Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାଣପୁର ମା’ ଭଗବତୀଙ୍କ ପ୍ରସିଦ୍ଧ ଭେଟ ଅମାବାସ୍ୟା ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା।

ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର ପୂଜା ଆରାଧନା କରିବା ସହ ପରମ ଭକ୍ତ ମଧ୍ୟ ଥିଲେ। ମା’ଙ୍କର ପୂଜା ବିଧିସହ ମନ୍ଦିରର ସମସ୍ତ ଦାଇତ୍ୱ ବୁଝୁଥିଲେ। ସେହି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଭେଟେଶ୍ୱର ଠାରେ ଉଭୟ ଠକୁରାଣୀଙ୍କର ଏହି ମିଳନ ଯାତ୍ରା ଅନୁଷ୍ଠିତ ହେଉଥିଲା।

କାଳକ୍ରମେ ତାହା ପରିବର୍ତ୍ତନ ହୋଇ ଏହି ଭେଟ ଯାତ୍ରା ବାଣପୁର ବଜାରରେ ପାଳନ ହେଉଛି। ଉଭୟ ଠାକୁରାଣୀଙ୍କର ଭେଟ ହେଲା ପରେ ଉଭୟ ଭଉଣୀ ବାହାର ପୂଜା ପାଇଁ ମା ଙ୍କର ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ସମ୍ମୁଖରେ ଥିବା ସାତ ବଖରା ଘରକୁ ଗମନ କରିଛନ୍ତି।

ବହୁ ସଂଖ୍ୟାରେ ଜନ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିଲା। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଉତ୍ସବ ସ୍ଥଳରେ ଉପସ୍ଥିତ ରହି ମା’ ଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁର: ଅବହେଳିତ ଅବସ୍ଥାରେ ମା’ ବିରଜାଈଙ୍କ ପୀଠ, କେବେ ପଡ଼ିବ ସରକାରଙ୍କ ଶୁଭଦୃଷ୍ଟି?

ସୀତାରାମ ଅଗ୍ରୱାଲ

ବାଣପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଚଳନ୍ତି ପ୍ରତିମା ମା’ ବିରଜାଈ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ମଧ୍ୟରେ ନୀଳାଦ୍ରି ପ୍ରସାଦରେ କେଉଁ ଆଦିମ କାଳରୁ ପୂଜା ପାଉଛନ୍ତି। କିନ୍ତୁ ଏବେ ଏହି ସ୍ଥାନ ଅବହେଳିତ ଅବସ୍ଥାରେ ପଡି ରହିଛି। ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ମନ୍ଦିର।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ସର୍ବ ପ୍ରାଚୀନ ସାଂସ୍କୃତିକ ଓ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ସହର। ସାରା ରାଜ୍ୟରେ ସୁପରିଚିତ ଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ମା’ ଭଗବତୀ ମନ୍ଦିର। କିନ୍ତୁ ଏହି ମନ୍ଦିର ଠାରୁ ଆହୁରି ପ୍ରାଚୀନ ତଥା ମା’ ଭଗବତୀଙ୍କ ବଡ଼ ଭଉଣୀ ହେଉଛନ୍ତି ମା’ ବିରଜାଈ। ମା’ ବିରଜାଈଙ୍କ ସମ୍ପର୍କରେ ଇତିହାସ ରହିଛି।

ବାଣପୁରର ପ୍ରଥମ ରାଜା ଯଦୁରାଜ ମାନସିହଂ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଯାଜପୁର ସ୍ଥିତ ମା’ ବିରଜା ଓ ବାଣପୁର ସ୍ଥିତ ମା’ ବିରଜାଈଙ୍କ ମଧ୍ୟରେ ସମସ୍ତଙ୍କୁ ଆଚମ୍ବିତ କଲାପରି ଏକ ସୁନ୍ଦର ଲୋକ କଥା ରହିଛି।  ଯାଜପୁର ଅଞ୍ଚଳର ରାଜାଙ୍କୁ ମାରିବା ପାଇଁ ଏକ ଉଆଁସ ଷଡଯନ୍ତ୍ର କରାଯାଇଥିଲା। ସେହି ସମୟରେ ରାଜା ଯଦୁରାଜ ମାନସିହଂଙ୍କୁ ମା’ ବିରଜା ସ୍ଵପ୍ନାଦେଶ ହୋଇ କହିଲେ, ଆଜି ରାତିରେ ତୁ ମୋର ବିଜେ ପ୍ରତିମାକୁ ନେଇ ତୁରନ୍ତ ଏହି ସ୍ଥାନ ଛାଡି ଅନ୍ୟତ୍ର ପଳାଇଯା। ଆଉ ଯେଉଁଠି ସକାଳ ପାଇବ ସେଠାରେ ମୋତେ ସ୍ଥାପନ କରିଦେବୁ। ମା’ ଙ୍କ ସ୍ଵପ୍ନାଦେଶ ଅନୁଯାୟୀ, ରାଜା ବିଜେ ପ୍ରତିମା ଧରି ଦକ୍ଷିଣ ଦିଗକୁ ପଳାଇ ଆସିଥିଲେ। ବାଣପୁର ନୀଳାଦ୍ରି ଅଞ୍ଚଳରେ ସକାଳ ପାଇ ଯିବାରୁ ରାଜା ସେଠାରେ ମା’ଙ୍କୁ ସ୍ଥାପନା କରାଇଥିଲେ। ସେଠାକାର କନ୍ଧ ଆଦିବାସୀ ସମ୍ପ୍ରଦାୟ ଲୋକ ମାନେ ଯଦୁରାଜ ମାନସିହଂ ରାଜାଙ୍କୁ ସେଠାର ରାଜା ଭାବରେ ଗ୍ରହଣ କରିନେଲେ। ସେହି ଦିନ ଠାରୁ ଏଠାରେ ମା’ ବିରଜାଈ ପୂଜା ପାଇ ଆସୁଛନ୍ତି ବୋଲି ସ୍ଥାନୀୟ ଐତିହାସିକ ଡକ୍ଟର ସତ୍ୟ ଷଡ଼ଙ୍ଗୀ କୁହନ୍ତି।

ମା’ ବିରଜାଈଙ୍କ ସହ ମା’ ଭଗବତୀଙ୍କର ରହିଛି ମିଳିତ ପାରମ୍ପରିକ ରୀତିନୀତି। ମା’ ବିରଜାଈଙ୍କୁ ମା’ ଭଗବତୀଙ୍କ ବଡ ଭଉଣୀ ବୋଲି କୁହାଯାଏ। ମହାଳୟା ଅମବାସ୍ୟା ଦିନ ମା’ ବିରଜାଈ ଓ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ବିରାଟ ପଟୁଆରରେ ଦୁଇ ଭଉଣୀଙ୍କର ଭେଟ ହୁଅନ୍ତି। ମହାଳୟା ଅମବାସ୍ୟାକୁ ଭେଟ ଅମାବାସ୍ୟା ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଏହା ବାଣପୁରର ସ୍ଵତନ୍ତ୍ରତା। ଆଉ କେଉଁଠାରେ ଏଭଳି ଭେଟ ଅମାବାସ୍ୟା କଥା ଶୁଣିବାକୁ ମିଳେନି।

ଆମ ପିଢ଼ି ପରେ ପିଢ଼ି ମା’ ବିରଜାଈଙ୍କର ସେବା କରି ଆସୁଛୁ। ମା’ ଙ୍କର ମୁଖ୍ୟ ପର୍ବ ମକର ସଂକ୍ରାନ୍ତିରେ ମକର ମେଳା। ତାହା ସହ ଦଶହରା ଓ ଦୀପାବଳୀ। ମା’ ଙ୍କର ସକାଳେ ରାଶିତେଲ, ହଳଦୀ ଓ ସିନ୍ଦୁରରେ ମାଜଣା କରାଯାଇ ପଣା ପୂଜା ହୁଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ ବୋଲି ମା’ ଙ୍କ ପୂଜକ ସୁର ପରିଛା କହିଛନ୍ତି।

