ବାଣପୁର ଓ ବାଲୁଗାଁ ଏନଏସି ନିର୍ବାଚନ ପାଇଁ ପ୍ରକାଶ ପାଇଲା ସରଂକ୍ଷିତ ପ୍ରାର୍ଥୀ ତାଲିକା

Published: Nov 10, 2021, 7:55 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌରାଞ୍ଚଳର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡାନ୍ତ ବିଜ୍ଞପ୍ତି ଜାରି କରିବେ।

ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ ଜଣାଇବେ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି।

ସୁତରାଂ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁସୂଚିତ ଜାତି ପାଇଁ ୨ ନଂ, ଅନୁସୂଚିତ ଜାତି ମହିଳା ପାଇଁ ୬ନଂ, ଅନୁସୂଚିତ ଜନଜାତି ମହିଳା ପାଇଁ ୮ନଂ, ପଛୁଆ ବର୍ଗ ମହିଳା ପାଇଁ ୧ନଂ, ପଛୁଆ ବର୍ଗ ପାଇଁ ୧୧ନଂ, ମହିଳାଙ୍କ ପାଇଁ ୩ନଂ/୪ନଂ/୧୦ନଂ ହୋଇଥିବାବେଳେ ୫ନଂ/୭ନଂ/୯ନଂ ୱାର୍ଡ ପାଇଁ ଅଣସଂରକ୍ଷଣ ପ୍ରାର୍ଥୀ ନେଇ ତାଲିକା ପ୍ରକାଶ ପାଇଛି।

ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମହିଳାଙ୍କ ପାଇଁ ୧ନଂ/୮ନଂ/୧୨ନଂ/୧୫ନଂ ୱାର୍ଡ ଚୟନ ହୋଇଥିବା ବେଳେ ୩ନଂ/୫ନଂ/୬ନଂ/୭ନଂ/୧୩ନଂ ୱାର୍ଡ ଅଣସରଂକ୍ଷିତ ହୋଇଛି।

ଅନୁରୂପ ଭାବେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪ନଂ ଓ ୧୧ନଂ ୱାର୍ଡ ଚୟନ ହୋଇଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୯ନଂ ଓ ୨ ନଂ ୱାର୍ଡ ଚୟନ ହୋଇଛି। ସେହିପରି ଭାବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୦ନଂ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୪ ନଂ ୱାର୍ଡ ଚୟନ ହୋଇଥିବା ନେଇ ତାଲିକା ପ୍ରକାଶ ପାଇଛି।

Related posts