Categories
ଆଞ୍ଚଳିକ

ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ୩ ନମ୍ବର ୱାର୍ଡ ସହିଦ କୃତିବାସ ନଗରରେ ପାନୀୟ ଜଳର ଘୋର ଅଭାବ ରହୁଥିଲା। ଏଥିପାଇଁ ୱାର୍ଡବାସୀ ଦୀର୍ଘ ବର୍ଷ ହେବ ବହୁ ହଇରାଣ ହରକତ ହେଉଥିଲେ। ଗତ ବର୍ଷ ହୋଇଥିବା ପୌର ନିର୍ବାଚନ ସମୟରେ ଉକ୍ତ ସମସ୍ୟାକୁ ୱାର୍ଡ ବାସୀମାନେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ନିର୍ବାଚନ ଜିତିଲେ ୩ ନମ୍ବର ୱାର୍ଡର ଉକ୍ତ ସମସ୍ୟାର ସମାଧାନ କରାଯିବା ନେଇ ବର୍ତ୍ତମାନର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ତେବେ ପ୍ରତିଶୃତି ମୁତାବକ ଆଜି ୩ ନମ୍ବର ୱାର୍ଡରେ ଉକ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଛି।  ସହିଦ କୃତିବାସ ନଗରରେ ପାନୀୟ ଜଳ ପାଇଁ ନୂଆ ପାଇପଲାଇନର ଶୁଭ ଉଦଘାଟନ କରାଯାଇଛି। ଅଧ୍ୟକ୍ଷା ଶ୍ରମତି ପାଇକରାୟଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ଏହାଦ୍ୱାରା ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ତେବେ ନିର୍ବାଚନ ଇସ୍ତାହାରକୁ ଗୁରୁତ୍ୱ ଦେଇ ମାତ୍ର ଏକ ବର୍ଷ ମଧ୍ୟରେ ଦୀର୍ଘ ବର୍ଷର ସମସ୍ୟା ଦୂର କରିଥିବାରୁ ଅଧ୍ୟକ୍ଷାଙ୍କୁ ୱାର୍ଡବାସୀ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସଂଗଠକ ସନ୍ତୋଷ ପାଇକରାୟଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଲକ୍ଷ୍ମୀଧର ସେଠି, ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ମମତା ପଣ୍ଡା, ସୁଜାତା ପଣ୍ଡା ଏବଂ ବିଧାୟକ ଓ ସାଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ​​ଜିତିବା ପାଇଁ ଦଙ୍ଗା କରାଯାଉଛି: ସଞ୍ଜୟ ରାଉତଙ୍କ ଅଭିଯୋଗ

ମୁମ୍ବାଇ: ରାଜଧାନୀ ଦିଲ୍ଲୀର ପୌର ନିର୍ବାଚନରେ ​​ଜିତିବା ପାଇଁ ଦଙ୍ଗାର ଆୟୋଜନ କରାଯାଉଛି। ଦିଲ୍ଲୀରେ ହୋଇଥିବା ଦଙ୍ଗା ସମ୍ପର୍କରେ ଶିବସେନା ନେତା ସଞ୍ଜୟ ରାଉତ ଏଭଳି ଏକ ବଡ ବିବୃତ୍ତି ଦେଇଛନ୍ତି। ନିର୍ବାଚନରେ ​​ଜିତିବା ପାଇଁ କୌଣସି ମୁଦ୍ଦା ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ସେଥିପାଇଁ ଦଙ୍ଗାର ସାହାରା ନିଆଯାଉଛି। ରାଜନୈତିକ ଲାଭ ପାଇଁ ଦଙ୍ଗାର ରାଜନୀତି କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାପୂର୍ବରୁ ହନୁମାନ ଜୟନ୍ତୀ ଏବଂ ରାମ ନବମୀ ଉପରେ ଦେଶରେ କୌଣସି ଦଙ୍ଗା ହୋଇ ନଥିଲା। ସୂଚନାଯୋଗ୍ୟ, ଶନିବାର ଦିନ ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା ହୋଇଥିଲା। ଯେଉଁଥିରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଏଥି ସହିତ ସଞ୍ଜୟ ରାଉତଙ୍କ ଏହି ହିଂସାକୁ ନେଇ ଏଭଳି ବିବୃତ୍ତି ଆସିଛି।

ଦିଲ୍ଲୀର ଜାହାଙ୍ଗୀରପୁରୀରେ ଘଟିଥିବା ହିଂସା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅନସାର ଏବଂ ଅସଲାମ ଦୁଇ ଦିନ ପୋଲିସ ହେପାଜତରେ ଅଛନ୍ତି। ଅନସରଙ୍କ କଲ୍ ବିବରଣୀକୁ ପୋଲିସ ଅପେକ୍ଷା କରିଛି। ପ୍ରକୃତରେ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଯେ, ଅନସର ମାଷ୍ଟରମାଇଣ୍ଡ ନା ତାଙ୍କୁ ଅନ୍ୟ କୌଣସି ସ୍ଥାନରୁ ଏହି ହିଂସା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନ: ସ୍ଵାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଲେ ବିଜେପି ସାଂସଦଙ୍କ ପୁଅ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି ପୌର ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଛଅଟି ଏନଏସି ଓ ଭବାନୀପାଟଣା ମ୍ୟୁନିସିପାଲିଟୀ ମଧ୍ୟରୁ ଶାସକ ବିଜେଡି କେବଳ ଦୁଇଟିରେ ପୌରାଧ୍ୟକ୍ଷ ପଦବୀ ପାଇବାରେ ସଫଳ ହୋଇଛି। ଭବାନୀପାଟଣା ମ୍ୟୁନିସିପାଲିଟୀରେ ଶାସକ ବିଜେଡି ପକ୍ଷରୁ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନେକ ପୁରୁଖା ନେତାଙ୍କୁ  ଚକମା ଦେଇ ଶେଷ ମୂହୁର୍ତ୍ତରେ ଏସଏଚଜି ମହିଳା ନେତ୍ରୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀନୀ ଭାବେ ଠିଆ କରାଇ ବିଜେଡି ଶେଷରେ ବାଜିମାତ କରିଛି। ମୋଟ ୫୭,୭୧୧ ଭୋଟର ମଧ୍ୟରୁ ୩୩,୦୫୧ ଜଣ ଭୋଟ ଦେଇଥିବା ଭବାନୀପାଟଣା ମ୍ୟୁନିସିପାଲିଟୀରେ ବିଜେପିର ବିନୀତା ଦାଶ ୧୩,୨୮୮ ଭୋଟ  ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା୧୪.୧୩୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର ୨୦ ଟି ୱାର୍ଡ ମଧ୍ୟରୁ ୧୮ଟିରେ ବିଜେଡି ଏବଂ ବିଜେପି ଓ କଂଗ୍ରେସର ଗୋଟିଏ ଲେଖାଏଁ କାଉନସିଲର ବିଜୟୀ ହୋଇଛନ୍ତି।

