Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋ ମାଂସ ଚାଲଣ ସନ୍ଦେହରେ ଟ୍ରକକୁ ଅଟକ ରଖିଲା ପୋଲିସ

ନାଚୁଣୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗୋ ମାଂସ ଚାଲାଣ ସନ୍ଦେହରେ ଏକ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଏକ ଟ୍ରକ ଯାଉଥିବା ବେଳେ ସେଥିରେ ଗୋ ମାଂସ ଥିବା ସନ୍ଦେହ କରାଯାଉଛି।

ଏ ନେଇ ବଜରଙ୍ଗ ଦଳ କାର୍ଯ୍ୟକର୍ତା ସୂଚନା ପାଇବା ପରେ ଟ୍ରକକୁ ପିଛା କରିଥିଲେ ଏବଂ ନାଚୁଣୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ବର୍ତ୍ତମାନ ଉକ୍ତ ଟ୍ରକକୁ ଅଟକାଇ ତଦନ୍ତ ଜାରି ରଖିଛି। ତେବେ ଟ୍ରକ ମଧ୍ୟରେ ମାଂସ ଥିବା ଖବର ହସ୍ତଗତ ହୋଇଛି। ତେବେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ନାଚୁଣୀ ପୋଲିସ।

Categories
ଆଞ୍ଚଳିକ

ଦାୟିତ୍ଵ ନେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଖୋର୍ଦ୍ଧା ଏସପି: ଚିଲିକାରେ ଯାଞ୍ଚ ହେଲା କଡାକଡ଼ି

ଚିଲିକା (ସୀତାରାମ ଅଗ୍ରୱାଲ): ଆକ୍ସନ ମୋଡ଼ରେ ଖୋର୍ଦ୍ଧା ନୂତନ ଏସପି ଅବିନାଶ କୁମାର। ଆଜି ଜିଲ୍ଲାରେ ଯୋଗଦାନ କରୁ କରୁ ବିଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନୂତନ ଏସପିଙ୍କ ପ୍ରଥମ ପ୍ରାଥମିକତା ଥିବା ବେଳେ ଆଜି ସଂନ୍ଧ୍ୟାରେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଥାନା ଅଞ୍ଚଳରେ କଡ଼ାକଡି ଯାଞ୍ଚ ଜାରି ରହିଛି। ମଦ୍ୟପାନ କରି ଗାଡି ଚଳାଇବା, ଗାଡି ଭିତରେ ଟଙ୍କା ଚାଲାଣ, ଅସ୍ତ୍ରଶସ୍ତ୍ର ଚାଲାଣ ଆଦି ବିଭିନ୍ନ ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। ବିଭିନ୍ନ ଛକରେ ସମସ୍ତ ଗାଡିକୁ ଗୋଟି ଗୋଟି କରି ତନଖି ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ପ୍ରକ୍ରିୟା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି। ଉକ୍ତ ଯାଞ୍ଚରେ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ସାମିଲ ଅଛନ୍ତି।

Categories
ଆଞ୍ଚଳିକ

ଚ଼ିଲିକା ବିଜେପି ପକ୍ଷରୁ ବୁଥ୍ ସଭାପତି ଓ ସଂପାଦକ ସମ୍ମିଳନୀ ଅନୁଷ୍ଠିତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଠାରେ ବିଜେପି ପକ୍ଷରୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତି ଓ ସଂପାଦକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚ଼ନ ପାଇଁ ସାଂଗଠନିକ ଆଲୋଚ଼ନା କରିବା ସହ ବୁଥ୍ ସ୍ତରରେ ଦଳର ସଂଗଠନକୁ ସୁଦୃଢ କରିବା ନିମିତ୍ତ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ବିଜେପି ପୁଣି କିପରି ଉକ୍ତ ଆସନ ଦଖଲ କରିବ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଥିଲା l ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତି ଓ ସଂପାଦକ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ନାଚୁଣୀ ଆୟତପୁର ଛକରେ ସଡକ ଦୁର୍ଘଟଣା, ମହିଳା ମୃତ

