ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ କାର୍ଯ୍ୟସୂଚୀ ଅନୁସାରେ, ଚଳିତ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି।
ସେପ୍ଟେମ୍ବର ୨୨ରୁ ୨୪ ତାରିଖ ଯାଏଁ ସରକାରୀ କାର୍ଯ୍ୟ ଚାଲିବ। ସେପ୍ଟେମ୍ବର ୨୫ ତାରିଖରେ ବେସରକାରୀ ସଦସ୍ୟଙ୍କ ବିଲ୍ ଓ ପ୍ରସ୍ତାବ ଉପରେ କାର୍ଯ୍ୟ ହେବ। ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଗୃହର କୌଣସି ବୈଠକ ହେବ ନାହିଁ। ପରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ଯାଏଁ ପୁଣି ଗୃହ କାର୍ଯ୍ୟ ଚାଲିବ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ରହିଥିବାବେଳେ, ଅକ୍ଟୋବର ୩ରେ ଅଧିବେଶନ ଶେଷ ହେବ।
ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସହ ରାଜ୍ୟର ସାମ୍ପ୍ରତିକ ସମସ୍ୟାଗୁଡ଼ିକ ନେଇ ସରଗରମ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶେଷକରି ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍, ରାଜ୍ୟର ବନ୍ୟା ପରିସ୍ଥିତି, ସ୍କୁଲ୍ ପାଠ୍ୟପୁସ୍ତକରେ ଥିବା କଥିତ ତ୍ରୁଟି ଓ ଛାତ୍ର ସଂଘ ନିର୍ବାଚନ ଭଳି ପ୍ରସଙ୍ଗ ଗୃହରେ ଉଠିପାରେ।
ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତି, ରିଲିଫ୍ ଓ ପୁନର୍ବାସ, ଆଇନଶୃଙ୍ଖଳା, କୃଷକଙ୍କ ସମସ୍ୟା ଏବଂ ସ୍ଥାନୀୟ ପ୍ରଶାସନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ତେଣୁ ସୀମିତ କାର୍ଯ୍ୟଦିବସ ମଧ୍ୟରେ ମୌସୁମୀ ଅଧିବେଶନ ବେଶ୍ ହଙ୍ଗାମାପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସଚିବାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି।