ଜୁନାଗଡ ଏନଏସିରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବାବେ ଜଣାଶୁଣା ମହେଶ ସାହୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢୁଥିବା ହେତୁ ମନ୍ତ୍ରୀ ହିଁ ସିଧାସଳଖ ଭାବେ ନିର୍ବାଚନରେ ସାମିଲ ଥିବା ଦେଖାଯାଇଥିଲା। ମୋଟ ୧୪,୭୪୩ ଭୋଟର ମଧ୍ୟରୁ ୧୧,୦୯୫ ଜଣ ଭୋଟ ଦେଇଥିବା ଜୁନାଗଡ ଏନଏସିରେ  ବିଜେଡିର ମହେଶ ସାହୁ ୪,୭୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ୫,୮୮୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର୧୨ ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି ଏବଂ ୨ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି।

ଧର୍ମଗଡ ଏନଏସିରେ ବିଜେପିର ଅଶୋକ ମହାନ୍ତି ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ରଜନୀକାନ୍ତ ମୁନୀ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ଦାବୀଦାର ଥିବା ଅଶୋକ ମହାନ୍ତି ଶେଷ ମୂହୁର୍ତ୍ତରେ ବିଜେପିରେ ସାମିଲ ହୋଇ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢି ଜିତିଥିବା ଜଣାପଡିଛି। ପୂର୍ବରୁ ଧର୍ମଗଡ ସରପଂଚ, ଏନଏସି ଉପାଧ୍ୟକ୍ଷ ଥିବା ଅଶୋକ ବିଜେପିରେ ସାମିଲ ହୋଇ ଜିତିଥିବା ବେଳେ ଶାସକ ବିଜେଡିର ଶୋଚନୀୟ ପରାଜୟ ହୋଇଛି। ବିଜେଡିର ରଜନୀକାନ୍ତ ମୁନୀ ୩୪୩୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୫୮୯୪  ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର ୧୪ ଟି ୱାର୍ଡ ମଧ୍ୟରୁ ୯ଟିରେ ବିଜେଡି ଏବଂ  ୫ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି।

କେସିଙ୍ଗା ଏନଏସିରେ ବିଜେଡିର ନୃପରାଜ ଯାଦବ ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। କଂଗ୍ରେସର ରାମ କୁମାର ଜୈନ ୪୧୯୧ ଭୋଟ ପାଇଥିବା ବେଳେ ବିଜେଡିର ନୃପରାଜ ଯାଦବ ୫୧୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସେହିପରି ନୂଆପଡା ଜିଲ୍ଲା ଖରିଆର ଏନଏସିରେ କଂଗ୍ରେସ ପ୍ରାର୍ଥୀ ଉଜ୍ୱଳ ଗୁପ୍ତା ବିଜୟୀ ହୋଇଥିବା ବେଳେ ନୂଆପଡା ଏନଏସି ଅଧ୍ୟକ୍ଷ ଭାବରେ ସାଂସଦଙ୍କ ପୁଅକୁ ହରାଇ ସ୍ୱାଧିନ ପ୍ରାର୍ଥୀ ନିର୍ବାିଚିତ ହୋଇଛନ୍ତି। ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଭାବରେ ବିଜେପିର ସୋନିଆ ଜୈନ ନିର୍ବାଚିତ ହୋଇଛନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ୩ ବିଜେପି ଅଧ୍ୟକ୍ଷ ହୋଇଥିବା ବେଳେ କଂଗ୍ରେସ ୧ ଓ ସ୍ୱାଧିନ ୧ ଅଧ୍ୟକ୍ଷ ହୋଇଛନ୍ତି।

କଳାହାଣ୍ଡି ସାଂସଦଙ୍କ ନିଜସ୍ୱ ଏନଏସିରେ ତାଙ୍କ ପୁଅଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜୁନାଗଡ ଓ ଧର୍ମଗଡ ଏନଏସିରେ ପ୍ରାର୍ଥୀମାନଙ୍କ ନିଜସ୍ୱ ଲୋକପ୍ରିୟତାରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡିଛି। ଖୋଦ କଳାହାଣ୍ଡି ସାସଂଦ ବସନ୍ତ ପଣ୍ଡାଙ୍କ ନିଜସ୍ୱ ନୂଆପଡା ଏନଏସିରେ ତାଙ୍କର ପୁଅ ସ୍ୱାଧିନ ପ୍ରାର୍ଥୀଙ୍କ ଠାରୁ ଶୋଚନୀୟ ପରାଜୟ ହୋଇଥିବା ସାସଂଦଙ୍କ ଲୋକପ୍ରିୟତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ବିଜେପି କର୍ମିଙ୍କ ପ୍ରଶ୍ନ: ଆମ ନିର୍ବାଚନ ବେଳକୁ ଦେଖାଦେଲ ନାହିଁ, ତମ ନିର୍ବାଚନ ବେଳକୁ ଆମେ ଦେଖିବୁ

ପ୍ରକାଶ ଭୋଳ

ସରିଲା ପଞ୍ଚାୟତ ଆଉ ପୌର ନିର୍ବାଚନ। କିଏ ଜିତିଲା କିଏ ହାରିଲା ତାହା ଭିନ୍ନ କଥା। ହେଲେ ସାରା ଓଡିଶା ରାଜନୀତିରେ ଗୋଟିଏ ବଡ ପ୍ରଶ୍ନ ଉଠିଛି। ତାହା ହେଲା ବିଜେପି ନେତାଙ୍କ ଛତ୍ରଭଂଗ। ଏତେ ବଡ ନିର୍ବାଚନ ଶେଷ ହେଲା। ବିଜେପି ମଙ୍ଗୁଆଳମାନେ ବିଭିନ୍ନ କେନ୍ଦ୍ରୀୟ କାମ ଆଳରେ ନିର୍ବାଚନ ମଇଦାନରୁ ନିଜକୁ ଦୂରେଇ ରଖିଲେ।

ଧର୍ମେନ୍ଦ୍ରଙ୍କ ଶିବିର କହିଲା ଯେ ବାବୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବରେ ଅଛନ୍ତି। ମୋଦୀ ଗୁରୁ ଦାୟିତ୍ବ ଦେଇଥିବାରୁ ସେ ଆସିପାରିବେ ନାହିଁ। ହେଲେ ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ଶେଷ ହୋଇଯାଇଥିଲା। ବାବୁ କାହିଁକି ଆସିପାରିଲେ ନାହିଁ ? ଧର୍ମେନ୍ଦ୍ରଙ୍କ ପାଇଁ ଓଡିଶା ରାଜନୀତି ବଡ ନା ୟୁପି ରାଜନୀତି ବଡ ତାହାର ଉତ୍ତର ସେ ନିଜେ ମଧ୍ୟ ଜାଣିପାରୁ ନାହାଁନ୍ତି।

