ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ବିଧିବଦ୍ଧ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ଛାତ୍ରଛାତ୍ରୀଙ୍କ ଭରପୂର ଉପସ୍ଥିତି ଦେଖିବାକୁ ମିଳିଥିଲା।
ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଉପସ୍ଥିତିରେ ଛାତ୍ର ସଂସଦ ସଭାପତି ପୂଜା ଦିହୁଡ଼ି ଓ ସାଧାରଣ ସମ୍ପାଦକଙ୍କ ସମେତ ସମସ୍ତ ନିର୍ବାଚିତ ଛାତ୍ର ନେତା ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିଥିଲେ। ପରେ ଆନୁଷ୍ଠାନିକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନିର୍ବାଚନ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରଥମେ ଅଧ୍ୟକ୍ଷ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ସ୍ୱାଗତ ଜଣାଇଥିଲେ। ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଜୟୀ ପ୍ରମାଣପତ୍ର ବଣ୍ଟନ କରାଯିବା ପରେ ଡକ୍ଟର ମହାରଣା ସେମାନଙ୍କୁ ପଦ ମର୍ଯ୍ୟାଦାର ଶପଥ ପାଠ କରାଇଥିଲେ।
ଏହାପରେ ଛାତ୍ର ସଂସଦ ସଭାପତି ପୂଜା ଦିହୁଡ଼ି ନିଜର ପ୍ରାରମ୍ଭିକ ବକ୍ତବ୍ୟ ଓ କୃତଜ୍ଞତା ଜଣାଇବା ପରେ ସଭାପତି ଭାବେ ସେଦିନକୁ ଛୁଟି ଘୋଷଣା କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ପରେ ସହ-ନିର୍ବାଚନ ଅଧିକାରୀ ଅଧ୍ୟାପକ ପ୍ରବୀଣ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଧିବଦ୍ଧ ଶପଥ ଗ୍ରହଣ ପରେ ସଭାପତି ପୂଜା ଦିହୁଡ଼ିଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଛାତ୍ରଛାତ୍ରୀ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଥିବା ମା’ ବାଗଦେବୀ, ଶ୍ରୀ ଗଣେଶ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସହର ପରିକ୍ରମା କରିଥିଲେ।


