Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଢିଲା ମହଙ୍ଗା ଭତ୍ତା, ଓଡିଶା ସରକାରୀ ଚାକିରୀଆଙ୍କ ପାଇଁ ଖୁସି ଖବର ଦେଲେ ନବୀନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତରେ ପହଞ୍ଚିଛି।

ଏହି ଘୋଷଣା ଅନୁସାରେ ଏହି ବର୍ଦ୍ଧିତ ହାର ଗତ ଜାନୁୟାରୀ ପହିଲାରୁ ଲାଗୁ କରାଯିବ। ଏହାଦ୍ବାରା ରାଜ୍ୟର ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଧାରୀ ଉପକୃତ ହେବେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରୀ କର୍ମଚାରୀଙ୍କ ଖୁସି ଖବର, ବଢିଲା ଏଚ୍ଆରଏମ୍ଏସ୍ ରେ ପ୍ରୋଫାଇଲ ଡାଟା ଆବେଦନ ତାରିଖ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ(ପ୍ରୋଫାଇଲ୍ ଡାଟା) ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଆବେଦନ ଅଦ୍ୟତନ(ଅପଡେସନ) କରିବା କାର୍ଯ୍ୟ ଆଗାମୀ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପୂର୍ବରୁ ଏହି କାର୍ଯ୍ୟ ଗତ ଫେବୃୟାରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ସଂପର୍କରେ କର୍ମଚାରୀମାନେ ସେମାନଙ୍କର ତଥ୍ୟ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଆବେଦନ କରି  ନିଜ ନିଜର ସଂସ୍ଥାର ପ୍ରତିଷ୍ଠାନ (ଏଷ୍ଟାବ୍ଲିସ୍‌ମେଣ୍ଟ) ଅଧିକାରୀ/ ଅର୍ଥ ଉଠାଣ ଓ ବିତରଣ  ଅଧିକାରୀ (ଡିଡିଓ) କିମ୍ବା ପ୍ରାଧୀକୃତ ଅଧିକାରୀଙ୍କ ଜରିଆରେ ଏହାକୁ  ବୈଧ କରିବାକୁ  ବିଭାଗ ତରଫରୁ ଜଣାଇ ଦିଆଯାଇଥିଲା।

ଏହି ବ୍ୟବସ୍ଥାରେ  ଆଜି ସୁଦ୍ଧା ପ୍ରାୟ ୩.୩ ଲକ୍ଷ  କର୍ମଚାରୀ  ସେମାନଙ୍କ ତଥ୍ୟ  ଅଦ୍ୟତନ କରିଛନ୍ତି, ଯାହା  ଉତ୍ସାହଜନକ  ବୋଲି  ବିଭାଗ ତରଫରୁ କୁହାଯାଇଛି । କିନ୍ତୁ ଦେଖାଯାଉଛି ଯେ ଅଦ୍ୟବଧି  ଅନେକ ସଂଖ୍ୟକ କର୍ମଚାରୀ​‌​‌ ସେମାନଙ୍କର ପ୍ରୋଫାଇଲ ତଥ୍ୟ ଅଦ୍ୟତନ କରିନାହାଁନ୍ତି। ଏଥିରେ କର୍ମଚାରୀମାନଙ୍କ ଦ୍ୱାରା ଅଦ୍ୟତନ କରାଯାଉଥିବା ତଥ୍ୟ ସେମାନଙ୍କର ଉପରୋକ୍ତ ଦର୍ଶିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧ ହେବା  ଆବଶ୍ୟକ ଯାହାକି  ପ୍ରଦତ୍ତ ତଥ୍ୟ  ସଠିକତାକୁ ନିଶ୍ଚିତ କରିବ।

