Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ବୁଲି ଦେଖିଲେ କଲିକତାର ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ।

ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା।

ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପେଫମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଓଡ଼ିଶା ବିଧାନସଭା ବୁଲି ଦେଖିବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀଙ୍କୁ ଜଣାଇଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶ୍ରୀ ଶିକ୍ଷାୟତନ ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ମାସ ୨୨ ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ, ୨୧ ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ଏକ ବଡ ଖବର ଆସିଛି। ରାଜ୍ୟରେ ମୌସୁମୀ ଅଧିବେଶନ କେବେ ହେବ, ତାକୁ ନେଇ ବଡ ଖବର ହସ୍ତଗତ ହୋଇଛି। ଆସନ୍ତା ମାସ ୨୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି। ହେଲେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଆମେନିଟିଜ୍‌ କମିଟି ସଦସ୍ୟଙ୍କ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଆମେନିଟିଜ୍‌ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ଆବଶ୍ୟକୀୟ ପ୍ରଶିକ୍ଷଣ ନେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଭାରତ ସରକାରଙ୍କ ଏହା ହେଉଛି ଏକ ମିଶନ ମୋଡ୍‌ ପ୍ରକଳ୍ପ। ଖୁବ୍‌ ଶୀଘ୍ର ଏହା ମାଧ୍ୟମରେ ଦେଶରେ ସଂସଦ ସମେତ ସମସ୍ତ ବିଧାନସଭାକୁ ପେପରଲେସ୍‌ ପ୍ରକ୍ରିୟାରେ ପରିଚାଳନା କରାଯିବ।

ଆଜି ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ନେଭା କାର୍ଯ୍ୟକ୍ରମ କିଭଳି ଭାବେ ଓଡ଼ିଶା ବିଧାନସଭାରେ ସଫଳ ଭାବେ କାର୍ଯ୍ୟକାରୀ ହେବ ସେ ସଂପର୍କିତ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଶଦ ଆଲୋଚନା ହୋଇଥିଲା। ପ୍ରଶିକ୍ଷଣ ଗ୍ରହଣ କରୁଥିବା ବିଧାୟକମାନଙ୍କୁ ଶ୍ରୀ ସିଂହ କହିଥିଲେ ଯେ ଏହି ଆପ୍ଲିକେସନ୍‌ର ସଫଳ ପ୍ରୟୋଗରେ ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚିପାରିବ ଏବଂ ଏହି ଆପ୍ଲିକେସନ୍‌ ଆପଣମାନଙ୍କ କାର୍ଯ୍ୟପ୍ରଣାଳୀକୁ ଆହୁରି ସରଳ କରିବ।

ବିଧାନସଭା ପକ୍ଷରୁ ନେଭାର ସଫଳ କାର୍ଯ୍ୟକାରିତା ପାଇଁ ତିନୋଟି କମିଟି ଗଠନ କରାଯାଇଛି। ଅଳ୍ପଦିନ ମଧ୍ୟରେ ଯେଭଳି ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକ ନେଭା ଆପ୍‌ ସହ ଅଭ୍ୟସ୍ତ ହୋଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ନେଭା କର୍ମକର୍ତ୍ତା ଏବଂ ବିଧାନସଭା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାନସଭା ଆମେନିଟିଜ୍‌ କମିଟିର ସଦସ୍ୟବୃନ୍ଦ, ବିଧାନସଭା ସଚିବ ଦାଶରଥି ଶତପଥୀ, ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଅଶୋକ କୁମାର ହୋତାଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ: ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍‌ ଇ-ବିଧାନ) ଜରିଆରେ ପେପରଲେସ୍‌ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ ଏବଂ ଡିଜିଟାଲ ମାଧ୍ୟମରେ କରାଯିବ। ଏଥି ପାଇଁ ପର୍ଯ୍ୟାୟ କ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏନ୍‌ଆଇସି ଏବଂ ଓକାକ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ପରିସରରେ ନେଭା ସେବା କେନ୍ଦ୍ର ଉଦ୍‌ଘାଟିତ ହେବା ସହ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟରତ ସମସ୍ତ ସହକାରୀ ଉପବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ କହିଲେ ଯେ ନେଭାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭା ଦେଶରେ ଅଗ୍ରଣୀ। ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ୱାସ୍‌ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିବାରୁ ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍‌ ପ୍ରୟୋଗରେ ସଫଳ ହେବେ ବୋଲି ଶ୍ରୀ ସିଂହ ଆଶାପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଧାନସଭା ପ୍ରଶ୍ନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ଇ-ବିଧାନ ମାଧ୍ୟମରେ ସଂପନ୍ନ କରିବା ପାଇଁ ବିଧାନସଭାର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ ୨୦୧୮ ମସିହାରେ ଦେଶରେ ‘ୱାନ୍‌ ନେସନ୍‌, ୱାନ୍‌ ଆପ୍ଲିକେସନ୍‌’ ପଦ୍ଧତି ଆରମ୍ଭ କରିବା ପାଇଁ ନ୍ୟାସନାଲ୍‌ ଇ-ବିଧାନ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା। ସମଗ୍ର ଦେଶରେ ବିଧାନସଭାର କାର୍ଯ୍ୟାବଳୀକୁ ଡିଜିଟାଲ୍‌ ପ୍ରଣାଳୀରେ ସଂପନ୍ନ କରିବା ଇ-ବିଧାନର ଉଦ୍ଦେଶ୍ୟ। ଏହି ଆପ୍ଲିକେସନ୍‌ ଦ୍ୱାରା ବିଧାନସଭା କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ତଥ୍ୟ ଗୋଟିଏ ମଞ୍ଚରେ ଉପଲବ୍ଧ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ତଫା ଦେଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉପ-ବାଚସ୍ପତିଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବ୍ୟକ୍ତିଗତ କାରଣରୁ ସେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ଵ ଦେବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି।

ତେବେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବିକ୍ରମ କେଶରୀଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ: ନବ ଦାସଙ୍କ ଝିଅ ଦୀପାଳି

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଛି। ଯାହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

ତେବେ ଏହାପରେ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମରେ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାନଯାଉ ବୋଲି ସମସ୍ତ ରାଜନୈତିକ ଦଳକୁ ନିବେଦ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, “ତାଙ୍କର ମୁଖ୍ୟମନ୍ତ୍ରୀ ଓ କ୍ରାଇମବ୍ରାଞ୍ଚ ଉପରେ ସଂପୂର୍ଣ୍ଣ ବିଶ୍ଵାସ ଅଛି। ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ପ୍ରଥମ ଦିନରୁ ହୋହାଲ୍ଲା, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜିଠୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ହଟ୍ଟଗୋଳ କରିଥିବା ବେଳେ ବିଜେପି ଦଳ କକ୍ଷ ତ୍ୟାଗ କରିଥିଲେ। କିଛି ସମୟ ପରେ କଂଗ୍ରେସ ମଧ୍ୟ କକ୍ଷ ତ୍ୟାଗ କରିଥିଲା।

ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ଉଭୟ ବିରୋଧୀ ଦଳ ଶୋକ ପ୍ରସ୍ତାବ ପାଇଁ କକ୍ଷକୁ ଆସିଥିଲେ। ଶୋକ ପ୍ରସ୍ତାବ ପରେ ପୁଣି ଥରେ ବିରୋଧୀ ଦଳ କକ୍ଷରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଯାହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ହଟ୍ଟଗୋଳ ହେବ ବୋଲି ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୨୧ ରୁ ଆରମ୍ଭ ହେବ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନକୁ ନେଇ ବଡ ଖବର ମିଳିଛି। ଗତକାଲି କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିବା ବେଳେ ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବସିଲା ପ୍ରଥମ ବୈଠକ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି।

କମିଟିର ସଦସ୍ୟମାନେ ବୈଠକରେ ପଡ଼ୋଶୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାଷା-ସଂସ୍କୃତିର ସୁରକ୍ଷା ଦିଗରେ ରହିଥିବା ସମସ୍ୟାଗୁଡ଼ିକ ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିକାର ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ କମିଟିରେ ଉପସ୍ଥାପନ କରିଥିଲେ ।

ପଡୋଶୀ ରାଜ୍ୟମାନଙ୍କରେ ଆମ ଶିକ୍ଷା-ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକ ସାମ୍‌ନା କରୁଥିବା ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ସହ ସଂପୃକ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୋତ୍ସାହନକୁ ଗୁରୁତ୍ୱ ଦେଇ ଯନିର ସହିତ କାର୍ଯ୍ୟକରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସଂସ୍କୃତି ବିଭାଗକୁ ବାଚସ୍ପତି ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଏସବୁ ପଡ଼ୋଶୀ ରାଜ୍ୟମାନଙ୍କୁ ଗସ୍ତ କରି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା ଅନୁଧ୍ୟାନ କରି ଏହାର ପ୍ରତିକାର ପାଇଁ ମୁଖ୍ୟ କମିଟିକୁ ସୁପାରିଶ କରିବା ନିମନ୍ତେ ସବ୍‌କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା । ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ସେସବୁ ସ୍ଥାନକୁ ପଠାଇ ସ୍ଥିତି ଅନୁଧ୍ୟାନ ସହ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ବାଚସ୍ପତି
କହିଥିଲେ ।

ଆଜିର ଏହି ବୈଠକରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ମାନ୍ୟବର ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇଥିଲେ।