ସେହିପରି ଅପରାଜିତା ଷଡଙ୍ଗୀ କଥା ବିଚାରକୁ ନିଆଯାଉ। ଭୁବନେଶ୍ବର ମେୟର କରି ଜଣକୁ ଛିଡା କଲେ। ହଲେ ତାଙ୍କୁ ତାଙ୍କ ନିଜ ଦଳର ନେତା ସମର୍ଥନ କରିଲେ ନାହିଁ। ଏପରିକି ଖୋଦ ଅପରାଜିତା ମଧ୍ୟ ପ୍ରଚାର ନ କରି ଅଧାରୁ ମଇଦାନ ଛାଡି ଫେରାର। ଏପରି ପରିସ୍ଥିତିରେ ସୁନୀତ ମୁଣ୍ଡଙ୍କ ମୁଣ୍ଡ ମଧ୍ୟ କାମ କଲା ନାହିଁ।

ସେହିପରି ଅନ୍ୟତମ ମନ୍ତ୍ରୀ ବିଶେଶ୍ବର ଟୁଡୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏପରିକି ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ମଧ୍ୟ ନିର୍ବାଚନରେ ଦେଖିବାକୁ ମିଲିଲା ନାହିଁ। ଏପରି କ୍ଷେତ୍ରରେ ରାଜ୍ୟ ବିଜେପି ମଧ୍ୟରେ କଣ କିଛି ଗୋଟେ ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସାଧାରଣତଃ ଯେଉଁମାନେ ରାଜନୀତି କରନ୍ତି ସେମାନଙ୍କର ପରୀକ୍ଷା ସମୟ ହେଉଛି ନିର୍ବାଚନ। ରାଜ୍ୟ ବିଜେପି ପୂର୍ବରୁ ବହୁ ପାଠ ପଢିଲେ, ଆଉ ପଢାଇଲେ ମଧ୍ୟ। ହେଲେ ଠିକ ପରୀକ୍ଷା ବେଳକୁ ମଇଦାନରୁ ଫେରାର। ଏହା ଦ୍ବାରା ବିଜେପି ନେତୃତ୍ବ ତଥା ସେମାନଙ୍କ ରାଜନୀତି ପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ବିଜେପି ମଙ୍ଗୁଆଳଙ୍କ ଏପରି ଛତ୍ରଭଂଗ ସାଧାରଣ ଲୋକଙ୍କୁ କାହିଁକି ଖୋଦ ବିଜେପି କର୍ମିମାନେ ମଧ୍ୟ ସନ୍ଦେହ କରୁଛନ୍ତି। ଅସନ୍ତୋଷ ମଧ୍ୟ ହେଉଛନ୍ତି। କାରଣ ପଞ୍ଚାୟତ ଆଉ ପୌର ନିର୍ବାଚନ ହେଉଛି ତୃଣମୂଳରେ ଥିବା କର୍ମିଙ୍କ ନିର୍ବାଚନ। ଏହି ନିର୍ବାଚନରେ ଦଳକୁ ମଜବୁତ କରିବା ପାଇଁ ଗାଁ ସ୍ତରରେ ସଂଗଠନ କରାଯାଇଥାଏ।

ନେତାମାନଙ୍କର ଯେପରି ବିଧାୟକ କିମ୍ବା ସାଂସଦ ହେବାକୁ ଆଗ୍ରହ ଥାଏ, ସେହିପରି ଗ୍ରାମାଞ୍ଚଳର କର୍ମିମାନେ ମଧ୍ୟ ସରପଞ୍ଚ, କାଉନସିଲର, ୱାର୍ଡ ମେମ୍ବର ହେବାକୁ ଚାହିଁଥାନ୍ତି। ହେଲେ ସେମାନଙ୍କ ନିର୍ବାଚନ ବେଳକୁ ମଙ୍ଗୁଆଳ ନେତାଙ୍କ ଦେଖା ମିଳିଲା ନାହିଁ। ସେମାନଙ୍କ ପରୀକ୍ଷା ବେଳେ ନା ଧର୍ମେନ୍ଦ୍ର, ନା ଅଶ୍ବନୀ ବୈଷ୍ଣବ, ନା ବିଶେଶ୍ବର ଟୁଡୁ ନା ଅନ୍ୟ ମଙ୍ଗୁଆଳମାନେ ମଙ୍ଗ ଧରିବା ପାଇଁ ଆଗେଇ ଆସିଲେ।

ପ୍ରଚାର ନ କଲ ନାହିଁ, ହେଲେ ସେମାନଙ୍କୁ ଅନ୍ତତଃ ପକ୍ଷେ ପୋଷ୍ଟର ବ୍ୟାନର ଦେବା କିମ୍ବା କିଛି ଆର୍ଥିକ ସହାୟତା ଦେବା କଥା, ତାହା ମଧ୍ୟ କଲେ ନାହିଁ। ଏପରିକି ନିର୍ବାଚନ ସମୟରେ କିଏ କାହାକୁ ଟିକେଟ ଦେବ ତାହା ମଧ୍ୟ କର୍ମିମାନେ ଜାଣିପାରିଲେ ନାହିଁ। ଯାହାକୁ ନେଇ ତଳସ୍ତରର କର୍ମି ମହଲରେ ବେଶ୍ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଯେଉଁମାନେ ମାତ୍ର ଶହେରୁ ତିନିଶହ ଭୋଟରେ ହାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଅସନ୍ତୋଷ ଆହୁରି ତୀବ୍ରତର ହୋଇଛି । ସେମାନଙ୍କୁ ଯଦି ଟିକିଏ ସହାୟତା ରାଜ୍ୟ ନେତୃତ୍ବ ପ୍ରଦାନ କରିଥାଆନ୍ତେ, ତେବେ ହୁଏତ ସେମାନେ ଜିତି ପାରିଥାଆନ୍ତେ। ଫଳରେ ସେମାନେ ବର୍ତ୍ତମାନ ରାଗ ତମତମ ହୋଇ ରହିଛନ୍ତି। ଏହିପରି ବହୁ କର୍ମି ଭିତରେ ଭିତରେ ନିଷ୍ପତି କରିଛନ୍ତି ଯଦି ଆମ ନିର୍ବାଚନ ବେଳକୁ ତମେ ସାଥ୍ ଦେଲ ନାହିଁ, ତେବେ ତମ ନିର୍ବାଚନ ବେଳକୁ ଆମେ ଦେଖିବୁ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ ନେଇ ଅଭିନନ୍ଦନ କଲେ ଆଇଏଏସ, ଆଇପିଏସ ସହ ବିଭିନ୍ନ ସରକାରୀ ସଂଗଠନ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ବିଭିନ୍ନ ସେବା ସଙ୍ଗଠନର ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ​​ଚମତ୍କାର ସଫଳତା ପାଇଁ ତାଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି।

 ଅନୁରୂପ ଭାବେ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ତଥା ପ୍ରଗତି ପାଇଁ ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେମାନଙ୍କୁ କହିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ସେହିପରି ପୋଲିସର ଡିଜି ଶ୍ରୀ ସୁନୀଲ କୁମାର ବନସଲ, ଏଡିଜି ଶ୍ରୀ ଲଲିତ ଦାସ, ଏଡିଜି ଶ୍ରୀ ଆର.କେ ଶର୍ମା, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ସାକ୍ଷାତ କରିଛନ୍ତି।

