ବାଲୁଗାଁ: ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାରେ ନାଚିଲେ ସରକାରୀ କର୍ମଚାରୀ, ଭିଡ଼ିଓ ହେଲା ଭାଇରାଲ

Published: Apr 10, 2022, 2:12 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି।

ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି।

ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି।

ଗୋଟାଏ ପଟେ ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀମାନେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅପରପକ୍ଷେ ଏଠି ଖୋଦ ସରକାରୀ କର୍ମଚାରୀ ସର୍ବସାଧାରଣ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ଉତ୍ସବରେ ଖୋଲାଖୋଲି ଭାବେ ସାମିଲ ହୋଇ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି।

ଓଡ଼ିଶା ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ ଧାରା ୫ ମୁତାବକ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳ ସହ ଜଡ଼ିତ ହୋଇପାରିବେ ନାହିଁ। କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Related posts