ସେହିପରି ଶ୍ରୀ ଭାସ୍କର ମଢ଼େଇ, ଶ୍ରୀ ସାଲୁଗା ପ୍ରଧାନ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀମତୀ ଲତିକା ପ୍ରଧାନ ଓ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ବିଦ୍ୟାଳୟ ଓ ଗଣଣିକ୍ଷା ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌., ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ପାଇଁ ମିଜୋରାମ ବିଧାନସଭାରେ କରାଗଲା ସ୍ବତନ୍ତ୍ର ଅଧିବେସନ, ହେଲେ ଓଡିଶା ଚୁପ୍

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ସେ ଶ୍ରୀମନ୍ଦିର ଦର୍ଶନରେ ଆସୁଛନ୍ତି। ହେଲେ ସମ୍ବିଧାନର ମୁଖ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓଡିଶା ବିଧାନସଭା ପୁରା ଚୁପ। କାରଣ ତାଙ୍କର ଗସ୍ତ ସୂଚିରେ ରାଷ୍ଟ୍ରପତିଙ୍କୁ ଗୃହ ଭିତରେ ସ୍ବାଗତ କରିବାର କୌଣସି କାର୍ଯ୍ୟକ୍ରମ ନାହିଁ।

ହେଲେ ମିଜୋରାମ ପରି ରାଜ୍ୟ ବିଧାନସଭାରେ କରାଯାଇଥିଲା ଏକ ସ୍ବତନ୍ତ୍ର ଅଧିବେସନ। ଗତ ତିନି ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିିନଆ ମିଜୋରାମ ଗସ୍ତରେ ଯାଇଥିଲେ ଦ୍ବିତୀୟ ଦିନରେ ତାଙ୍କୁ ମିଜୋରାମ ବିଧାନସଭା ତରଫରୁ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ମିଜୋରାମ ଗସ୍ତରେ ଆସୁଥିବାରୁ ରାଜ୍ୟ ବିଧାନସଭା ତରଫରୁ ଏକ ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଯାହା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏହି ଅଧିବେସନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏହା ଥିଲା ପ୍ରଥମ ବିଧାନସଭା ଗୃହ ଭିତରେ ସମ୍ମାନ ପ୍ରଦାନ କରିବା।

ସେଠାରେ ରାଷ୍ଟ୍ରପତିଙ୍କୁ ପ୍ରଥମେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ରାଜ୍ୟପାଳ, ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଧାନସଭା ପରିସରକୁ ପାଛୋଟି ନେଇଥିଲେ। ଗୃହରେ ବାଚସ୍ପତିଙ୍କ ଆସନରେ ରାଷ୍ଟ୍ରପତି ବସିଥିବା ବେଳେ ତାଙ୍କ ଦୁଇ ପାର୍ଶରେ ରାଜ୍ୟପାଳ ଏବଂ ବାଚସ୍ପତି ବସିଥିଲେ।

ମିଜୋରାମ ବିଧାନସଭାର ବାଚସ୍ପତି ର୍ଲାରିନିଲା ସାଓଲୋ ରାଷ୍ଟ୍ରପତିଙ୍କ ପାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ବିଧାୟକମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପରିଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଥିଲେ। ଯାହା ସେହି ବିଧାନ ସଭା ବିବରଣୀରେ ଲିପିବଦ୍ଧ ହୋଇ ରହିଲା।

ହେଲେ ଦୁଃଖର କଥା ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଅଧିବେସନ କରିବା ପାଇଁ ଓଡିଶା ବିଧାନସଭାର କୌଣସି ଆଗ୍ରହ ପ୍ରକାଶ କରାଯାଇ ନାହିଁ। ଅନ୍ୟ କେଉଁ ରାଜ୍ୟରେ ହେଉ କି ନାହିଁ ଭିନ୍ନ କଥା ହେଲେ ଓଡିଶା ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ପାଇଁ ଓଡିଶା ବିଧାନସଭା ଏକ ସ୍ବତନ୍ତ୍ର ଅଧିବେସ ଡାକି ଅଭିନନ୍ଦନ କରିବାର ଆବଶ୍ୟକତା ଥିଲେ ମଧ୍ୟ ତାହା କେହି ଅନୁଭବ କଲେ ନାହିଁ।

