହାତକୁ ନେଉଛନ୍ତି। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମା ଭଗବତୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେବ। ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମନ୍ଦିରକୁ ଜବରଦଖଲ ମୁକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲି ଅପରାହ୍ନରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମା’ ଭଗବତୀ ମନ୍ଦିର ସମ୍ମୁଖରେ ପହଞ୍ଚି ଏନଏସି ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟର ଉପସ୍ଥିତିରେ ଆରଆଇ ଏବଂ ଅମିନଙ୍କ ସହଯୋଗରେ ସରକାରୀ ଜାଗା ଚିହ୍ନଟ କରିଥିଲେ।

ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ପତିତପାବନ ଦେବଙ୍କ ମଣ୍ଡପକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଭାବେ ମନ୍ଦିର ପାର୍ଶ୍ୱ ଏବଂ ସମ୍ମୁଖରେ ଥିବା କିଛି ଦୋକାନ ମଧ୍ୟ ଉଛେଦ ହୋଇପାରେ ବୋଲି ତହସିଲଦାର କହିଛନ୍ତି।

ଭଗବତୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ରାଜ୍ୟ ସରକାର 50 ଲକ୍ଷ ଟଙ୍କାର ଅନୁଦାନ ଦେଇସାରିଛନ୍ତି। ଜବରଦଖଲ ମୁକ୍ତ ପରେ ଉକ୍ତ ଟଙ୍କାକୁ ମନ୍ଦିରର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣରେ ବିନିଯୋଗ କରାଯିବ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁର: ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Categories
DurgaPuja2021 ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭେଟ ଉତ୍ସବ କ’ଣ?: ଜାଣନ୍ତୁ ଏହାର ଲୋକ କଥା ଓ ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।

ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।

ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଦଶହରା ଉପଲକ୍ଷେ ବାଣପୁର ବଜାରର ଏହି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମା’ ଭଗବତୀଙ୍କ ଭେଟ ଅମବାସ୍ୟା ଜାରି ରହିଛି। ଓଡିଶା ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଭେଟ ଅମବାସ୍ୟାରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେଉଛି। ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଖୀ ସ୍ଥାନୀୟ ପ୍ରଶାସନ ଏଭଳି ଭିଡକୁ ଏଡ଼େଇବା ପାଇଁ ତତ୍ପରତା ଦେଖାଇଛି। ଏନେଇ ବାଣପୁର ତହସିଲଦାର ଦଶହରା ଉପଲକ୍ଷେ ମା’ ଭଗବତୀଙ୍କ ରୀତିନୀତିକୁ ଦେଖି କରୋନା କଟକଣା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ଯାହାଫଳରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ବାଣପୁର ବଜାରରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ତଥା ୬ ତାରିଖଠାରୁ ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କଟକଣା ବଳବତ୍ତର ରହିବ। ଏହି ସମୟରେ ବାଣପୁର କଲେଜ ଛକ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିଭଳି ୧୪୪ ଧାରା ଲାଗୁ ହୋଇଥିବା ଅଞ୍ଚଳରେ ୨ ରୁ ଉର୍ଦ୍ଧ୍ଵ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ।

Categories
DurgaPuja2021 ଧର୍ମ ବିଶେଷ ଖବର

ଜାଣନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ବିଷୟରେ କଣ ରହିଛି ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କୁ ନେଇ ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ସହସ୍ରକୁମ୍ଭାଭିଷେକ ହୋଇ ଆରମ୍ଭ ହୋଇଥିବା ପାର୍ବଣର ପ୍ରଥମାର୍ଦ୍ଧ ପୂଜା ବା ଭିତର ପୂଜା ଅମାବାସ୍ୟା ଯାଏ ହୋଇଥାଏ। ଏହି ଦିନ ଗୁଡିକରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ତାଙ୍କର ପ୍ରଥମ ସେବକ ବଳିଜେନାଙ୍କ ସହିତ ବିରାଟ ଆଟୋପରେ ଶ୍ରୀଦକ୍ଷେଶ୍ୱରଙ୍କ ମନ୍ଦିରରୁ ବାହାରି ପାର୍ବଣ ପୂଜାଗୃହକୁ ଯାତ୍ରା କରିଥାନ୍ତି। ଏହି ସମୟରେ ବଳିଜେନାଙ୍କୁ ନେଇ ଦିନେ ଛଡା ଦିନେ ଏକ ସ୍ୱତନ୍ତ୍ର ବିଧାନ କରାଯାଇଥାଏ, ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ବଳିନାଟ’ କୁହାଯାଏ।

