Categories
ଆଞ୍ଚଳିକ

ବାଲୁଗାଁ ଏନଏସି ରେ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିନି ଦିନ ଧରି ଆୟୋଜିତ ହୋଇଥିବା ଭାଷା ସାହିତ୍ୟ ପ୍ରତିଯୋଗିତାର ଆଜି ଉଦଯାପନ ହେବା ସହ ଅଂଚଳର କବି, ଲେଖକ, ସାହିତ୍ୟିକ ଓ ଭାଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ନଗରପାଳିକା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ କାଉନସିଲର ମମତା ପଣ୍ଡା, ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠୀ,ବାଲୁଗାଁ କଲେଜ ପ୍ରାକ୍ତନ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ ଯୋଗଦେଇ ବାଲୁଗାଁ ଅଂଚଳର ପ୍ରତିଭା ମାନଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରିଥିଲେ।

ଏହି ସମ୍ବର୍ଦ୍ଧିତ ସାହିତ୍ୟିକ ମାନଙ୍କ ମଧ୍ୟରେ କବି ଜିତେନ୍ଦ୍ର ବରାଳ, ଭାଷାବିତ ଆଶୁତୋଷ ସାମନ୍ତ ସିଂହାର, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା, ଡକ୍ଟର ନମିତା ଦାଶ, ଅଧ୍ୟାପିକା ବିନତି ମଞ୍ଜରୀ ରାଉତ, ଡକ୍ଟର ଜୟନ୍ତୀ ସାମଲ, ଗାଳ୍ପିକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, କବି ଲଷ୍ମୀଧର ସୁବୁଦ୍ଧି, ରମାକାନ୍ତ ନନ୍ଦ, ଜଗଦୀଶ ପ୍ରଧାନ, ତ୍ରିବିକ୍ରମ ପଣ୍ଡା, ରଙ୍କନାଥ ସେଠୀ, କବି ଦିଗମ୍ବର ବିଶ୍ୱାଳ, ପ୍ରସାଦ ପ୍ରଧାନ, ବିଜୟ କୁମାର ନନ୍ଦ,ତ୍ରିଲୋଚନ ବାରିକ, ବିଷ୍ନୁପ୍ରିୟା ବାରିକ, ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଅସ୍ମିତା ସମ୍ମାନ ଗ୍ରହଣ କରିଥିଲେ।

ଏହାପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା, ତର୍କ, ବକ୍ତୃତା, ରଚନା ଓ କଣ୍ଠ ସଂଗୀତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ସଂଚାଳନ କରିଥିଲେ କ୍ରିଷ୍ଣ ମୋହନ ବଳବନ୍ତରାୟ। ଯୁବ ସମାଜସେବୀ ସନ୍ତୋଷ କୁମାର ପାଇକରାୟ ଓ ଏନଏସି ର କର୍ମଚାରୀମାନେ ଏହାକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ରେ ବୁଲିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଘରକୁ ଘର ବୁଲି ଚାଉଳ ଆଉ ଗୁଆ ସଂଗ୍ରହ କରିଛି। ଅର୍ପଣ ରଥ ଜେନା କଲୋନୀ, ରାମପୁର, କେ. କେ. ନୂଆଗାଁ, ଉମାମହେଶ୍ଵରଃ ରୋଡ ଗ୍ରାମରୁ ଗୁଆ ଚାଉଳ ଗ୍ରହଣ କରିଛି। ଏହି ସମୟରେ ଶ୍ରୀଜଗନ୍ନାଥ ଧ୍ୱନି ଓ ହୁଳହୁଳିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ନଗରପାଳିକା ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, ଯୁବ ନେତା ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଜୟନ୍ତ ସ୍ୱାଇଁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଖୋର୍ଦ୍ଧା ଜିଲ୍ଲା ମହିଳା ସହ ସମ୍ପାଦକ ବନିତା ପ୍ରଧାନ, ସମସ୍ତ କାଉନସିଲର ମମତା ପଣ୍ଡା, ଅନିତା ସ୍ୱାଇଁ, ସୁଜାତା ପଣ୍ଡା, ଅଭିମନ୍ୟୁ ସ୍ୱାଇଁ, ଛାତ୍ର ବିଜେଡି ସଭାପତି ଶଶିକାନ୍ତ ପାଇକରାୟ, ସମସ୍ତ ଏସଏଚଜି ଗ୍ରୁପ ର ମହିଳା, ମିଶନଶକ୍ତିର ନାରୀନେତ୍ରୀ, ଜଳସାଥୀ, ସ୍ୱଚ୍ଛ ସାଥି ଯୁବ, ଜଗନ୍ନାଥ ପ୍ରେମୀ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ଲୋକାର୍ପଣ ଅର୍ପଣ ରଥ ସହ ଦ୍ଵାରା ଦ୍ଵାର ବୁଲିଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି କୁ ମିଳିଲା ୫୨ କୋଟି ଟଙ୍କାର ଅନୁଦାନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ

ଚିଲିକା: ବାଲୁଗାଁ ଏନଏସି ର ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୫୨ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ କରିଛନ୍ତି। ସେଥିରେ ବାଲୁଗାଁ ମେଡିକାଲର ଉନ୍ନତି କରଣ ନିମନ୍ତେ ୧୨ କୋଟି ଟଙ୍କା ଏବଂ ବାଲୁଗାଁ ଥାନାଠାରୁ ଚିଲିକା ଢାବା ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ନିମନ୍ତେ ୪୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

ଏ ନେଇ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ବାଲୁଗାଁ ଏନଏସିର ବିକାଶ ପାଇଁ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅଧ୍ୟକ୍ଷା ଅନୁରୋଧ କରିଥିଲେ। ତାଙ୍କ ପ୍ରଚେଷ୍ଠାରେ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ପ୍ରଦାନ କରିଥିବାରୁ ପ୍ରଣବ ପ୍ରକାଶଙ୍କୁ ମଧ୍ୟ ସେ ଧନ୍ୟବାଦ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ବାଲୁଗାଁ ଏନଏସି ର ଉନ୍ନତି ପାଇଁ ଅଧ୍ୟକ୍ଷା ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ନିକଟରେ ବାଲୁଗାଁ ଏବଂ ଚିଲିକା କୂଳର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ବିଭିନ୍ନ ରାସ୍ତାଘାଟର ଉନ୍ନତି କରାଯାଇଛି। ପରବର୍ତ୍ତି ସମୟରେ ବାଲୁଗାଁ ଏନଏସିର ବହୁବିଧି ବିକାଶ ପାଇଁ  ଅଧ୍ୟକ୍ଷା ଯୋଜନା ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ବଜ୍ରାଘାତରେ ବାପା ପୁଅଙ୍କ ମୃତ୍ୟୁ: ସମ୍ପର୍କୀୟଙ୍କୁ ଭେଟି ସାହାଯ୍ୟର ହାତ ବଢାଇଲେ ବାଲୁଗାଁ ନଗରପାଳିକା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସନ୍ୟାସୀ ନଗରରେ କିଛି ଦିନ ତଳେ ଏକ ଅଘଟଣ ଘଟିଯାଇଥିଲା। ଚିଲିକା ଜଳରାଶି ଭିତରେ ବାପା ପୁଅ ମାଛ ଧରିବା ବେଳେ ବଜ୍ରାଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଏଭଳି ଏକ ଦୁଃଖଦାୟକ ଘଟଣା ବିଷୟରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ ଜାଣିଲା ପରେ ସେ ନିଜେ ଓ ତାଙ୍କ ପ୍ରତିନିଧି, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସନ୍ତୋଷ ପାଇକରାୟ, ଉପ ନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହା ସହ କିଛି ଆର୍ଥିକ ସହାୟତା, ଏକ ମାସର ରାସନ ସଉଦା ଏବଂ ସେହି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ତାଙ୍କ ପରିବାରରେ ଥିବା ୩ ଝିଅଙ୍କ ଭରଣ ପୋଷଣ, ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଏଭଳି ଦୁଃଖ ସମୟରେ ସେହି ଦୁଃଖୀ ପରିବାରକୁ ସାହାଯ୍ୟର ହାତ ବଢ଼ାଇ ଥିବାରୁ ବାଲୁଗାଁ ଏନଏସି ନଗର ପାଳିକା ସୁକାନ୍ତି ପାଇକରାୟଙ୍କୁ ସନ୍ୟାସୀ ନଗର ଗ୍ରାମବାସୀ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଏନଏସି ଠାରେ ନଗରପାଳିକା ସୁକାନ୍ତି ପାଇକରାୟ ଓ ସମସ୍ତ କାଉନସିଲର ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ଏନଏସିର ବିଭିନ୍ନ ଅଞ୍ଚଳରେ ବର୍ଷା ଦିନରେ ପାଣି ଜମି ରହିବା ଫଳରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ତେଣୁ ବାଲୁଗାଁ ଏନଏସି ରୁ ସଂକ୍ରମଣ ଜନିତ ରୋଗକୁ ଦୂରୀଭୂତ କରିବା ପାଈଁ ସମସ୍ତ ୱାର୍ଡରେ ମଶା ମରା ଯନ୍ତ୍ରର ତୁରନ୍ତ ବ୍ୟବହାର ପାଇଁ ଉପ ଜିଲ୍ଲାପାଳ ଏନଏସି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ଦ୍ବାରା ପାନୀୟ ଜଳ ପାଇପ ଲାଇନର ହେଲା ଶୁଭ ଉଦଘାଟନ