ଅବଶ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବିଧାୟକ ଦଳ ନୂଆଦିଲ୍ଲୀ ଯାଇଥିଲେ। ହେଲେ ତାହା ଗୃହର ବିବରଣୀରେ ସ୍ଥାନିତ ହେବ ନାହିଁ। ଓଡିଶା ଝିଅ ରାଷ୍ଟ୍ରପତି ହେବା ଘଟଣାକୁ ଗୃହ ବିବରଣୀରେ ସ୍ଥାନିତ କରିବା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନର ଆବଶ୍ୟକତା ଥିଲେ ମଧ୍ୟ ସମସ୍ତେ ଚୁପ୍।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ତାରିଖରୁ ଓଡିଶା ବିଧାନସଭା, ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ୱର,  ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ସେହିପରି ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ ।  ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା। ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି। ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା। ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ। ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଏହି କଠିନ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଓଡିଶା ବିଧାନସଭା ତରଫରୁ ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ବର: ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଓଡିଶା ବିଧାନସଭା ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯିବ। ସେଥିପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ପ୍ରାୟ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏମାନେ ଆସନ୍ତା ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ୪ ତାରିଖରେ ଫେରି ଆସିବେ।

ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ।

ଏହା ଦ୍ବାରା ଆସନ୍ତାକାଲି ଅର୍ଥାତ ୧ ତାରିଖରେ ବିଧାନସଭା ବନ୍ଦ ହୋଇଯିବ। ଏହି ଅଧିବେସନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀ ଯାଉଥିବାରୁ ଆଉ ବିଧାନସଭା ଚାଲିପାରିବ ନାହିଁ ବୋଲି ଜଣପଡିଛି। ବିଧାୟକମାନଙ୍କର ଏହି ଗସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ଯୋଗାଇ ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ବିଧାନସଭାରେ ହେବ ରାଷ୍ଟ୍ରପତି ନିର୍ବାଚନ, ଜାଣନ୍ତୁ ଏହା କିପରି ହୁଏ

ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ନିର୍ବାଚନ କେମିତି ହୁଏ କେଉଁମାନେ ଭୋଟ ଦେବା ପାଇଁ ଯୋଗ୍ୟ

ଭାରତୀୟ ସମ୍ବିଧାନର ଧାରା-୫୨ ଅନୁଯାୟୀ ଭାରତର ଜଣେ ରାଷ୍ଟ୍ରପତି ରହିବେ। ଏଥିଲାଗି ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ହୋଇଥାଏ। ଏହି ନିର୍ବାଚନ ପରୋକ୍ଷ ଭାବେ ଅନୁଷ୍ଠିତ ହୋଇଥାଏ। ଅର୍ଥାତ ଯେଉଁମାନଙ୍କୁ ଭୋଟରମାନେ ନିର୍ବାଚିତ କରି ସଂସଦ ଓ ବିଧାନସଭାକୁ ପଠାଇଥାନ୍ତି ସେମାନେ ରାଷ୍ଟ୍ରପତିଙ୍କୁ ଭୋଟ ଦେଇ ନିର୍ବାଚିତ କରିଥାନ୍ତି। ଅର୍ଥାତ କେବଳ ବିଧାୟକ ଏବଂ ସାଂସଦମାନେ ଏହି ନିର୍ବାଚନରେ ସେମାନଙ୍କ ମତଦାନ କରିଥାନ୍ତି।

ତେବେ ରାଷ୍ଟ୍ରପତିଙ୍କ ମନୋନିତ ହୋଇ ସଂସଦକୁ ଯାଇଥିବା ସଦସ୍ୟମାନେ ଏହି ମତଦାନରେ ଅଂଶ ଗ୍ରହଣ କରି ନ ଥାନ୍ତି। ବର୍ତ୍ତମାନ ଲୋକସଭାରେ ଦୁଇଜଣ ଏବଂ ରାଜ୍ୟସଭାରେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି। ସେହିପରି ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି ସେହି ସଦସ୍ୟମାନେ ମଧ୍ୟ ଏହି ମତଦାନରେ ଅଂଶ ଗ୍ରହଣ କରି ନ ଥାନ୍ତି। ବର୍ତ୍ତମାନ ଭାରତରେ ୯ଟି ରାଜ୍ୟରେ ବିଧାନ ପରିଷଦ ରହିଛି।

ଏହି ନିର୍ବାଚନ ସିକ୍ରେଟ ବାଲଟ ପେପର ମାଧ୍ୟମରେ କରାଯିବ। ଏଥିରେ ସାଧାରଣ ନିର୍ବାଚନ ପରି ଇଭିଏମ ବ୍ୟବହାର କରାଯାଏ ନାହିଁ। ଏହି ନିର୍ବାଚନକୁ ଭାରତ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି। ଆୟୋଗ ବିଭିନ୍ନ ରାଜ୍ୟରୁ ବାଲଟ ବକ୍ସ ଏବଂ ବାଲଟ ପେପର ପଠାଇଥାନ୍ତି। ତେବେ ଏହି ବାଲଟ ପେପରରେ ଭୋଟ ଦେବା ପାଇଁ ଏକ ସ୍ବତନ୍ତ ରଂଗର ପେନ ବ୍ୟବହାର କରାଯାଇଥାଏ। ଯାହା ନିର୍ବାଚନ ଆୟୋଗ ଯୋଗାଇଥାନ୍ତି।

ବାଲଟ ପେପରରେ ସାଂସଦ ଓ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ୧, ୨, ୩ ଲେଖିଥାନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ ଅଧିକ ସଂଖ୍ୟକ ୧ ରହିଥାଏ ସେହି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଏ।

ରାଷ୍ଟ୍ରପତି ନିର୍ବାଚନରେ କେମିତି ହୁଏ ଭୋଟ ମୂଲ୍ୟାୟନ ?