ଏହି ଅଦ୍ୟତନ କରିବା ପ୍ରକ୍ରିୟା ‘୫-ଟି’ ଉପକ୍ରମର ଏକ ଅଂଶ ବିଶେଷ, ଯଦ୍ଦ୍ୱାରା ପେନ୍‌ସନ କାଗଜାତ ଗୁଡ଼ିକ ସ୍ୱୟଂକ୍ରିୟ ହୋଇପାରିବ । ତେଣୁ ଏହି କାର୍ଯ୍ୟ ସମସ୍ତ କର୍ମଚାରୀମାନେ କରିବା ଆବଶ୍ୟକତା ରହିଛି । ବିଶେଷ କରି  ଆଗାମୀ ପରବର୍ତ୍ତୀ ଏକ  ବର୍ଷରେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ଏଥିରେ ସ୍ୱତନ୍ତ୍ର  ଧ୍ୟାନ ଦିଆଯାଇଛି। ଏସବୁକୁ ଦୃଷ୍ଟି ଦେଇ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ,  କର୍ମଚାରୀମାନଙ୍କର  ପ୍ରୋଫାଇଲ ଡାଟା ଅପ୍‌ଡେଟ୍‌ କରିବା ଅଭିଯାନକୁ  ଆଉ ଦୁଇମାସ ବୃଦ୍ଧି କରିଛନ୍ତି ।

କର୍ମଚାରୀମାନେ ଏହି ସୁବିଧା ଆଗାମୀ ଏପ୍ରିଲ ୧୫.୦୪.୨୦୨୪ ପର୍ଯ୍ୟନ୍ତ ପାଇବେ । ଏହି ସମୟ ସୀମା ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ତଥ୍ୟ ଏଚ୍‌ଆରଏମଏସ୍‌ରେ ଅଦ୍ୟତନ କରିବା ସହ ଏହାକୁ ମଧ୍ୟ ପ୍ରାଧିକୃତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମର୍ମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ସବୁ ବିଭାଗୀୟ ମୁଖ୍ୟ ତଥା  ରାଜ୍ୟର ସମସ୍ତ କମିଶନଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି।

ଆଗାମୀ ଏପ୍ରିଲ ୧୫  ତାରିଖ ସୁଦ୍ଧା ରହିଯାଇଥିବା କର୍ମଚାରୀମାନଙ୍କୁ ନିଜ ନିଜର ତଥ୍ୟ ଅଦ୍ୟତନ କରାଇବା ସହିତ ଅନ୍ୟ ସମସ୍ତ କର୍ମଚାରୀମାନଙ୍କୁ ମଧ୍ୟ ସଚେତନ କରି ସେମାନଙ୍କ ତଥ୍ୟ ଅପ୍‌ଡେଟ୍‌ କରାଇବାକୁ ପୁନର୍ବାର ଅନୁରୋଧ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ସରକାରୀ କର୍ମଚାରୀଙ୍କୁ ଗିରଫ ଦାବି କଲା କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁନାଣି କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ବାକୁ ଯାଇଥିବା ଦୈନିକ ସମାଜ ଖବର କାଗଜ ପ୍ରତିନିଧି କିସାନ ପଟ୍ଟନାୟକଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ ମାତାଲ ଅବସ୍ଥାରେ ଅସଭ୍ୟ ଭାଷାରେ ଗଲିଗୁଲଜ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଆକ୍ରମଣ କରିଥିଲେ। ସାମ୍ବଦିକ ଜଣକ ଏ ବିଷୟରେ ଅମପାଣି ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନ ହେବାରୁ ଓଡିଶା ରାଜ୍ୟ ସାମ୍ୱାଦିକ ସଂଘ (ଏସ ୟୁ ଯେ) ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଚକ୍ର ବେସ୍ରା, ରଘୁମଣି ପୁଝାରି, ଜଗଦୀଶ ନାଏକ, ରଜନୀ କାନ୍ତ ଛ୍ହତ୍ରିଆ, ହର୍ସବର୍ଧନ୍ ପାଣିଗ୍ରାହୀ, ପରମାନନ୍ଦ ଛତ୍ରିଆ, ବାସୁଦେବ ଛତ୍ରିଆ, ଜୟରାମ, ତ୍ରିକୋକ୍ୟ ବେସ୍ରା, ହରିହର ଛ୍ହତ୍ରିଆ, ବିଜୟ ପଣ୍ଡା ପ୍ରମୁଖ ଆମପାନି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କୁ କଳାହାଣ୍ଡି ଏସପି ଓ ଡି ଜି ପି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଦ୍ୟପ ଅଧିକାରୀଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ତତଫରୁ ଦାବୀ କରଯାଇଥିଲା। ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନଂକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରଯାଇଥିଲା। କଲାହାଣ୍ଡି ସାମ୍ୱାଦିକ ସଂଘ ସର୍ବଦା ସାମ୍ୱାଦିକ ମାନଙ୍କ ମାନ ସମ୍ମାନ ଓ ସ୍ବାଭିମାନ ରକ୍ଷା ପ୍ରତି ସର୍ବଦା ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ମତ ପ୍ରକାଶ ପାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି। ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇପାରେ। ଏହି ଉଦ୍ଦେଶ୍ୟ ପାଇଁ, ନିର୍ଦ୍ଦିଷ୍ଟ ସୂତ୍ର ଅନୁଯାୟୀ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇପାରେ।