ସୀତାରାମ ଅଗ୍ରୱାଲ

ବାଲୁଗାଁ:  ବାଲୁଗାଁ ଏନଏସି ଏକ ନମ୍ବର ୱାର୍ଡ ଅନ୍ତର୍ଗତ ପାଟଶାଣୀ କଲୋନୀ ଠାରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ଦ୍ୱାରା ନୂତନ ପାନୀୟ ଜଳ ପାଇପ ଲାଇନ ର ଶୁଭ ଉଦଘାଟନ ହୋଇଅଛି।

ଏଥିରେ ବାଲୁଗାଁ ଏନଏସି ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, ବିଜେଡି ର ଅନେକ ବରିଷ୍ଠ ନେତା, କର୍ମୀ, ଛାତ୍ର ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳିଲେ, ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ

ବାଲୁଗାଁ : ଶେଷରେ ବହୁ ଦାବୀ ପରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀଙ୍କର ବଦଳି ହୋଇଛି। ସେ ତୁରନ୍ତ ତାଙ୍କର ନିକଟସ୍ଥ ଅଧିକାରୀଙ୍କୁ କାର୍ଯ୍ୟଭାର ଦେଇ ସେଠାରୁ ରିଲିଭ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ପୋଷ୍ଟିଂ ନ ହେବା ପର୍ଯ୍ୟନ୍ତ ସେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ କାଉନସିଲରମାନେ ଅସନ୍ତୁଷ୍ଠ ଥିଲେ। ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ସବୁ କାଉନସିଲର ଏବଂ ଅଧ୍ୟକ୍ଷା ଧାରଣରେ ବସିଥିଲେ। ବାଲୁଗାଁ ଏନଏସି ଉନ୍ନୟନ କାର୍ଯ୍ୟରେ ସେ ସହଯୋଗ କରୁ ନ ଥିବାର ଅଭିଯୋଗ କରାଯାଇଥିଲା। ନଗର ଉନ୍ନୟନ ବିଭାଗ ଏହି ଅଭିଯୋଗ ପାଇବା ପରେ ତାଙ୍କୁ ତୁରନ୍ତ ସେଠାରୁ ହଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ସେଠାକୁ ନୂଆ ଅଧିକାରୀ ଆସିବା ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଦାୟିତ୍ବରେ ରହିବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ୩ ନମ୍ବର ୱାର୍ଡ ସହିଦ କୃତିବାସ ନଗରରେ ପାନୀୟ ଜଳର ଘୋର ଅଭାବ ରହୁଥିଲା। ଏଥିପାଇଁ ୱାର୍ଡବାସୀ ଦୀର୍ଘ ବର୍ଷ ହେବ ବହୁ ହଇରାଣ ହରକତ ହେଉଥିଲେ। ଗତ ବର୍ଷ ହୋଇଥିବା ପୌର ନିର୍ବାଚନ ସମୟରେ ଉକ୍ତ ସମସ୍ୟାକୁ ୱାର୍ଡ ବାସୀମାନେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ନିର୍ବାଚନ ଜିତିଲେ ୩ ନମ୍ବର ୱାର୍ଡର ଉକ୍ତ ସମସ୍ୟାର ସମାଧାନ କରାଯିବା ନେଇ ବର୍ତ୍ତମାନର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ତେବେ ପ୍ରତିଶୃତି ମୁତାବକ ଆଜି ୩ ନମ୍ବର ୱାର୍ଡରେ ଉକ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଛି।  