Balugaon News: ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଅଞ୍ଚଳ ଆଗାମୀ ୩୦ ବର୍ଷରେ ଜନସଂଖ୍ୟା ବୃଦ୍ଧି ଓ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବାଲୁଗାଁର ଡ୍ରେନେଜ୍ ସମ୍ପ୍ରସାରଣ, ପୁନଃବ୍ୟବହାରଯୋଗ୍ୟ ବର୍ଜ୍ୟ ଜଳ (Grey Water) ପରିଚାଳନା, ବର୍ଷାଜଳ (Storm Water) ନିଷ୍କାସନ ବ୍ୟବସ୍ଥା ଏବଂ ଜଳ ବିଶୋଧନ କେନ୍ଦ୍ର (Treatment Plant) ସ୍ଥାପନ ନିମନ୍ତେ ପ୍ରସ୍ତୁତ ହେଉଥିବା ସମନ୍ୱିତ ମାଷ୍ଟର ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି।
ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁପରିକଳ୍ପିତ ନଗରୀକରଣ,ଜଳ ପରିଚାଳନା ଏବଂ ପରିବେଶ ଅନୁକୂଳ ଭିତ୍ତିଭୂମିର ବିକାଶ ମାଧ୍ୟମରେ ବାଲୁଗାଁକୁ ଏକ ସ୍ୱଚ୍ଛ, ସୁରକ୍ଷିତ, ସୁସ୍ଥାୟୀ ଓ ଆଧୁନିକ ସହରରେ ପରିଣତ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ।
ସେହିପରି ବାଲୁଗାଁ ପ୍ଲାନିଂ ଏରିଆ ପାଇଁ GIS/RS ଆଧାରିତ ମାଷ୍ଟର ପ୍ଲାନ–୨୦୫୧ ପ୍ରସ୍ତୁତି ସମ୍ପର୍କିତ ଉପସ୍ଥାପନାର ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି।ଏଥିରେ GIS ବା Geographic Information System ମଧ୍ୟମରେ ସହରର ସମସ୍ତ ଭୌଗଳିକ ସ୍ଥିତିକୁ ଡାଟା ବେସ ମାଧ୍ୟମରେ ସଂରକ୍ଷିତ ରଖାଯିବ।
ସେହିପରି RS ବା Remote Sensing ଦ୍ବାରା ସହରର ଜମି, ନାଳ, ନର୍ଦ୍ଧମା ପ୍ରଭୃତି ଡ୍ରୋନ ସାହାଯ୍ୟରେ ଚିହ୍ନଟ କରାଯାଇ ଏହା ସଂପ୍ରସାରଣ କିପରି ହୋଇପାରିବ ତାହା ନିର୍ଦ୍ଧାରିତ କରାଯିବ।
ଉକ୍ତ ବୈଠକରେ GIS/RS ପ୍ରଯୁକ୍ତିକୁ ଆଧାର କରି ପ୍ରସ୍ତୁତ ହେଉଥିବା ଏହି ଦୀର୍ଘମିଆଦି ମାଷ୍ଟର ପ୍ଲାନ ବାଲୁଗାଁ ଅଞ୍ଚଳର ସୁବ୍ୟବସ୍ଥିତ ନଗରୀକରଣ, ଉନ୍ନତ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ଜନସାଧାରଣଙ୍କ ପାଇଁ ଉନ୍ନତ ନାଗରିକ ସୁବିଧା, ପରିବେଶ ସଂରକ୍ଷଣ ଓ ସନ୍ତୁଳିତ ବିକାଶର ଏକ ଦୀର୍ଘମିଆଦି ସାମାଜିକ ରୂପରେଖ ପ୍ରଦାନ କରିବ।
ବିଶ୍ବପ୍ରସିଦ୍ଧ ଚିଲିକା ହ୍ରଦର ପରିବେଶୀୟ ଗୁରୁତ୍ୱକୁ ଅକ୍ଷୁର୍ଣ୍ଣ ରଖି ଯୋଜନାବଦ୍ଧ ବିକାଶ, ଜଳାଶୟ ଓ ସବୁଜ କ୍ଷେତ୍ରର ସଂରକ୍ଷଣ, ଉନ୍ନତ ସଡ଼କ ନେଟୱାର୍କ, ସାମାଜିକ ଓ ଆର୍ଥିକ ଭିତ୍ତିଭୂମିର ବିକାଶ ସହିତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ଲୋକକେନ୍ଦ୍ରିକ, ବୈଜ୍ଞାନିକ ଓ ଦୂରଦର୍ଶୀ ଯୋଜନା ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ସହର ଓ ଅଞ୍ଚଳକୁ ସୁପରିକଳ୍ପିତ, ଆଧୁନିକ ଏବଂ ବିକଶିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।


