Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ଗୋରୁ ଟ୍ରକକୁ ଜବତ କରାଯାଇଛି। ଏଥିରେ ୫୬ଟି ଗାଈ ଗୋରୁ ଓ ବାଛୁରୀ ଥିବାର ଜଣାପଡିଛି। ଏସବୁ ହାଇଦ୍ରାବାଦ ଚାଲଣ କରାଯାଉଥିବା ବୋଲି ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ଟ୍ରକକୁ ଜବତ କରିଛି।

ଘଟଣାରୁ ପ୍ରକାଶ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଇଗୋରୁ ରାତିରେ ବିଶ୍ରାମ ନେଉଥିବା ବେଳେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଚୋରାଇ ନେଇ ବାହାର ରାଜ୍ୟକୁ ଚାଲଣ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ, ସଦସ୍ୟ, ବଜରଙ୍ଗ ଦଳ, ଗୋ ସୁରକ୍ଷା ବାହିନୀ ର କର୍ମକର୍ତ୍ତା ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଏହି ଗାଈଗୋରୁ ଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ ଶାଳାକୁ ହସ୍ତାନ୍ତର କରୁଛନ୍ତି।

ଗତ କାଲି ମଧ୍ୟ ରାତ୍ରିରେ ଦୀକ୍ଷିତ ପଡ଼ା ଅଂଚଳରୁ ନମ୍ବର ବିହୀନ ଆଇଚର ଗାଡ଼ିରେ ଅତି ଦୟନିୟ ଅବସ୍ଥାରେ ବନ୍ଧା ଯାଇଥିବା ଗାଈଗୋରୁ କୁ ଗୋ ସୁରକ୍ଷା ସଂଗଠନ କର୍ମକର୍ତ୍ତା ଦେଖି ଉଦ୍ଧାର କରି ନାଚୁଣି ଥାନା କୁ ହସ୍ତାନ୍ତର କରିଥିଲେ। ନାଚୁଣୀ ପୋଲିସ ଗାଡି କୁ ଜବତ କରିବା ସହ ଉଦ୍ଧାର ଗାଈ ଗୋରୁ ଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲର ଗୋଶାଳା କୁ ପୋଲିସ ସହାୟତାରେ ପଠାଇ ଦେଇଛି ।

ତେବେ ଗାଡିର ଡ୍ରାଇଭର, ହେଲ୍ପର ଫେରାର ହୋଇ ଯାଇଛନ୍ତି। ନିକଟସ୍ଥ ଗୋ ଚାଲାଣ କାରୀଙ୍କ ସହିତ କିଛି ଅସାମାଜିକ ବ୍ୟକ୍ତି ମିଶି ନାଚୁଣୀ ଥାନା ପାଖରେ ପହଞ୍ଚି ଗୋସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କୁ ଧମକ ଦେବା ସହିତ ଭୁବନେଶ୍ୱର ଓ ଖୋର୍ଦ୍ଧା,ରୁ ଆସିଥିବା ଗୋ ସେବକ ମାନେ ଫେରିବା ସମୟରେ ସେମାନଙ୍କ ଗାଡି ଉପରକୁ ଢେଲା ପଥର ମାଡ଼ କରିଥିଲେ।

ଗତ କାଲି ଘଟଣା ଉପରେ ନାଚୁଣି ଥାନାରେ ଆଜି ଏକ କେଶ ରୁଜୁ କରାଯାଇଛି ଯାହାର ନମ୍ବର ୧୫୨/୨୦୨୪ରହିଛି। ଏହି ଘଟଣା ପରେ ଗାଡି ଡ୍ରାଇଭର, ହେଲ୍ପର ଫେରାର ହୋଇଯିବା ସହିତ ଗୋରୁ ବୋଝେଇ ଗାଡି କୁ ଆଗପଟୁ ଓ ପଛପଟୁ ସଶସ୍ତ୍ର ସୁରକ୍ଷା ଦେଉଥିବା ଦୁଇଟି କାରରେ ଆସିଥିବା ଅସାମାଜିକ ବ୍ୟକ୍ତି ମାନେ ମଧ୍ୟ ଉଭାନ ହୋଇଯାଇଛନ୍ତି।