ରାଷ୍ଟ୍ରପତି ନିର୍ବାଚନ ଭୋଟ ମୂଲ୍ୟାୟନ ପାଇଁ ଏକ ଇଲେକ୍ଟୋରାଲ୍ କଲେଜ କରାଯାଇଥାଏ। ଏହି ଇଲେକ୍ଟୋରାଲ୍ କଲେଜ ଲୋକସଭା, ରାଜ୍ୟସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ। ଏହାସହ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ମଧ୍ୟ ଇଲେକ୍ଟୋରାଲ୍ କଲେଜରେ ସାମିଲ ହୋଇ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିଥାନ୍ତି।

ଚଳିତଥର ଇଲେକ୍ଟୋରାଲ୍ କଲେଜରେ ମୋଟ୍ ୪୮୦୯ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଜଣ ହେଲେ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଓ ବାକି ୪୦୩୩ ଜଣ ହେଲେ ସମସ୍ତ ରାଜ୍ୟର ବିଧାନସଭାର ବିଧାୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ବିଧାୟକ।

ବର୍ତ୍ତମାନ ରାଷ୍ଟ୍ରପତି ସମୁଦାୟ ଭୋଟ୍‌ର ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧। ଏହାକୁ ଭିନ୍ନ ଧରଣର ହିସାବ କରି ବାହାର କରାଯାଇଛି। ରାଷ୍ଟ୍ରପତି ନିର୍ବାଚନ ଲାଗି ସାଂସଦ ଏବଂ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ। ବିଧାୟକମାନଙ୍କର ଭୋଟ୍‌ର ମୂଲ୍ୟ ୫ ଲକ୍ଷ ୪୩ ହଜାର ୭୩୧ ରହିଥିବା ବେଳେ ସାଂସଦମାନଙ୍କର ଭୋଟ୍‌ର ମୂଲ୍ୟ ରହିଛି ୫ ଲକ୍ଷ ୪୩ ହଜାର ୨୦୦। ଏହାକୁ ମିଶାଇ ମୋଟ ଭୋଟ ବାହାର କରାଯାଇଛି।

ତେବେ ପ୍ରତ୍ୟେକ ସାଂସଦମାନଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୭୦୮। ମାତ୍ର ଏଥର ଜମ୍ମୁ ଓ କଶ୍ମୀରରୁ କେହି ସାଂସଦ ନିର୍ବାଚିତ ହୋଇନଥିବାରୁ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ୍‌ର ମୂଲ୍ୟ ରହିଛି ୭୦୦। ଅନ୍ୟପଟେ ବିଧାୟକମାନଙ୍କ ଭୋଟ୍‌ର ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ। ରାଜ୍ୟର ମୋଟ୍ ଜନସଂଖ୍ୟାକୁ ଆଧାର କରି ସେହି ରାଜ୍ୟର ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।

ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ। ଉତ୍ତରପ୍ରଦେଶର ପ୍ରତିଟି ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୨୦୮। ମୋଟ୍ ୪୦୩ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୮୩୮୨୪। ସେହିପରି ସିକିମରେ ଦେଶର ସର୍ବନିମ୍ନ ଜନସଂଖ୍ୟା ଥିବାରୁ ଏଠାକାର ପ୍ରତିଟି ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୭। ଅର୍ଥାତ୍ ସିକିମରେ ସମସ୍ତ ୩୨ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଲା ୨୨୪।  ସେହିପରି ଓଡ଼ଶାର ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଲା – ୧୪୯। ତେଣୁ ଓଡ଼ିଶାର ସମସ୍ତ ୧୪୭ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୨୧୯୦୩।

Categories
ଆଜିର ଖବର ରାଜ୍ୟ ଖବର

ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ଆକ୍ଷେପକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ବର: ଆଜି ବିଧାନସଭାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ଅକ୍ଷେପକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଧାର୍ଯ୍ୟ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଝିରେ ହଟଗୋଳ କରିଥିଲେ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ବିରୋଧୀ ବୋଲି କଂଗ୍ରେସ ନେତା ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ବିଜେପି ସଭ୍ୟ ପ୍ରଥମେ ନିଜ ଆସନରେ ଏବଂ ପରେ ଗୃହ ମଝିରେ ନାରାବାଜି ସହ ହଟଗୋଳ କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ସଭ୍ୟ ଗୃହରେ ନିନ୍ଦା ପ୍ରସ୍ତାବ ଆସୁ ବୋଲି ଦାବି ସହ କଂଗ୍ରେସ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରିଥିଲେ।