ସହିଦ କୃତିବାସ ନଗରରେ ପାନୀୟ ଜଳ ପାଇଁ ନୂଆ ପାଇପଲାଇନର ଶୁଭ ଉଦଘାଟନ କରାଯାଇଛି। ଅଧ୍ୟକ୍ଷା ଶ୍ରମତି ପାଇକରାୟଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ଏହାଦ୍ୱାରା ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ତେବେ ନିର୍ବାଚନ ଇସ୍ତାହାରକୁ ଗୁରୁତ୍ୱ ଦେଇ ମାତ୍ର ଏକ ବର୍ଷ ମଧ୍ୟରେ ଦୀର୍ଘ ବର୍ଷର ସମସ୍ୟା ଦୂର କରିଥିବାରୁ ଅଧ୍ୟକ୍ଷାଙ୍କୁ ୱାର୍ଡବାସୀ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସଂଗଠକ ସନ୍ତୋଷ ପାଇକରାୟଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଲକ୍ଷ୍ମୀଧର ସେଠି, ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ମମତା ପଣ୍ଡା, ସୁଜାତା ପଣ୍ଡା ଏବଂ ବିଧାୟକ ଓ ସାଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ରେ ପାଳନ ହେଲା ଉତ୍କଳ ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଏନଏସି ରେ ଉତ୍କଳ ଦିବସ ପାଳନ ହୋଇଯାଇଛି।  ଏହି ଅବସରରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ସାଂସଦ ପ୍ରତିନିଧି ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ ଏବଂ ସମସ୍ତ ଏନଏସି କର୍ମଚାରୀ, ବାଲୁଗାଁ ଏନଏସି ବିଜେଡିର କର୍ମୀ, ନାରୀ ନେତ୍ରୀମାନେ ଏନଏସି କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରିଥିଲେ। ଏହାପରେ ଚାଲି ଚାଲି ଯାଇ ଗାନ୍ଧିଛକ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ତା’ପରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀମତୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳର ମହାପୁରୁଷ ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବାଲୁଗାଁ ଚିଲିକା କୂଳଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟରେ ପାଳନ ହେଉ ଥିବା ଉତ୍କଳ ଦିବସରେ ନିଜର ଯୋଗ ଦେଇଥିଲେ।

ଶେଷରେ ଜରା ନିବାସରେ ବୃଦ୍ଧ ବୃଦ୍ଧାଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭା ଗୃହରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ ସମ୍ମାନୀତ ଅତିଥିଭାବେ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଯୋଗ ଦେଇଥିଲେ।