ନାଚୁଣୀ ( ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ ମହିଳା ମୃତ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଆୟତ୍ତପୁର ଗ୍ରାମରେ। ଉକ୍ତ ଗ୍ରାମ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ବେଲେଡିହ ଗ୍ରାମର ଦମୟନ୍ତୀ ପ୍ରଧାନ(38) ବୋଲି ଜଣାପଡିଛି।

ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଦମୟନ୍ତୀ ନିଜ ସମ୍ପର୍କୀୟ ପୁତୁରାଙ୍କ ସହ ଏକ ବାଇକ ଯୋଗେ ବାପଘର ବେଲେଡିହ ରୁ ଶ୍ୱଶୁର ଘର କୁମାଣ୍ଡଳ ଗ୍ରାମ ଯାଉଥିଲେ। ସେହି ସମୟରେ ଆୟତ୍ତପୁର ଗ୍ରାମ ଛକ ପେଟ୍ରୋଲ ପମ୍ପ ନିକଟରେ କରଡ଼ାପଲ୍ଲୀ ଗ୍ରାମର ଏକ ଟ୍ରାକ୍ଟର ଦମୟନ୍ତୀଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା।

ଫଳରେ ଦମୟନ୍ତୀଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଲେ ଗ୍ରାମବାସୀମାନେ ରାସ୍ତାରେ ବସି ରହିସନ୍ତି। ଅନ୍ୟପକ୍ଷରେ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ନାଚୁଣୀ ପୋଲିସ ଗାଡି ଜବତ କରି ତଦନ୍ତ ଜାରୀ ରଖିଛି।

Categories
ଆଞ୍ଚଳିକ

ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ, ନାଚୁଣୀ ସରପଞ୍ଚ ଶ୍ରୀମତୀ ପଲେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାଂସଦ ମାନସ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତି କ୍ରୀଡାବିତ୍ ମାନଙ୍କୁ ଅର୍ଥ ରାଶି ସହ ମେଡାଲ ପ୍ରଦାନ କରି ଉତ୍ସହିତ କରିଛନ୍ତି। ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଏକ ବଡ଼ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ଫଳରେ ଗାଁ ର ବିକଶିତ ଚେହେରା ଲୋକ ଲୋଚନକୁ ଆସି ପାରିବ ବୋଲି ସାଂସଦ ମତ ବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା

ବାଣପୁର (ସୀତାରାମ ଅଗ୍ରୱାଲ): ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ଯୁବକ ଯୁବତୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ଲକ୍ଷରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସରକାର ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଓ ଏନଏସିର ମିଳିତ ଆନୁକୂଲ୍ୟରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ୫ ଦିନିଆ କ୍ରୀଡା ପ୍ରତିଯୋଗିତାର ଉଦଘାଟନ ହୋଇଯାଇଛି।

ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ବାଣପୁର ତହସିଲଦାର ଟି.ପଦ୍ମନାଭ ଡୋରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ନାଚୁଣୀ ସରପଞ୍ଚ ପୁଷ୍ପାଞ୍ଜଳି ପଲେଇ, ତୋରସିଂ ସରପଞ୍ଚ ଆକାଶ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଉଦଘାଟନ ଦିବସରେ ନନ୍ଦପୁର ଓ ତୋରସିଂ ଗ୍ରାମପଂଚାୟତର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କ୍ରିକେଟ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉକ୍ତ କ୍ରୀଡା ପ୍ରତିଯୋଗିତା ଆଜି ଠାରୁ ୫ଦିନ ଧରି ଚାଲିବାକୁ ଥିବାବେଳେ କୃତକାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ଉଦଯାପନ ଉତ୍ସବରେ ସମ୍ମାନିତ କରାଯିବ ବୋଲି ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଏହି କ୍ରୀଡା ପ୍ରତିଯୋଗିତାକୁ ବାଣପୁର ବ୍ଲକ ବିପିଏମ ଶିବ ପ୍ରସାଦ ଜାଲି,ନାଚୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ଖଟେଇ, ସିପି ସନ୍ଦୀପ ପାଇକରାୟ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ନାଚୁଣୀ ଓଭର ବ୍ରିଜ ଉପରେ ଦୁର୍ଘଟଣା, ସ୍କୁଟି ପଛପଟୁ ପିଟିଲା କାର, ଜଣେ ମୃତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି।