ଏହି ପ୍ରଥମାର୍ଦ୍ଧ ପୂଜା ମହାଳୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଭେଟ ଉତ୍ସବ ପରେ ଦେବି ବିରଜାଇ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବା ବେଳେ କାଠି ଠାକୁରାଣୀ ମା’ ଭଗବତୀ ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହିପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।

ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜାରେ ଦେବୀ କନକ ଦୁର୍ଗାଙ୍କ ସହିତ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ଓ ପୂର୍ବରୁ ନିମନ୍ତ୍ରିତ ହୋଇ ଆସିଥିବା ବାଣପୁର ପଶ୍ଚିମ ଦିଗ ରକ୍ଷାକାରିଣୀ ଦେବୀ ବିରଜାଇ, ପୂର୍ବ ଦିଗ ଅଧିଶ୍ୱେରୀ ଚିଲିକା ବିହାରିଣୀ ମା’ କାଳିଜାଇ,  ଉତ୍ତର ସୀମା ରକ୍ଷାକାରିଣୀ ସୋଲରି ପାହାଡ ବାସିନୀ ମା’ ସିଦ୍ଧାମ୍ବରି, ଦକ୍ଷିଣ ସୀମା ଅଧିଶ୍ୱେରୀ ଭାଲେରୀ ପାହାଡ଼ ସ୍ଥିତ ମା’ ନାରାୟଣୀ ଓ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରେ ଥିବା ଦେବୀ କନକ ଦୁର୍ଗାଙ୍କୁ ଆବାହନ କରାଯାଇ ଚକ୍ରପୂଜା ଅନୁଷ୍ଠିତ ହୋଇଥାଏ।

ଏହି ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀ ବା ମହାଷ୍ଟମୀ ଯାଏ ଚାଲିଥାଏ।ମହାନବମୀ ତିଥିରେ ମା’ ଭଗବତୀଙ୍କ ମୂଳ ପୀଠ ମନ୍ଦିରରେ ଉକ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ଶାରଦୀୟ ଦୁର୍ଗେ।ତ୍ସବର ଷୋଡଶ ଦିବସାତ୍ମକ ପୂଜା ସମାପନ ପରେ ଦଶହରା ବା ବିଜୟା ଦଶମୀ ଦିନ ନିମନ୍ତ୍ରିତ ହୋଇଥିବା ସମସ୍ତ ଦେବୀ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ପରିଶେଷରେ ମା’ ଭଗବତୀ ଓ ନରବଳୀର ପ୍ରତୀକ ବଳିଜେନା ମଧ୍ୟରେ କଉଡ଼ିଖେଳ ହୁଏ।ବଳିଜେନା ହାରିଯାଇ ପୁନର୍ବାର ଆସନ୍ତା ବର୍ଷ ମା’ ଙ୍କ ସେବା ପାଇଁ ପ୍ରତିଶ୍ରୁତି ଦେଇ ପାଳିଆ ସେବକମାନଙ୍କୁ ଭୋଜିରେ ଆପ୍ୟାୟିତ କରି ସ୍ବ-ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି।ଏଥିସହିତ ଏପରି ନିଆରା ପରମ୍ପରା ସହ ମା’ ଭଗବତୀଙ୍କ ପର୍ବ ସମ୍ପର୍ଣ୍ଣ ହୋଇଥାଏ।

Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ଦୀର୍ଘ ଆଠ ମାସ ପରେ ଖୋଲିଲା ମା’ ଭଗବତୀ ମନ୍ଦିରର ହୁଣ୍ଡି: ଜାଣନ୍ତୁ ଏଥର କେତେ ମିଳିଲା ଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଆଠ ମାସ ପରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ହୁଣ୍ଡି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପାଢ଼ୀ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ। ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୩୯ ହଜାର ୮ ଶହ ୮୯ ଟଙ୍କା ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ସମୟରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଆଇଆଇସି ରଶ୍ମିରଂଜନ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ବରିଷ୍ଠ ସେବାୟତ ଭାସ୍କର ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କମିଟି ସୂଚନା ଦେଇଛି। ତେବେ କରୋନା ମହାମାରୀ ଲାଗି ଦୀର୍ଘ ମାସ ଧରି ମନ୍ଦିର ବନ୍ଦ ଥିବାରୁ ଭକ୍ତଙ୍କ ଦାନ ପରିମାଣ କମିଯାଇଥିବାର ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଶେଷଥର ପାଇଁ ମା’ ଭଗବତୀଙ୍କ ହୁଣ୍ଡି ଗତ ବର୍ଷ ଡିସେମ୍ବର ମାସରେ ଖୋଲାଯାଇଥିବାବେଳେ ସମୁଦାୟ ୧ ଲକ୍ଷ ୩ ହଜାର ଟଙ୍କା ହୁଣ୍ଡୀରୁ ଆଦାୟ ହୋଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ
ଚିଲିକା: ଓଡ଼ିଶାର ପ୍ରତ୍ୟେକ ଶକ୍ତି ପୀଠରେ ଆଶ୍ୱିନ ଶୁକ୍ଳ ମୂଳାଷ୍ଟମୀ ଠାରୁ ଶାରଦୀୟ ପର୍ବ ଆରମ୍ଭ ହୋଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ବା ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଥିବା ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ଉକ୍ତ ଦିନ “ମା” ଷଷ୍ଠୀ ଦେବୀ ବା ଭାଗ୍ୟବିଧାତାର ଦେବୀ ଷଷ୍ଠୀ ଦେବୀ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ ସୋମବାର ଭାଦ୍ରବ କୃଷ୍ଣ ଲଳିତା ସପ୍ତମୀ ରାତିରେ ପାଳିଆ ମାଳି, ପୂଜକ, ଘଣ୍ଟୁଆ, କାହାଳିଆ, ମଶାଲଧାରୀ ପ୍ରଭୁତି ସେବକଙ୍କ ଗହଣରେ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ମନ୍ଦିରରୁ ବାହାରି ପୂର୍ବ ଦିଗକୁ ଯାତ୍ରା କରି ଚିଲିକା କୁଳରେ ବିଜେ ହୋଇଥିଲେ।

ସେଠାରୁ ନୌକା ଯୋଗେ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ନିର୍ଦ୍ଧାରିତ ବିଧି ଅନୁସାରେ ଆଜ୍ଞାମାଳ ଗ୍ରହଣ କରି ମା’ ଭଗବତୀ ଫେରିଥିଲେ। ଏହାକୁ ପାଣିତୋଳା ଉତ୍ସବ ବୋଲି କୁହାଯାଏ। ଫେରିବା ବାଟରେ ବାଲୁଗାଁ ଠାରେ ଶଙ୍ଖୁଡ଼ି ଭୋଗ ଖାଇବା ସହ ଜଣେ ପୁରାତନ ବାସିନ୍ଦାଙ୍କ ଦୁଆରେ ମୁଆଁ ଭୋଗ ଗ୍ରହଣ କରିଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡୁରୁପୁର ଠାରେ ପୁରୀ ଗଙ୍ଗାମାତା ମଠର ଏକ ଶାଖା ମଠରେ ବିଶ୍ରାମ ନେଇଥିଲେ।

 

ପାଟଣା ସାହିର ମୋହନ ଗୋ ସ୍ବାମୀଙ୍କ ବାସଭବନ ଭାବେ ପରିଚିତ କୋଠ ମଣ୍ଡପରେ ଭୋଗ ଗ୍ରହଣ କରି, ଅନ୍ତର କିଆରୀ ଗ୍ରାମରେ “ମା” ବିଜେ ହୋଇଥିଲେ। ସେଠାରେ ଗ୍ରାମଦେବୀଙ୍କ ପୀଠରେ ସମର୍ପିତ ନିଶଙ୍ଖୁଡ଼ି ଭୋଗ ଗ୍ରହଣ କରି ମଙ୍ଗଳବାର ସକାଳ ସମୟରେ ଦକ୍ଷେଶ୍ୱର ମନ୍ଦିରକୁ ଫେରି ଆସିଥିଲେ।ଆଜି ଅଷ୍ଟମୀ ତିଥିରୁ ଭଗବତୀଙ୍କ ପୀଠରେ ଆରମ୍ଭ ହୁଏ ଶୟନାଷ୍ଟମୀ ବା ଶ୍ରୀ ଦୁର୍ଗା ଶୟନ। ପରେ ପାର୍ଶ୍ୱ ପରିବର୍ତ୍ତନ ଓ ଦେବୀ ଉତ୍ଥାପନ।ଯାହାକି ସହସ୍ରାକୁମ୍ଭାଭିଷେକ ହୋଇ ମୂଳାଷ୍ଟମୀ ଠାରୁ ମହା ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ ଷୋଡଶ ଦିବସାତ୍ମକ “ମା”ଙ୍କର ଶାରଦୀୟ ଦୁର୍ଗୋତ୍ସବ।