ଅନ୍ୟ ପକ୍ଷରେ କଂଗ୍ରେସ ସଭ୍ୟ ଏହାକୁ ବିରୋଧ କରି ଅନୁରୂପ ଭାବେ ନାରାବାଜି ସହ ହୋ ହାଲ୍ଲା କରିଥିଲେ। ଗୃହର ଅବସ୍ଥା ଠିକ ନ ଥିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବି କରିଥିଲେ। ଗୃହ ମୁଲତବୀ ହେବା ପରେ ବିଜେପି ସଭ୍ୟମାନେ ବାହାରେ ଵ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ଦେଖାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୨ ଲକ୍ଷ କୋଟି ଟଙ୍କାର ବଜେଟ, କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର, ଜାଣନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ କରିଛନ୍ତି।  ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏଥର ବଜେଟରେ ସେ କୃଷି ଏବଂ ସ୍ବାସ୍ଥ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିଛନ୍ତି।

ଏଥର କୃଷି ପାଇଁ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, କୃଷି ଶିକ୍ଷା ଓ ଗବେଷଣା ପାଇଁ ୧୬୧ କୋଟି ବ୍ୟୟ ବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷି ପାଇଁ ୩୧୨ କୋଟି ପ୍ରବଧାନ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ଏବଂ ଚାଷୀଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ ପାଇଁ ମୋଟ ୧୨ ହଜାର ୬୨୪ କୋଟି ବ୍ୟ ଅଟକଳ ରଖାଯାଇଛି। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨ ହଜାର ୩୨୫ କୋଟି ଟଙ୍କା ରଖାଯାଇଛି। ସେହିପରି ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୨୭, ୩୨୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ସେଥିରେ ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି ବ୍ୟବସ୍ଥା କରାଯାଇଛି । ମୋ କଲେଜ ଅଭିଯାନ ପାଇଁ ୧୧ କୋଟି । ସମଗ୍ର ଶିକ୍ଷା ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି । ଏ ନେଇ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭିନ୍ନ ବିଭାଗକୁ ଯେଉଁ ବ୍ୟୟ ବରାଦ କରିଛନ୍ତି ତାହା ହେଲା

କୃଷି- ୨୧, ୧୬୬ କୋଟି ଟଙ୍କା

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି ଟଙ୍କା

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି ଟଙ୍କା

ଜଙ୍ଗଲ ଓ ପରିବେଶ- ୨୨୧୭ କୋଟି ଟଙ୍କା

ସଡକ ଓ ଭିତ୍ତିଭୂମି- ୧୪, ୪୫୪ କୋଟି ଟଙ୍କା

ମିଶନ ଶକ୍ତି- ୨୦୦୦ କୋଟି ଟଙ୍କା

ବିପର୍ଯ୍ୟୟ ପରିଚାଳନା- ୩୨୬୨ କୋଟି ଟଙ୍କା

ଶିଳ୍ପ, ଏମଏସଏମଇ, ଉଦ୍ୟୋଗ- ୧୨୬୯ କୋଟି ଟଙ୍କା

ଶକ୍ତି- ୩୪୮୨ କୋଟି ଟଙ୍କା

ପର୍ଯ୍ୟଟନ- ୫୯୦ କୋଟି ଟଙ୍କା

କ୍ରୀଡା ଓ ଯୁବସେବା ବିଭାଗ- ୯୧୧ କୋଟି ଟଙ୍କା

ଇସ୍ପାତ ଓ ଖଣି- ୧୮୩ କୋଟି ଟଙ୍କା

ଆଇଟି ଓ ଇଲେକ୍ଟ୍ରୋନିକ୍- ୩୦୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏଥର ଜୁଲାଇ ୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ: ଜାଣନ୍ତୁ ପୂର୍ଣ୍ଣାଙ୍ଗ ବଜେଟ କେବେ?

