Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପ୍ରବଳ ବିରୋଧ ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ଶୀତଳ ଭଣ୍ଡାରରେ ରଖିଲା ବିଜେଡି

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ। ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଆରମ୍ଭ ହେଲା କମ୍ପନ। କାରଣ ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ନୁହେଁ। ଏପରିକି ତାଙ୍କର ଚିଲିକା ସହିତ କୌଣସି ସଂପର୍କ ନ ଥିବାରୁ ବିଜେଡି କର୍ମି ତାଙ୍କ ନାମ ଶୁଣି ମୁହଁ ମୋଡି ଦେଲେ।

କର୍ମିଙ୍କ ମହଲରେ ଅସନ୍ତୋଷ ଜାଣିବା ପରେ ଦଳର ଶୀର୍ଷ ନେତୃତ୍ବ ଚିଲିକାର ନେତାମାନଙ୍କୁ ଡାକି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ହେଲେ କେହି ହେଲେ ପ୍ରସନ୍ନ ପାଟ୍ଟଶାଣଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ନ ଥିଲେ। ଏପରି ବିରୋଧ ପରେ ବିଜେଡି କଣ କରିବ ସେ ନେଇ କୌଣସି ପ୍ରତିଶୃତି କର୍ମୀଙ୍କୁ ଦେଇପାରି ନ ଥିଲା। ପରେ ବିଚାର କରାଯିବ ବୋଲି କହି ଚିଲିକା ନେତାଙ୍କୁ ସେଦିନ ବିଦାୟ କରି ଦିଆଯାଇ ଥିଲା।

କିଛିଦିନ ପରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହେଉଥିବା ଅରୂପ ପଟ୍ଟନାୟକ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ଏହି ଲୋକସଭା ଅଧିନରେ ଆସୁଥିବା ସମସ୍ତ ବିଧାନସଭାର ଭାବି ପ୍ରାର୍ଥୀମାନେ। ସେମାନେ ହେଲେ ପୁରୀରୁ ସୁନୀଲ ମହାନ୍ତି, ପିପିଲିରୁ ରୁଦ୍ର ମହାରଥୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ନୟାଗଡରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ।

ହେଲେ ଆଶ୍ଚର୍ଯ୍ୟର କଥା ପୁରୀ ଲୋକସଭାରେ ଚିଲିକା ଆସୁଥିଲେ ମଧ୍ୟ ସେଦିନ ଏହି ନିର୍ବାଚନ ମଣ୍ଡଳିରୁ କୌଣସି ଭାବି ପ୍ରାର୍ଥିଙ୍କୁ ଡକାଯାଇ ନ ଥିଲା। ଏପରିକି ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରେ ଥିଲେ ମଧ୍ୟ ସେହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନ ଥିଲା। ଫଳରେ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଯେଉଁ ଚିନ୍ତା କରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଲା। ଯଦି ସେ ପ୍ରାର୍ଥୀ ହୋଇ ଥାଆନ୍ତେ ତେବେ ତାଙ୍କୁ ପୁରୀ ଯିବା ପାଇଁ ନିଶ୍ଚିତ ନିର୍ଦ୍ଦେଶ ଦିଆଯାଇ ଥାଆନ୍ତା।

ଅନ୍ୟପଟେ ଚିଲିକାର ଅନ୍ୟତମ ଦାବୀଦାର ରଘୁନାଥ ସାହୁ ମଧ୍ୟ ଶଙ୍ଖ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେଠାରେ ସେ ପ୍ରାୟ ହଜାରେ ସମର୍ଥକଙ୍କୁ ନେଇ ଟିକେଟ ପାଇଁ ଦାବୀ କରିଛନ୍ତି। ହେଲେ ସେଠାରେ କର୍ମିମାନେ ରଘୁନାଥଙ୍କୁ ଯେତିକି ସମର୍ଥନ କରିଥିଲେ ତାହାଠାରୁ ଅଧିକ ପାଟ୍ଟଶାଣୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଏ ସବୁ ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ରଘୁନାଥ ଏବଂ ତାଙ୍କର କର୍ମି ଶଙ୍ଖ ଭବନରେ ଯେପରି ବିକ୍ଷୋଭ ପ୍ରଦର୍ଶନ କଲେ ସେଥିରେ ଦଳ କୁଆଡେ ତାଙ୍କ ଉପରେ ଖପ୍ପା ହୋଇ ଉଠିଛି। ଫଳରେ ବର୍ତ୍ତମାନ ରଘୁନାଥଙ୍କ ନାମକୁ ମଧ୍ୟ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଛି ବୋଲି ଶୁଣାଯାଇଛି। ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ବିଜେଡି କର୍ମୀ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଟିକେଟ ପାଇଁ ନବୀନ ନିବାସ ଚାଲ ଅଭିଯାନ

ଚିଲିକା( ସୀତାରାମ ଅଗ୍ରୱାଲ): ନିର୍ବାଚନ ତାରିଖ ଯେତେ ପାଖେଇଆସୁଛି ଆଶାୟୀଙ୍କ ନିଦ ହଜିଯାଉଛି। ସମସ୍ତେ ଟିକେଟ ପାଇବା ପାଇଁ ଦଳୀୟ ନେତାଙ୍କ ପାଖେ କସରତ ଆରମ୍ଭ କରିଦେଲେଣି। ତେବେ ଚିଲିକା ନିର୍ବାଚନମଣ୍ଡଳିରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଆଜି ଶକ୍ତି ପ୍ରଦର୍ଶନ କରିବେ ଭୁବନେଶ୍ୱରରେ। ନବୀନ ନିବାସ ଅଭିମୁଖେ ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ସକାଳୁ ଚିଲିକାରୁ ବାହାରିଛନ୍ତି ରଘୁନାଥ।

ତେବେ ମଧ୍ୟାହ୍ନ ସୁଦ୍ଧା ଶଙ୍ଖ ଭବନରେ ଶ୍ରୀ ସାହୁ ପହଞ୍ଚିବେ ବୋଲି ସୂଚନା ମିଳିଛି। ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନଏସି ର ପାଖାପାଖି 4 ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ରଘୁନାଥ ସାହୁ ଭୁବନେଶ୍ୱର ଯାଇଥିବା ସାମର୍ଥକଙ୍କ ସୂତ୍ରରୁ ପ୍ରକାଶ। ତେବେ ଚିଲିକା ବିଧାନସଭା ବିଜେଡି ଆଶାୟୀ ଭାବେ ଏକ ନମ୍ବରରେ ଏବେ ବି ରଘୁନାଥ ସାହୁ ଅଛନ୍ତି ବୋଲି ବାର୍ତ୍ତା ଦେବେ ଆଜି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରୁ ପ୍ରାର୍ଥୀ ହେବା ପାଇଁ ନବୀନ ନିବାସରେ ଶକ୍ତି ଦେଖାଇବେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିବାରୁ ବର୍ତ୍ତମାନ ଟିକେଟ ପାଇବା ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ପରିସ୍ଥିତିରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକାରୁ ଟିକେଟ ପାଇବା ପାଇଁ ବଡ ଆଶାୟୀ ହୋଇପଡିଛନ୍ତି। ହେଲେ ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଦଳ କୌଣସି ସବୁଜ ସଙ୍କେତ ଦେଉ ନ ଥିବାରୁ ସେ ବ୍ୟସ୍ତ ହୋଇପଡିଲେଣି।

ଦଳରୁ ଟିକେଟ ପାଇବା ଏବଂ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଆସନ୍ତାକାଲି ରଘୁନାଥ ସାହୁ ନବୀନ ନିବାସ ଯାଉଥିବାର ଜଣାପଡିଛି। ସେଥିପାଇଁ ସେ ବଡ ପ୍ରସ୍ତୁତି କରିଥିବାର ଜଣାପଡିଛି। ଏ ନେଇ ତାଙ୍କର ଜଣେ କର୍ମିଙ୍କ କହିବା କଥା ଯେ, ଆସନ୍ତାକାଲି ଚିଲିକାରୁ ୫୦ ଟି ବସ୍ ଏବଂ ୨୫ ଟି ବୋଲେରେ ଭର୍ତ୍ତି ହୋଇ ଲୋକେ ଭୁବନେଶ୍ବର ଯିବେ। ସେଠାରେ ସେ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ ଦଳର ସୁପ୍ରିମୋ ତଥା ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ହେବ ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭାର ବିଜେଡି ପ୍ରାର୍ଥୀ ? ଜାଣନ୍ତୁ ତାଲିକା

ଭୁବନେଶ୍ବର: ଇତି ମଧ୍ୟରେ ବିଜେଡି ତାହାର ପ୍ରାର୍ଥୀ ଠିକ କରିବାରେ ଲାଗିଛି। ନିର୍ବାଚନ ବିଗୁଲ ବାଜି ସାରିଥିବାରୁ ଦଳ ବର୍ତ୍ତମାନ ପୁରୀ ଜଗନ୍ନାଥ ଧାମରୁ ଏହାର ପ୍ରାର୍ଥୀ ଖୋଜା ଆରମ୍ଭ କରିଛି। ସେହି ଅନୁସାରେ ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ସାତଟି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଏକ ପ୍ରକାରର ଚୁଡାନ୍ତ କରିଛି।

ଏ ନେଇ ପ୍ରଥମେ ନବୀନ ନିବାସରେ ଏକ ବୈଠକ ବସିଥିଲା। ଏଥିରେ ପୁରୀ ବିଧାନସଭାର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡି ଯେଉଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ସେହି ଅନୁସାରେ ଯେଉଁମାନଙ୍କର ନାମ ରହିଛି ତାହା ହେଲା..

ପୁରୀ ଲୋକସଭା- ଅରୂପ ପଟ୍ଟନାୟକ

ବିଧାନସଭା

ପୁରୀ- ସୁନୀଲ ମହାନ୍ତି

ବ୍ରହ୍ମଗିରି- ଉମାକାନ୍ତ ସାମନ୍ତରାୟ

ପିପିଲି-ରୁଦ୍ର ପ୍ରସାଦ ମହାରଥୀ

ସତ୍ୟବାଦି- ସଂଜୟଦାସ ବର୍ମା

ଚିଲିକା- ପ୍ରସନ୍ନ ପାଟ୍ଟଶାଣୀ

ନୟାଗଡ- ଅରୁଣ ସାହୁ

ରଣପୁର- ସତ୍ୟନାରାୟଣ ପ୍ରଧାନ

ଏହି ପ୍ରାର୍ଥୀମାନଙ୍କୁ ଦଳ ତରଫରୁ ନବୀନ ନିବାସ ଡକାଯାଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଉଭୟ ଅରୂପ ପଟ୍ଟନାୟକ ଏବଂ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ତାଙ୍କ ସହିତ ଆଲୋଚନା କରାଯାଇଛି। ତେବେ ବିନା ମେଣ୍ଟରେ ଏହି ପ୍ରାର୍ଥୀଙ୍କ ନାମ ପ୍ରାରମ୍ଭିକ ପର୍ଯ୍ୟାୟରେ ମନୋନିତ କରାଯାଇଛି। ହେଲେ ମେଣ୍ଟ ହେଲେ ଏଥିରେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ମଝିରେ ପୁଣି ଅଟକିଲା ଭସାପୋଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ। ଭସାପୋଲଟି ଜହ୍ନିକୁଦାରୁ ସାତପଡା ଆଭିମୁଖେ ଯାଉଥିଲା। ଭସାପୋଲରେ ୨ଟି ଚାରିଚକିଆ, ୨୦ଟି ମଟୋର ସାଇକେଲ ସମେତ ୪୦ ଜଣ ଲୋକ ଥିବା ଜଣାପଡିଛି।

ସିଡ଼ିଏ ମେକାନିକାଲ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୧.୩୦ ମିନିଟ ସମୟରେ ଭସାପୋଲଟି ଜହ୍ନିକୁଦାରୁ ବାହାରିଥିବା ବେଳେ କିଛି ସମୟ ଅତିକ୍ରମ କଲା ପରେ ଚିଲିକା ଜଳରାଶିରେ ଅଟକାଇଯାଇଥିଲା।

ତେବେ ଭସାପୋଲ ଏସି ପମ୍ପ ଖରାପ ହୋଇଯିବାରୁ ତାହା ଅଟକିଯାଇଥିଲା। ତେବେ କିଛି ସମୟ ପରେ ସିଡ଼ିଏ ପକ୍ଷରୁ ଉଦ୍ଧାରକାରି ଦଳ ପହଞ୍ଚି ଭସାପୋଲକୁ କୂଳକୁ ଆଣିଥିବା କହିଛନ୍ତି ଶ୍ରୀ ଦାସ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ଉଦ୍ଦେଶ୍ୟରେ ଗତକାଲି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ଦିନ ହେବାକୁ ଥିବାବେଳେ ୮୬୪ ଜଣ ପ୍ରଶିକ୍ଷଣ ନେବାକୁ ଥିବାବେଳେ ପ୍ରଥମ ଦିନରେ ନୋଡାଲ ଅଧିକାରୀ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦୦ ଜଣ ପୋଲିଂ ଅଧିକାରୀମାନେ ଯୋଗ ଦେଇ ବୁଥ ସ୍ତରରେ ନିର୍ବାଚନ ପରିଚାଳନା କରିବାର ସାଧାରଣ ନିୟମ, ନିର୍ବାଚନ ସାମଗ୍ରୀର ଯଥାଯଥ ବ୍ୟବହାର, ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିଙ୍ଗ ଯଥା କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟ, ଭିଭିପାଟ ର ନିର୍ଭୁଲ ବ୍ୟବହାର, ସିଲିଂ, ମକ ପୋଲିଂର ସମସ୍ତ ଯାନ୍ତ୍ରିକ କୌଶଳ ଶିକ୍ଷା ନେବା ସହିତ ସମଗ୍ର ପୋଲିଂ ଟିମ କିପରି ଦଳଗତ ପ୍ରତିବଦ୍ଧତାର ସହ ଲୋକସଭା ଓ ବିଧାନ ସଭାର ନିର୍ବାଚନ ପରିଚାଳନା କରିପାରିବେ ତାହାର ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।

ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ, ଅବାଧ ତଥା ନିରପେକ୍ଷତାର ସହିତ ସଂଚାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପୋଲିଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣରେ ବାଣପୁର ଓ ଚିଲିକା ବ୍ଲକର ତହସିଲଦାର, ବିଡ଼ିଓ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରାୟ ପଚାଶରୁଉର୍ଦ୍ଧ୍ଵ ଜିଲ୍ଲାସ୍ତରୀୟ, ବିଧାନସଭା ସ୍ତରୀୟ ମୁଖ୍ୟ ତାଲିମଦାତା ଓ ସେକ୍ଟର ଅଫିସର ନିୟୋଜିତ ହୋଇ ଦିବସବ୍ୟାପୀ ତାଲିମ୍ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ବିଭିନ୍ନ ସ୍ତରର ପୋଲିଂ ଓ ପ୍ରିଜାଇଡିଙ୍ଗ ଅଫିସର ମାନଙ୍କୁ ଆଜିଠାରୁ ସତର ତାରିଖ ପର୍ଯ୍ୟନ୍ତ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

Categories
ଆଞ୍ଚଳିକ

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତିଲେ ଯାତ୍ରୀ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ଫସି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।ଖବର ମୁତାବକ ଆଜି ସକାଳେ ଗଞ୍ଜାମ ଜିଲ୍ଲାର ୬ ଜଣ ଯାତ୍ରୀ ବାଲୁଗାଁ ଜେଟି ଠାରୁ ମା କାଳିଜାଇ ଦର୍ଶନ କରିବା ନିମନ୍ତେ ଏକ ପ୍ରାଇଭେଟ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଚଢେଇ ଗୁହା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଥିଲା।

ଖବର ପାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ମା କାଳିଜାଇଙ୍କ ଦର୍ଶନ କରେଇବା ସହ ସୁରକ୍ଷିତ ଭାବେ ଛଡ଼ାଯାଇଥିବା ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ: ସାଂସଦ ମାନସ ମଙ୍ଗରାଜଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଉଠିଲା ସ୍ଵର

ଚିଲିକା (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉତ୍ସବ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୁନାଖଳା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ଚନ୍ଦ୍ର ମଙ୍ଗରାଜ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ସଂଯୋଜକ ମାନସ ପ୍ରଧାନ, ଜଗତବଲ୍ଲଭ ମହାରଥା ପ୍ରମୁଖଙ୍କ ସହ ବହୁ ବିଜୁ ପ୍ରେମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

ଅତିଥି ମାନେ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ରାଜନୈତିକ ଜୀବନରେ ତାଙ୍କର ଓଡ଼ିଶାରେ ଥିବା ଭୂମିକାକୁ ଲୋକଙ୍କ ପାଖରେ ବକ୍ତବ୍ୟ ରଖିଥିଲେ। ଏବଂ ବିଜୁବାବୁଙ୍କ ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ କରିପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପୁଣି ଏକ ହୋଇ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।

ଅତିଥିମାନେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ ବିଜୁ ଜନତା ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ସାଂସଦ ମଙ୍ଗରାଜ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏକାଠି କାର୍ଯ୍ୟ କରିବା ସହ ଦଳକୁ ମଜବୁତ କରିବା ଏବଂ ଓଡିଶାକୁ ଏକ ସଶକ୍ତ, ସମୃଦ୍ଧ ଓ ନବୀନ ଓଡିଶା ଗଠନ କରିବାକୁ ଶପଥ ପାଠ କରାଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ ମିଶିବା ପରେ ଦ୍ବନ୍ଦରେ ଚିଲିକା କର୍ମୀ, ଗ୍ରହଣ କରିବାକୁ ନାରାଜ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବର୍ତ୍ତମାନ ଦ୍ବନ୍ଦରେ ଅଛନ୍ତି ଚିଲିକା ବିଜେପି କର୍ମୀ। ସେମାନେ ପ୍ରଶାନ୍ତଙ୍କୁ କେମିତି ଗ୍ରହଣ କରିବେ ସେହି ଚିନ୍ତା ଘାରିଛି। କାରଣ ହେଲା ଏକଦା ପ୍ରଶାନ୍ତ ବିଜେଡିରେ ଥିବା ବେଳେ ବିଜେପି କର୍ମିଙ୍କୁ ମାଡ ମାରିବା ଗାଳି କରିବା କାମ କରିଥିଲେ। ଯାହାକୁ ଏ ପର୍ଯ୍ୟନ୍ତ ଚିଲିକା ବିଜେପି କର୍ମି ଭୁଲିପାରି ନାହାଁନ୍ତି।

ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା, ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କ୍ଲବ ଘରେ ପଶି ବିଜେପି କର୍ମିଙ୍କୁ ଗାଳି କରିବାକୁ ସେମାନେ ଭୁଲି ନାହାଁନ୍ତି। ଯାହାକୁ ନେଇ ସେତେବେଳେ ଚିଲିକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ବଳେଇ ଯାଇଥିଲା ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ସେଠାରେ ସେ ଏହିପରି କିଛି କାର୍ଯ୍ୟ କରିଥିଲେ ଯାହାକୁ ନେଇ ସେତେବେଳେ ବିଜେପି କର୍ମୀ ଉତ୍ତେକ୍ତ ହୋଇ ଉଠିଥିଲେ।

ସବୁ କର୍ମି ମିଶି ତାଙ୍କୁ ମାଡ ମାରିବା ଏବଂ ଗାଡି ମଡାଇବା ପରି ବଡ ଘଟଣା ଘଟିଥିଲା। ଯାହା ସାରା ରାଜ୍ୟରେ ପଡିଥିଲା ଉଠିଥିଲା। ଏହାକୁ ନେଇ ପୁରା ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲା। ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ତୁମ୍ବିତୋଫାନ ମଧ୍ୟ କରିଥିଲା। ଏହିପରି ଚିଲିକା ନିର୍ବାଚନ ମଣ୍ଡଳିରେ ବହୁ ଛୋଟଛୋଟ ଘଟଣା ଘଟିଛି ଯେଉଁଠି ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପି କର୍ମୀ ଛକାଛକି ହୋଇଛନ୍ତି।

ଏପରି ପରିସ୍ଥିତିରେ ସେହି ପ୍ରଶାନ୍ତ ଜଗଦ୍ଦେବଙ୍କୁ କିପିରି ସେମାନେ କୋଳେଇ ନେବେ ଦ୍ବନ୍ଦରେ ଅଛନ୍ତି। ପ୍ରଶାନ୍ତ ମିଶିବା ପରେ ଅନେକ କର୍ମି ମନ ଉଣା କରି ବସିଛନ୍ତି। ଏକ ବିଶେଷ ସୁତ୍ର ଅନୁସାରେ ବିଜେପିରେ ଅନେକ କର୍ମି ଏଥର ନିର୍ବାଚନରେ ଆଗକୁ ଆସିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେମାନେ କେବେ ବି ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି ଚିନ୍ତା କରିଛନ୍ତି। ଏପରିକି କେତେକ କର୍ମୀ ଓ ନେତା ଅନ୍ୟ ଦଳ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ଖୋର୍ଦ୍ଧା ଏବଂ ଚିଲିକାରେ ବିରାଟ ସମାବେଶ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ସେ ଦଳିୟ ଅନୁମତିକୁ ଅପେକ୍ଷା କରିଛନ୍ତି। ସେହି ସମାବେଶ ପୂର୍ବରୁ ପ୍ରଶାନ୍ତ ଏବଂ ପୃଥରାଜ ହରିଚନ୍ଦନ ଚିଲିକା ଯାଇ କର୍ମିମାନଙ୍କ ସହିତ ମିଳାମିଶା କରିବେ। ସେତେବେଳେ ବିଜେପିର କେଉଁ ରହିବେ କେଉଁ କର୍ମି ମୁହଁ ବୁଲାଇବେ ତାହା ଜଣାପଡିବ।

Categories
ଆଞ୍ଚଳିକ

ଆସନ୍ତାକାଲି ବାଣପୁର ଓ ଚିଲିକାରେ ୬ ଘଣ୍ଟାପାଇଁ ହେବ ବିଦ୍ୟୁତ କାଟ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତକାଟ ହେବ ବୋଲି ଜଣାପଡିଛି। ଏ ନେଇ ଟିପିସିଓଡ଼ିଏଲ ଏସଡ଼ିଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଉଭୟ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ହେବା ନିମନ୍ତେ ଉକ୍ତ ବିଦ୍ୟୁତକାଟ ହେବ ବୋଲି କହିଛନ୍ତି ଶ୍ରୀ ଦଳାଇ।

ଆସନ୍ତକାଲି ବାଣପୁର ଏନଏସି ସମେତ ବାଣପୁର ଓ ଚିଲିକା ବ୍ଲକର ନନ୍ଦପୁର, ବିଷ୍ଣୁଡିହ, ନିମିକ୍ଷେତା, ବଡ଼କୁଳ, ଭବାନୀପୁର, ଦାମିଆ ବରବରା, କୁମାରାଙ୍ଗ ଓ ତୁମୁରାପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୯ ରୁ ଅପରାହ୍ନ ୩ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଚିଲିକା ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିଡ଼ିଓ ଜଗଦୀଶ ଷଡଙ୍ଗୀ, ୫ନଂ ଓ ୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ଯୋଜନାରେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କରି ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ସମ୍ବନ୍ଧରେ ଅଧିକରୁ ଅଧିକ ବିକାଶ ଧାରାରେ ଉନ୍ନତି ଆଣିବାପାଇଁ ଜନପ୍ରତିନିଧି ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ନିଜ ନିଜ ପଞ୍ଚାୟତର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଜନପ୍ରତିନିଧିମାନେ ମତ ପୋଷଣ କରିଥିବା ବେଳେ ଆଗକୁ ପଞ୍ଚାୟତ ସ୍ତରରେ ବିକାଶର ଧାରା ଜାରି ରହିବ ବୋଲି ବିଧାୟକ ଶ୍ରୀ ଜଗଦ୍ଦେବ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକାର ସମସ୍ତ ଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ନେଇ ଗଠିତ ହେଲା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଓ ଚ଼ିଲିକା ମଣ୍ଡଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରମୁଖ ମାନଙ୍କୁ ନେଇ “ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ” ଗଠିତ ହୋଇଯାଇଛି। ଆଞ୍ଚଳିକ ସ୍ତରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକର ସୁରକ୍ଷା ସହିତ ଜଗନ୍ନାଥ ଧର୍ମ,ଐତିହ୍ୟ, ସଂସ୍କୃତି, ଚ଼େତନାର ପ୍ରଚାର ପ୍ରସାରର ଲକ୍ଷ୍ୟ ରଖି କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁଙ୍କ ଆବାହକତ୍ଵରେ ଏବଂ ଭାଟପଡ଼ାଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସଭାପତିତ୍ବରେ ଗଡ଼ଠାକୁରଦଧିବାମନଜୀଉଙ୍କ ମନ୍ଦିର ନିକଟରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଉଭୟ ମଣ୍ଡଳରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରମୁଖମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରର ବିଭିନ୍ନ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକର ସ୍ଥାୟୀ ସମାଧାନ ନହୋଇପାରିଲେ ଧୀରେ ଧୀରେ ମନ୍ଦିର ସହିତ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ,ଐତିହ୍ୟ ଲୋପ ପାଇଯିବ ବୋଲି ମତ ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ନିମନ୍ତେ ବର୍ତ୍ତମାନଯୁଗାନ୍ତକାରୀ ପଦକ୍ଷେପମାନ ଗ୍ରହଣ କରିଥିବାବେଳେ ଏବଂ ପ୍ରତି ପଞ୍ଚାୟତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ମନ୍ଦିରର ନୀତିକାନ୍ତି, ପୂଜାବିଧିବିଧାନ, ଭୋଗଲାଗି ଓ ପବପର୍ବାଣୀ ପରିଚାଳନା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଅର୍ଥର ଅଭାବ ଦେଖାଦେଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ମନ୍ଦିର ନାମରେ ଥିବା ଜମି ଜୁମା ଗୁଡ଼ିକରୁ ଆଦାୟ ଫସଲ ଧୀରେ ଧୀରେ ବନ୍ଦ ହେବାକୁ ଯାଉଥିବାରୁ ଜୀଉମାନଙ୍କ ପାଖରେ ପ୍ରତ୍ୟହ ଭଲରେ ଟିକେ ଭୋଗଲାଗି ହୋଇପାରୁ ନାହିଁ। କେତେକ ମନ୍ଦିର ସୁରକ୍ଷା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ସରକାରଙ୍କ ସାହାଯ୍ୟ ସମୁଦ୍ରକୁ ଶଙ୍ଖେପରି ଅନୁଭବ ହେଉଛି। ମନ୍ଦିରମାନଙ୍କରେ କାର୍ଯ୍ୟରତ ପୂଜାରୀମାନଙ୍କ ନିମନ୍ତେ ମାସିକ ଦରମା ର ସ୍ଥାୟୀବ୍ୟବସ୍ଥା ନ ହୋଇପାରୁଥିବାରୁ ପୂଜାରୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି ଫଳରେ ମନ୍ଦିରମାନଙ୍କରେ ତାଲା ଝୁଲିବା ଅବସ୍ଥା ଦେଖାଯାଉଛି। ଏ ଭଳି ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନକଲେ ଧୀରେ ଧୀରେ ଏହି ମହାନ ସଂସ୍କୃତି ଲୋପପାଇଯିବ ବୋଲି ମତପ୍ରକାଶ କରି ଆଜିର ଏହି ନବଗଠିତ ସମନ୍ବୟ ପରିଷଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସମ୍ମିଳନୀରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।

ନବଗଠିତ ଏହି ପରିଷଦରେ ସଭାପତି ଡ଼ା ସୁଶାନ୍ତ କୁମାର ସାହୁ, ଉପସଭାପତି ଦାଶରଥିସାହୁ ଏବଂ ପ୍ରଫୁଲ୍ଲ କୁମାର ସାହୁ, ସାଧାରଣ ସଂପାଦକ ବାଳମୁକୁନ୍ଦ ଦାସ, ଯୁଗ୍ମ ସଂପାଦକ ପ୍ରଦୋଷ କୁମାର ଦାସ, ବୃନ୍ଦାବନ ମହାରଣା, ବଳଭଦ୍ର ବିଶୋଇ, ଅସୀତ ବରଣ ବଳିୟାର ସି, କୋଷାଧକ୍ଷ ସତ୍ୟେନ୍ଦ୍ର କୁମାର ସ୍ୱାଇଁ, ସହ କୋଷାଧ୍ୟକ୍ଷ ବିଭୁଧେନ୍ଧୁ କେଶରୀ ଭୋଳ, କାର୍ଯ୍ୟକାରୀ କମିଟିର ସଭ୍ୟ ନିରଞ୍ଜନ ମହାରଣା, ଶାରଳା ଦାସ, ଲକ୍ଷ୍ମୀଧର ବେହେରା, ମଦନ ମୋହନ ମହାନ୍ତି, ରୂପକକୁମାର ମହାନ୍ତି, ସଦେଇ ବାରିକୀ ଓ ସୁଧୀର ପଣ୍ଡା ଏବଂ ଉପଦେଷ୍ଠାମଣଳୀ ସଭ୍ୟ ଭାବରେ ମାନବେନ୍ଦ୍ର ମହାରଥା, ନୃସିଂହ ପ୍ରସାଦ ମିଶ୍ର, ବାବାପଦ୍ମପାଦ ଦାସ, ହାଡ଼ିବନ୍ଧୁ ପଟ୍ଟନାୟକ, ଗୌରୀ ଶଂକର ରଥ ଶର୍ମା, ସୁରେନ୍ଦ୍ରନାଥ ଜଗଦ୍ଦେବ ଓ ମଧୁସୂଦନ ସେନାପତି ମନୋନୀତ ହୋଇଥିଲେ।

ସ୍ଥାନୀୟ ଦାସକାଠିଆ କଳାକାରଙ୍କ ଦ୍ୱାରା ଲୋକସଂଗୀତ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ପ୍ରଦୋଷକୁମାର ଦାସ ଧନ୍ୟବାଦାର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଗସ୍ତରେ ତ୍ରିପୁରା ରାଜ୍ୟପାଳ, କଲେ ମା’ କାଳିଜାଇ ଦର୍ଶନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ନାଲୁ ଇନ୍ଦ୍ରସେନ ରେଡ୍ଡୀ ନିଜ ପତ୍ନୀଙ୍କ ସହ ଚିଲିକା ଗସ୍ତରେ ଆସିଛନ୍ତି। ଶ୍ରୀ ରେଡ୍ଡୀଙ୍କ ଓଡିଶାରେ ତିନି ଦିବାସୀୟ ଗସ୍ତର ଆଜି ଶେଷ ଦିବସ ହୋଇଥିବାବେଳେ ଚିଲିକା ହ୍ରଦ ବଡ଼କୁଳ ପାନ୍ଥନିବାସ ରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଏହାପରେ ରାଜ୍ୟପାଳ ଓଟିଡ଼ିସି ର ସ୍ୱତନ୍ତ୍ର ବୋଟ ଜରିଆରେ ମା’ କାଳିଜାଇ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ଦର୍ଶନ ସାରି ପୁଣି ପାନ୍ଥନିବାସ ଫେରିବେ ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱର ଓଡିଶା ରାଜଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଚିଲିକା କୂଳ ବାଲୁଗାଁ ମହାବିଦ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା (ସହରୀ) ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ ସହରର ବିକାଶ ମୂଳକ ଯୋଜନା ନିମନ୍ତେ ସରକାରଙ୍କ ସମସ୍ତ ପ୍ରକାର ପଦକ୍ଷେପ, ପ୍ରୟାସ ସମ୍ବଦ୍ଧରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା। ଯାହାକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଲୋକାଭିମୁଖୀ ଯୋଜନାରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଲୋଚନା କରାଯାଇଥିଲା।

ଏହିପରିପ୍ରେକ୍ଷୀରେ ମତ୍ସ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ଅଗ୍ନିଶମ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ବଦ୍ଧରେ ଅବଗତି କରାଯାଇଥିଲା। ପ୍ରମୁଖ ଭାବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଯଥା ମୁକ୍ତା ଯୋଜନା, ସ୍ୱଚ୍ଛ ଭାରତ, ପାନୀୟ ଜଳ, ଆବାସ ଯୋଜନା, ଭତ୍ତା ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତି କରାଯିବା ସହ ସଚେତନତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ ପରିଷଦ ବର୍ଗ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପରିଷଦର ସମସ୍ତ କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରତିନିଧି ଶ୍ରୀରାମ ସ୍ବଦେଶ ବିଶ୍ୱାଳଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Categories
ଆଞ୍ଚଳିକ

ସିଡିଏ ପକ୍ଷରୁ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବ୍ଳଜ ଅନ୍ତର୍ଗତ ସମାଜସେବା ଅନୁଷ୍ଠାନ “ଶାରିଆ ଭଗବାନ ମହତ୍ଵ ଟ୍ରଷ୍ଟ” ମିଳିତ ଆନୁକୂଲ୍ୟରେ ବଡ଼କୁଳ ସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି। ପରିବେଶବିତ୍ ଧନେଶ୍ଵର ବିଧାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଳାନ ନାୟକ, ମୁଖ୍ୟ ବକ୍ତା ଭାବେ ଘୁମୁସର ମଣ୍ଡଳର ଜିଲ୍ଲା ଅଧିକାରୀ ବିନୋଦ ଆଚାର୍ଯ୍ୟ, ଆମନ୍ତ୍ରିତ ଅତିଥି ଭାବେ ବନ୍ୟପ୍ରାଣୀ ଏସସିଏଫ ରଶ୍ମି ଚୌଧୁରୀ, ସାରିଆ ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ କୁନା ମହତ୍ତ୍ଵ ପ୍ରମୁଖ ଯୋଗଦେଇ ଚିଲିକା ସୁରକ୍ଷା, ପକ୍ଷୀ ସୁରକ୍ଷା, ସ୍ୱଚ୍ଛ ପରିବେଶ ସହିତ ଦିବସ ପାଳନ ତାତ୍ପର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସ୍ଥାନୀୟ କଳାକାର ମାନେ ନୃତ୍ୟ, ଗୀତ ଓ କ୍ଷୁଦ୍ର ନାଟକ ପରିବେଷଣ ମାଧ୍ୟମରେ ମରାଳ ମାଳିନୀ ନିଳାମ୍ବୁ ଚିଲିକା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ଉଦ୍ଭିଦବିଜ୍ଞାନ ବିଭାଗ ଅଧ୍ୟାପକ ଡଃ ପ୍ରଦୀପ୍ତ କୁମାର ରଥ,ସମାଜସେବୀ ବସନ୍ତ କୁମାର ହରିଚନ୍ଦନ, ପ୍ରଦୋଷ କୁମାର ଦାସ, ପରିବେଶ ପ୍ରେମୀ ଅଶୋକ କୁମାର ପଣ୍ଡା, ସୁଧୀର କୁମାର ବେହେରା, ସ°ଗ୍ରାମ କୁମାର ରଣା, ମୃତ୍ୟୁଞ୍ଜୟ ରଥଙ୍କ ସମେତ ପରିବେଶ ସୁରକ୍ଷା ପାଇଁ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକାର ଜୈବ ବିବିଧତା ଉପରେ ପ୍ରଶିକ୍ଷଣ ନେବାକୁ ଆସିଥିବା ସୁଦୂର ତାମିଲନାଡୁ ଓ ରାଜସ୍ଥାନର ବନ୍ୟପ୍ରାଣୀ ବିଭାଗୀୟ ଅଧିକାରୀମାନଙ୍କ ସମେତ ସିଡିଏ କର୍ମଚାରୀ, ମତ୍ସ୍ୟଜୀବୀ, କାଳିଜାଇ ମୋଟର ବୋଟ ଆସୋସିଏସନର କର୍ମକର୍ତ୍ତା, ସମାଜସେବୀମାନେ ଉପସ୍ଥିତ ଥିଲେ।ଶେଷରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୁନିକୁନି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ।

ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଦିଗନ୍ତ ଆଣିଦେବ ବୋଲି ଉଲ୍ଲେଖ କରିଛନ୍ତି।

ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ୱାଳ, ଧୃତିମାନ୍‌ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି। ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁUକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି।

ଏଥିରେ ଫଟୋଗ୍ରାଫରଙ୍କର କେବଳ କଳାକୃତି ନୁହେଁ ବରଂ ଚିଲିକାର ଜୈବବିବିଧତାକୁ ନିଖୁଣ ଭାବେ ସ୍ଥାନିତ କରାଯାଇଛି। ଏହି ତିନିଦିନିଆ ଉତ୍ସବରେ ଦେଶର ବଛା ବଛା ୫୨ ଜଣ ପକ୍ଷୀପ୍ରେମୀ ଭାଗ ନେଇଥିଲେ। ଏଥି ସହ ବିଭିନ୍ନ କର୍ମଶାଳା ଏବଂ ପକ୍ଷୀ ବିଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ ରାଜ୍ୟର ଅର୍ଦ୍ରଭୂମିର ସୁରକ୍ଷା ଓ ପକ୍ଷୀ ସଂରକ୍ଷଣ ଦିଗରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାରୁ ଆଜି ଏହି ଉତ୍ସବ ତା’ର ଏକ ସଫଳତାର ନିଦର୍ଶନ ବହନ କରୁଛି। ଚଳିତ ବର୍ଷ ପକ୍ଷୀ ଗଣନା ଅନୁଯାୟୀ ୧୮୭ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୩୭ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଛି। ମଙ୍ଗଳାଯୋଡ଼ି ଓ ନଳବଣକୁ ଏହି ଯାତ୍ରାରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଏବଂ ପ୍ରତିନିଧି ମଣ୍ଡଳୀକୁ ସେ ସ୍ୱାଗତ କରୁଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ ଚିଲିକାର ମଙ୍ଗଳାଯୋଡ଼ି ହେଉଛି ଗୋଷ୍ଠୀଭିତ୍ତିକ ଜେବðବିବିଧତାର ସୁରକ୍ଷା ଓ ପକ୍ଷୀମାନଙ୍କୁ ଦେଖିବାର ଏକ ଉତ୍କୃଷ୍ଟ ସ୍ଥାନ। ଚିଲିକାରେ ଥିବା ଅବରୋଧକୁ ହଟାଯାଇ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପକ୍ଷୀ-ପର୍ଯ୍ୟଟନ ନିମନ୍ତେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ।

ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପରିବେଶ ସଂରକ୍ଷଣ ଓ ପର୍ଯ୍ୟଟନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଚିଲିକା ବିହଙ୍ଗ ଉତ୍ସବ ଏକ ଭିନ୍ନ ବାର୍ତ୍ତା ଦେଉଥିବା କହିଥିଲେ । ଚଳିତ ବର୍ଷ ଏହି ଅଭିଯାନରେ ଡଙ୍ଗାଚାଳକମାନଙ୍କୁ ସାମିଲ କରାଯାଇ ଜୈବବିବିଧତାର ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଇଛି। ଏଥି ସହ ସମାନ୍ତରାଳ ଭାବେ ନନ୍ଦନକାନନ, ଏକାମ୍ର ଆଦି ଅଞ୍ଚଳରେ ବିହଙ୍ଗ ଉତ୍ସବ ମଧ୍ୟ ପାଳନ କରାଯାଉଥିବା ସେ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନନ୍ଦନକାନନ ନିର୍ଦ୍ଦେଶକ ଡ. ମନୋଜ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ। ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ସୁରେଶ କୁମାର, ପ୍ରସିଦ୍ଧ ଲେଖକ ଓ ପକ୍ଷୀପ୍ରେମୀ ପଞ୍ଚମୀ ମନୁ ଉକିଲ୍‌ ପ୍ରମୁଖ ଯୋଗଦେଇ ଚିଲିକାର ଜୈବବିବିଧତା, ବୈଜ୍ଞାନିକ ଗବେଷଣା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପକ୍ଷୀ ପର୍ଯ୍ୟଟନ ଅନୁଭୂତି ନିଆରା ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବ ଅବସରେରେ ଆସନ୍ତା ଦୁଇଦିନ ଧରି ଅଂଶଗ୍ରହଣକାରୀ ଓ ପ୍ରତିନିଧି ମଣ୍ଡଳୀ ମଙ୍ଗଳାଯୋଡ଼ି ଓ ନଳବଣରେ ପକ୍ଷୀ-ପର୍ଯ୍ୟଟନରେ ଅଂଶଗ୍ରହଣ କରିବେ।

ଆଜିର ଉଦ୍‌ଘାଟନୀ ଉତ୍ସବରେ ଦ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡ ପୋଷ୍ଟର ଓ ଭିଡ଼ିଓ ଉନ୍ମୋଚିତ ହୋଇଛି। ଏଥିରେ ଭାରତରେ ଦେଖାଯାଉଥିବା ବିଭିନ୍ନ ପକ୍ଷୀମାନଙ୍କ ସଂପର୍କରେ ଏଥିରେ ଉଲ୍ଲେଖ ରହିଛି। ପ୍ରାୟ ୧୩ ହଜାର ପକ୍ଷୀପ୍ରେମୀ ଏହି ପ୍ରକି୍ରୟାରେ ଅଂଶଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ଶନିବାର ସକାଳେ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡ଼ିଙ୍କ ପୁଅ ମୁନା ଦିହୁଡ଼ି (୩୦) କଂସାରି ନଈରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଖାଦ୍ୟସାମଗ୍ରୀ ଓ ଡିଜେଲ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣ ବଶତଃ କଳିଯୁଗେଶ୍ୱର ନିକଟ ଚିଲିକାରେ ଭାରସାମ୍ୟ ହରାଇ ଫସି ଯାଇଥିଲେ। ମଧ୍ୟାହ୍ନରେ କୌଣସି ଲୋକ ନଥିବା ବେଳେ ଡଙ୍ଗାଟି ଚିଲିକାରେ ଭାସୁଥିବା କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ।

ଘଟଣା ପ୍ରଘଟ ହେବାପରେ ବାଲୁଗାଁ ଅଗ୍ନିଶମ ବାହିନୀ ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ସହ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ଶନିବାର ସକାଳେ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡ଼ିଙ୍କ ପୁଅ ମୁନା ଦିହୁଡ଼ି ଯାହାର ବୟସ ୩୦ ବର୍ଷ, କଂସାରି ନଈରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଡିଜେଲ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣ ବଶତଃ କଳିଯୁଗେଶ୍ୱର ନିକଟ ଚିଲିକାରେ ଭାରସାମ୍ୟ ହରାଇ ଫସି ଯାଇଥିଲେ।

ମଧ୍ୟାହ୍ନରେ କୌଣସି ଲୋକ ନଥିବା ବେଳେ ଡଙ୍ଗାଟି ଚିଲିକାରେ ଭାସୁଥିବା କିଛି ମସ୍ୟଜୀବୀ ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେବାପରେ ବାଲୁଗାଁ ଅଗ୍ନିଶମ ବାହିନୀ ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ସହ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରିଥିଲେ।

ସମ୍ପୃକ୍ତ ବ୍ୟକ୍ତିକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୦୯ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏକ ଜଣଙ୍କୁ ୫୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ସି ଡ଼ି ଏମ୍ଓ , ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ, ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଚିଲିକାରେ ହେବ ଡଲଫିନ ଗଣନା

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଚିଲିକାର ଡଲଫିନ ଗଣନା ଆରମ୍ଭ ହେବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଏହି ଗଣନା। ସେଥିପାଇଁ ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ।

ଆଜି ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି।

ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ଗଣନା ସରିବା ପରେ ଚୂଡାନ୍ତ ଗଣନା ସୂଚନା ପିସିସିଏଫ ଭୁବନେଶ୍ୱର ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

ସୂଚନା ଥାଉକି ଗତବର୍ଷ ଚିଲିକାରେ ସମୁଦାୟ ୧୭୩ ଗୋଟି ଡ଼ଲଫିନ ଠାବ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୪ ଗୋଟି ଇରାୱାଡି ପ୍ରଜାତିର ଏବଂ ୧୯ ଗୋଟି ବଟଲ ନୋଜ ପ୍ରଜାତିର ଡ଼ଲଫିନ ଚିହ୍ନଟ ହୋଇଥିଲା।

Categories
ଆଞ୍ଚଳିକ

ଚିଲିକାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ, ଜବତ ହେଲା ବହୁ ଦେଶୀ ମଦ ଓ ଗଞ୍ଜେଇ, 5 ଗିରଫ

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା ଏବଂ ବାଲୁଗାଁ ଅବକାରୀ ଟିମ ବାଣପୁର, ବାଲୁଗାଁ, ନାଚୁଣୀ, ଟାଙ୍ଗୀ ଓ ଖଲିକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଓ ଦେଶୀ ମଦ ଜବତ କରିବା ସହ 5 ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ନାଚୁଣୀ କହେଁଇପୁର ନୁଆସାହି ଗ୍ରାମରୁ ପ୍ରଦୀପ ସାହୁ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 4 କେଜି ଗଞ୍ଜେଇ ଜବତ ହୋଇଛି। ସେହିପରି ଭାବେ ବାଣପୁର ଥାନା ଗୋପୀନାଥ ପ୍ରସାଦ ଗ୍ରାମରୁ ସନ୍ଧ୍ୟାରାଣୀ ସେଠି ନାମ୍ନୀ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ 25 ଲିଟର ଏବଂ ଅନ୍ତରକିଆରୀ ଛକରୁ ଅଭିଯୁକ୍ତ ବିପ୍ର ଶବର କୁ ଗିରଫ କରାଯାଇ ତାଙ୍କ ନିକଟରୁ 80 ଲିଟର ଦେଶୀମଦ ଜବତ ହୋଇଛି।

ବାଲୁଗାଁ ଥାନା ସରନଇ ଗ୍ରାମ ରୋଡରୁ ଅଭିଯୁକ୍ତ ବୃନ୍ଦାବନ ଯୁଝିଆରସିଂହ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 9 ଲିଟର ଦେଶୀ ମଦ ଏବଂ ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ଛକରୁ ଅଭିଯୁକ୍ତ ପ୍ରିୟବ୍ରତ ବିଶ୍ୱାଳ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 28 ଲିଟର ଦେଶୀ ମଦ ଜବତ ହୋଇଛି।