ଏହି ଉତ୍ସବରେ ଯୋଗ ଦେବାପାଇଁ ମା’ ଭଗବତୀ ଚୈତ୍ର କୃଷ୍ଣ ଅଶୋକାଷ୍ଟମୀରେ ଦକ୍ଷିଣ ଦିଗ ବାସିନୀ ଭାଲେରି ପାହାଡ଼ ସ୍ଥିତ ମା’ ନାରାୟଣୀଙ୍କୁ, ମହାବିଷୁବ ସଂକ୍ରାନ୍ତି ଦିନ ଉତ୍ତରଦିଗ ବାସିନୀ ସୋଲାରୀ ପାହାଡ଼ରେ ଥିବା ମା ସିଦ୍ଧାମ୍ବରୀଙ୍କୁ, ଲଳିତା ସପ୍ତମୀରେ ମା କାଳିଜାଇଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଶ୍ୱିନ ଅମାବାସ୍ୟା ଦିନ ପଶ୍ଚିମ ଦିଗ ରକ୍ଷାକାରିଣୀ ମା’ ବିରଜାଇଙ୍କୁ ନିମନ୍ତ୍ରଣ କରିଥାନ୍ତି। ଏହା ବାଣପୁର ଅଂଚଳରେ ଭେଟ ଅମାବାସ୍ୟା ଭାବେ ବେଶ୍ ସୁଖ୍ୟାତ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରତାପ ସ୍ପୋର୍ଟ୍ସ କ୍ଲବ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଛତିଶଗଡର ବୀଜାପୁର ଠାରେ ନକ୍ସଲ ଆକ୍ରମଣରେ ଦେଶର ୨୨ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶ ସ୍ତବ୍ଧ ଏବଂ ଦୁଃଖିତ ଅଛି।

ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ନିରବ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ବାଣପୁର ବ୍ଲକ ଅନ୍ତର୍ଗତ ପ୍ରତାପ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠିତ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଉକ୍ତ ଶ୍ରଦ୍ଧାଞ୍ଜଳି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସଂଗଠନର ପ୍ରାୟ ଚାଳିଶରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ମାନେ ପ୍ରଥମେ ପ୍ରତାପ ଗ୍ରାମର ମା’ ଶୁଳିଆ ଦେବି ଏବଂ ବୁଢ଼ୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ସହିଦ ହୋଇଥିବା ୨୨ ଜଣ ଯବାନ ମାନଙ୍କପାଇଁ ୨୨ ଗୋଟି ପ୍ରଦୀପ ପ୍ରଜ୍ବଳନ କରି ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ଏହାପରେ କର୍ମକର୍ତ୍ତା ମାନେ ପ୍ରତାପ ଗ୍ରାମ ପରିକ୍ରମା କରି ବାଣପୁର ଅଭିମୁଖେ ବାହାରିଥିଲେ। ବାଣପୁର ଗୋବିନ୍ଦପୁର ଛକଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ମାନେ ହାତରେ କ୍ୟାଣ୍ଡେଲ ଧରି ନୀରବ ଭାବେ ପଦଯାତ୍ରା କରିଥିଲେ। ପରିଶେଷରେ ମା’ ଭଗବତୀଙ୍କ ନିକଟରେ ଦୀପଦାନ କରି ସହିଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ଗୌରାଙ୍ଗ ଚରଣ ସ୍ୱାଇଁ, ଉପ ସଭାପତି ମିହିର ସ୍ୱାଇଁ, ସମ୍ପାଦକ ଦୀପକ ସ୍ୱାଇଁ, ସାଧାରଣ ସମ୍ପାଦକ ପିଣ୍ଟୁ ବଳିୟାରସିଂହ, ସଂଚାଳକ ସାନୁ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ମା’ ଭଗବତୀଙ୍କ ନିକଟରେ କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ

ସୀତାରାମ ଅଗ୍ରୱାଲ

ବାଣପୁର: ୨୦୧୯ ପେବୃଆରୀ ୧୪ ଭାରତ ପାଇଁ ଥିଲା ଏକ କଳାଦିନ। ପାକିସ୍ତାନ ଆତଙ୍କବାଦୀଙ୍କ ଭୀରୁତାପୁର୍ଣ୍ଣ ଆକ୍ରମଣରେ ଭାରତର ୪୦ ଯବାନ ଶହୀଦ ହୋଇଥିଲେ। ପ୍ରତି ଭାରତୀୟଙ୍କ ଆଖିରୁ ସେହିଦିନ ଲୁହ ଝରି ଆସିଥିଲା। ସେହି ଶହୀଦ ଯବାନଙ୍କୁ ମନେପକାଇ,ଏବଂ ସେମାନଙ୍କ ସମ୍ମାନାର୍ଥେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ପ୍ରତାପ ଗ୍ରାମର “ପ୍ରତାପ ସ୍ପୋର୍ଟସ୍ କ୍ଲବ୍” ପକ୍ଷରୁ ବାଣପୁର ଅଧିଷ୍ଠାତ୍ରୀ ଦେବୀ “ମା” ଭଗବତୀଙ୍କ ନିକଟରେ କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କରାଯାଇଅଛି।

ପ୍ରଥମେ କ୍ଲବ୍ ର ସମସ୍ତ ସଦସ୍ୟ ମାନେ ଗ୍ରାମ ପରିକ୍ରମା କରିବା ପରେ ଏକ ମୋଟର ସାଇକେଲ ରାଲି ଜରିଆରେ ମାଆ ଭଗବତୀଙ୍କ ପୀଠକୁ ଯାଇଥିଲେ।ଏବଂ ଭାରତର ପୁଲୱାମାରେ ଶହୀଦ ହୋଇଥିବା ୪୦ ଶହୀଦଙ୍କ ଉଦ୍ଧେଶ୍ୟରେ ଶ୍ମରଣରେ ୪୦ଟି କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କରି ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ଗୋଦାବରୀଶ ମହାବିଦ୍ୟାଳୟ ୪୦ ସକ୍ରିୟ ସ୍କାଉଟ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଭାପତି ଗୌରାଙ୍ଗ ସ୍ବାଇଁ, ସମ୍ପାଦକ ଶ୍ରୀକାନ୍ତ ରାଉତରାୟ, ସଞ୍ଚାଳକ ଦୀପକ ସ୍ବାଇଁ ,ପ୍ରଦୀପ ସାସମଲ, ମିହିର ସ୍ବାଇଁ, ବସନ୍ତ ସ୍ବାଇଁ, ସାନୁ ବେହେରା ଓ ରାମକୃଷ୍ଣ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିବାବେଳେ କ୍ଳବ ର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମୁକ୍ତି ଲାଭ କଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ନୂତନ ଭଜନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଗୁଣଗାଥା ଉପରେ ଆଧାରିତ “ଦୁଃଖ ନାଶିନୀ ମା’ ଭଗବତୀ” ନାମକ ଏକ ସୁନ୍ଦର ଭଜନ ମୁକ୍ତି ଲାଭ କରିଛି। ଯାହାକି ଏସକେଜେ ପ୍ରଡସ୍କନ ୟୁଟୁବ ଚ୍ୟାନେଲ ମଧ୍ୟମରେ ପ୍ରସାରିତ ହୋଇଛି।