ଲାଇଫ୍ ଏକାଡେମୀ ଅଫ୍ ଭୋକେସନାଲ ଷ୍ଟଡିଜର କର୍ମକର୍ତ୍ତା ଓ ସାମାଜିକ ସମୀକ୍ଷକ ଲଷ୍ମୀକାନ୍ତ ପାଇକରାୟ,ବିସ୍ଵଭାବିବ ଖୁଣ୍ଟିଆ ଏବଂ ମୁରଲୀଧର ବରାଳ କର୍ମଶାଳାରେ ଯୋଗଦେଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ କାଉନସିଲର,ଏନଏସି କର୍ମଚାରୀ, ହିତାଧିକାରୀ,ଏସଏଚଜି ମହିଳା,ଏବଂ ବିଭିନ୍ନ ୱାର୍ଡରୁ ଆସିଥିବା ବାସିନ୍ଦାମାନଙ୍କ ସହ ଆବାସ ଯୋଜନା ସମ୍ପର୍କରେ ସମସ୍ତ ଆଲୋଚନା କରିଥିଲେ।

ଏହି ଅବସରରେ ନଥିପତ୍ର ସମୀକ୍ଷା, ଗୋଷ୍ଠିଗତ ଆଲୋଚନା, ମୂଖ୍ୟ ସୂଚନା ସାକ୍ଷାତକାର ସହିତ ଜନ ଶୁଣାଣି ପାଇଁ ୫ଟି ଉପକମିଟି ଗଠନ କରାଯାଇ ସାମାଜିକ ସମୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ଆସନ୍ତାକାଲି ଏ ନେଇ ଜନଶୁଣାଣି କରାଯିବା ସହ ଡି ପି ଆର୍ ମାମଲାର ନଥିପତ୍ର ଅବିକଳ ନକଲ, ଗ୍ୟାପ୍ ଆନାଲିସିସ୍ କରାଯାଇ ଆଜି ଉକ୍ତ କର୍ମଶାଳା ଉଦଯାପିତ ହେବ ବୋଲ ଜଣାପଡିଛି କରାଯିବା ନେଇ ସୋସିଆଲ ଏକ୍ସପର୍ଟ ଲକ୍ଷ୍ମୀକାନ୍ତ ପାଇକରାୟ କହିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢି, କନିଷ୍ଠ ଯନ୍ତ୍ରୀ ବିମଳ ଚନ୍ଦ୍ର ମିଶ୍ର, କମ୍ୟୁନିଟି ଅର୍ଗାନାଇଜର ନର୍ମଦା ଦେଇ, ସ୍ଵଚ୍ଛସାଥୀ ପ୍ରମୁଖ କର୍ମଶାଳା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ବିଜ୍ଞାପିତ ଅଞ୍ଚଳ ପରିଷଦର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ନ ପଡନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। କର୍ମଶାଳା ପ୍ରାରମ୍ଭରେ ବିଶ୍ବବିଭଵ ଖୁଣ୍ଟିଆ ସ୍ଵାଗତ ଭାଷଣ ଦେଇଥିବାବେଳେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାରେ ନାଚିଲେ ସରକାରୀ କର୍ମଚାରୀ, ଭିଡ଼ିଓ ହେଲା ଭାଇରାଲ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି।

ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି।

ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି।

ଗୋଟାଏ ପଟେ ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀମାନେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅପରପକ୍ଷେ ଏଠି ଖୋଦ ସରକାରୀ କର୍ମଚାରୀ ସର୍ବସାଧାରଣ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ଉତ୍ସବରେ ଖୋଲାଖୋଲି ଭାବେ ସାମିଲ ହୋଇ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି।