ବିଭିନ୍ନ ସଙ୍ଗଠନ ମଧ୍ୟରେ ଓଏଏସ ଆସୋସିଏସନ୍, ଓଡିଶା ଫାଇନାନ୍ସ ସେବା, ଓଡିଶା ପୋଲିସ୍ ସର୍ଭିସେସ୍ ଆସୋସିଏସନ୍, ଓଡିଶା ସଚିବାଳୟ ସେବା, ରାଜସ୍ୱ ସେବା, କନଷ୍ଟେବଳ ଏବଂ ହାବିଲଦାର ଆସୋସିଏସନ୍, ବିଭାଗୀୟ ମୁଖ୍ୟ, ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍, ଅମାଲା ସଙ୍ଘର ସଦସ୍ୟ ଥିଲେ।

ସେହିପରି ପ୍ରାଣୀ ଚିକିତ୍ସା ସେବା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ , ଗ୍ରାମ ରୋଜଗର ସେବକ ସଂଘ, ଡ୍ରାଇଭର ଆସୋସିଏସନ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଦସ୍ୟ ମଧ୍ୟ ସାକ୍ଷାତ କରିଥିଲେ।

ଏହି ବୈଠକରେ ସିଏମ୍ (5 ଟି) ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍  ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗରରେ କଂଗ୍ରେସକୁ ମିଳିଲା ଶୂନ ଶୂନ କରର୍ପୋରେଟର ଆସନ

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ ବିଏମସିର 67 ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା

ଭୁବନେଶ୍ବର ମ୍ୟୁନିସପାଲ କରର୍ପୋରେସନର ଘୋଷିତ ଆସନ ସଂଖ୍ୟା ୬୭
ବିଜେଡି- ୪୮
ବିଜେପି- ୧୦
କଂଗ୍ରେସ-୦୦
ସ୍ବାଧୀନ- ୦୯

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କେଉଁ ଦଳକୁ କେତୋଟି ମିଳିଲା କାଉନସିଲର ପଦ, ରାଜ୍ୟ ନିର୍ବାଚନ କମିଶନର କଲେ ଘୋଷଣା

ଭୁବନେଶ୍ବର: ପୌର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ କେଉଁ ଦଳ କେତୋଟି କାଉନସିଲର ପଦ ହାତେଇଲେ ତାହାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ସେହି ଅନୁସାରେ

ମୋଟ ୧୭୧୬ଟି କାଉନସିଲର ପଦବୀ ଘୋଷିତ

ବିଜେଡି- ୧୧୭୫

ବିଜେପି- ୨୮୮

କଂଗ୍ରେସ- ୧୩୪

ସ୍ବାଧୀନ- ୧୧୭

ବିଏସପି-୦୧

ସିପିଆଇ-୦୧

Categories
Municipal Election ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ପୌର ନିର୍ବାଚନରେ କେଉଁ ଦଳକୁ କେତୋଟି ମିଳିଲା ଅଧ୍ୟକ୍ଷ ପଦ

ଭୁବନେଶ୍ବର: ପୌର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ କେଉଁ ଦଳ କେତୋଟି ପୌର ଅଧ୍ୟକ୍ଷ ହାତେଇଲେ ତାହାର ଫଳାଫଳ ଦିଆଯାଇଛି। ସେହି ଅନୁସାରେ

ମୋଟ ୧୦୫ ପୌର ଅଧ୍ୟକ୍ଷ ପଦବୀ ଘୋଷିତ

ବିଜେଡି- ୭୩

ବିଜେପି- ୧୬

କଂଗ୍ରେସ- ୦୭

ସ୍ବାଧୀନ- ୦୯

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ନିର୍ଦ୍ବନ୍ଦରେ ନିର୍ବାଚିତ ବିଜେତାଙ୍କ ନାମ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କିଏ ସେ ?

ଭୁବନେଶ୍ବର: ପ୍ରକାଶ ପାଇଲା ପୌର ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ନାମ ଏବଂ ସେମାନଙ୍କ ଦଳର ନାମ। ଏହା ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ପ୍ରକାଶିତ ହୋଇଛି। ସେହି ଅନୁସାରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଏବଂ ମ୍ୟୁନିସପାଲ କରର୍ପୋରେସନର କେତେକ ଆସନରେ ପ୍ରାର୍ଥୀମାନଙ୍କୁ ବିଜେତା ଘୋଷଣା କରାଯାଇଛି। ସେହି ଅନୁସାରେ ଯେଉଁମାନେ ବିଜେତା ହୋଇଛନ୍ତି ସେମାନେ ହେଲେ

ଅଧିକ ଖବର ପଢିବା ପାଇଁ ଏହିଠାରେ କ୍ଲିକ କରନ୍ତୁ ସମୀକ୍ଷା.ଭାରତ

ରାଜ୍ୟ ନିର୍ବାଚନ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ବିଜେଡିକୁ ମିଳିଛି ୬୯ଟି ଆସନ। ସେହିପରି ବିଜେପି-୦୧, କଂଗ୍ରେସ-୦୧ ଏବଂ ସ୍ବାଧୀନ ପ୍ରାର୍ଥୀ ୦୨ ଜଣ ବିଜୟ ଲାଭ କରିଛନ୍ତି।

Categories
Municipal Election ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପୌର ଭୋଟ ଗଣତି, ହେଲେ ଏବେଠୁ ବିଜେଡିକୁ ମିଳିସାରିଲାଣି ୬୯ଟି ଆସନ, କେମିତି?

ଭୁବନେଶ୍ବର: ଆସନ୍ତାକାଲି ସକାଳୁ ହେବ ପୌର ନିର୍ବାଚନର ଭୋଟ ଗଣତି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେଠାରୁ ବିଜେଡି ଖାତାକୁ ଆସିସାରିଲାଣି ସର୍ବାଧିକ ଆସନ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବିଜେଡିକୁ ମିଳିଛି ୬୯ଟି ଆସନ। ଜାଣନ୍ତୁ ଅନ୍ୟ ଦଳର ଆସନ ସଂଖ୍ୟା କେତେ

ବିଜେଡି- ୬୯

ବିଜେପି-୦୧

କଂଗ୍ରେସ-୦୧

ସ୍ବାଧୀନ-୦୨

ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏହା କିପରି ହେଲା। ଏହା ହେଲା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏହି ପ୍ରାର୍ଥୀମାନେ ନିଃଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟତଃ ଏହି ଆସନଗୁଡିକ ସଂରକ୍ଷିତ ଥିବାରୁ ଦଳମାନଙ୍କୁ ସେହିପରି ପ୍ରାର୍ଥୀମିଳିବା ସମ୍ଭବ ହୋଇ ନ ଥିଲା। ଫଳରେ ଏମାନଙ୍କ ବିରୋଧରେ ବିଭିନ୍ନ ଦଳ ପ୍ରାର୍ଥୀ ଛିଡା କରିପାରି ନ ଥିଲେ। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଏହି ପ୍ରାର୍ଥୀମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ ଏବଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି। ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପିପିଲି ଠାରୁ ନେଇ ଧାମନଗର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା।