ବୋରିଗାଁ ଗ୍ରାମର ରାଜା ଜେନାଙ୍କ ପ୍ରଯୋଜନାରେ ଏହି ଭଜନଟି ପ୍ରସ୍ତୁତ ହୋଇଛି। ସୋରଡ଼ା ମାଟିର ସୁପରିଚିତ କଣ୍ଠଶିଳ୍ପୀ ପିତାମ୍ବର ଗୌଡ଼ ଏହି ଭଜନରେ କଣ୍ଠ ଦାନ କରିଛନ୍ତି। କିରଣ ମୁଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ଗଙ୍ଗାଧର ଦଳାଇ ଓ ସସ୍ମିତା ସାହୁ ଭଜନ ଲେଖିଛନ୍ତି ଏବଂ ମନୋଜ ଗୌଡ଼ ଏହାକୁ ସମ୍ପାଦନ କରିଛନ୍ତି।

ଏହି ଭଜନଟି ମୁକ୍ତିଲାଭ ହେଲା ପରେ ଏସକେଜେ ପ୍ରଡ଼କ୍ସନର ଟିମ୍ କହିଛି ଯେ, ମହାମାରୀ କରୋନା ସମସ୍ତଙ୍କ ସୁଖ ଓ ଜୀବିକା ହରାଇ ନେଲେ ମଧ୍ୟ ମା’ ଙ୍କ କୃପାରୁ ଭଜନଟି ପ୍ରସାରିତ ହୋଇପାରିଛି। ମା’ ଭଗବତୀଙ୍କ ସୁନ୍ଦର ଭଜନଟି ଶ୍ରୋତାମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରୁଛୁ। ଏହି ବର୍ଷ ଭଳି ପ୍ରତି ବର୍ଷରେ ମା’ ଙ୍କର ଗୋଟିଏ ସୁନ୍ଦର ଭଜନ ଆପଣ ମାନଙ୍କ ସମ୍ମୁଖରେ ପ୍ରସାରିତ କରିବୁ। ତେଣୁ ଭଜନଟିକୁ ଶୁଣି ମା’ ଙ୍କର କୃପା ଲାଭ କରନ୍ତୁ ବୋଲି ଏସକେଜେ ପ୍ରଡ଼କ୍ସନର ଟିମ୍ କହିଛି।

ନିମ୍ନରେ ଥିବା ଲିଙ୍କଟିକୁ କ୍ଲିକ କରି ମା’ ଙ୍କ ଭଜନଟିକୁ ଶୁଣିପାରିବେ-

Categories
ଆଞ୍ଚଳିକ

ବାଣପୁର ମା’ ଭଗବତୀଙ୍କ ଦର୍ଶନ କଲେ ଭାରତୀୟ ରେଳବାଇ ନିରାପତ୍ତା ମୁଖ୍ୟ କମିଶନର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ପୀଠ ଅନ୍ୟତମ। ସେଇ “ମା” ଭଗବତୀଙ୍କ ଦର୍ଶନ ପାଇବା ପାଇଁ ଭକ୍ତ ଯେ ସଦା ବ୍ୟାକୁଳ।

ସେହି ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନରେ ହଠାତ ଭାରତୀୟ ରେଳବାଇ ନିରାପତ୍ତା ମୁଖ୍ୟ କମିଶନର ଶୈଳେଶ କୁମାର ପାଠକ ଓ ତାଙ୍କ ପରିବାର ସଦସ୍ୟ ମା’ ଭଗବତୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।

ମା’ ଙ୍କ ଦର୍ଶନ କରି ଶ୍ରୀ ପାଠକ ଏକ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ରହି ଅତି ଉତ୍ସାହିତ ସହାକାରେ ମା’ ଙ୍କ ଭୋଗପ୍ରସାଦ ସେବନ କରି ମନ୍ଦିର ପରିସରରେ ପ୍ରାୟ ଏକଘଣ୍ଟା ରହିଥିଲେ। ଏବଂ ଏହି ସମୟ ମଧ୍ୟରେ ମନ୍ଦିର ସେବାୟତ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହ ମନ୍ଦିର କିମ୍ବଦନ୍ତୀ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ। ଆଜିର ଏହି ଦର୍ଶନ ଏକ ଅଦ୍ଭୂତପୂର୍ବ ଓ ଏକ ନିଆରା ଅନୁଭବର ଅନୁଭୂତି ବୋଲି ପରିପ୍ରକାଶ କରିଥିଲେ ଶ୍ରୀ ପାଠକ।