ଏହାପୂର୍ବରୁ ଗତ ୧୭ ତାରିଖ ରାମ ନବମୀ ଦିନ ମଧ୍ୟାହ୍ନ ସମୟରେ ମୃତ ଗାଈଗୋରୁ ଙ୍କ ଅନ୍ତ ପୁଟା ନେଇ ଯାଉଥିବା ଏକ ଟ୍ରକକୁ ବଜରଙ୍ଗ ଦଳ ସହାୟତାରେ ମଧ୍ୟ ନାଚୁଣି ପୋଲିସ ଜବତ କରିଛି ତେବେ ଏହି ଅନ୍ତ ପୁଟା ମିଶ୍ରିତ ସାମଗ୍ରୀ ଅତି ଦୁର୍ଗନ୍ଧ ସୃଷ୍ଟି ହେଉଥିବା ବେଳେ ଏହାକୁ ପୋଲିସ ନଷ୍ଟ ନ କରି କେବଳ ମାମଲା କରି ଗାଡି, ମାଂସ ସାମଗ୍ରୀ ଓ ଡ୍ରାଇଭର, ହେଲ୍ପର୍ କୁ ଛାଡ଼ିଦେଇଥିବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତିଦିନ ମଧ୍ୟ ରାତ୍ରିରେ ରାଜ୍ୟ ରୁ ଖୋର୍ଦ୍ଧା ଜିଲ୍ଲାର ଜାତୀୟ ରାଜପଥ ଦେଇ ଶହ ଶହ ଟ୍ରକ ରେ ନିରୀହ ଗାଈଗୋରୁଙ୍କୁ ହତ୍ୟା ଉଦ୍ଦେଶ୍ୟ ରେ ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବା ବେଳେ କେଉଁ ସ୍ୱାର୍ଥ ରେ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ନିରବ ରହିଛି ତାହା ସମସ୍ତ ଙ୍କୁ ଚକିତ କରିଛି।

Categories
ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ଅଟୋ, ୫ ଗୁରୁତର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା 16 ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଲେଉଟିବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଅଟୋଟି ଚଣ୍ଡେଶ୍ୱର ଅଞ୍ଚଳରୁ ବାହାରି ଗଞ୍ଜାମ ପଥରା ଅଞ୍ଚଳକୁ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଅଟୋ ମଧ୍ୟରେ ଥିବା ୩ ଜଣ ପୁରୁଷ ଓ ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଉଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରେଳ ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ବାଣ୍ଟିଲେ ବାଲୁଗାଁ ଆରପିଏଫ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସରକାର ତଥା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଆଜି ଯାତ୍ରୀ ମାନଙ୍କ ନିମନ୍ତେ ରେଳ ସୁରକ୍ଷା ବଳ(ଆରପିଏଫ) ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଛି।

ଏହାକୁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ୟ ଉଦଘାଟିତ କରିଥିଲେ। ଏହି ଅବସରରେ ଆଜି ପ୍ରଥମ ଦିନରରେ ବିଭିନ୍ନ ଟ୍ରେନର ପାଖାପାଖି 1500 ଯାତ୍ରୀଙ୍କୁ ଆରପିଏଫ ପକ୍ଷରୁ ଥଣ୍ଡା ପାଣି, ଘୋଳ ଦହି ଏବଂ ସର୍ବତ ବିତରଣ କରାଯାଇଛି। ଉକ୍ତ କାର୍ଯ୍ୟରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି। ତେବେ ଏହାଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ମ ଦାଉରୁ ସାମୟିକ ଆଶ୍ବସ୍ତି ପାଉଛନ୍ତି। ବାଲୁଗାଁ ଆରପିଏଫର ଉକ୍ତ ସେବା କାର୍ଯ୍ୟକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ତାଲା ଭାଙ୍ଗି ଘରୁ ଚୋରି

ବାଣପୁର (ସୀତାରାମ ଅଗ୍ରୱାଲ): ବାଲୁଗାଁ ବାଣପୁର ରୋଡ଼ ଅନ୍ତର୍ଗତ ଗୋପିକାନ୍ତପୁର ଠାରେ ଏକ ଘରୁ ଦୁର୍ବୁତ୍ତ ମାନେ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଚୋରି କରିଥିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗୋପିକାନ୍ତ ପୁର ଗ୍ରାମର ରମେଶ କୁମାର ଦାସ ଭୁବନେଶ୍ୱରରେ ରହୁଥିବା ବେଳେ ଘରେ ଦୁର୍ବୁତ୍ତ ମାନେ କଳାକନା ବୁଲାଇ ଛନ୍ତି। ଗତ ରାତିରେ ତାଲା ଭାଙ୍ଗି ଘରେ ଥିବା ଏକ ମୋଟର ସାଇକେଲ, ପାଣି ମୋଟର ସହ ଆଲମିରା ଭାଙ୍ଗି ଦରକାରୀ କାଗଜପତ୍ର ଏବଂ ବିଭିନ୍ନ ଆସବାବ ପତ୍ର ନେଇଯାଇଥିଲେ।