ଓଡ଼ିଶା ବିଜେପିର ପ୍ରରୋଚନାରେ ଯୋଜନାବଦ୍ଧ ଭାବେ ବିଜେଡି କର୍ମୀଙ୍କ ଠାରୁ ନେଇ ପୁଲିସ, ସାମ୍ବାଦିକ, ସରକାରୀ ଅଫିସର ଏବଂ ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରାଯାଇଥିଲା। ଏପରିକି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବିଜେଡି କର୍ମୀଙ୍କୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ସେତେବେଳେ ଏ ବାବଦରେ ବିଜେଡି ପକ୍ଷରୁ ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହିଭଳି ହିଂସାକାଣ୍ଡ ପାଇଁ ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ପୌର ନିର୍ବାଚନରେ ବଡ଼ ପରାଜୟ ଆଶଙ୍କାରେ ନିଜର ସ୍ଥିତି ରକ୍ଷା ପାଇଁ ଓଡ଼ିଶା ବିଜେପି ବିଭିନ୍ନ ଆଳ ଖୋଜୁଛି ଏବଂ ହତାଶ ହୋଇ ବିଜେଡି ବିରୋଧରେ ନାନା ଅମୂଳକ ଅଭିଯୋଗ କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ସରିଲା ପୌର ଭୋଟ ଗ୍ରହଣ, ଷ୍ଟ୍ରଙ୍ଗ ରୁମରେ କିପରି ରହିଛି ଇଭିଏମ ତାହା ଜାଣିବା ନିହାତି ଦରକାର

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଗାଇଡ ଲାଇନ ଜାରୀ କରିଛନ୍ତି। ମୁଖ୍ୟତଃ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଓ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଏହି ଏସ୍‌ଓପି ଜାରୀ କରିଛନ୍ତି। ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ସଠିକ ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ପୌର ପରିଷଦ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରିବେ। କାଉନ୍‌ସିଲର ବା କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଷ୍ଟ୍ରଙ୍ଗରୁମ୍‌, ଅଧ୍ୟକ୍ଷ ବା ମେୟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଏବଂ ସଂରକ୍ଷିତ ଇଭିଏମ୍‌ ରଖିବା ନିମନ୍ତେ ଅନ୍ୟ ଗୋଟିଏ, ଏହିପରି ତିନିଗୋଟି ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରାଯିବ।

ଯଦି ଗୋଟିଏ ପ୍ରକାରର ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ଇଭିଏମ୍‌କୁ ରଖିବା ପାଇଁ ସ୍ଥାନ ଅଭାବ ଦେଖା ଯାଏ, ତାହେଲେ ପାଖରେ ଥିବା ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ ଓ ସେହି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ଦ୍ୱାରରେ ସଠିକ ଭାବେ ଚିହ୍ନଟ କରାଯିବ। ପ୍ରତ୍ୟେକ ଷ୍ଟ୍ରଙ୍ଗରୁମ୍‌କୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର ବା ପ୍ରବେଶ ପଥ ରହିବ। ଯଦି ଷ୍ଟ୍ରଙ୍ଗରୁମ୍‌ରେ ପୂର୍ବରୁ ଝରକା କିମ୍ବା ଅନ୍ୟ ଏକ ଦ୍ୱାର ଥାଏ, ତାହାହେଲେ ସେଗୁଡ଼ିକୁ ଇଟା ଦ୍ୱାରା ସଠିକ୍‌ ଭାବେ ସିଲ୍‌ କରି ଦିଆଯିବ। ଷ୍ଟ୍ରଙ୍ଗରୁମ୍‌ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ୍‌ ବାହାରେ ମେନ୍‌ସୁଇଚ୍‌ ଲଗାଯିବ।

ଷ୍ଟ୍ରଙ୍ଗରୁମ୍‌ ଭିତର ସଂପୂର୍ଣ୍ଣ ଭାବେ ଶୁଖିଲା ହୋଇଥିବା ସହ ଅନିଷ୍ଟକାରୀ କୀଟ ପତଙ୍ଗ କିମ୍ବା ମୂଷା ପ୍ରଭୃତି ଜୀବ ଷ୍ଟ୍ରଙ୍ଗରୁମ୍‌ ଭିତରେ ରହୁ ନ ଥିବେ । ସନ୍ତସନ୍ତିଆ ବା ଜଳ ଜମୁଥିବା ସ୍ଥାନ ବା ଦୁର୍ବଳ କାନ୍ଥ ଥିବା ଘର, ଘରେ ପାଣି ଗଳୁ ନ ଥିବା ଓ ଭଙ୍ଗା ଝରକା ଇତ୍ୟାଦିରୁ ଷ୍ଟ୍ରଙ୍ଗରୁମ୍‌ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇଥିବା ଆବଶ୍ୟକ। ଷ୍ଟ୍ରଙ୍ଗରୁମ୍‌ ଭିତରକୁ ପବନ ଚଳାଚଳ ନିମନ୍ତେ ଦରକାର ହେଲେ ଏକଜିଟ ଫ୍ୟାନ ଷ୍ଟ୍ରଙ୍ଗରୁମ୍‌ର ସାମ୍‌ନା ପଟ ଉପରକୁ ଲାଗଯାଇ ପାରେ। ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ଦସ୍ତାବିଜ୍‌ ମତଦାନ ସଂଗୃହୀତ ହୋଇଥିବା ଇଭିଏମ୍‌ ସହ ଷ୍ଟ୍ରଙ୍ଗରୁମ୍‌ରେ ରହିବ।

ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ନିର୍ମାଣ କରିଥିବା କର୍ତ୍ତୃପକ୍ଷଙ୍କଠାରୁ ଷ୍ଟ୍ରଙ୍ଗରୁମ୍‌ର ସ୍ଥାୟିତ୍ୱ ଓ ଗୁଣବତ୍ତା ସଂପର୍କିତ ଏକ ପ୍ରମାଣ ପତ୍ର ଆଣି ନିଜ ପାଖରେ ରଖିବେ। ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକର ସୁରକ୍ଷା ଓ ନିରା ପତ୍ତା ନିମନ୍ତେ ଡବଲ ଲକ୍‌ ବ୍ୟବସ୍ଥା କରାଯାଇ ଦୁଇଟି ଚାବିକୁ ଅଲଗା ଅଲଗା ଦୁଇଜଣ ଅଧିକାରୀଙ୍କ ଦାୟିତ୍ୱରେ ରଖାଯିବ। ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲ୍ଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ।

ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ସଶସ୍ତ୍ର ପୋଲିସ ଫୋର୍ସ ଦ୍ୱାରା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ। ଇଭିଏମ୍‌ କମିଶନିଂ ଦିନଠାରୁ ଭୋଟଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକରେ ସିସିଟିଭି ସହ ଡିଜିଟାଳ୍‌ ଭିଡ଼ିଓ ରେକର୍ଡର ଲାଗଯିବ। ଷ୍ଟ୍ରଙ୍ଗରୁମ୍‌ ଭିତରକୁ ପ୍ରତି ପ୍ରବେଶ ବା ପ୍ରସ୍ଥାନ ନିମନ୍ତେ ଏକ ଲଗ୍‌ବୁକ୍‌ରେ ଉଲ୍ଲେଖ କରାଯିବ ଓ ଷ୍ଟ୍ରଙ୍ଗରୁମ୍‌କୁ ବନ୍ଦ ଓ ଖୋଲିବାବେଳର ଭିଡ଼ିଓ ରେକର୍ଡିଂ କରାଯିବ। ଷ୍ଟ୍ରଙ୍ଗରୁମ୍‌ର ଉଭୟ ଭିତର ଓ ବାହାର ପାଶ୍ୱର୍ରେ ଅଗ୍ନିନିର୍ବାପକ ଯନ୍ତ୍ର ରହିବାର ବ୍ୟବସ୍ଥା କରାଯିବ।

ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ତରଫରୁ କେତେଗୋଟି ନିୟମ କରାଯାଇଛି। ତାହାହେଲା, ଇଭିଏମ୍‌ ଥିବା ଷ୍ଟ୍ରଙ୍ଗରୁମ୍‌କୁ ଖୋଲିବା ବା ବନ୍ଦ କରିବାର ୨୪ ଘଣ୍ଟା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ବା ବନ୍ଦ କରିବା ସମୟ ଓ ତାରିଖ ସଂପର୍କରେ ଜଣାଇ ଦିଆଯିବ। ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ବା ବନ୍ଦ କରିବା ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବା ସହ ଏହାର ସଂପୂର୍ଣ୍ଣ ଭିଡ଼ିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଇଭିଏମ୍‌ଗୁଡ଼ିକୁ କମିଶନିଂ କରିବା ପୂର୍ବରୁ ଲିଖିତ ଭାବେ କମିଶନିଂର ସ୍ଥାନ, ସମୟ ଓ ତାରିଖ ସଂପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ। ଯାହାଫଳରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିମାନେ ଇଭିଏମ୍‌ କମିଶନିଂ ସମୟରେ ଉପସ୍ଥିତ ରହିବେ। ଇଭିଏମ୍‌ଗୁଡ଼ିକର କମିଶନିଂ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବାଲାଟ୍‌ ୟୁନିଟ୍‌ ଓ କଣ୍ଟ୍ରୋଲ ୟୁନିଟ୍‌କୁ ସଂଯୋଗ କରି ନିର୍ଦ୍ଧାରିତ ବୁଥ୍‌ ପାଇଁ ଷ୍ଟ୍ରଙ୍ଗରୁମ୍‌ରେ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଭିଏମ୍‌ଗୁଡ଼ିକୁ ଦୁଇଟି ଅଲଗା ଅଲଗା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ ବା ମୁନିସିପାଲିଟିର କାଉନ୍‌ସିଲର ଓ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ ଏବଂ ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ।

କେଉଁ ଷ୍ଟ୍ରଙ୍ଗରୁମ୍‌ରେ କେଉଁ ପ୍ରାର୍ଥୀମାନଙ୍କ ପାଇଁ ଇଭିଏମ୍‌ ରହିଛି, ଷ୍ଟ୍ରଙ୍ଗରୁମ୍‌ ବାହାରେ ସଠିକ୍‌ ଭାବେ ଚିହ୍ନିତ କରାଯିବ। ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବହୃତ ଓ ଖରା ପ ହୋଇଥିବା ଇଭିଏମ୍‌ଗୁଡ଼ିକୁ ଅନ୍ୟ ଗୋଟିଏ ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍‌ ବାହାରେ ସଠିକ୍‌ ଭାବେ ଚିହ୍ନିତ କରାଯିବ। ଭୋଟଗ୍ରହଣ ପରେ ଇଭିଏମ୍‌ (ବାଲାଟ୍‌ ୟୁନିଟ୍‌ ଓ କଣ୍ଟ୍ରୋଲ ୟୁନିଟ୍‌)ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଷ୍ଟ୍ରଙ୍ଗରୁମ୍‌ ଭିତରେ କ୍ରମିକ ସଂଖ୍ୟାନୁସାରେ ନିର୍ଦ୍ଦିଷ୍ଟ ବୁଥ୍‌ ନିମନ୍ତେ ଚିହ୍ନଟ ହୋଇଥିବା ବର୍ଗାକାର ମଧ୍ୟରେ ରଖାଯିବ।

ମତଦାନ ସରିବା ପରେ କାଉନ୍‌ସିଲର ବା କର୍ପୋରେଟର ପ୍ରାର୍ଥୀମାନଙ୍କ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ଗୁଡ଼ିକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ ଓ ଅଧ୍ୟକ୍ଷ ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ଗୁଡ଼ିକୁ ପୂର୍ବରୁ ନିରୁପିତ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ।

ନିର୍ବାଚନରେ ବ୍ୟବହୃତ ହୋଇନଥିବା ଇଭିଏମ୍‌, ଯେଉଁଗୁଡ଼ିକ ସେକଫର ଅଧିକାରୀଙ୍କ ପାଖରେ ଥିବ, ନିର୍ବାଚନ ପରେ ସେସବୁ ଇଭିଏମ୍‌କୁ ‘ସଂରକ୍ଷିତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌’ରେ ରଖାଯିବ। ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିବାର ୨୪ ଘଣ୍ଟା ପୂର୍ବରୁ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କୁ ଆଗୁଆ ଜଣାଇ ଦିଆଯିବ ଓ ସେମାନଙ୍କୁ ଷ୍ଟ୍ରଙ୍ଗରୁମ୍‌ ବାହାରେ ବ୍ୟବସ୍ଥା ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ ଅନୁମତି ଦିଆଯବ।

ଯଦି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ପଥ ଦୃଶ୍ୟମାନ ହେଉନଥିବ, ତାହାହେଲେ ସିସିଟିଭିର ବ୍ୟବସ୍ଥା କରାଯିବ। ଭୋଟଗଣତି ଶେଷ ହେବା ପରେ କଣ୍ଟ୍ରୋଲ ୟୁନିଟ୍‌କୁ ସିଲ୍‌ କରି କୋଷାଗାର ବା ଉପକୋଷାଗାରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। କଣ୍ଟ୍ରୋଲ ୟୁନିଟ୍‌ଗୁଡ଼ିକୁ ନିର୍ବାଚନ ପିଟିସନ୍‌ ସମୟ ଅର୍ଥାତ୍‌ ଭୋଟଗଣତି ଓ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବରେ ରଖିବା ନିମନ୍ତେ ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ପାଳଙ୍କୁ ନର୍ଦ୍ଦେଶ ଦେଇଛନ୍ତି।

Categories
Municipal Election ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମେୟର ପ୍ରାର୍ଥୀ ଦୈଡରେ ଥିଲେ

ଭୁବନେଶ୍ବର: ଆଜି ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ସେ ନୟାପଲ୍ଲୀସ୍ଥିତ କସ୍ତୁରିବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି। ସେ ଭୋଟ ଦେଇ ଆସିବା ପରେ ସମସ୍ତଙ୍କୁ ଏହି ମହାନ ପର୍ବରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଶ୍ରୀମୟୀ ଭୁବନେଶ୍ବର ମେୟର ପ୍ରାର୍ଥୀ ଦୈଡରେ ଥିଲେ। ତାଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେବା ପାଇଁ ବୁଥକୁ ଚାଲିଚାଲି ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପୌର ନିର୍ବାଚନରେ ନିଜର ମତାଧିକାର ସାବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ନବୀନ ନିଜ ବାସଭବନ ନିକଟରେ ଥିବା ସ୍କୁଲରେ ଭୋଟ ଦାନ କରିଥିଲେ। ସେ ନବୀନ ନିବାସରୁ ଚାଲିଚାଲି ସ୍କୁଲ ନିକଟକୁ ଯାଇ ମତାଧିକାର ସାବସ୍ତ କରିଥିଲେ।