ଓଡ଼ିଶା ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ ଧାରା ୫ ମୁତାବକ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳ ସହ ଜଡ଼ିତ ହୋଇପାରିବେ ନାହିଁ। କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ଭଗବାନ ପ୍ରଧାନ ହେଲେ ବାଲୁଗାଁ ଏନଏସିର ନୂତନ ଉପାଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ବାଲୁଗାଁ ଏନଏସିରେ ଉକ୍ତ ନିର୍ବାଚନ ଶେଷ ହୋଇଛି। ତେବେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି।

୧୧ ଗୋଟି ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୯ ନମ୍ବର ୱାର୍ଡ ବିଜେପି କାଉନସିଲର ବିପ୍ଳବୀ ରବିଶଙ୍କର ସାହୁ ନୋମିନେସନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୧ ନମ୍ବର ୱାର୍ଡ କାଉନସିଲର ଭଗବାନ ପ୍ରଧାନ ନୋମିନେସନ ଦାଖଲ କରିଥିଲେ। ତେବେ ଭଗବାନଙ୍କୁ ସମୁଦାୟ ୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିପ୍ଳବୀଙ୍କୁ ୦୩ ଖଣ୍ଡ ଭୋଟ ମିଳିଥିଲା ଏବଂ ବିଜେପିର ଦୁଇ କାଉନସିଲର ଅନୁପସ୍ଥିତ ଥିଲେ।

ଏହି ଅନୁସାରେ ନିର୍ବାଚନ ଅଧିକାରୀ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ୧୧ନଂ କାଉନସିଲର ଭଗବାନ ପ୍ରଧାନଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏଥି ସହିତ ଭଗବାନ ପ୍ରଧାନ ବାଲୁଗାଁ ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷ ହୋଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ
ବଲୁଗାଁ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗିପଡିଛନ୍ତି। କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ।

ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାଇତ୍ୱ ଦେଇଥିବା ସେ କହିଛନ୍ତି। ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ।

Categories
ଆଞ୍ଚଳିକ

ପୌର ନିର୍ବାଚନ: ଆଜି ବାଲୁଗାଁ ଏନଏସିରେ ପ୍ରାର୍ଥୀପତ୍ର ଦାଖଲ କଲେ ୨ ଅଧ୍ୟକ୍ଷା, ୧୧ କାଉନସିଲର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୌର ନିର୍ବାଚନ ନିମନ୍ତେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ ୧୧ଟି ୱାର୍ଡ କାଉନସିଲର ପଦବୀ ପାଇଁ ରବିବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଆଜି ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକମାନଙ୍କ ଗହଣରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସି ବାଲୁଗାଁ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ ଶାସକ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନାମାଙ୍କନ ପତ୍ର ଦାଖଲ କରାଯାଇନଥିବା ବେଳେ ଆଜି ବିଜେପି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ସ୍ୱପ୍ନା ବଡ଼ଜେନା ଏବଂ ମମତା ବଡ଼ଜେନାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। କାଉନସିଲର ପଦବୀ ପାଇଁ ୧ନଂ ୱାର୍ଡରୁ ଭୋବନା ଦାସ, ୨ନଂ ୱାର୍ଡରୁ ବିକାଶ ବେହେରା, ୩ନଂ ୱାର୍ଡରୁ ସୁନିତା ମହାରଣା, ୪ନଂ ୱାର୍ଡରୁ ମିନତୀ ତରାଇ, ୫ନଂ ୱାର୍ଡରୁ ପ୍ରଶାନ୍ତ କୁମାର ବେହେରା, ୬ନଂ ୱାର୍ଡରୁ ମିନତୀ ବେହେରା, ୭ନଂ ୱାର୍ଡରୁ ରୁନୁ ବେହେରା, ୮ନଂ ୱାର୍ଡରୁ ମୀରାରାମ ନାଗବଂଶୀ ମୁଣ୍ଡା, ୯ନଂ ୱାର୍ଡରୁ ବିପ୍ଲବୀ ରବିଶଙ୍କର ସାହୁ, ୧୦ନଂ ୱାର୍ଡରୁ କାଜଲ ପ୍ରଧାନ ଓ ୧୧ନଂ ୱାର୍ଡରୁ ତନ୍ମୟ କୁମାର ସାହୁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ମତଦାତା ସଂଖ୍ୟା ୧୨,୯୧୩। ତନ୍ମଧ୍ୟରୁ ୬,୮୬୨ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୬,୦୫୦ ଜଣ ମହିଳା ମତଦାତା ଓ ଜଣେ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଆଗାମି ୨୪ ତାରିଖରେ ୧୬ଟି ବୁଥରେ ମତଦାନ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ବାଲୁଗାଁ ଏନଏସି ନିର୍ବାଚନ ପାଇଁ ପ୍ରକାଶ ପାଇଲା ସରଂକ୍ଷିତ ପ୍ରାର୍ଥୀ ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌରାଞ୍ଚଳର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡାନ୍ତ ବିଜ୍ଞପ୍ତି ଜାରି କରିବେ।

ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ ଜଣାଇବେ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି।

ସୁତରାଂ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁସୂଚିତ ଜାତି ପାଇଁ ୨ ନଂ, ଅନୁସୂଚିତ ଜାତି ମହିଳା ପାଇଁ ୬ନଂ, ଅନୁସୂଚିତ ଜନଜାତି ମହିଳା ପାଇଁ ୮ନଂ, ପଛୁଆ ବର୍ଗ ମହିଳା ପାଇଁ ୧ନଂ, ପଛୁଆ ବର୍ଗ ପାଇଁ ୧୧ନଂ, ମହିଳାଙ୍କ ପାଇଁ ୩ନଂ/୪ନଂ/୧୦ନଂ ହୋଇଥିବାବେଳେ ୫ନଂ/୭ନଂ/୯ନଂ ୱାର୍ଡ ପାଇଁ ଅଣସଂରକ୍ଷଣ ପ୍ରାର୍ଥୀ ନେଇ ତାଲିକା ପ୍ରକାଶ ପାଇଛି।

ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମହିଳାଙ୍କ ପାଇଁ ୧ନଂ/୮ନଂ/୧୨ନଂ/୧୫ନଂ ୱାର୍ଡ ଚୟନ ହୋଇଥିବା ବେଳେ ୩ନଂ/୫ନଂ/୬ନଂ/୭ନଂ/୧୩ନଂ ୱାର୍ଡ ଅଣସରଂକ୍ଷିତ ହୋଇଛି।

ଅନୁରୂପ ଭାବେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪ନଂ ଓ ୧୧ନଂ ୱାର୍ଡ ଚୟନ ହୋଇଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୯ନଂ ଓ ୨ ନଂ ୱାର୍ଡ ଚୟନ ହୋଇଛି। ସେହିପରି ଭାବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୦ନଂ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୪ ନଂ ୱାର୍ଡ ଚୟନ ହୋଇଥିବା ନେଇ ତାଲିକା ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ବାଲୁଗାଁ ଏନ.ଏ.ସି କର୍ମଚାରୀ ଙ୍କ ମୃତ୍ୟୁ : କୋଭିଡ ଯୋଦ୍ଧା ମାନ୍ୟତା ପାଇଁ ଦାବି 