ପ୍ରତିବର୍ଷ ଜାନୁୟାରୀ ୧ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ଚାଲିଛି। ସରକାର ବର୍ତ୍ତମାନର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ଏବଂ ଯଦି ଏହା ଘଟେ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ସିଧାସଳଖ ୪ ପ୍ରତିଶତ ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ଗୃହ ନିର୍ମାଣ ଋଣ ପରିମାଣ

ଭୁବନେଶ୍ବର: ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।  ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି ।

ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଗତକାଲି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡିଶାର ବିଜେପି ଜନପ୍ରତିନିଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି ଏବଂ ସେମାନଙ୍କ ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଛି।

ଯେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ସାଂସଦ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ଆଶା କରିଥିଲୁ ଯେ ଓଡିଶା ବିଜେପି ଏହାକୁ ନିନ୍ଦା କରିବ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଲୋକସଭା ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟଆଡେ ନେବାକୁ ଚେଷ୍ଟା କରିଥିଲେ।

ଆଜି ମଧ୍ୟ ଯେତେବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓଡିଶା ବିଜେପି ଶ୍ରୀ ପାଣିଗ୍ରାହୀଙ୍କ ହିଂସାତ୍ମକ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ଦୁର୍ଭାଗ୍ୟବଶତଃ ତାଙ୍କୁ ଏବଂ ତାଙ୍କ ହିଂସାତ୍ମକ କାର୍ଯ୍ୟକୁ ସୁରକ୍ଷା ଦେଉଛନ୍ତି। ବିଜୁ ଜନତା ଦଳ ସର୍ବଦା ଆଇନ୍‌ର ଶାସନ ସହିତ ଅଛି ଏବଂ ଆଇନ୍‌କୁ ତା ବାଟରେ ଯିବାକୁ ଦେଇଥାଏ। ଅତୀତରେ ଦଳମତ ନିର୍ବିଶେଷରେ ଆଇନ୍ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଜି ମଧ୍ୟ ତାହା ହେଉଛି।

କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ଦୋଷୀଙ୍କୁ ରକ୍ଷା କରିବାକୁ ଚାହୁଁଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡେ ନେବାକୁ ଚେଷ୍ଟା କରୁଛି। ଏହି କାରଣରୁ ଓଡ଼ିଶାର ଲୋକ ବିଜେପିକୁ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମିଥ୍ୟା ପ୍ରଚାରରୁ ଦୂରେଇ ରହିବ ଏବଂ ସେମାନଙ୍କ ଦଳର ଜନପ୍ରତିନିଧୀଙ୍କ ଦ୍ୱାରା ଏପରି ହିଂସାତ୍ମକ କାର୍ଯ୍ୟକୁ ନେଇ ରାଜନୀତି କରିବ ନାହିଁ ଏବଂ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆଇନ୍‌କୁ ସ୍ୱାଗତ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାରେ ନାଚିଲେ ସରକାରୀ କର୍ମଚାରୀ, ଭିଡ଼ିଓ ହେଲା ଭାଇରାଲ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି।

ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି।

ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି।

ଗୋଟାଏ ପଟେ ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀମାନେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅପରପକ୍ଷେ ଏଠି ଖୋଦ ସରକାରୀ କର୍ମଚାରୀ ସର୍ବସାଧାରଣ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ଉତ୍ସବରେ ଖୋଲାଖୋଲି ଭାବେ ସାମିଲ ହୋଇ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି।

ଓଡ଼ିଶା ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ ଧାରା ୫ ମୁତାବକ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳ ସହ ଜଡ଼ିତ ହୋଇପାରିବେ ନାହିଁ। କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ୨ ଜଣ ଅଧିକାରୀଙ୍କୁ ଅଫିସ ଡାକି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଉଭୟ ଅଧିକାରୀଙ୍କୁ ଚେୟାରରେ ପିଟିବାରୁ ଜଣଙ୍କର ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ତେବେ ଉଭୟଙ୍କୁ ଆହତ ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡ଼ିରେକ୍ଟର ଅଶ୍ଵିନୀ ମଲିକ ଏବଂ ଆସିଷ୍ଟାଣ୍ଡ ଡ଼ିରେକ୍ଟର ଦେବାଶିଷ ମହାପାତ୍ର ଏନେଇ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଅଧିକାରୀ ଥାନାର ଦ୍ଵାରସ୍ଥ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର: ଅବସର ବୟସକୁ ବୃଦ୍ଧି କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଏକ ବଡ ଉପହାର ଦେଇଛି। କର୍ମଚାରୀମାନଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ଅଧ୍ୟାଦେଶକୁ ଲାଗୁ କରିଛନ୍ତି। ବରିଷ୍ଠ କର୍ମଚାରୀଙ୍କ ଅଭିଜ୍ଞତା ଏବଂ ପାରଦର୍ଶୀତାକୁ ବ୍ୟବହାର କରିବା ଏବଂ ଆୟୁଷ ବୃଦ୍ଧି ଏବଂ ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ବୋଲି ଏକ ଗେଜେଟ୍ ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି। ”

ରାଜ୍ୟପାଳ ଆନ୍ଧ୍ରପ୍ରଦେଶର ଜନସାଧାରଣ ନିଯୁକ୍ତି (ରେଗୁଲେସନ୍ ଅଫ୍ ବୟ ଅଫ୍ ପେନ୍ସନ୍) (ସଂଶୋଧନ) ଅର୍ଡିନାନ୍ସ, ୨୦୨୨ ଘୋଷଣା କରିଛନ୍ତି। ଜାନୁୟାରୀ ୨୧ ତାରିଖରେ ଆନ୍ଧ୍ରପ୍ରଦେଶର ଜନ ନିଯୁକ୍ତି ଆଇନ ୧୯୮୪ ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ଏହି ନିୟମରେ ରାଜ୍ୟପାଳ କହିଛନ୍ତି ଯେ, ଏହି ଅଧିନିୟମର ସଂଶୋଧନ ଜାନୁୟାରୀ ୧ ତାରିଖ ୨୦୨୨ ଠାରୁ କାର୍ଯ୍ୟକାରୀ ହେବ। ଅବସର ଆଇନକୁ ୫୮ ରୁ ୬୦ ବର୍ଷକୁ ବୃଦ୍ଧି କରି ୨୦୧୪ରେ ଏହି ଅଧିନିୟମରେ ପ୍ରଥମେ ସଂଶୋଧନ କରାଯାଇଥିଲା। ରାଜ୍ୟ ସରକାର ଅବସର ବୟସର ବୃଦ୍ଧିକୁ ଯଥାର୍ଥତା ଦେଇ କହିଛନ୍ତି ଯେ, ଏହା ୨୦୧୪ ତୁଳନାରେ ହାରାହାରି ଆୟୁଷରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।

ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରାଯିବ ବୋଲି ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି, ସରକାରୀ କର୍ମଚାରୀଙ୍କ ବଢିଲା ପେନସନ, ଜାଣନ୍ତୁ କେଉଁମାନେ ପାଇବେ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି। ଯେଉଁ କର୍ମଚାରୀମାନେ ଜାତୀୟ ପେନସନ ଯୋଜନାରେ ଆସୁଛନ୍ତି ସେମାନେ ଏହି ବର୍ଦ୍ଧିତ ପରିମାଣ ପାଇବେ।

କ୍ୟାବିନେଟର ନିଷ୍ପତି ଅନୁସାରେ କର୍ମଚାରୀଙ୍କ ପେନସନ ପାଇଁ ରାଜ୍ୟ ସରକାର ଯେଉଁ ଅଂଶ ପ୍ରଦାନ କରୁଛନ୍ତି ସେଥିରେ ବୃଦ୍ଧି କରାଯାଇଛି। ପୂର୍ବରୁ ଦିଆଯାଉଥିବା 10 ପ୍ରତିଶତ ରାଜ୍ୟ ଅଂଶକୁ 14 ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ପେନସନ ପିଛାଲା ଭାବେ ଗତ 2019 ଏପ୍ରିଲ 1 ତାରିଖରୁ ଲାଗୁ କରିବା ପାଇଁ କ୍ୟାବିନେଟ ମୋହର ମାରିଛନ୍ତି।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହା ଦ୍ବାରା ରାଜ୍ୟର 2 ଲକ୍ଷ 8 ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର 380 କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ବର୍ତ୍ତମାନ ପିଛିଲା ଭାବେ ଏହା ପ୍ରଦାନ କରାଗଲା ରାଜ୍ୟ ସରକାରଙ୍କୁ 772 କୋଟି ଟଙ୍କା ଦେବାକୁ ପଡିବ।

ଏହି ବର୍ଦ୍ଧିତ ପେନସନ ଅଂଶ ରାଜ୍ୟ ସରକାରଙ୍କ ଗ୍ରୁପ ବି,ସି, ଡି ଏବଂ କଣ୍ଟ୍ରାଚ୍ୟୁୟାଲ କର୍ମଚାରୀ ପାଇବେ। ଏଥିସହିତ ସରକାରୀ ଏଡେଡ୍ ଶିକ୍ଷାନୁଷ୍ଠାନ କର୍ମଚାରୀ ମଧ୍ୟ ଏହି ବର୍ଦ୍ଧିତ ପେନସନ ଯୋଜନାର ଲାଭ ପାଇପାରିବେ। ଏଥିସହିତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ମଧ୍ୟ ଏହି ପେନସନ ଦେବାକୁ ନିଷ୍ପତି ହୋଇଛି।

ଆଜି 35 ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ 17ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧%ବୃଦ୍ଧି 

ଭୁବନେଶ୍ବର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ।

ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଲା।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।

Categories
ବିଶେଷ ଖବର ରାଜ୍ୟ ଖବର

ଦଶହରା ଭେଟି: ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ ଜିଆଇଏସ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ଜିଆଇଏସ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ମଚାରୀ ମାନଙ୍କ ପାଇଁ ଜିଆଇଏସଏକ ସାମାଜିକ ସୁରକ୍ଷା ଯୋଜନା। ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା। ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜିଆଇଏସ ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ବଡ କାର୍ଯ୍ୟାନୁଷ୍ଠାନ: ଜମ୍ମୁରୁ ବହିସ୍କୃତ ହେଲେ ୧୧ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି। ସମ୍ବିଧାନର ଧାରା ୩୧୧ (୨, ସି) ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଚାକିରିରୁ ବହିସ୍କୃତ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗ ଓ ୩ ଜଣ ବଡଗାମ ଜିଲ୍ଲାର ସରକାରୀ କର୍ମଚାରୀ ଅଛନ୍ତି। ସେହିଭଳି ଶ୍ରୀନଗର, ପୁଲୱାମ ଏବଂ କୂପୱାଡାରୁ ଜଣେ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ବହିସ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିକ୍ଷା ବିଭାଗ କର୍ମଚାରୀ, ୨ ଜଣ ଜମ୍ମୁ-କାଶ୍ମୀର ପୋଲିସ ଏବଂ କୃଷି, ଦକ୍ଷତା ବିଭାଗ, ବିଦ୍ୟୁତ, ଏସକେଆଇଏମଏସ  ଏବଂ ସ୍ୱାସ୍ଥ୍ୟ ବିଭାଗରୁ ଜଣେ ଲେଖାଏଁ କର୍ମଚାରୀ ବହିସ୍କୃତ ହୋଇଛନ୍ତି।