Categories
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଣପୁର ଏବିଭିପି ତରଫରୁ ମା’ ଭଗବତୀଙ୍କ ନିକଟରେ ଦ୍ବୀପଦାନ

ସୀତାରାମ ଅଗ୍ରୱାଲ 

ବାଣପୁର: ଲୌହମାନଵ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ସମଗ୍ର ଦେଶରେ ପାଳନ କରାଯାଏ। ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଦେଶର କୋଣ ଅନୁକୋଣରେ ରାଷ୍ଟ୍ରୀୟ ଏକତା ଦିବସ ଧୂମଧାମରେ ପାଳନ ହୋଇଥାଏ। ଆଜି ସମଗ୍ର ଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମଧ୍ୟ କରୋନା କଟକଣା ମାନି ଏହି ଦିବସକୁ ପାଳନ କରୁଛି।

ଏହି ପରିପ୍ରେକ୍ଷୀରେ ଆଜି ଏବିଭିପି ବାଣପୁର ଶାଖା ତରଫରୁ ସ୍ୱଳ୍ପ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି। କାର୍ଯ୍ୟକର୍ତ୍ତା ମାନେ ମା’ ଭଗବତୀଙ୍କ ନିକଟରେ ସାରା ବିଶ୍ୱରୁ କରୋନା ଦୂର ହେଉ ଏବଂ ସମଗ୍ର ଭାରତୀୟ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ଉଦ୍ଦେଶ୍ୟରେ ସଂକଳ୍ପ ନେଇଥିଲେ। ଏହା ସହିତ ମା’ ନିକଟରେ ସାମୁହିକ ଭାବେ ଦ୍ବିପଦାନ କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୩୧ ରେ ଏବିଭିପି ବାଣପୁର ପକ୍ଷରୁ ଗଣଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ମହାମାରୀ ଲାଗି କୌଣସି କାର୍ଯ୍ୟକ୍ରମ ନକରି କେବଳ ମା’ ଭଗବତୀଙ୍କ ନିକଟରେ ସମଗ୍ର ବିଶ୍ୱରୁ କରୋନା ଲୋପପାଇବା ଉଦ୍ଦେଶ୍ୟରେ ପ୍ରାର୍ଥନା କରାଗଲା ବୋଲି ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ସୂଚନା ଦେଇଛନ୍ତି।

ମା’ ଭଗବତୀଙ୍କ ଅଙ୍ଗଲାଗି ସେବକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସହିତ କରିଥିଲେ। ସର୍ଦ୍ଦାର ପଟେଲଙ୍କ ପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଭାରତୀୟ ବର୍ତ୍ତମାନ ଏକ ହୋଇ କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛନ୍ତି। ଏବଂ ନିଶ୍ଚିତ ଭାବେ ଏହି ଯୁଦ୍ଧରେ ବିଜୟୀ ହେବେବୋଲି ଶ୍ରୀଯୁକ୍ତ ନାୟକ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୀର୍ତ୍ତିରାଜ ହରିଚନ୍ଦନ, ଆଶାତୀତ ସାହୁ, ସିଦ୍ଧାର୍ଥ ବାରିକ, ସୋମନାଥ ପଣ୍ଡା, ସମ୍ବିତ ସାମନ୍ତରାୟ ଆଦି କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ କଲା ବାଣପୁର ବିଜୁ ଜନତା ଦଳ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଅଛନ୍ତି। ଏହି ଖବର ତାଙ୍କର ହଜାର ହଜାର ଅନୁଗାମୀମାନଙ୍କୁ ବ୍ୟଥିତ କରିଛି। ସେପ୍ଟେମ୍ବର ୨୮ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଓଡିଶା ବିଧାନସଭାର ୧୨ ଜଣ ବିଧାୟକ ଏବଂ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ଠାରୁ ବିଧାୟକ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ପ୍ରତିଦିନ ନିଜର ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ବହୁ କର୍ମୀମାନେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ତଥା ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ବିଜୁ ଜନତା ଦଳ ତରଫରୁ ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନାକରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ ଓ ପ୍ରାର୍ଥନା କରାଯାଇଥିଲା।