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ବର୍ତ୍ତମାନ ସମୟରେ କରୋନା ମହାମାରୀ କୁ ଜନସାଧାରଣ ମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ନିୟମ କୁ ମାନୁନାହାନ୍ତି ଯାହା ଦ୍ୱାରା ଆକ୍ରାନ୍ତ ଏବଂ ମୃତକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ମହାମାରୀ କେତେ ମାରାତ୍ମକ ତାହାର ଉଦାହରଣ ଗତକାଲି ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ସହରରେ ଦେଖିବାକୁ ମିଳିଛି । କୋଭିଡ ଲାଗି ପ୍ରାଣ ହରାଇଛନ୍ତି ଜଣେ ସ୍ଥାନୀୟ ଏନ.ଏ.ସି କର୍ମଚାରୀ ।  ଏଭଳି ଦୁଖଃଦଘଟଣା ଘଟିଯାଇଛି ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ବାଲୁଗାଁ ଏନ.ଏ.ସି ର ଠିକା କର୍ମଚାରୀ କବିନ୍ଦ୍ର ଜାଲି(୫୯) ଯିଏ କି ବିଗତ ୨୫ ବର୍ଷ ହେବ ଏନ.ଏ.ସି ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  କବିନ୍ଦ୍ରଙ୍କ ଘର ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଛେଡ଼ାପଦର ଗ୍ରାମ । କବିନ୍ଦ୍ର ପୂର୍ବରୁ କୋଭିଡ ଟେଷ୍ଟ କରାଇ ନେଗେଟିଭ ଆସିଥିଲେ ।  କିନ୍ତୁ ଗତ ପାଞ୍ଚ ଦିନ ହେଲା ତାଙ୍କୁ ଜ୍ୱର ହେଉଥିଲା ତଥାପି ସେ ଟେଷ୍ଟ ନ କରି ସାମୟିକ ଔଷଧ ସେବନ କରି ଏନ.ଏ.ସି ରେ କାର୍ଯ୍ୟ କରିଆସୁଥିଲେ । ଗତକାଲି ତାଙ୍କ ଶରୀର ଅସୁସ୍ଥ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୋଭିଡ ଲକ୍ଷଣ ଥିବାରୁ ଡାକ୍ତର ତାଙ୍କୁ ଅପରାହ୍ନ ରେ ଏନ.ଏ.ସି ଅଡ଼ିଟୋରିଅମ ହଲରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ ପାଇଁ ପଠାଇଥିଲେ ।ଟେଷ୍ଟ ଦେବାର କିଛି ସମୟ ପରେ ସେହି ହଲରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ପରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ ଥିବା ଜଣାପଡିଛି ।

ଏହାପରେ ଗତ କାଲି ରାତିରେ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଗାଇଡ଼ଲାଇନ ଅନୁଯାୟୀ କବିନ୍ଦ୍ରଙ୍କ ମୃତ ଶରୀରକୁ ଭୁବନେଶ୍ୱର ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ଚିଲିକା ତହସିଲଦାର ପୁନମ ମହାପାତ୍ର ସୂଚନା ଦେଇଛନ୍ତି ।ଅପରପକ୍ଷେ ଠିକା କର୍ମଚାରୀ କବିନ୍ଦ୍ର ଙ୍କୁ ସରକାର ଙ୍କ ଦ୍ୱାରା କୋଭିଡ ଯୋଦ୍ଧା ମାନ୍ୟତା ମିଳୁ ବୋଲି କବିନ୍ଦ୍ରଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି । କୋଭିଡ – ୧୯ କାର୍ଯ୍ୟରେ କାର୍ଯ୍ୟରତ ଯେକୌଣସି କର୍ମଚାରୀ ଉଭୟ ଠିକା ହେଉ କିମ୍ବା ସ୍ଥାୟୀ ନିଶ୍ଚିତରୂପେ ସେ ଜଣେ କୋଭିଡ ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ମତ ପ୍ରକାଶ କରିବା ସହିତ ସରକାରୀ ସ୍ତରରେ ସହିଦ କବିନ୍ଦ୍ର ଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ମିଳିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।

କବିନ୍ଦ୍ର ଜଣେ ଉତ୍ତମ ମେଳାପୀ ଏବଂ ନିଷ୍ଠାପର କର୍ମଚାରୀ ଥିଲେ l ଆଜି ଉଭୟ ଅଡ଼ିଟୋରିଅମ ହଲ ଏବଂ ଏନ.ଏ.ସି କାର୍ଯ୍ୟାଳୟ ବିଶୋଧନ ପରେ ଏହାର କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।