ଭୁବନେଶ୍ୱର: ଚଳିତ ବର୍ଷର ମୌସୁମୀ ଅଧିବେଶନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଏଥର ମୌସୁମୀ ଅଧିବେଶନରେ ୨୪ଟି କାର୍ଯ୍ୟ ଦିବସ ରହିଛି। ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଏବଂ ୨ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଆଗତ କରିବେ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ଵର: ଓଡିଶାର ଖାଲି ଥିବା ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତିରେ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରସ୍ତୁତ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍‌ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପୁ୍ୟଟର ସୋସାଇଟି ଅଫ୍‌ ଇଣ୍ଡିଆ ତରଫରୁ ୧୯ତମ ସିଏସ୍‌ଆଇ ଏସ୍‌ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ (CSI SIG e-Governance Awards 2021) ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଏକ ଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍‌ ଅଫିସ୍‌ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ, ଦିଗ୍‌ଦର୍ଶନ ଓ ପ୍ରେରଣା ଏବଂ ବିଧାନସଭା ସଚିବ ଶ୍ରୀ ଶତପଥୀଙ୍କ ସମେତ କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି), ଓଡ଼ିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକଫ ‘ଓଡ଼ିଶା ଆସେମ୍ବ୍ଲି ଜର୍ଣ୍ଣି ଟୁୱାର୍ଡସ୍‌ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ (ପେପରଲେସ୍‌ ଆସେମ୍ବ୍ଳି)’କୁ ପୁରସ୍କୃତ କରାଯାଇଥିଲା।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ଶ୍ରୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର, ମାନ୍ୟବର ମୁଖ୍ୟ ଅତିଥି, ଆହ୍ଲାବାଦ୍‌ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଶ୍ରୀ ଅଜିତ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ୍‌ ଓ ନଥିପତ୍ରକୁ ଡିଜିଟାଲାଇଜ୍‌ କରିବା ସହିତ ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ୱ ଅଣାଯିବ।

ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ୱ, ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ପ୍ରେରଣା ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଡିଜିଟାଲାଇଜ୍‌ କରାଯିବା ସହ ସର୍ବଭାରତୀୟ ସ୍ୱୀକୃତି ମିଳିପାରିଛି ବୋଲି ସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ, ଓଡିଶା ବିଧାନସଭାରେ ଚାଲିଛି ତର୍ଜମା

ଭୁବନେଶ୍ବର: ଓଡିଶା ବିଧାନସଭାରେ ଏକ ବିଚିତ୍ର କଥା ଦେଖିବାକୁ ମିଳିଛି। ତାହା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ। ଏହି ପ୍ରସ୍ତାବ ଉପରେ ବିଧାନସଭାର ସମୟ ମଧ୍ୟ ବରବାଦ କରାଯାଉଛି। ଯଦି ମୋଦିଙ୍କୁ ପ୍ରଶଂସା ବା ନିନ୍ଦା କଲେ ଓଡିଶାର କିଛି ଉନ୍ନତି ହେଉଥାଆନ୍ତା ତାହା ହେଲେ ଭିନ୍ନ କଥା। ହେଲେ ସେଥିରେ ସେମିତି କିଛି ନାହିଁ। କେବଳ ରାଜନୈତିକ ମାଇଲେଜ ନେବା ପାଇଁ ବିଧାନସଭାକୁ ବ୍ୟବହାର କରାଯାଉଛି।

ଘଟଣାଟି ହେଲା ବିଧାନ ସଭାରେ ବିଜେପି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଧନ୍ୟବାଦ’ ଦେବା ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରିଛନ୍ତି। ଏହାଦ୍ବାରା ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ ଅନ୍ନ ଯୋଜନା ମଧ୍ୟ ଲାଗୁ କରାଯାଇ ଏହା ସମୟ ବୃଦ୍ଧି କରାଯାଇଛି। ଏଥିରେ ଓଡିଶାର ବହୁ ହିତାଧିକାରୀ ଉପକୃତ ହେଉଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବାଚସ୍ପତିଙ୍କୁ ଲିଖିତ ଆକାରରେ ବିଜେପି ସଦସ୍ୟ ଜଣାଇଛନ୍ତି।