ବିଧାୟକ ଶୀଘ୍ର କରୋନାରୁ ସୁସ୍ଥ ହୋଇ ଚିଲିକା ନିର୍ବାଚନମଣ୍ଡଳୀରେ ବିଗତ ଏକ ବର୍ଷ ମଧ୍ୟରେ କରିଥିବା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ଶେଷଦେବ ପ୍ରଧାନ ମା’ ଭଗବତୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏଥି ସହ ଚିଲିକା ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ବିଧାୟକଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

ସାମୂହିକ ଦ୍ବୀପ ଦାନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକଙ୍କ ପ୍ରତିନିଧି ଗୋପୀନାଥ ମହାରଣା, ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋଜ ପ୍ରଧାନ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକର ବରିଷ୍ଠ ବିଜେଡି ନେତା ଦିବାକର ଶାସମଲ୍, ଯୁବ ନେତା ନିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଂଜିତ ନାୟକ, ସମ୍ବିତ ବରାଳ, ଅଶୋକ ନରେନ୍ଦ୍ର ସିଂ ଏବଂ ବହୁ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଯୋଧ୍ୟା ରାମମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ମା’ ଭଗବତୀ ଶକ୍ତିପୀଠରୁ ସଂଗ୍ରହ ହେଲା ମୃର୍ତ୍ତିକା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨:୩୦ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ କରିବେ। ଭବ୍ୟ ରାମ ମନ୍ଦିରର ଭୂମି ପୂଜା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦେଶର ୧୧ ଟି ଧାର୍ମିକ ସ୍ଥଳରୁ ମୃର୍ତ୍ତିକା ସଂଗ୍ରହ କରିଛି। ଏହି କ୍ରମରେ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଶକ୍ତିପୀଠରୁ ଆଜି ମୃର୍ତ୍ତିକା ସଂଗ୍ରହ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ତରଫରୁ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭୂମି ପୂଜନ ପାଇଁ ମା ଭଗବତୀଙ୍କ ଶକ୍ତି ପୀଠରୁ ମୃର୍ତ୍ତିକା ସଂଗ୍ରହ କରାଯାଇଛି। କରୋନା କଟକଣାକୁ ଦୁଷ୍ଟିରେ ରଖି ସାମାଜିକ ଦୂରତା ମାନି ଉକ୍ତ ମୃର୍ତ୍ତିକାକୁ ଦ୍ରୁତ ଡାକ ମାଧ୍ୟମରେ ପଠାଯାଇଛି।

ଭାରତରେ ମୋଟ୍‌ ୫୨ ଟି ଶକ୍ତିପୀଠ ମଧ୍ୟରୁ ଓଡ଼ିଶାରେ ସମୁଦାୟ ୮ଟି ଶକ୍ତି ପୀଠ ରହିଛି। ଏହି ଶକ୍ତିପୀଠ ମଧ୍ୟରୁ ବାଣପୁରସ୍ଥିତ ମା ଭଗବତୀଙ୍କ ପୀଠ ଅନ୍ୟତମ। ଏଠାକାର ପୂଜା ପଦ୍ଧତି ଅନ୍ୟ ଶକ୍ତି ପୀଠ ମାନଙ୍କଠାରୁ ଟିକେ ଅଲଗା। ବାଣପୁର ବାସିନୀ ମା’ଭଗବତୀଙ୍କ ପୀଠ ତନ୍ତ୍ରପୂଜା ତଥା ବାମାଚାର ପୂଜା ପାଇଁ ଖୁବ୍ ପ୍ରସିଦ୍ଧ। ସମସ୍ତ ଶକ୍ତି ପୀଠ ମାନଙ୍କରେ ୧୬ ଉପଚାରରେ ମା’ଙ୍କର ପୂଜା କରାଯାଉଥିବା ବେଳେ ଏଠାରେ କିନ୍ତୁ ୬୪ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ।

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନରେ ଭଗବତୀଙ୍କ ମୃର୍ତ୍ତିକାକୁ ସାମିଲ୍‌ କରାଯାଇଥିବା ନେଇ ବାଣପୁର ଓ ଚିଲିକାବାସୀ ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡକୁ ପ୍ରଶଂସା କରିବା ସହିତ ଏହା ସମଗ୍ର ବାଣପୁର ଓ ଚିଲିକାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହି ଅବସରରେ ଚିଲିକା ପ୍ରଖଣ୍ଡର କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।