ଖୋରଧା: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାରେ ୧୨ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଛି।
ଖୋରଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଲୁଟ ଘଟଣାର ତଦନ୍ତ ପରେ ଏହି ସଫଳତା ମିଳିଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫୦୦ ଗ୍ରାମ ସୁନା ଅଳଙ୍କାର ଓ ୧୧ କେଜି ରୂପା ଅଳଙ୍କାର ଜବତ କରିଛି। ଜବତ ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ହାର, ଚେନ, କାନଫୁଲ, ଚୁଡ଼ି ଓ ମୁଦି ରହିଛି।

ସେହିପରି ରୂପା ଅଳଙ୍କାର ମଧ୍ୟରେ ଗୋଡ଼ ପାଉଁଜି, ଝୁଣ୍ଟିଆ, ରୂପା ଥାଳିଆ ଓ ଗ୍ଲାସ ଆଦି ରହିଛି। ଗିରଫ ୧୨ ଅଭିଯୁକ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ, ଖୋରଧା ଜିଲ୍ଲାର ୮ ଜଣ ଓ ପୁରୀ ଜିଲ୍ଲାର ଜଣେ ରହିଛନ୍ତି। ଏହି ଲୁଟ ଘଟଣାରେ ଅଭିଯୁକ୍ତମାନଙ୍କର ପୂର୍ବରୁ ଅପରାଧିକ ମାମଲା ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ବିଭିନ୍ନ ଥାନା ଅଞ୍ଚଳରେ ଲଗାତାର ଲୁଟ ଘଟଣା ପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ଜବତ ଅଳଙ୍କାର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଅଧିକ ଘଟଣାର ସମ୍ପୃକ୍ତି ଖୋଜୁଛି ପୋଲିସ।

ଘଟଣା ସମ୍ପର୍କରେ ଖୋରଧା ଏସପି କହିଛନ୍ତି ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ। ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଅଛି। ଆମେ ବିଭିନ୍ନ ଲୁଟ ମାମଲାରେ ୧୨ ଜଣକୁ ଗିରଫ କରିଛୁ ସେମାନଙ୍କ ମଧ୍ୟରେ ୧୧ ଜଣ ଲୁଟେରା ଏବଂ ଜଣେ ଚୋରି ଅଳଙ୍କାରକୁ କିଣିଥିବା ବ୍ୟକ୍ତି ଅଛନ୍ତି। ସେମାନଙ୍କ ଠାରୁ ୫୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୧୧ କିଲୋ ରୁପା ଅଳଙ୍କାର ଜବତ କରିଛୁ। ଏମାନଙ୍କର ୧୫ ଟି ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ଏମାନଙ୍କୁ ରିମଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ।