ନବୀନ ହେଉଛନ୍ତି ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ର ଭୋଟର। ସେ  ୫୪୪ ନମ୍ବର ବୁଥରେ ଭୋଟ ପ୍ରଦାନ କରିଛନ୍ତି। ଭୋଟ ଦେବା ପରେ ନବୀନ ସେହିପରି ଚାଲିଚାଲି ନବୀନ ନିବାସକୁ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ: ସକାଳ ୧୧ ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ

ଭୁବନେଶ୍ଵର: ଆଜି ସକାଳ ୮ ଟାରୁ ସାରା ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ମତଦାନ ସନ୍ଧ୍ୟା ୫ ଟା ସୁଦ୍ଧା ଚାଲିବ। ତେବେ ସକାଳ ୧୧ ଟା ପର୍ଯ୍ୟନ୍ତ ୨୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଉଭୟ ମେୟର ଏବଂ ପୌରାଧ୍ୟକ୍ଷ ପାଇଁ ଜନସାଧାରଣମାନେ ପ୍ରତ୍ୟକ୍ଷ ଭାବେ ମତଦାନ ଦେବେ।

ଆଜି ମୋଟ ୪୭ ଟି ମ୍ୟୁନିସିପାଲିଟି, ୫୯ ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ଭୋଟ ଗ୍ରହଣ ଚାଲିଛି। ଚଳିତ ନିର୍ବାଚନରେ ମୋଟ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବେ। କଡା ସୁରକ୍ଷା ମଧ୍ୟରେ ସମଗ୍ର ରାଜ୍ୟରେ ଭୋଟ ଗ୍ରହଣ ଜାରି ରହିଛି। ସେଥିପାଇଁ ୧୯୫ ପ୍ଲାଟୁନ ଫୋର୍ସ ନିଯୋଜିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୌର ଭୋଟ ଗ୍ରହଣ, ମତାଧିକାର ସାବସ୍ତ କଲେ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ବର: ଆଜି ଓଡିଶାର ପୌର ନିର୍ବାଚନ। ରାଜ୍ୟର ବିଭିନ୍ନ ପୌରଞ୍ଚାଳରେ ଚାଲିଛି ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସହରାଞ୍ଚଳରେ ହେଉଥିବାରୁ ବିଭିନ୍ନ ହେଭି ୱେଟମାନେ ସେମାନେଙ୍କ ମତାଧିକାର ସାବସ୍ତ କରୁଛନ୍ତି। ସେହିପରି ଭୁବନେଶ୍ବରର ମେୟର ପ୍ରାର୍ଥୀ ସୁଲୋଚନା ଦାସ ତାଙ୍କର ମତାଧିକାର ସାବସ୍ତ କରିଛନ୍ତି।

ଆଜି ସକାଳୁ ସୁଲୋଚନା ତାଙ୍କର ସ୍ବାମୀ ପ୍ରଫୁଲ ଦାସଙ୍କ ସହିତ ଭୋଟ ଗ୍ରହଣ କେନ୍ଦ୍ରକୁ ଆସିଥିଲେ। ସେଠାରେ ସେ ଧାଡି ଛିଡା ହୋଇଥିବାର ପରିଲକ୍ଷିତ ହୋଇଥିଲା। ସେ ଭୋଟ ଦେଇ ଆସିବା ପରେ ସମସ୍ତଙ୍କୁ ଭୋଟ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଅପିଲ କରିଥିଲେ।

Categories
ଆଞ୍ଚଳିକ

ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇଉଠିଛି। ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି। ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି।

ଶୋଭାଯାତ୍ରାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ଏନଏସି ଅଞ୍ଚଳର ସମସ୍ତ ଦିଗରେ ବିକାଶକୁ ନେଇ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ଅପରାହ୍ନରେ ବାଣପୁର ଏନଏସିରେ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏକ ମେଗା ବାଇକ ରାଲି ବିଷରପାଟଣା ଠାରୁ ବାହାରି ସହରର ସମସ୍ତ ୱାର୍ଡ ପରିକ୍ରମା କରିଥିଲା। ଉକ୍ତ ରାଲିରେ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଯୋଗଦେଇଥିଲେ। ଏହି ଶୋଭାଯାତ୍ରାରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ନିବେଦନ କରାଯାଇଥିଲା।

ତେବେ ନିକଟରେ ବାଣପୁର ଓ ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିଜେପି ଉଭୟ ବାଣପୁର ଓ ବାଲୁଗାଁ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ ଭୋଟ ଗ୍ରହଣ ପାଇଁ ଜାରୀ ହେଲା ସମୟ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର: ଆଉ ଦୁଇଦିନ ପରେ ହେବ ପୌର ନିର୍ବାଚନର ଭୋଟ ଗ୍ରହଣ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିରେ ତିନୋଟି ମୁନିସପାଲ କରର୍ପୋରେସନ, ୪୭ଟି ମୁନିସପାଲଟି, ୫୯ଟି ଏନଏସିରେ ନିର୍ବାଚନ ହେବ।

ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୧୯୫ ପ୍ଲୁାଟୁନ ଫୋର୍ସ ମୁତୟନ ହେବେ। ସେଥିପାଇଁ ନିର୍ବାଚନ କମିଶନର ଏବଂ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଛି। ତେବେ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଏହି ଭୋଟ ଗ୍ରହଣ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର‌୍ୟ୍ୟନ୍ତ ଚାଲିବ।

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ଆଉ ଦୁଇଦିନ ପରେ ପୌର ନିର୍ବାଚନ, ସୁରକ୍ଷା ହେଲା କଡାକଡି, ୧୯୫ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର: ଆଉ ମାତ୍ର ଦୁଇଦିନ ପରେ ହେବ ପୌର ନିର୍ବାଚନ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ନିର୍ବାଚନରେ ତିନୋଟି ମୁନିସପାଲ କରର୍ପୋରେସନ, ୪୭ଟି ମୁନିସପାଲଟି, ୫୯ଟି ଏଏଲଏସିରେ ନିର୍ବାଚନ ହେବ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୧୯୫ ପ୍ଲୁାଟୁନ ଫୋର୍ସ ମୁତୟନ ହେବେ। ସେଥିପାଇଁ ନିର୍ବାଚନ କମିଶନର ଏବଂ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଛି।

ଏଥିରେ କେବଳ ଭୁବନେଶ୍ବରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେହିପରି ବ୍ରହ୍ମପୁରରେ ୧୦ ଏବଂ କଟକରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହିତ ୩୦୦ଟି ମୋବାଇଲ ପାର୍ଟି ରହିବେ। ସେମାନଙ୍କ ମଧ୍ୟରୁ ତିନୋଟି ମୁନିସପାଲ କରର୍ପୋରେସନରେ ୧୦୯ଟି ମୋବାଇଲ ପାର୍ଟି ନିୟୋଜିତ ହେବେ।

ପ୍ରତ୍ୟେକ ବୁଥରେ ଜଣେଜଣେ କନେଷ୍ଠବଳ କିମ୍ବା ହାବିଲଦାର ନିୟୋଜିତ ହେବେ। ହେଲେ ଯେଉଁ ବୁଥଗୁଡିକ ଉତ୍ତେଜନା ପ୍ରବଣ ହୋଇଥିବା ସେଠାରେ ଏହି ପୋଲିସ ସହିତ ଜଣେ ସଶସ୍ତ୍ର ପୋଲିସ ମୁତୟନ କରାଯିବ। ଏତଦବ୍ୟତିତ ପ୍ରତି କ୍ଲଷ୍ଟରରେ ଜଣେ ସଶସ୍ତ୍ର ଫୋର୍ସ ସହିତ ୪ ଜଣ ପୋଲିସ ମୁତୟନ ହେବେ।

ସେହିପରି ପ୍ରତି ପୌର ପୋଲିସ ଷ୍ଟେସନରେ ଏକ କିମ୍ବା ଦୁଇ ଷ୍ଟ୍ରାଇକିଙ୍ଗ ଫୋର୍ସ ସଜାଗ ରହିବେ। ପ୍ରତି ଜିଲ୍ଲା ସଦର ମହକୁମାରେ ଦୁଇର ତିନି ପ୍ଲାଟୁନ ଫୋର୍ସ ଜରୁରୀକାଳିନ ପାଇଁ ରିଜର୍ଭରେ ରଖାଯିବ। ସେହିପରି ପ୍ରତି ପୌରାଞ୍ଚଳର ପାଞ୍ଚୋଟି ସ୍ଥାନରେ ବର୍ଡର ସିଲିଂ ପଏଣ୍ଟ ରଖାଯିବ। ସେଥିରେ ଜଣ ଇନସ୍ପେକ୍ଟର, ତିନିଜଣ ଅଫିର ଏବଂ ଚାରିଜଣ ପୋଲିସ ଅଧିକାରୀ ୨୪ ଘଣ୍ଟିଆ କାର୍ଯ୍ୟରେ ନିୟୋଜିତ ହେବେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ
ବଲୁଗାଁ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗିପଡିଛନ୍ତି। କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ।

ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାଇତ୍ୱ ଦେଇଥିବା ସେ କହିଛନ୍ତି। ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ।

Categories
ଆଞ୍ଚଳିକ

ବାଣପୁର ଏନଏସି ନିର୍ବାଚନ: ସମସ୍ୟା ଅନେକ, ସମାଧାନ ପାଇଁ କାହାକୁ ଭରଷାକୁ ନେବେ ଜନତା?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଗଠନ କୁ ୪୯ ବର୍ଷ ପୂରିଯାଇଥିଲେ ସୁଦ୍ଧା ଆଜିବି ସହରର ସ୍ଥିତି ସୁଧୁରିନି। ମାଳ ମାଳ ସମସ୍ୟାରେ ବୁଡ଼ି ରହିଛି ଐତିହାସିକ ସହର ବାଣପୁର। ପୌର ନିର୍ବାଚନ ମାର୍ଚ୍ଚ ୨୪ ତାରିଖକୁ ଥିବା ବେଳେ ଭୋଟରଙ୍କ ଆଗରେ ପ୍ରାର୍ଥୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ରଖୁଥିବା ଦେଖାଯାଉଛି। ପ୍ରତ୍ୟେକ ନିର୍ବାଚନରେ ସମାନ ପ୍ରତିଶ୍ରୁତି ଦେଉଥିବା ବେଳେ ସମସ୍ୟା ସମାଧାନ କରିବାକୁ କୌଣସି ନେତାଙ୍କର ଇଚ୍ଛା ଶକ୍ତି ଥିବା ଭଳି ମନେ ହେଉନାହିଁ। ନିର୍ବାଚନ ସମୟରେ ପରସ୍ପର ଉପରେ ଅଭିଯୋଗ କରିବା ରାଜନୈତିକ ଦଳର ନେତାମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଛି। କିନ୍ତୁ ଏଥର ଜନତା ଜାଗ୍ରତ ହୋଇଥିବା ଜଣାପଡିଛି। ମୌଳିକ ସମସ୍ୟା ପୂରଣ ହେଇପାରୁନଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ସେଥିପାଇଁ ଚଳିତ ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କରିସାରିଲେଣି। ସହରର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା ଯାହାକି କାହାରି ଆଖିରେ ପଡୁନାହିଁ। ଅସରାଏ ବର୍ଷା ହେଲେ ସହର କୃତିମ ହ୍ରଦ ପାଲଟୁଛି। ଚଳିତ ପୌର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଡ୍ରେନେଜ ସମସ୍ୟା ହେବ ବୋଲି ଭୋଟରମାନେ କହୁଥିବାର ଦେଖାଯାଇଛି।

ସହରରେ ଶୌଚାଳୟ, ମେଡିକାଲରେ ଉନ୍ନତ ଚିକିତ୍ସା, ଉନ୍ନତ ରାସ୍ତା, ଆଲୋକୀକରଣ, ପାର୍କ, ବସ ଷ୍ଟାଣ୍ଡ, ୱାକିଙ୍ଗ ଟ୍ରାକ, ମୁକ୍ତାକାଶ ବ୍ୟୟାମ କେନ୍ଦ୍ରର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବେଳେ ଦୀର୍ଘ ବର୍ଷ ହେଲା ଏ ସବୁ ସୁବିଧା କଣ ପାଇଁ ଉପଲବ୍ଧ କରାଯାଇନାହିଁ ବୋଲି ପ୍ରାର୍ଥୀଙ୍କୁ ଓଲଟା ଭୋଟର ପ୍ରଶ୍ନ ପଚାରୁଥିବା ଦେଖାଯାଉଛି।

ମା’ ଭଗବତୀ ମନ୍ଦିର ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହାର ଅନୁସାଙ୍ଗିକ ବିକାଶ ମଧ୍ୟ ଏକ ମୁଖ୍ୟ ପ୍ରସଙ୍ଗ ରହିଛି। ତେବେ ଚଳିତ ପୌର ନିର୍ବାଚନରେ ବାଣପୁର ସହର ବାସିନ୍ଦା ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ସହିତ ଏକ ଶାନ୍ତିପ୍ରିୟ ସରକାର ଚାହୁଁଥିବା ସ୍ପଷ୍ଟ ବାରି ହେଉଛି।

ବାରମ୍ବାର ଭୋଟରମାନେ ଠକାମିର ଶିକାର ହୋଇଥିବା ବେଳେ ଏଥର କିନ୍ତୁ ବୁଝିବିଚାରି ସଠିକ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ରୂପେ ଚୟନ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ସୂଚନା ଥାଉକି ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି।