ନୂଆଦିଲ୍ଲୀ: ଆଇନଗତ ପ୍ରକ୍ରିୟା ଏବଂ ସରକାରୀ କର୍ମଚାରୀଙ୍କ ନିଲମ୍ବନ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ମାମଲାର ଶୁଣାଣି କରି ଉଚ୍ଚତମ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ସରକାରୀ କର୍ମଚାରୀ କୌଣସି ମାମଲାରେ ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରୁହନ୍ତି, ତେବେ ନିୟମାନୁସାରେ ତାଙ୍କୁ ନିଜକୁ ନିଜେ ନିଲମ୍ବିତ ବୋଲି ଧରାଯିବ। ଏହିପରି ସ୍ଥିତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ଅସ୍ଥାୟୀ ଭାବେ ବାହାର କରିବା ପାଇଁ ସରକାର କିମ୍ବା ବିଭାଗ ପକ୍ଷରୁ କୌଣସି ସ୍ୱତନ୍ତ୍ର ନିଲମ୍ବନ ଆଦେଶ ଜାରି କରିବାର ଆବଶ୍ୟକତା ପଡ଼ିବ ନାହିଁ।
ଜଷ୍ଟିସ୍ ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ୍ ମନମୋହନଙ୍କୁ ନେଇ ଗଠିତ ଦ୍ୱିଖଣ୍ଡପୀଠ ବିହାରର ସମସ୍ତିପୁର ସଦର ହସ୍ପିଟାଲର ପ୍ରଶାସକ ବିଶ୍ୱଜିତ ସିଂହଙ୍କ ଜାମିନ ସମ୍ପର୍କିତ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଆବେଦନକାରୀ ବିଶ୍ୱଜିତ ସିଂହଙ୍କ ବିରୋଧରେ ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହେବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଜଣକ ପ୍ରାୟ ୧୫ ଦିନ ନ୍ୟାୟିକ ହାଜତରେ ରହିଥିଲେ।
ଶୁଣାଣି ସମୟରେ ଖଣ୍ଡପୀଠ ପାଟନା ଉଚ୍ଚ ଅଦାଲତଙ୍କ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ପାଟନା ଉଚ୍ଚ ଅଦାଲତ ବିଶ୍ୱଜିତଙ୍କୁ ଜାମିନ ମିଳିବାର ପ୍ରାୟ ଏକ ବର୍ଷ ପରେ ତାଙ୍କ ଜାମିନକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ରଦ୍ଦ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ବିତାଇସାରିଥିବା ହେତୁ ଆଇନ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀ ସ୍ୱତଃ ନିଲମ୍ବିତ ହୋଇସାରିଛନ୍ତି। ତେଣୁ ଏଥିପାଇଁ କୌଣସି ପୃଥକ୍ ବିଭାଗୀୟ ଆଦେଶର ଅପେକ୍ଷା ନରଖି ଆଇନଗତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


