ଭୁବନେଶ୍ବର: ସମଗ୍ର ଓଡ଼ିଶା ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ଜଣାଶୁଣା। କୃଷିଜାତ ଦ୍ରବ୍ୟ ଉତ୍ପାଦନ ସହ ଏହାର ବିକ୍ରିବଟା ରାଜ୍ୟର ଅଧିକ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିଆସୁଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ଓ ବାଣପୁର ବ୍ଲକ୍ରେ କୃଷି ଓ ଉଦ୍ୟାନକୃଷିର ଭରପୂର ସୁଯୋଗ ରହିଛି। ତେଣୁ, କୃଷି ଓ ଉଦ୍ୟାନକୃଷି କ୍ଷେତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀର କିଭଳି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ, ସେଥିନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀଙ୍କ ସରକାରୀ ବାସଭବନର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।
ଉକ୍ତ ବୈଠକରେ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ବାଣପୁର ଅଞ୍ଚଳରେ ଉତ୍ପାଦିତ ମୁଗର ସ୍ୱାଦ ଓ ଗୁଣ ବେଶ ପ୍ରସିଦ୍ଧ। ସେହିଭଳି ଭାବେ ଚିଲିକା ଉପକୂଳ ଭଳି ଖାରୀୟ ଅଞ୍ଚଳରେ ନଡ଼ିଆ ଗଛ ଭଲ ବଢ଼ିବାର ସମ୍ଭାବନା ରହିଛି। ଏସବୁକୁ ଅନୁଧ୍ୟାନ କରି ବିଭିନ୍ନ ଫଳ, ପରିବା ସହ ବଜାରରେ ଅଧିକ ଚାହିଦା ଥିବା ଧାନ ଏବଂ ଶ୍ରୀଅନ୍ନ ଉତ୍ପାଦନ ବଢ଼ାଇବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିବା ସହ ଫସଲ ସରଂକ୍ଷଣ ନେଇ ଆବଶ୍ୟକ ସ୍ଥାନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଜୈବିକ କୃଷି ଉପରେ ଅଧିକ ଗବେଷଣା ସହିତ ଅଞ୍ଚଳରେ ଫୁଲ ଚାଷ, ଛତୁଚାଷ, ପଶୁଖାଦ୍ୟ ଉତ୍ପାଦନ ଦିଗରେ ବିଶେଷ ଆଲୋଚନା କରିଛନ୍ତି।
ଏହି ବୈଠକରେ ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର, ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ଶ୍ରେୟା ଶାଶ୍ଵତୀ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୃଷ୍ଟି ନନ୍ଦଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


