ଭୁବନେଶ୍ୱର : ସମୟ ଅଭାବ ଏବଂ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କ ଦୀର୍ଘ ଅତିରିକ୍ତ ଆଲୋଚନା ଯୋଗୁଁ ବୁଧବାର ଓଡ଼ିଶା ବିଧାନସଭାର ପ୍ରଶ୍ନକାଳ ମାତ୍ର ତିନୋଟି ତାଲିକାଭୁକ୍ତ ପ୍ରଶ୍ନ ଉପରେ ଆଲୋଚନା ପରେ ଶେଷ ହୋଇଛି। ବିଧାୟକ ଓମ୍ ପ୍ରକାଶ ମିଶ୍ର ନିଜ ଆସନରେ ଅନୁପସ୍ଥିତ ଥିବାରୁ ପ୍ରଥମ ସ୍ଥାନାନ୍ତରିତ ପ୍ରଶ୍ନ ଗ୍ରହଣ କରାଯାଇପାରିନଥିଲା। ଏହାପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯଥାକ୍ରମେ ବିଧାୟକ ସଞ୍ଜଳି ମୁର୍ମୁ, ରୂପେଶ କୁମାର ପାଣିଗ୍ରାହୀ ଏବଂ ଅଶୋକ କୁମାର ଦାସଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଦ୍ୱାରା ଉଠାଯାଇଥିବା ଚତୁର୍ଥ ପ୍ରଶ୍ନର ଉତ୍ତର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେବା ଆରମ୍ଭ କରୁ କରୁ ସମୟ ଶେଷ ହୋଇଯାଇଥିଲା।
ଅନେକ ନିର୍ଦ୍ଧାରିତ ପ୍ରଶ୍ନ ଥିଲେ ମଧ୍ୟ ଆଞ୍ଚଳିକ କୃଷି ସମସ୍ୟା ଉଠାଇଥିବା ଅନ୍ୟ ସଦସ୍ୟମାନଙ୍କ ବ୍ୟାପକ ଅଂଶଗ୍ରହଣ ଗୃହକୁ କେବଳ ତିନୋଟି ମୁଖ୍ୟ ଆଲୋଚନାରେ ସୀମିତ ରଖିଥିଲା। ନିଜ ନିର୍ବାଚନ ମଣ୍ଡଳୀରେ କୃଷି ଯୋଜନା ଓ ଚାଷୀ କଲ୍ୟାଣ ସମ୍ପର୍କରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସରକାରୀ ତଥ୍ୟ ଉପସ୍ଥାପନ କରିଥିଲେ। ସେ ଗୃହକୁ ଜଣାଇଥିଲେ ଯେ ବାଙ୍ଗିରିପୋଷିରେ ୬୭,୭୧୭ ଜଣ ପଞ୍ଜୀକୃତ ଚାଷୀ ୪୮,୯୫୦ ହେକ୍ଟର ଜମିରେ ଚାଷ କରୁଛନ୍ତି, ଯେଉଁଥିରୁ ୩୨,୦୩୮ ହେକ୍ଟର ଜମି ଜଳସେଚିତ ଏବଂ ୧୬,୯୧୨ ହେକ୍ଟର ଜମି ଅଣଜଳସେଚିତ ହୋଇରହିଛି। ସେହିପରି ପିଏମ୍-କିଷାନ ଯୋଜନା ଅଧୀନରେ ଆର୍ôଥକ ସହାୟତାକୁ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୪-୨୫ ବର୍ଷରେ ୨୮,୩୩୮ ଜଣ ଚାଷୀଙ୍କୁ ୧,୫୬୬.୩୦ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିବା ବେଳେ ୨୦୨୫-୨୬ବର୍ଷରେ ୨୮,୧୨୭ ଜଣ ଚାଷୀଙ୍କ ପାଖରେ ୧,୬୭୪.୬୮ ଲକ୍ଷ ଟଙ୍କା ପହଞ୍ଚିଛି। ସେହିପରି ୨୦୨୬-୨୭ (ବର୍ତ୍ତମାନ ସୁଦ୍ଧା) ୨୯,୪୧୫ ଜଣ ଚାଷୀଙ୍କୁ ୧,୧୬୮.୫୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ ଶେଷ କିସ୍ତି ଏବେ ବି ବାକି ରହିଛି। ଏହି ସମୟ ସୁଦ୍ଧା ଲ୍ୟାମ୍ପସ୍ ମାଧ୍ୟମରେ ଫସଲ ଋଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ବିବରଣୀ ମଧ୍ୟ ଗୃହରେ ରଖାଯାଇଥିଲା।
