Categories
ଆଞ୍ଚଳିକ

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତିଲେ ଯାତ୍ରୀ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ଫସି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।ଖବର ମୁତାବକ ଆଜି ସକାଳେ ଗଞ୍ଜାମ ଜିଲ୍ଲାର ୬ ଜଣ ଯାତ୍ରୀ ବାଲୁଗାଁ ଜେଟି ଠାରୁ ମା କାଳିଜାଇ ଦର୍ଶନ କରିବା ନିମନ୍ତେ ଏକ ପ୍ରାଇଭେଟ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଚଢେଇ ଗୁହା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଥିଲା।

ଖବର ପାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ମା କାଳିଜାଇଙ୍କ ଦର୍ଶନ କରେଇବା ସହ ସୁରକ୍ଷିତ ଭାବେ ଛଡ଼ାଯାଇଥିବା ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଗସ୍ତରେ ତ୍ରିପୁରା ରାଜ୍ୟପାଳ, କଲେ ମା’ କାଳିଜାଇ ଦର୍ଶନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ନାଲୁ ଇନ୍ଦ୍ରସେନ ରେଡ୍ଡୀ ନିଜ ପତ୍ନୀଙ୍କ ସହ ଚିଲିକା ଗସ୍ତରେ ଆସିଛନ୍ତି। ଶ୍ରୀ ରେଡ୍ଡୀଙ୍କ ଓଡିଶାରେ ତିନି ଦିବାସୀୟ ଗସ୍ତର ଆଜି ଶେଷ ଦିବସ ହୋଇଥିବାବେଳେ ଚିଲିକା ହ୍ରଦ ବଡ଼କୁଳ ପାନ୍ଥନିବାସ ରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଏହାପରେ ରାଜ୍ୟପାଳ ଓଟିଡ଼ିସି ର ସ୍ୱତନ୍ତ୍ର ବୋଟ ଜରିଆରେ ମା’ କାଳିଜାଇ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ଦର୍ଶନ ସାରି ପୁଣି ପାନ୍ଥନିବାସ ଫେରିବେ ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱର ଓଡିଶା ରାଜଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାଣପୁର ମା’ ଭଗବତୀଙ୍କ ପ୍ରସିଦ୍ଧ ଭେଟ ଅମାବାସ୍ୟା ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା।

ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର ପୂଜା ଆରାଧନା କରିବା ସହ ପରମ ଭକ୍ତ ମଧ୍ୟ ଥିଲେ। ମା’ଙ୍କର ପୂଜା ବିଧିସହ ମନ୍ଦିରର ସମସ୍ତ ଦାଇତ୍ୱ ବୁଝୁଥିଲେ। ସେହି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଭେଟେଶ୍ୱର ଠାରେ ଉଭୟ ଠକୁରାଣୀଙ୍କର ଏହି ମିଳନ ଯାତ୍ରା ଅନୁଷ୍ଠିତ ହେଉଥିଲା।

କାଳକ୍ରମେ ତାହା ପରିବର୍ତ୍ତନ ହୋଇ ଏହି ଭେଟ ଯାତ୍ରା ବାଣପୁର ବଜାରରେ ପାଳନ ହେଉଛି। ଉଭୟ ଠାକୁରାଣୀଙ୍କର ଭେଟ ହେଲା ପରେ ଉଭୟ ଭଉଣୀ ବାହାର ପୂଜା ପାଇଁ ମା ଙ୍କର ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ସମ୍ମୁଖରେ ଥିବା ସାତ ବଖରା ଘରକୁ ଗମନ କରିଛନ୍ତି।

ବହୁ ସଂଖ୍ୟାରେ ଜନ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିଲା। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଉତ୍ସବ ସ୍ଥଳରେ ଉପସ୍ଥିତ ରହି ମା’ ଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା’ ଭଗବତୀ, ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ। ମନ୍ଦିରର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀଙ୍କ ସହିତ ମା’ନାରାୟଣୀ, ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ, ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି।

ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା’ ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’ ଭଗବତୀଙ୍କୁ କୋଳରେ ଧାରଣ କରି ନୀଳାମ୍ବୁ ଚିଲିକା ଆନନ୍ଦରେ ଦୋଳାୟମାନ ହୋଇ ସତେ ଯେପରି ପାଣି ଦୋଳିରେ ଝୁଲାଇ ଝୁଲାଇ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ।

ସୁସଜ୍ଜିତ ନୌକାରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ହରିବୋଲ ଶବ୍ଦରେ ମା’ଙ୍କର ଜୟ ଜୟକାର ଧ୍ଵନୀ ପୁଣି ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ, ଚିଲିକା ତରଙ୍ଗର କଳକଳନିନାଦରାତ୍ରିର ଅନ୍ଧକାରକୁ ଝଙ୍କୃତ କରୁଥିଲା। ତେଣେ ପରିଛା ସାଆନ୍ତ ନିରଞ୍ଜନ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, କାଠି ନାହାକ ଗଣେଶ ନାୟକଙ୍କ ସହଯୋଗରେ ନୈକା ଉପରେ କଳସ, ଦୀପ, ଧୂପ, ପୁଷ୍ପ ନୈବେଦ୍ୟ ସ୍ଥାପନ କରି ପଞ୍ଚ ପୋଚାରରେ ପୂଜା ଆଳତି ବଢାଇ ମା’ କାଳିଜାଇଙ୍କୁ ଆବାହନ କରି ସାଥିରେ ନେଇଥିବା ମା’ ଭଗବତୀଙ୍କ ନିମନ୍ତ୍ରଣ ଆଜ୍ଞାମାଳକୁ ଚିଲିକା ଜଳରେ ଭସାଇ ମା’ କାଳିଜାଇଙ୍କ ଆଜ୍ଞାମାଳକୁ ଖୋଜି ବୁଲୁଥିଲେ।

ମା’କାଳିଜାଇ ଙ୍କ ମନ୍ଦିରରେ ପୂଜକ ମା’ଙ୍କ ସଂଧ୍ୟା ଆଳତୀ ଶେଷ କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ହାଣ୍ଡିରେ ଭର୍ତ୍ତି କରି ଦୀପଜାଳି ଚିଲିକା ବକ୍ଷରେ ଭସାଇ ଦେଇଥିଲେ। ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ ୬ ତାଳି ଦଣ୍ଡସେନା ସେବାୟତମାନେ କଳା ଶାଢି ଦେହରେ ତାକୁ ଗଣ୍ଠିଲି କରି ଠେଙ୍ଗାରେ ବାନ୍ଧି ଆଣିବା ପରେ ମା’ଙ୍କର ନୌବିହାର ପାଣି ତୋଳା ନୀତି ଶେଷ କରି ମା’ ସାମନ୍ତରାପୁରର ବିଭୂତି ଭୂଷଣ ସାମନ୍ତରାୟଙ୍କ ଦୁଆରେ ବିଜେ କରିଥିଲେ। ସେଠାରେ ଦୁଇ ମା’ଙ୍କୁ ଏକ ହଜାର ସରାରେ ଖିରି କାକରା, ଖେଚଡ଼ି ବଳି ପୋଡ଼ା ପରସା ଯାଇ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଫେରିବା ବାଟରେ ପତିତ ପାବନ ମନ୍ଦିର, ଗୁଣ୍ଡରୁପୁର, ମୋହନ ଗୋସ୍ୱାମୀ ମଠ, ଅନ୍ତରକିଆରୀ ଗ୍ରାମ ସହିତ ଜଗନ୍ନାଥ ପୁର, ପରିଛା ସାହିରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଦ୍ଵାର ମାନଙ୍କରେ ପଂକ୍ତି ଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ।

ଶେଷରେ ଦୁର୍ଗାଶୟନଷ୍ଟମୀରେ ମା’ଙ୍କ ଶୟନ ନୀତିକାନ୍ତି ଶେଷ ହୋଇଥିଲା। ପୁଣି ଆଶ୍ଵିନ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ମା ଶୟନ କାଳରେ ଘଣ୍ଟା ଘଣ୍ଟକାହାଳୀ ବାଜିବ ନାହିଁ।ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ଦିନ ମା’ଙ୍କୁ ଉତ୍ ଥାପନ କରାଯାଇ ମା’ଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହେବ।

ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବାଲୁଗାଁ ଏସ୍‌. ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା ଓ ଆରକ୍ଷୀ ବାହିନୀ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ୍‌.ଏ .ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ସଂଗଠକ ବିକ୍ରମ କେଶରୀ ଜେନା ଓ ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ସେବାୟତ ଓ କର୍ମଚାରୀମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ବାର୍ଷିକ ଉତ୍ସବ

 ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ, ବାଲୁଗାଁର ବାର୍ଷିକ ଉତ୍ସବ ସଂଘର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଭୁ ଶ୍ରୀ ଉମାମହେଶ୍ବରଙ୍କ ପୂଜାର୍ଚ୍ଚନା ପରେ ମା’ କାଳିଜାଇ କଳା ନିକେତନର ପିଲା ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ କର୍ମକର୍ତ୍ତା ମାନେ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବିଶ୍ବଶାନ୍ତି ସକାଶେ ନୀରବ ପ୍ରାର୍ଥନା କରାଯିବା ପରେ ସଂପାଦକ ସରୋଜ କୁମାର ପାତ୍ର ସଂଘର ହିସାବ ପ୍ରଦାନ କରିବା ସହିତ ହିସାବ ତନଖି କରିଥିବା ରାମେଶ୍ବର ପାତ୍ର ଏବଂ ତାଙ୍କର ଟିମ୍ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ ସଂଘର ବିବରଣୀ ପ୍ରଦାନ କରିଥିଲେ। ସଭ୍ୟ କିରଣ କୁମାର ପାତ୍ର, ବିପିନ ପ୍ରହରାଜ, ଶ୍ୟାମସୁନ୍ଦର ପୃଷ୍ଟି, ଗୌରୀପ୍ରସାଦ ସୁବୁଦ୍ଧି ଏବଂ ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍ ନିଜର ବକ୍ତବ୍ୟରେ ସଂଘର ଉତ୍ତରତ୍ତୋର ଉନ୍ନତି ତଥା ଯୁବ ସଦସ୍ୟମାନେ ଆଗେଇ ଆଗେଇ ଆସିବା ସକାଶେ ଆହ୍ବାନ ଦେଇଥିଲେ।

ସଭାପତି ତାଙ୍କର ଅଭିଭାଷଣରେ ସଂଘର ସମାଜ ପ୍ରତି ଥିବା ସେବା ମନୋଭାବ ତଥା ରାଜ୍ୟ ତଥା ଜାତୀୟ ସ୍ତରରେ ସଂଘର ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ବ୍ଯବସାୟ ସମ୍ବନ୍ଧୀୟ ସମସ୍ତ ଆଲୋଚନାରେ ସକ୍ରୀୟ ଭାଗ ନେଇଛନ୍ତି।

ସଭାପତିଙ୍କ ଅଭିଭାଷଣ ପରେ ସଭାପତି ଏବଂ ତାଙ୍କର ସହକର୍ମୀ ମାନେ ସେମାନଙ୍କ ପଦବୀରୁ ଅପସାରିତ ହେବା ପରେ ନିର୍ବାଚନ ଦାୟିତ୍ବରେ ଥିବା ସଦସ୍ୟ ଜଗନ୍ନାଥ ସେନାପତି ଏବଂ ତାଙ୍କର ଟିମ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ରବିନାରାୟଣ ନାୟକ ପୂନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଉପ ସଭାପତି ଭାବେ ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍, ସଂପାଦକ ସରୋଜ କୁମାର ପାତ୍ର, ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ବର ସୁବୁଦ୍ଧି ଓ କୋଷାଧକ୍ଷ ଭାବେ ଚୈତନ୍ୟ କୁମାର ପୃଷ୍ଟିଙ୍କୁ ସଭାପତି ଦାୟିତ୍ବ ଦେଇଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ
ଚିଲିକା: ଓଡ଼ିଶାର ପ୍ରତ୍ୟେକ ଶକ୍ତି ପୀଠରେ ଆଶ୍ୱିନ ଶୁକ୍ଳ ମୂଳାଷ୍ଟମୀ ଠାରୁ ଶାରଦୀୟ ପର୍ବ ଆରମ୍ଭ ହୋଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ବା ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଥିବା ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ଉକ୍ତ ଦିନ “ମା” ଷଷ୍ଠୀ ଦେବୀ ବା ଭାଗ୍ୟବିଧାତାର ଦେବୀ ଷଷ୍ଠୀ ଦେବୀ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ ସୋମବାର ଭାଦ୍ରବ କୃଷ୍ଣ ଲଳିତା ସପ୍ତମୀ ରାତିରେ ପାଳିଆ ମାଳି, ପୂଜକ, ଘଣ୍ଟୁଆ, କାହାଳିଆ, ମଶାଲଧାରୀ ପ୍ରଭୁତି ସେବକଙ୍କ ଗହଣରେ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ମନ୍ଦିରରୁ ବାହାରି ପୂର୍ବ ଦିଗକୁ ଯାତ୍ରା କରି ଚିଲିକା କୁଳରେ ବିଜେ ହୋଇଥିଲେ।

ସେଠାରୁ ନୌକା ଯୋଗେ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ନିର୍ଦ୍ଧାରିତ ବିଧି ଅନୁସାରେ ଆଜ୍ଞାମାଳ ଗ୍ରହଣ କରି ମା’ ଭଗବତୀ ଫେରିଥିଲେ। ଏହାକୁ ପାଣିତୋଳା ଉତ୍ସବ ବୋଲି କୁହାଯାଏ। ଫେରିବା ବାଟରେ ବାଲୁଗାଁ ଠାରେ ଶଙ୍ଖୁଡ଼ି ଭୋଗ ଖାଇବା ସହ ଜଣେ ପୁରାତନ ବାସିନ୍ଦାଙ୍କ ଦୁଆରେ ମୁଆଁ ଭୋଗ ଗ୍ରହଣ କରିଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡୁରୁପୁର ଠାରେ ପୁରୀ ଗଙ୍ଗାମାତା ମଠର ଏକ ଶାଖା ମଠରେ ବିଶ୍ରାମ ନେଇଥିଲେ।

 

ପାଟଣା ସାହିର ମୋହନ ଗୋ ସ୍ବାମୀଙ୍କ ବାସଭବନ ଭାବେ ପରିଚିତ କୋଠ ମଣ୍ଡପରେ ଭୋଗ ଗ୍ରହଣ କରି, ଅନ୍ତର କିଆରୀ ଗ୍ରାମରେ “ମା” ବିଜେ ହୋଇଥିଲେ। ସେଠାରେ ଗ୍ରାମଦେବୀଙ୍କ ପୀଠରେ ସମର୍ପିତ ନିଶଙ୍ଖୁଡ଼ି ଭୋଗ ଗ୍ରହଣ କରି ମଙ୍ଗଳବାର ସକାଳ ସମୟରେ ଦକ୍ଷେଶ୍ୱର ମନ୍ଦିରକୁ ଫେରି ଆସିଥିଲେ।ଆଜି ଅଷ୍ଟମୀ ତିଥିରୁ ଭଗବତୀଙ୍କ ପୀଠରେ ଆରମ୍ଭ ହୁଏ ଶୟନାଷ୍ଟମୀ ବା ଶ୍ରୀ ଦୁର୍ଗା ଶୟନ। ପରେ ପାର୍ଶ୍ୱ ପରିବର୍ତ୍ତନ ଓ ଦେବୀ ଉତ୍ଥାପନ।ଯାହାକି ସହସ୍ରାକୁମ୍ଭାଭିଷେକ ହୋଇ ମୂଳାଷ୍ଟମୀ ଠାରୁ ମହା ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ ଷୋଡଶ ଦିବସାତ୍ମକ “ମା”ଙ୍କର ଶାରଦୀୟ ଦୁର୍ଗୋତ୍ସବ।

ଏହି ଉତ୍ସବରେ ଯୋଗ ଦେବାପାଇଁ ମା’ ଭଗବତୀ ଚୈତ୍ର କୃଷ୍ଣ ଅଶୋକାଷ୍ଟମୀରେ ଦକ୍ଷିଣ ଦିଗ ବାସିନୀ ଭାଲେରି ପାହାଡ଼ ସ୍ଥିତ ମା’ ନାରାୟଣୀଙ୍କୁ, ମହାବିଷୁବ ସଂକ୍ରାନ୍ତି ଦିନ ଉତ୍ତରଦିଗ ବାସିନୀ ସୋଲାରୀ ପାହାଡ଼ରେ ଥିବା ମା ସିଦ୍ଧାମ୍ବରୀଙ୍କୁ, ଲଳିତା ସପ୍ତମୀରେ ମା କାଳିଜାଇଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଶ୍ୱିନ ଅମାବାସ୍ୟା ଦିନ ପଶ୍ଚିମ ଦିଗ ରକ୍ଷାକାରିଣୀ ମା’ ବିରଜାଇଙ୍କୁ ନିମନ୍ତ୍ରଣ କରିଥାନ୍ତି। ଏହା ବାଣପୁର ଅଂଚଳରେ ଭେଟ ଅମାବାସ୍ୟା ଭାବେ ବେଶ୍ ସୁଖ୍ୟାତ।