Categories
ଆଞ୍ଚଳିକ

ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ୩ ନମ୍ବର ୱାର୍ଡ ସହିଦ କୃତିବାସ ନଗରରେ ପାନୀୟ ଜଳର ଘୋର ଅଭାବ ରହୁଥିଲା। ଏଥିପାଇଁ ୱାର୍ଡବାସୀ ଦୀର୍ଘ ବର୍ଷ ହେବ ବହୁ ହଇରାଣ ହରକତ ହେଉଥିଲେ। ଗତ ବର୍ଷ ହୋଇଥିବା ପୌର ନିର୍ବାଚନ ସମୟରେ ଉକ୍ତ ସମସ୍ୟାକୁ ୱାର୍ଡ ବାସୀମାନେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ନିର୍ବାଚନ ଜିତିଲେ ୩ ନମ୍ବର ୱାର୍ଡର ଉକ୍ତ ସମସ୍ୟାର ସମାଧାନ କରାଯିବା ନେଇ ବର୍ତ୍ତମାନର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ତେବେ ପ୍ରତିଶୃତି ମୁତାବକ ଆଜି ୩ ନମ୍ବର ୱାର୍ଡରେ ଉକ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଛି।  ସହିଦ କୃତିବାସ ନଗରରେ ପାନୀୟ ଜଳ ପାଇଁ ନୂଆ ପାଇପଲାଇନର ଶୁଭ ଉଦଘାଟନ କରାଯାଇଛି। ଅଧ୍ୟକ୍ଷା ଶ୍ରମତି ପାଇକରାୟଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ଏହାଦ୍ୱାରା ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ତେବେ ନିର୍ବାଚନ ଇସ୍ତାହାରକୁ ଗୁରୁତ୍ୱ ଦେଇ ମାତ୍ର ଏକ ବର୍ଷ ମଧ୍ୟରେ ଦୀର୍ଘ ବର୍ଷର ସମସ୍ୟା ଦୂର କରିଥିବାରୁ ଅଧ୍ୟକ୍ଷାଙ୍କୁ ୱାର୍ଡବାସୀ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସଂଗଠକ ସନ୍ତୋଷ ପାଇକରାୟଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଲକ୍ଷ୍ମୀଧର ସେଠି, ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ମମତା ପଣ୍ଡା, ସୁଜାତା ପଣ୍ଡା ଏବଂ ବିଧାୟକ ଓ ସାଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: ପ୍ରତିଶ୍ରୁତି ପୂରଣ କଲେ ପୁରାତନ ବିଦ୍ୟାର୍ଥୀ, ମେଧାବୀ ଛାତ୍ରଙ୍କୁ ମିଳିଲା ସମ୍ମାନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାର ବିକାଶ ନିମନ୍ତେ ମୋ ବିଦ୍ୟାଳୟ ଠାରୁ ଆରମ୍ଭ କରି ଫାଇଭ-ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ ଦ୍ଵାରା ରାଜ୍ୟ ସରକାର ଅନେକ ପଦକ୍ଷେପ ହାତ ମୁଠାକୁ ନେଇଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବା ଓ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ବଢିବାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ତେଣୁ ସେଥିପାଇଁ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।

କିନ୍ତୁ ଏହା ଭିତରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା କିଛି ପୁରାତନ ଛାତ୍ରଛାତ୍ରୀମାନେ ଏକ ଅଭିନବ ପ୍ରୟାସ ହାତକୁ ନେଇଛନ୍ତି। ନିଜ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ପ୍ରତିଯୋଗୀତା ମନୋଭାବ ବୃଦ୍ଧି ପାଇବ, ତାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠ ୧୯୯୭ ବ୍ୟାଚର ଛାତ୍ରଛାତ୍ରୀମାନେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ମୁତାବକ ଆଜି ଉକ୍ତ ବିଦ୍ୟାଳୟର ୧୯୯୭ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟର ଛାତ୍ର ତଥା ନୃସିଂହନାଥ ସାବତଙ୍କ ସୁପୁତ୍ର ଧର୍ମ ରଞ୍ଜନ ସାବତଙ୍କୁ ୯ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଧର୍ମ ରଞ୍ଜନ ୨୦୨୧-୨୨ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବାଧିକ ୫୬୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଧର୍ମ ରଞ୍ଜନଙ୍କୁ ଏହି ରାଶି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ୧୯୭୮ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

ଏତଦ୍ ବ୍ୟତୀତ, ଉକ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ପ୍ରଥମ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୭ ହଜାର ଟଙ୍କା, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୦ ହଜାର ଟଙ୍କା ଏବଂ ଓଡ଼ିଶାରେ ପ୍ରଥମସ୍ଥାନ ହାସଲ କରି ପାରିଲେ ସେ ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ବ୍ୟାଚ୍ ତରଫରୁ ଘୋଷଣା କରାଯାଇଛି। ଆହୁରି ମଧ୍ୟ ବିଦ୍ୟାଳୟର ସୃଜନଶୀଳ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ସହିତ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଯଥା ସମ୍ଭବ ସହାୟତା କରିବାର ଘୋଷଣା କରାଯାଇଛି।

ଉଲ୍ଲେଖ ଥାଉ କି ଗତ ମାସ ୪ ତାରିଖରେ ୧୯୯୭ ବ୍ୟାଚ୍ ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଚ୍ ତରଫରୁ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାରେ ଉତ୍ସାହିତ କରିବା ପାଇଁ ଏଭଳି ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା। ତେଣୁ ୧୯୯୭ ବ୍ୟାଚ୍ ଦ୍ଵାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି ରକ୍ଷା କରାଯାଇଛି।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ, ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀମାନେ, ୧୯୯୭ ବ୍ୟାଚ୍ ତରଫରୁ ଜାନକୀ ବଲ୍ଲଭ ମହାପାତ୍ର, ଭାଗବାନ ସାହୁ, ଲକ୍ଷ୍ମୀକାନ୍ତ ପାତ୍ର, ଶରତ ମହନ୍ତ, ରମେଶ ବେହେରା, ୧୯୭୮ ବ୍ୟାଚର ପୁରାତନ ଛାତ୍ର ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।