ରାଜ୍ୟ ଓ ରାଜ୍ୟ ବାହାରୁ ବାଣପୁରକୁ ଭକ୍ତ ଓ ପର୍ଯ୍ୟଟକ ବର୍ଷ ତମାମ ଆସନ୍ତି। କିନ୍ତୁ ଏତେ ଉଚ୍ଚ କୋଟିର ଐତିହାସିକ ମା’ ବିରଜାଈଙ୍କ ପୀଠ ଥିଲେ ସୁଦ୍ଧା ତାର ପ୍ରଚାର ପ୍ରସାର ହୋଇପାରିନାହିଁ । ମନ୍ଦିର ପ୍ରବେଶ ପଥରେ ସରକାରୀ ନାମ ଫଳକ ଟିଏ ବି ନାହିଁ। ପିଇବା ପାଣି, ଯାତ୍ରୀଙ୍କ ଶୌଚାଳୟ ନଥିବାରୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ମାନେ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି। ତାହା ସହ ମନ୍ଦିର ଚର୍ତୁପାର୍ଶ୍ୱ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏଣୁ ମା’ଙ୍କ ପୀଠ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ ହେଉ ବୋଲି ସରକାରଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ଦୀର୍ଘ ୯ ମାସ ଅପେକ୍ଷା ପରେ ବାଣପୁରରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଦିନର ଅପେକ୍ଷା ପରେ ଜାନୁଆରୀ ୩ ତାରିଖରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର। ବାଣପୁର ତହସିଲଦାର ମନ୍ମଥ ବେହେରା ସୂଚନା ଦେଇଛନ୍ତି।

କରୋନା କଟକଣାକୁ ନଜରରେ ରଖି ଆଜି ଏକ ଆଞ୍ଚଳିକ ଆଲୋଚନା ପାଇଁ ବ୍ଲକ ମିଟିଙ୍ଗ ହଲରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ତଥା ବି. ଡି.ଓ  ଡ.ଶୁଭଶ୍ରୀ ତ୍ରିପାଠୀ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଏ. ବି.ଡ଼ି. ଓ. ସୀମାଦ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷା ରଞ୍ଜୀତା ସେଠି, ପୋଲିସ ଏସ. ଆଇ. ବିଜୟ ମଲ୍ଲିକ, ପଂଚାୟତର ସରପଞ୍ଚ, ଅମିନ ଓ ବାଣପୁରର ବୁଦ୍ଧିଯିବି ମାନଙ୍କ ଉପସ୍ଥିତରେ ମନ୍ଦିର ଖୋଲିବା ନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ତହସିଲଦାର।

ମା ଭଗଵତୀଙ୍କ ମନ୍ଦିର ସହ ରଙ୍କନାଥ ଦେବ, ଦକ୍ଷେଶ୍ୱର ମନ୍ଦିର, ମା’ ବିରଜାଈ, ବରବରା ସ୍ଥିତ ମା’ ତାରିଣୀ, ଖିଲାମୁଣ୍ଡା ଓ ବାଣପୁରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ସହ ପ୍ରତ୍ୟେକ୍ଷ ଭାବେ ଅଞ୍ଚଳବାସୀଙ୍କ ସହଯୋଗର କାମନା କରିଥିଲେ ତହସିଲଦାର। ଭକ୍ତଜନଙ୍କ ବହୁଦିନର ପ୍ରତୀକ୍ଷା ଓ ବ୍ୟାକୁଳତା ଭଗବାନ ଶୁଣିପାରିଲେ। ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରିବା ଖବର ଶୁଣି ଅଞ୍ଚଳବାସୀ ମନରେ ଖୁସିର ବାତାବାରଣ ସୃଷ୍ଟି ହୋଇଛି।