ଏପଟେ କଂଗ୍ରେସ ଦଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ‘ନିନ୍ଦା’ କରାଯାଉ ବୋଲି ଆଉ ଏକ ପ୍ରସ୍ତାବ ମଧ୍ୟ ଆଗତ କରିଛନ୍ତି। ସେମାନେ କହିଛନ୍ତି ଯେ, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଗୃହ କମିଟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ଏ ନେଇ ବାଚସ୍ପତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ ମଧ୍ୟ କରାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ। ଏପରିକି ଗୃହ ଦାବି କରୁଥିବା ଏମଏସପି ମଧ୍ୟ ପ୍ରଦାନ କରିଲେ ନାହିଁ। ଏହାକୁ ନେଇ ଗୃହ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରାଯାଉ ବୋଲି କଂଗ୍ରେସ ଦାବୀ କରିଛି। ତେବେ ଏହି ପ୍ରସ୍ତାତବକୁ ତର୍ଜାମ କରି ରୁଲିଂ ଦେବେ ବୋଲି ବାଚସ୍ପତି କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ହେଉ କିମ୍ବା ନିନ୍ଦା, ଏଥିରେ କଣ ଫରକ ପଡିବ। ଓଡିଶା ବିଧାନସଭା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜେପି ଭୋଟ ବଢିବାର ନାହିଁ। ଏପରିକି ତାଙ୍କୁ ନିନ୍ଦା କଲେ ମଧ୍ୟ ବିଜେପିର ଭୋଟ କମିବାର ନାହିଁ। ହେଲେ ଏପରି ପ୍ରସ୍ତାବ ବିଧାୟକମାନେ ଗୃହରେ ଆଣିବାର ଉଦ୍ଦେଶ୍ୟ କଣ ତାହା ଜଣାପଡୁ ନାହିଁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ସାରା ଦେଶର ହିତାଧିକାରୀଙ୍କ ପାଇଁ ଲାଗୁ କରାଯାଇଛି। ଏହା ଖାସ ଓଡିଶା ପାଇଁ ସେମିତି କିଛି ନାହିଁ। ତେଣୁ ବିଜେପି ବିଧାୟକମାନେ ଧନ୍ୟବାଦ ପ୍ରସ୍ତାବ ଆଣିବା ଗୃହ ଭିତରେ ଅଯଥା ରାଜନୀତି କରୁଛନ୍ତି ବୋଲି କହିବା ଠିକ ହେବ।

ତେବେ ବିଜେପି ବିଧାୟକଙ୍କ ଏପରି ଯୁକ୍ତିର କାରଣ ହେଲା ଯେ, ରାଜ୍ୟ ସରକାର କାଳିଆ ଯୋଜନାରେ ଅବଧୀ ଆଉ ତିନିବର୍ଷ ପାଇଁ ଘୁଞ୍ଚାଇ ଦେଲେ। ଏଥିରେ କାଳେ ବିଜେଡି ପୁଣି ମାଇଲେଜ ନେବ ସେଥିପାଇଁ ସେମାନେ ଗୃହ ଭିତରେ ଏପରି ଧନ୍ୟବାଦ ପ୍ରସ୍ତାବ ଆଣି ରାଜନୀତି କରିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କ ମଙ୍ଗୁଆଳମାନେ ମଧ୍ୟ ଗୃହ ଭିତରେ ରାଜନୀତି କରିବାକ ପରାମର୍ଶ ଦେଇଛନ୍ତି।

ହେଲେ ଆଶ୍ଚର୍ଯ୍ୟ କଥା ବିଜେପି ବିଧାୟକ ତଥା ସେମାନଙ୍କ ନେତାଙ୍କୁ ଯେତେବେଳେ ରାଜନୀତି କରିବା ପାଇଁ ପୁରା ମଇଦାନ ଖୋଲା କରାଗଲା, ସେତେବେଳେ ସେମାନେ ସମସ୍ତେ ଲାଙ୍ଗୁଡ ଯାକିଲେ। ପଞ୍ଚାୟତ କିମ୍ବା ପୌର ନିର୍ବାଚନରେ ରାଜନୀତି କରିବାକୁ ସେମାନେ ସାହସ କରିପାରିଲେ ନାହିଁ। ଏପରି କ୍ଷେତ୍ରରେ ଗୃହରେ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ନ କରି ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଣି ରାଜନୀତି କରିବା କେତେ ଯୁକ୍ତିଯୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭାକୁ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍ ମୋଡରେ ସୁଚାରୁ ରୂପେ ବିଧାନସଭା କାର୍ଯ୍ୟ ପରିଚାଳନାରେ ଓଡ଼ିଶା ବିଧାନସଭା ସମଗ୍ର ଦେଶରେ ଅଗ୍ରଣୀ ଏବଂ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି । ଏହି ନିରବଚ୍ଛିନ୍ନ ଯାତ୍ରାକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଏବଂ ପ୍ରବଳ ଇଚ୍ଛାଶକ୍ତି ବଳରେ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦଳଗତ ନେତୃତ୍ୱ ଓ ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଥିବାରୁ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ୧୯ ତମ ସମ୍ମାନଜନକ ପୁସ୍କାର ସମାରୋହ ଏମ୍.ଏନ୍.ଏନ୍.ଆଇ.ଟି. ଆଲାହାବାଦ ପ୍ରୟାଗରାଜ ଠାରେ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ।

ଏହି ପୁରସ୍କାର ସମାରୋହରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ରାଜ୍ୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରର କବିତା ରାୟ ଦାଶ, ଜାତୀୟ ପ୍ରଯୁକ୍ତି ବିଦ୍ୟା ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଦିଲ୍ଲୀପ କୁମାର ମାନ୍ଧତା, ସୁଦୀପ୍ତ ସାମନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେବେ । ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ଆଦର୍ଶ ସ୍ଥାନୀୟ ହୋଇପାରିଥିବାରୁ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।