ଆତଙ୍କବାଦୀ ବିଚାରଧାରାକୁ ସମର୍ଥନ କରିବା ଓ ପ୍ରଚାର କରିବା ଅଭିଯୋଗରେ ଅନନ୍ତନାଗ ଜିଲ୍ଲାର ଦୁଇ ଜଣଙ୍କ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାସହିତ ପୋଲିସ ବିଭାଗ ଭିତରୁ ଆତଙ୍କବାଦୀଙ୍କୁ ସମର୍ଥନ ଏବଂ ଗୁପ୍ତ ସୂଚନା ସହ ସାହାଯ୍ୟ କରିବା ଅଭିଯୋଗରେ ଜମ୍ମୁ-କାଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଉ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସିଧା ସଳଖ ଆତଙ୍କବାଦୀଙ୍କ ସହ ସାମିଲ ଥିବା ଏବଂ ଆତଙ୍କବଦୀ ସଂଗଠନ ହିଜବୁଲ ପାଇଁ କାର୍ଯ୍ୟ କରିବା ସହ ଦୁଇ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଘରେ ରଖି ସାହାଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି: ଅବସର ସମୟ ୫୮ ବର୍ଷ ପରିବର୍ତ୍ତେ ୬୧ ବର୍ଷ

ହାଇଦ୍ରାବାଦ: କରୋନା ସମୟରେ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେତେକ ଘରୋଇ ସଂସ୍ଥାରେ ଅନେକ କର୍ମଚାରୀଙ୍କ ରୋଜଗାର ଚାଲିଯାଇଥିବା ବେଳେ ଅନେକ କର୍ମଚାରୀଙ୍କ ଦରମାରେ ହ୍ରାସ କରାଯାଇଥିବା ଦେଖିବାକୁ ମିଳିଛି।

ହେଲେ ଏଭଳି ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ତେଲେଙ୍ଗନା ସରକାର ଦରମାରେ ବୃଦ୍ଧି କରିଛି। ସରକାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି କରିବା ସହ ଅବସର ସମୟକୁ ମଧ୍ୟ ୩ ବର୍ଷ ବୃଦ୍ଧି କରି ୫୮ ବର୍ଷ ପରିବର୍ତ୍ତେ ୬୧ ବର୍ଷ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ତେଲେଙ୍ଗନା ବିଧାନସଭାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟର ୯.୧୭ ଲକ୍ଷ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ।

କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ କାର୍ଡର ଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ବହୁତ ବର୍ଷ ପୂର୍ବେ ହୋଇଯାଇଛି, ସେହି କାର୍ଡ ଗୁଡିକର ତଥ୍ୟ ଦେଖିଲେ ଚିଲିକା ବ୍ଲକରେ ରାସନ କାର୍ଡ଼ର ଦୁର୍ନୀତି କିପରି କରାଯାଉଛି ସ୍ପଷ୍ଟ ରୂପେ ଜାଣି ହେବ।