ମନ୍ତ୍ରୀଙ୍କ ଉତ୍ତର ପରେ ପ୍ରସନ୍ନ ଆଚାର୍ଯ୍ୟ, ସତ୍ୟଜିତ ଗମାଙ୍ଗ, ସନାତନ ବିଜୁଳି, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଣେଶ୍ୱର ବେହେରା ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଅନେକ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀର ଚାଷୀ ଅସନ୍ତୋଷ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇଥିଲେ। ମୁର୍ମୁ ସ୍ଥାନୀୟ ଜଳସେଚନ ଅଭାବ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗ ଏହାର ତଦନ୍ତ କରିବ ବୋଲି ସିଂହଦେଓ ଗୃହକୁ ଆଶ୍ୱାସନା ଦେଇଥିଲେ।
ଅନ୍ୟପକ୍ଷେ ବିଧାୟକ ଅଶୋକ କୁମାର ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜରାଜୀର୍ଣ୍ଣ ଚୂଡ଼ାମଣି ଜେଟିର ମରାମତି ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନର ଯୋଜନା ଘୋଷଣା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ଢାଞ୍ଚାକୁ ଭାଙ୍ଗି ସେଠାରେ ଏକ ସ୍ମାର୍ଟ, ସମନ୍ୱିତ ଏବଂ ଆଧୁନିକ ମତ୍ସ୍ୟ ବନ୍ଦର ନିର୍ମାଣ କରିବା ପାଇଁ ୧୭୧.୭୧ କୋଟି ଟଙ୍କାର ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପୂର୍ବରୁ ପ୍ରସ୍ତୁତ କରାଯାଇଛି। ପ୍ରଶାସନିକ ଅନୁମୋଦନ ମିଳିବା ମାତ୍ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମଲ୍ଲିକ ସ୍ପଷ୍ଟ କରିଥିଲେ। ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଶାରଦା ପ୍ରସାଦ ଜେନା, ଅମରେନ୍ଦ୍ର ଦାସ, ପ୍ରତାପ କେଶରୀ ଦେବ ଏବଂ ଗଣେଶ୍ୱର ବେହେରା ମଧ୍ୟ ଅତିରିକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ ଗଜପତି ଜିଲ୍ଲାରେ ବର୍ତ୍ତମାନ ୪୫ଟି ଧାନ ସଂଗ୍ରହ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଭିତ୍ତିଭୂମି ଉନ୍ନତିର ରୂପରେଖ ଦେଇ ସେ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ସମବାୟ ସମିତିରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ଅନ୍ୟ ୩୦ଟିରେ କାର୍ଯ୍ୟ ଚାଲିଛି। ଏହା ସହିତ ଦୁଇଟି ପ୍ରାଥମିକ କୃଷି ସମବାୟ ସମିତିକୁ “ମଡେଲ୍ ମଣ୍ଡି’ ଭାବେ ବିକଶିତ କରାଯାଉଛି।
ସମଗ୍ର ପ୍ରଶ୍ନକାଳରେ ଶାସକ ଓ ବିରୋଧୀ ବିଧାୟକମାନେ ଧାନ ସଂଗ୍ରହରେ ଦେଖାଦେଇଥିବା ସମସ୍ୟା ତଥ।। ଚାଷୀ ସମ୍ପ୍ରଦାୟ ସାମ୍ନା କରୁଥିବା ସମସ୍ୟା ନେଇ ମିଳିତ ଉଦ୍ବେଗ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଶୂନ୍ୟକାଳ ବେଳେ ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀ ଏବଂ ଗୃହର ଦୃଷ୍ଟି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପ୍ରସଙ୍ଗ ପ୍ରତି ଆକର୍ଷଣ କରିଥିଲେ।


