ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ

Published: Jun 13, 2023, 5:19 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ୩ ନମ୍ବର ୱାର୍ଡ ସହିଦ କୃତିବାସ ନଗରରେ ପାନୀୟ ଜଳର ଘୋର ଅଭାବ ରହୁଥିଲା। ଏଥିପାଇଁ ୱାର୍ଡବାସୀ ଦୀର୍ଘ ବର୍ଷ ହେବ ବହୁ ହଇରାଣ ହରକତ ହେଉଥିଲେ। ଗତ ବର୍ଷ ହୋଇଥିବା ପୌର ନିର୍ବାଚନ ସମୟରେ ଉକ୍ତ ସମସ୍ୟାକୁ ୱାର୍ଡ ବାସୀମାନେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ନିର୍ବାଚନ ଜିତିଲେ ୩ ନମ୍ବର ୱାର୍ଡର ଉକ୍ତ ସମସ୍ୟାର ସମାଧାନ କରାଯିବା ନେଇ ବର୍ତ୍ତମାନର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ତେବେ ପ୍ରତିଶୃତି ମୁତାବକ ଆଜି ୩ ନମ୍ବର ୱାର୍ଡରେ ଉକ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଛି।  ସହିଦ କୃତିବାସ ନଗରରେ ପାନୀୟ ଜଳ ପାଇଁ ନୂଆ ପାଇପଲାଇନର ଶୁଭ ଉଦଘାଟନ କରାଯାଇଛି। ଅଧ୍ୟକ୍ଷା ଶ୍ରମତି ପାଇକରାୟଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ଏହାଦ୍ୱାରା ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ତେବେ ନିର୍ବାଚନ ଇସ୍ତାହାରକୁ ଗୁରୁତ୍ୱ ଦେଇ ମାତ୍ର ଏକ ବର୍ଷ ମଧ୍ୟରେ ଦୀର୍ଘ ବର୍ଷର ସମସ୍ୟା ଦୂର କରିଥିବାରୁ ଅଧ୍ୟକ୍ଷାଙ୍କୁ ୱାର୍ଡବାସୀ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସଂଗଠକ ସନ୍ତୋଷ ପାଇକରାୟଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଲକ୍ଷ୍ମୀଧର ସେଠି, ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ମମତା ପଣ୍ଡା, ସୁଜାତା ପଣ୍ଡା ଏବଂ ବିଧାୟକ ଓ ସାଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

Related posts