ଦେଖନ୍ତୁ ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟର ତାଲିକା

୧- କାର୍ଡ ନଂ-୧୯୦୭୧୪୧୩୬୩୩- ସମ୍ଭାରୀ ବେହେରା-୨୭.୩.୧୮ରେ ମୃତ।

– କାର୍ଡ ନଂ- ୧୯୦୭୧୪୧୪୪୧୦- ଶିଶୁଳା ଘଡେ଼ଇ- ୩.୧୦.୧୮ରେ ମୃତ।

୩- କାର୍ଡ ନଂ- ୧୯୦୭୧୪୧୪୬୮୪- ମେଘି ବେହେରା- ୯.୧୨.୧୬ ରେ ମୃତ।

୪- କାର୍ଡ ନଂ-୧୯୦୭୧୪୧୩୯୬୨-ଡୋମୀ ବେହେରା- ୩.୨.୨୦ରେ ମୃତ।

୫- କାର୍ଡ ନଂ-୧୯୦୭୧୪୧୨୯୩୬ ଧନୀ ଦେଇ-୧୯.୧.୧୬ରେ ମୃତ।

୬- କାର୍ଡ ନଂ-୧୯୦୭୧୪୧୩୨୭୪-ଅନ୍ନପୂର୍ଣ୍ଣା ବେହେରା- ୫.୦୫.୧୯ରେ ମୃତ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେବଳ କାଗଜ କଲମରେ ତଦନ୍ତ ହେଉଛି। ବି.ଡ଼ି.ଓ ଙ୍କ ଉଦାସୀନତା ମନୋଭାବ ଲାଗି ଯୋଗାଣ ନିରୀକ୍ଷକ ଏବଂ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ଆଜି ବେଫିକର ରହୁଛନ୍ତି। ଏପରିକି ଜନସାଧାରଣ କହୁଛନ୍ତି ଯେ ଯୋଗାଣ ନିରୀକ୍ଷକଙ୍କ ଖୋର୍ଦ୍ଧା ଏ.ସି.ଏସ.ଓ ଭାବେ ପଦୋନ୍ନତି ହୋଇଯାଇଥିବାରୁ ଖୁସିରେ କାର୍ଡ କାଟୁନାହାନ୍ତି ଏବଂ ଖୋଲାଖୋଲି ଦୁର୍ନୀତି କରୁଛନ୍ତି।

ସେହିପରି ଚିଲିକା ବ୍ଲକରେ ଆଉ ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ପାଇଁ ଛଟପଟ ହେଉଥିବା ବେଳେ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳୁଛି ରାସନ ସାମଗ୍ରୀ।

୧୯୦୭୧୪୧୩୩୮୬ କାର୍ଡ ନମ୍ବର ଟି ହେଉଛି ସୋରଣ ଡାକ୍ତରଖାନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପରିବାରର। ଉକ୍ତ କାର୍ଡରେ ଚଂଚକତାର ସହ ଫାର୍ମାସିଷ୍ଟ ମହୋଦୟା ନିଜ ନାମ କାଟିଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ବରାବର ରାସନ ପାଉଛନ୍ତି। ଉକ୍ତ କାର୍ଡରେ ଚାରିଜଣ ହିତାଧିକାରୀଙ୍କ ନାମ ଅଛି। ଯେଉଁଥିରେ ଫାର୍ମାଶିଷ୍ଟଙ୍କ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ନାମରେ ମଧ୍ୟ ରାସନ ସାମଗ୍ରୀ ଆସୁଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଚାକିରିଆ କିମ୍ବା ତାଙ୍କ ପରିବାରର ରାସନ କାର୍ଡ ପାଇବାର ପ୍ରାବଧାନ ନଥିବାବେଳେ ଯୋଗାଣ ନିରୀକ୍ଷକ କିପରି ତାଙ୍କୁ କାର୍ଡ ପ୍ରଦାନ କଲେ। ଏଠି ଖୋଲାଖୋଲି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳୁଛି। ଯୋଗାଣ ସହାୟକ ଏବଂ ଯୋଗାଣ ନିରୀକ୍ଷକ ଉଭୟ ମିଶିକରି ମାନସିଂହପୁର ପଞ୍ଚାୟତରେ ଦୁର୍ନୀତି କରୁଥିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଥାଉ କି ଯୋଗାଣ ନିରୀକ୍ଷକ ବାଣପୁର ଏବଂ ଚିଲିକା ବ୍ଲକ ଓ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଚାରି ଗୋଟି ଅଞ୍ଚଳର ଦାଇତ୍ତ୍ଵରେ ଥିବାବେଳେ ଏପରି ଅନେକ ଦୁର୍ନୀତି ସବୁ ସ୍ଥାନରେ ହୋଇଥିବାର ଅଭିଯୋଗ ହେଉଛି। ଆଗାମୀ ଦିନରେ ଯଦି ମାନସିଂହପୁର ପଞ୍ଚାୟତରେ ହୋଇଥିବା ଉକ୍ତ ଦୁର୍ନୀତିର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆନଯାଏ। ତେବେ ପଞ୍ଚାୟତବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଲଗାତର ମାନସିଂହପୁର ପଞ୍ଚାୟତରେ ହେଉଥିବା ରାସନ କାର୍ଡ଼ ଦୁର୍ନୀତିର ପର୍ଦାଫାଶ ତଥ୍ୟ ପ୍ରମାଣ ଆଧାରରେ କରାଯିବାପରେ ଦୋଷୀଙ୍କ ଉପରେ ଚିଲିକା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା।