ଭୁବନେଶ୍ୱର: ଚିଲିକା ଅଞ୍ଚଳରେ ବ୍ୟାପକ ପର୍ଯ୍ୟଟନର ବିକାଶ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ସମ୍ମିଳନୀ କକ୍ଷରେ ଏନେଇ ଆବଶ୍ୟକ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିସ୍ତୃତ ଆଲୋଚନା କରିଛନ୍ତି।
ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସମୃଦ୍ଧ କରିବା ସହ ସଡ଼କ ସଂଯୋଗ, ପର୍ଯ୍ୟଟକ ସୁବିଧା, ଆଧୁନିକ ଭିତ୍ତିଭୂମି ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆଲୋଚନା କରାଯାଇଛି।
ଏହି ଅବସରରେ ମୁଖ୍ୟଯନ୍ତ୍ରୀ (ରାସ୍ତା-୨) ଇଂ ଶିବବ୍ରତ ତରିଆ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ରାସ୍ତା-୨) ଇଂ ରଶ୍ମିରଞ୍ଜନ ସାହୁ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଜାତୀୟ ଆଧୁନିକ କଳା ସଂଗ୍ରହାଳୟର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ଵୈତ ଚ଼ରଣ ଗଡ଼ନାୟକ ଏବଂ କନସଲ୍ଟାଣ୍ଟର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।