ଆଜି ସକାଳେ ବାପାଙ୍କ ଠାରୁ ଖବର ପାଇ ଆସି ଘରେ ଦେଖନ୍ତି ଘର କବାଟ ଖୋଲା ଥାଇ ଆସବାବ ପତ୍ର ଏଣେତେଣେ ବିଛାଡି ହୋଇ ପଡିଛି। ଉକ୍ତ ଘଟଣାକୁ ରମେଶଙ୍କ ପତ୍ନୀ କଲ୍ୟାଣୀ ଦାସ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ଉମାମହେଶ୍ବର ଦେବଙ୍କ ପୀଠରେ ଶମ୍ଭୁ ମିଳନ, ଅଧ ରାସ୍ତାରୁ ଫେରିଲେ ସିଂହନାଥ ଦେବ

ବାଲୁଗାଁ: ସୋମବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପୀଠରେ ଷୋହଳତମ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ମହାବିଷୁବ ସଂକ୍ରାନ୍ତି ଅବସରରେ ରବିବାର ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ ବାଜା, ରୋଷଣୀ, ପାଟପଟୁଆରରେ ଆଖପାଖ ଅଞ୍ଚଳର ୧୬ ଦେବ ଦେବୀଙ୍କ ବିଜେ ପ୍ରତିମା ବିମାନରେ ଆଗମନ ହୋଇ ନିଜ ନିଜ ଆସ୍ଥାନରେ ବିରାଜମାନ ହୋଇଥିଲେ। ମାତ୍ର ମେଳଣ ପଡିଆକୁ ବିମାନ ଯିବା ସମୟରେ କୌଣସି ବିବାଦ ନେଇ ଉମାମହେଶ୍ବର ରାସ୍ତାରେ ବିଶୃଙ୍ଖଳା ଦେଖାଦେଇଥିଲା। ଯାହାଫଳରେ ସିଙ୍ଗେଶ୍ୱର ବିଜେ ସିଂହନାଥ ଦେବ ଅଧ ରାସ୍ତାରୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ଭୋଗ ଲାଗି କରାଯାଇ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପରେ ସମସ୍ତ ବିଜେ ପ୍ରତିମାଙ୍କ ନିକଟରେ ମେଳଣ ଭୋଗ ଲାଗି କରି ମେଳଣ ପର୍ଵ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦେବ ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଉକ୍ତ ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ନିମିକ୍ଷେତା ବିଜେ ନୀଳକଣ୍ଠେଶ୍ୱର ଦେବ, ବଡ଼କୁଳ ବିଜେ ଚନ୍ଦ୍ରଶେଖର ଦେବ, ଦୋଳମୁଣ୍ଡାଇ ବିଜେ ବାଲୁଙ୍କେଶ୍ୱର ଦେବ, ମଙ୍ଗରାଜପୁର ବିଜେ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଗୁପ୍ତେଶ୍ଵର ଦେବ, ସାମନ୍ତରାପୁର ବିଜେ ଦଧିବାମନ ଦେବ, ପାଟଣା ସାହି ବିଜେ ଗୋପାଳଜିଉ ଦେବ, ବାଲୁଗାଁ ବିଜେ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ରାଧା ଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ, ଗୁଣ୍ଡୁରିପୁରୁ ମା ଜାଗୁଳାଇ, ବାଲୁଗାଁ ବଜାର ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପର୍ଵ ସୁରୁଖୁରୁରେ ହୋଇଥିବା ବେଳେ ଦର୍ଶକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଟ୍ରଷ୍ଟି,ମନ୍ଦିର କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ଦୁର୍ଘଟଣାର ଶିକାର ହେଲେ କୋଣାର୍କ ଗଣନାଟ୍ୟର ଉପସ୍ଥାପକ: ବାଣପୁର ହସ୍ପିଟାଲରେ ଭର୍ତ୍ତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଯାତ୍ରା କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣ ଜେନାଙ୍କ ବାଲୁଗାଁ-ବାଣପୁର ନିକଟରେ ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଦ୍ଵିତିକୃଷ୍ଣ କାର ଯୋଗେ ଭୁବନେଶ୍ୱରରୁ ଖଲ୍ଲିକୋଟ ଅଭିମୁଖେ  ଯାଉଥିବାବେଳେ ବାଲୁଗାଁ ବାଇପାସ ନିକଟରେ ଏକ ମାଲବାହି ଅଟୋକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟ ଅଟୋ ଚାଳକ ଏବଂ କାର ଚାଳକ ଗୁରୁତର ଆହତ ହୋଇଥିଲେ। ଏବଂ କାରର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆହତ ଅଟୋ ଚାଳକ ବାଣପୁର ଅଞ୍ଚଳର ରସିଦ ଖାନ ଏବଂ ଆହତ କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି।

ରସିଦଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସେହିପରି ଭାବେ ଦ୍ବିତିକୃଷ୍ଣଙ୍କୁ ବାଣପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଉଭୟ ଗାଡିକୁ ଜବତ କରିଥିବା ବେଳେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ ଏତଲା ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧାରେ ନୂତନ ଏସପି ଭାବେ ଗତ ଦୁଇ ଦିନ ତଳେ ଅବିନାଶ କୁମାର ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଏସପି ଗତକାଲି ବାଲୁଗାଁ ଓ ବାଣପୁର ଥାନା ପରିଦର୍ଶନ କରିଥିଲେ।  ଅପରାହ୍ନରେ ବାଲୁଗାଁ ଥାନା ପହଞ୍ଚିବା ପରେ ଏସପିଙ୍କୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଏସପି ଶ୍ରୀ କୁମାର ବାଲୁଗାଁ ଥାନା ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଥିବା ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିଥିଲେ।  ସଂନ୍ଧ୍ୟାରେ ନୂତନ ଏସପି ବାଣପୁର ଥାନାରେ ପହଞ୍ଚି ସେଠାର ଆଇନ ଶୃଙ୍ଖଳା ସ୍ଥିତି ପରଖିଥିଲେ।

ଏହି ଅବସରରେ ତାଙ୍କୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।  ତେବେ ସାଧାରଣ ନିର୍ବାଚନରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚଳିତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ।

Categories
ଆଞ୍ଚଳିକ

ଦାୟିତ୍ଵ ନେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଖୋର୍ଦ୍ଧା ଏସପି: ଚିଲିକାରେ ଯାଞ୍ଚ ହେଲା କଡାକଡ଼ି

ଚିଲିକା (ସୀତାରାମ ଅଗ୍ରୱାଲ): ଆକ୍ସନ ମୋଡ଼ରେ ଖୋର୍ଦ୍ଧା ନୂତନ ଏସପି ଅବିନାଶ କୁମାର। ଆଜି ଜିଲ୍ଲାରେ ଯୋଗଦାନ କରୁ କରୁ ବିଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନୂତନ ଏସପିଙ୍କ ପ୍ରଥମ ପ୍ରାଥମିକତା ଥିବା ବେଳେ ଆଜି ସଂନ୍ଧ୍ୟାରେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଥାନା ଅଞ୍ଚଳରେ କଡ଼ାକଡି ଯାଞ୍ଚ ଜାରି ରହିଛି। ମଦ୍ୟପାନ କରି ଗାଡି ଚଳାଇବା, ଗାଡି ଭିତରେ ଟଙ୍କା ଚାଲାଣ, ଅସ୍ତ୍ରଶସ୍ତ୍ର ଚାଲାଣ ଆଦି ବିଭିନ୍ନ ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। ବିଭିନ୍ନ ଛକରେ ସମସ୍ତ ଗାଡିକୁ ଗୋଟି ଗୋଟି କରି ତନଖି ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ପ୍ରକ୍ରିୟା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି। ଉକ୍ତ ଯାଞ୍ଚରେ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ସାମିଲ ଅଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି କୌଣସି କାରଣବଶତଃ ନୂଆଗଡ ଓଭରବ୍ରିଜ ଠାରେ ଛିଡା ହୋଇଥିଲା।  ସେପଟେ ସମାନ ଦିଗରୁ ଆସୁଥିବା ଏକ ପିକ ଅପ ଗାଡିଟି ହଠାତ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପିକ ଅପ ଗାଡି ଡ୍ରାଇଭରଙ୍କ ଗାଡି ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିଲା।

ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଡ଼କୁଳ ଅଶ୍ୱରୀ ପାଟଣା ସାହିର ପାଣ୍ଡବ ବେହେରାଙ୍କ ପୁଅ ସଞ୍ଜୟ କୁମାର ବେହେରା (୨୯) ମଙ୍ଗଳବାର ଅପରାହ୍ନରେ ବଜାରରେ ବୁଲୁଥିବା ବେଳେ ହଠାତ ତଳେ ପଡି ଚେତାଶୂନ୍ୟ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଞ୍ଜୟଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଧବାର ପୂର୍ବାହ୍ନରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବାସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ପର୍ଯ୍ୟନ୍ତ ବ୍ୟାପିଲାଣି ଗୋରୁ ଚାଲାଣ: ଭାଇରାଲ ହେଉଛି କାରରେ ଗାଈ ଚୋରି ହେଉଥିବା ଦୃଶ୍ୟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ବଢୁଥିବା ବେଳେ ଏହାର ଚେର ବର୍ତ୍ତମାନ ବାଲୁଗାଁ ପର୍ଯ୍ୟନ୍ତ ବ୍ୟାପିଲାଣି। ଖବର ମୁତାବକ ଗତକାଲି ମଧ୍ୟ ରାତିରେ ବାଲୁଗାଁ ଥାନା ସରଳାପଦର ଛକ ଠାରେ ଦୁଇ ଜଣ ଦୁର୍ବୁତ୍ତ ଏକ ନାଲି ରଙ୍ଗର କାରରେ ଗାଈ ଚୋରି କରି ନେଉଥିବା ଦୃଶ୍ୟ ସ୍ଥାନୀୟ ଏକ ଦୋକାନିଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଉକ୍ତ ସ୍ଥାନରେ ମାଳ ମାଳ ଲାଇଟ ଲାଗିଥିବା ବେଳେ ଏହା ଲୋକଙ୍କ ଚଳପ୍ରଚଳ ରାସ୍ତା। ତଥାପି ଗୋରୁ ମାଫିଆମାନେ ଏପରି ସାହସ କେମିତି ଜୁଟାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଲୁଗାଁ ଓ ବାଣପୁର ଅଞ୍ଚଳର ଗୋ ରକ୍ଷକ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ପୋଲିସ ଉକ୍ତ ଭିଡିଓ ତଦନ୍ତ କରି ନିଜଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି ଜୋର ଧରିଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଣ୍ଣମାଳା ପକ୍ଷରୁ ବିଶ୍ୱ କବିତା ଦିବସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସାରସ୍ୱତ ମଞ୍ଚ ବର୍ଣ୍ଣମାଳା ପକ୍ଷରୁ ବାଲୁଗାଁ ନିକଟ ଓଡ଼ିଆର୍ଟ ଅନୁଷ୍ଠାନ ପରିସରରେ କୋଡିଏ ଓ ଏକୋଇଶି ଦୁଇଦିନ ଧରି ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି। ବର୍ଣ୍ଣମାଳାର ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶ୍ୱ କବିତା ଦିବସରେ ରାଜ୍ୟର ବିଶିଷ୍ଟ କବି ଓ ଲେଖକମାନେ ଯୋଗଦେଇ କବିତା ଓ ସଂଗୀତ ଉପସ୍ଥାପନା ମାଧ୍ୟମରେ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ତଥା ଓଡ଼ିଆ କବିତାର ଜାତୀୟତାକୁ ପ୍ରତିପାଦିତ କରିଥିଲେ।

ଉକ୍ତ ସମାରୋହରେ ବିଶିଷ୍ଟ କବୟିତ୍ରୀ ମମତା ଦାଶ, ଫନୀ ମହାନ୍ତି, ବିପିନ ନାୟକ, ପ୍ରଦୀପ ପଣ୍ଡା, ମନୁଆ ଦାସ, ଅଙ୍ଗୁରୁବାଳା ପରିଡ଼ା, ଡଃ ମିହିର ସାହୁ, ଈପସିତା ଷଡ଼ଙ୍ଗୀ, ଅନୁଗ୍ରହ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାନ୍ତି, ଚିରଶ୍ରୀ ଇନ୍ଦ୍ରସିଂ, ସୁନନ୍ଦା ପ୍ରଧାନ, ପ୍ରବାସିନୀ ହୋତା, ଅମୀୟ ରଞ୍ଜନ ମହାପାତ୍ର, ଧନଞ୍ଜୟ ସ୍ୱାଇଁ, ହରିଶ୍ଚନ୍ଦ୍ର ବେହେରା, ରାଜୀବ ପାଣି, ଶଶୀଭୁଷଣ ରଥ, ଡଃ କୈଳାସ ଚନ୍ଦ୍ର ମହାରଣା, ପ୍ରିୟଦର୍ଶିନୀ ମହାରଣା, ସରୋଜ କୁମାର ମହାପାତ୍ର, ପ୍ରମୁଖ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିବା ସହ କବି ମନର କଥା, ଓଡ଼ିଆ ଭାଷା ପାଇଁ ପ୍ରତିବଦ୍ଧତା, ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ।  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ରାଜୀବ ପାଣି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ ନିକଟସ୍ଥ ପଞ୍ଚୁପୁଲିଆ ଶଙ୍ଖ ଠାରେ ଅଜଣା ଯୁବକଙ୍କ ଶବ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି।

ଯୁବକ ଜଣକ ଏକ ମାଟିଆ ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକ ଚେକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଆନୁମାନିକ ବୟସ ୩୫ ହେବ ବୋଲି ଜଣାପଡିଛି।  ତେବେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳିରୁ ହଟିଲା ଦଳୀୟ ପତାକା ଓ ବ୍ୟାନର, ଆରମ୍ଭ ହେଲା ପଦକ୍ଷେପ

ଚିଲିକା( ସୀତୀରାମ ଅଗ୍ରୱାଲ): ସାଧାରଣ ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଏହି ଅବସରରେ ନିର୍ବାଚନକୁ କିଭଳି ଭାବେ ସ୍ଵଛ, ଅବାଧ ଓ ନିରପେକ୍ଷ ଭାବେ କରାଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁର ଓ ବାଲୁଗାଁ ପ୍ରଶାସନ ଆରମ୍ଭ କଲାଣି କଡା ପଦକ୍ଷେପ।

ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା, ଦଳୀୟ ପୋଷ୍ଟର ଓ ହୋର୍ଡିଙ୍ଗ କୁ କାଢି ନିଆଯାଉଛି। ସରକାରୀ ଅଧିକାରୀମାନଙ୍କ ତତ୍ୱାବଧାନରେ ଜାରି ରହିଛି ଏହି କାର୍ଯ୍ୟ। ବିଭିନ୍ନ ଛକ ସହ ଗଳି କନ୍ଦି ବୁଲି ବୁଲି ଦଳୀୟ ପତାକା ସହ ପ୍ରଚାର ବୋର୍ଡ ଗୁଡିକୁ ଉଛେଦ କରାଯାଇଛି। ଯାହା ଫଳରେ କି ନିର୍ବାଚନ ସ୍ଵଛ ଓ ନିରପେକ୍ଷ ହୋଇପାରିବ।

Categories
ଆଞ୍ଚଳିକ

ବାଲୁଗାଁ: ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ନିକଟସ୍ଥ ସରଳସିଂହ ଗ୍ରାମର ସୀତାରାମ ପ୍ରସାଦ ନାୟକଙ୍କ ଘରେ ବଡ ଧରଣର ଚୋରୀ ହୋଇଛି। ଘରେ କେହି ନଥିବାବେଳେ ଦୁର୍ବୁତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ଖବର ମୁତାବକ ସରଳସିଂହ ଗ୍ରାମର ସୀତାରାମ ପ୍ରସାଦ ନାୟକ ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନାଚୁଣି ସ୍ଥିତ ନିଜ ଭାଇ ଘରକୁ ପରିବାର ସହ ଯାଇଥିଲେ।ଶନିବାର ସକାଳେ ଶ୍ରୀ ନାୟକ ଓ ତାଙ୍କ ସ୍ତ୍ରୀ ଘରେ ପହଞ୍ଚିବା ବେଳେ ଘର ଖୋଲା ଥିବା ସହିତ ତାଙ୍କ ଘରେ ଥିବା ଆଲମିରାକୁ କିଏ ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ। ପରେ ଜାଣିବାକୁ ପାଇଲେ ଆଲମିରାରେ ଥିବା ନଗଦ ୩୦ ହଜାର ଟଙ୍କା, ସୁନା ହାର, ୨ହଳ କାନ ଫୁଲ, ମଙ୍ଗଳସୂତ୍ର, ୪ଟି ମୁଦି ଓ ସୁନା ଚେନକୁ ଦୁର୍ବୁତ୍ତ ମାନେ ଲୁଟି ନେଇ ଚାଲି ଯାଇଛନ୍ତି।ଘଟଣା ସମ୍ପର୍କରେ ଶ୍ରୀ ନାୟକ ଆଜି ସକାଳେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ କେଶ ନଂ ୧୦୫/୨୪ରେ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଲୁଗାଁ: ମନ୍ଦିର ପରିଚାଳନା ବିବାଦକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ, ୮ରୁ ଉର୍ଦ୍ଧ୍ଵ ଆହତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟବ୍ୟାପୀ ଶୈବପୀଠ ମାନଙ୍କରେ ବହୁ ଧୁମଧାମରେ ମହାଶିବରାତ୍ରି ପାଳନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ଗ୍ରାମ ମୌଜା ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ମନ୍ଦିର ବିବାଦକୁ ନେଇ ପବିତ୍ର ଜାଗର ଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଘଟଣାରେ ଉଭୟ ଗୋଷ୍ଠୀ ମଧ୍ୟରୁ ୮ ଜଣରୁ ଉର୍ଦ୍ଧ୍ବ ପୁରୁଷ ଆହତ ହୋଇଥିବା ବେଳେ ବିଶୃଙ୍ଖଳାକାରୀ ୧୦-୧୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି।

ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ଗ୍ରାମ ମୌଜା ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ବାର ମାସରେ ତେର ଯାନିଯାତ୍ରା କୋତରୀ ଓ ଧୂଆଁଳ ଗ୍ରାମବାସୀ ମିଳିତ ଭାବେ କରିଆସୁଥିଲେ ମଧ୍ୟ ସଦାସର୍ବଦା ମନ୍ଦିର ପରିଚାଳନା ନେଇ ବିବାଦ ଲାଗିରହିଥିଲା। କୋତରୀ ମୌଜାରେ ମନ୍ଦିର ଥିବାରୁ ଶ୍ରୀ ଧବଳେଶ୍ବର ଦେବଙ୍କୁ ବିଜେ କୋତରୀ ସାର୍ବଜନୀନ କରିବା ନେଇ ଦାବି ହୋଇଆସୁଥିଲା। ଗତ ଫେବ୍ରୁଆରୀ ମାସରେ ଉକ୍ତ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ନେଇ ଉଭୟ ଗ୍ରାମ ମଧ୍ୟରେ ମତାନ୍ତର ସାଙ୍ଗକୁ ତିକ୍ତତା ଲାଗିରହିଥିଲା। ଯାହାକୁ ନେଇ ଚିଲିକା ତହସିଲଦାର ଓ ବାଲୁଗାଁ ଥାନା ହସ୍ତକ୍ଷେପ ପରେ ଉଭୟ ଗ୍ରାମ କମିଟି ସଦସ୍ୟଙ୍କ ଉପସ୍ଥିତରେ ସମସ୍ୟା ସମାଧାନ ସହ ଶାନ୍ତିଶୃଙ୍ଖଳାରେ ଯଜ୍ଞ ସମାପନ ହୋଇଥିଲା। ମାତ୍ର କାହିଁ ପରମ୍ପରା ଅନୁଯାୟୀ ଧୂଆଁଳ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ସମସ୍ତ ଯାନିଯାତ୍ରା ସହ ମହାଶିବରାତ୍ରି ଆୟୋଜନ କରିଆସୁଥିବା ବେଳେ କୋତରୀ ଗ୍ରାମବାସୀ ଏହାକୁ ବିରୋଧ କରିବାସହ ଜାଗର ଯାତ୍ରାରେ ଆମ୍ଭ ଗ୍ରାମର ଠାକୁର ତେଣୁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ବୋଲି ଯୁକ୍ତି ବାଢିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବାକବିବାଦ ଲାଗିରହିବା ବେଳେ କ୍ରମଶଃ ଉଗ୍ରରୂପ ଧାରଣ କରି ହାତାହାତି ହୋଇଥିଲା।

ଯାହାଫଳରେ ଶୈବପୀଠ ପରିବେଶ ଧାର୍ମିକସ୍ଥଳ ପରିବର୍ତ୍ତେ ରଣକ୍ଷେତ୍ର ପାଲଟିଥିଲା। ଯିଏ ଯେମିତି ପାରିଲା ଆକ୍ରମଣ କରିଥିଲେ। ଉକ୍ତ ଘଟଣାରେ ୮ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଆଇଆଇସି ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ପରମ୍ପରା ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା ସମ୍ପନ୍ନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ଘଟଣା ନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ବାଲୁଗାଁ ଥାନାରେ ଗତକାଲି ବିଳମ୍ବିତ ରାତିରେ ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ବାଲୁଗାଁ ଥାନା ପକ୍ଷରୁ ଆଜି କେଶ ନଂ ୯୫/୨୪ ଓ ୯୬/୨୪ ରେ ଗୋଷ୍ଠୀ ସଂଘର୍ଷକାରୀ ୧୦ ରୁ ୧୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିବା ସହ ଉଭୟ ଗ୍ରାମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆଇଆଇସି ଶ୍ରୀ ପରିଡା କହିଛନ୍ତି। ତେବେ ଗିରଫ ଭୟରେ ଉଭୟ ଗ୍ରାମ ପୁରୁଷଶୁନ୍ୟ ହୋଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ପାଳିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ, କଳିଙ୍ଗର ବରପୁତ୍ର, ଓଡିଆ ଜାତିର ସ୍ୱାଭିମାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ। ଏହି ଦିନକୁ ସାରା ଓଡିଶାରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଏ। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଠାରେ ବିଜୁ ଯୁବ ଜନତା ଦଳ ସଭାପତି ଶଶିକାନ୍ତ ପାଇକରାୟଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଇଥିଲା। ସରଳା ପଦର ଛକ ସ୍ଥିତ ମା’ ଉତ୍ତରାୟଣୀ ମନ୍ଦିର ଠାରୁ ଉକ୍ତ ପଦଯାତ୍ରା ଆରମ୍ଭ ହୋଇ ବାଲୁଗାଁ ବଜାରର ଗାନ୍ଧୀ ଛକ ଠାରେ ପହଞ୍ଚିଥିଲା। ଗାନ୍ଧୀ ଛକ ଠାରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା। ଏହି ସମୟରେ କର୍ମୀମାନଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଅମର ରହେ ସ୍ଲୋଗାନରେ ବାଲୁଗାଁ ବଜାର ପ୍ରକମ୍ପିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସି ବିଜୁ ଜନତା ଦଳ ସଭାପତି ଜୟନ୍ତ ସ୍ୱାଇଁ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ, ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ନାୟକ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ସୁଜାତା ପଣ୍ଡା, ଡିଜିଟାଲ ସେକ୍ରେଟାରୀ ଆରବ କୁମାର ଏବଂ ବିଜୁ ଜନତା ଦଳର ଯୁବଛାତ୍ର, କର୍ମୀ ବହୁଳ ମାତ୍ରରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ। ଖବର ଅନୁସାରେ ମଙ୍ଗଳବାର ରାତିରେ ବାଲୁଗାଁ ଗୋପବନ୍ଧୁ ନଗର ବାସିନ୍ଦା ସନ୍ତୋଷ ପାତ୍ର ଓ ସ୍ତ୍ରୀ ଘରେ ଅନୁପସ୍ଥିତ ଥିବାବେଳେ ଝିଅ ସୋନାଲି ପାତ୍ର (୧୭) ଘରେ ଏକୁଟିଆର ସୁଯୋଗ ନେଇ କୌଣସି କାରଣରୁ ବେକରେ ଚୁନରି ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ଏନେଇ ଶ୍ରୀ ପାତ୍ର ବାଲୁଗାଁ ଥାନାରେ ଖବର ଦେବାରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସୋନାଲିକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ପୃକ୍ତ ମୃତକ ଜଣକ ବାଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବାସହ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବେଆଇନ ମାଟି ଚୋରାଚାଲାଣ ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ବେଆଇନ ମାଟି ଚୋରାଚାଲାଣ ଅଭିଯୋଗରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତିନି ଗୋଟି ମାଟି ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରିଛି ପୋଲିସ। ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଗତକାଲି ଶାମୁକା ପାହାଡ଼ ପାଦଦେଶରେ ବେଆଇନ ମାଟି ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ଖବର ପାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ତଦୁଇ ଗୋଟି ମାଟି ବୋଝେଇ ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରାଯାଇଥିଲା। ଅନୁରୂପ ଭାବେ ଜାତୀୟ ରାଜପଥରୁ ମଧ୍ୟ ଏକ ମାଟି ବୋଝେଇ ଟ୍ରାକ୍ଟର ଗତକାଲି ଜବତ କରାଯାଇଥିଲା।

ତେବେ ଉକ୍ତ ଘଟଣାରେ ସମୁଦାୟ ତିନି ଗୋଟି ମାମଲା ରୁଜୁ ହେବା ସହ ଅଭିଯୁକ୍ତ ରମେଶ ଜେନା (୩୦), ପ୍ରଦୀପ ବେହେରା (୪୫), ରାଜକୁମାର ବେହେରା (୨୪) ଏବଂ ଦିଲ୍ଲୀପ ପଲାଇ (୨୪)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିବସରେ ଦୁଇ ଜଣ ଅନୁପସ୍ଥିତ

ବାଲୁଗାଁ: ଆଜି ସାରା ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ୧୯ଟି ସିଟିଂରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା।

ପ୍ରଥମ ଦିବସରେ ବାଲୁଗାଁ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଯୋଗୁଁ ପାଠ୍ୟକ୍ରମ ସରି ନଥିବା ବେଳେ ପାଠ ପଢ଼ାପଢିରେ ଘୋର ବ୍ୟାଘାତ ହୋଇଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ବେଳେ କପି ରୋକିବା ଦିଗରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଜୟନ୍ତୀ ସାମଲ କହିଛନ୍ତି।

ଆଜିର ପରୀକ୍ଷାରେ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ଥିବା ଅଧ୍ୟକ୍ଷା କଳ୍ପନା ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ସିସି ଟିଭି ପରିସର ଭୁକ୍ତ କରାଯିବା ସହ ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା କରାଯାଇଥିବା କଲେଜ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଶାଳିଆ ପ୍ରେସ କ୍ଲବ ପରିସରରେ ସରସ୍ବତୀ ପୂଜା ଅନୁଷ୍ଠିତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ପରିସରରେ ଆଜି ସରସ୍ବତୀ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। କ୍ଲବ ସଭାପତି ଅଜିତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଘ କାର୍ଯ୍ୟାଳୟ ପରିସରରେ ଦେବି ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଅବସରରେ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥାଇ ଦେବି ସରସ୍ବତୀଙ୍କ ଆଶୀର୍ବାଦ କାମନା କରିଥିଲେ। ପବିତ୍ର ପୂଜା ଅବସରରେ ସମସ୍ତ ସଭ୍ୟମାନେ ମା’ ଙ୍କ ନିକଟରେ ଜନସାଧାରଣଙ୍କ ମଙ୍ଗଳ କାମନା କରିବା ସହ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଆଗାମୀ ପରୀକ୍ଷାର ସଫଳତା ପ୍ରାର୍ଥନା କରିଥିଲେ।

ତେବେ ବାଣପୁର-ବାଲୁଗାଁ-ଚିଲିକା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଏବଂ ସରକାରୀ ଅଧିକାରୀମାନେ ଏହି ଅବସରରେ ଶାଳିଆ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିଦର୍ଶନକୁ ଆସି ଦେବି ସରସ୍ବତୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।