ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାଣପୁର ମା’ ଭଗବତୀଙ୍କ ପ୍ରସିଦ୍ଧ ଭେଟ ଅମାବାସ୍ୟା ଉତ୍ସବ

Published: Oct 15, 2023, 11:16 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା।

ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର ପୂଜା ଆରାଧନା କରିବା ସହ ପରମ ଭକ୍ତ ମଧ୍ୟ ଥିଲେ। ମା’ଙ୍କର ପୂଜା ବିଧିସହ ମନ୍ଦିରର ସମସ୍ତ ଦାଇତ୍ୱ ବୁଝୁଥିଲେ। ସେହି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଭେଟେଶ୍ୱର ଠାରେ ଉଭୟ ଠକୁରାଣୀଙ୍କର ଏହି ମିଳନ ଯାତ୍ରା ଅନୁଷ୍ଠିତ ହେଉଥିଲା।

କାଳକ୍ରମେ ତାହା ପରିବର୍ତ୍ତନ ହୋଇ ଏହି ଭେଟ ଯାତ୍ରା ବାଣପୁର ବଜାରରେ ପାଳନ ହେଉଛି। ଉଭୟ ଠାକୁରାଣୀଙ୍କର ଭେଟ ହେଲା ପରେ ଉଭୟ ଭଉଣୀ ବାହାର ପୂଜା ପାଇଁ ମା ଙ୍କର ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ସମ୍ମୁଖରେ ଥିବା ସାତ ବଖରା ଘରକୁ ଗମନ କରିଛନ୍ତି।

ବହୁ ସଂଖ୍ୟାରେ ଜନ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିଲା। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଉତ୍ସବ ସ୍ଥଳରେ ଉପସ୍ଥିତ ରହି ମା’ ଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିଥିଲେ।

Related posts