ଖବର ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଥାନା ବ୍ରାହ୍ମଣକୋଷଡିହ ଗ୍ରାମର ଗୁରୁଚରଣ ନାୟକ(୩୨) ଏବଂ ତାଙ୍କ ଧର୍ମପତ୍ନୀ ଏକ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଚୁଣୀ ଓଭରବ୍ରିଜରେ ପଛପଟୁ ଏକ କାର ଶକ୍ତ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଭାବେ ଟାଙ୍ଗୀ ମେଡିକାଲରେ ଚିକିତ୍ସାତ ହେଉଛନ୍ତି। ଖବର ପାଇ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସୂଚନା ଥାଉକି ମୃତ ଗୁରୁଚରଣ ମାଲକାନଗିରି ଜିଲାରେ ଶିକ୍ଷକତା କରୁଥିଲେ।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟରେ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟନ

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାର ଙ୍କ ନୂତନ ପ୍ରବର୍ତ୍ତିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିକାଶ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା(ନୂଆ-ଓ) ମଙ୍ଗଳବାରରେ ନାଚୁଣୀ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହୋଇ ଯାଇଛି।

ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ପରିଷଦ ସଭାପତି ଅରୁଣ କୁମାର ଦାଶ ଯୋଗଦେଇ ଥିଲେ।

ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ କିଭଳି ସମ୍ପାଦିତ ହୋଇ ଏହି ଵାଵଦରେ ଆସିଥିବା ସରକାରୀ ଅନୁଦାନ ର ସୁ ବିନିଯୋଗ ହୋଇ ପାରିବ ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଡ଼ିସେମ୍ବର ୩୧ ତାରିଖରେ ଉଦଯାପିତ ହେବ।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମଦ ସହ ୩ ଅଭିଯୁକ୍ତ ଗିରଫ

ବାଣପୁର /ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର, ବାଲୁଗାଁ ଓ ନାଚୁଣୀ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ସହ ତିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ଆଜି ଚଢ଼ାଉ କରି ବାଣପୁର କୋଷରଡ଼ା ଗ୍ରାମର ପ୍ରଫୁଲ୍ଲ ଶବର (୨୫)ଙ୍କ ଠାରୁ ୬୦ ଲିଟର, ବାଲୁଗାଁ ଅଞ୍ଚଳ ଲମ୍ବୋଦରପୁର ଗ୍ରାମର ବିକ୍ରମ ସିଂ (୩୫) ଙ୍କ ଠାରୁ ୩୦ଲିଟର, ବାଣପୁର ଅଞ୍ଚଳ କୁଲେଇ ଗ୍ରାମର ଲିଲି ମହାରଥୀ (୪୩)ଙ୍କ ଠାରୁ ୩୦ଲିଟର ସମୁଦାୟ ୧୨୦ଲିଟର ମଦ ଜବତ କରାଯାଇଛି।

ଅଭିଯୁକ୍ତ ମାନଙ୍କ ନାମରେ ୧୫୯/୧୬୦/୧୬୧ ରେ ଭିନ୍ନ ଭିନ୍ନ ମୋକଦମା କରାଯାଇଥିବା ଅବକାରୀ ଅଧିକାରୀ ବି ମନୋଜ କୁମାର କହିଛନ୍ତି। ତେବେ ଆଗକୁ ଏହିଭଳି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ନାଚୁଣୀ: ବିଷ ପାନ କରି ଆତ୍ମହତ୍ୟା କଲେ ବୃଦ୍ଧ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।

Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଚାଳକ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ପୁରୀ ଅଞ୍ଚଳର ଗୋପାଳ ଦାସ ଏବଂ ରାଜୁ ରେଡ୍ଡୀ ନାମକ ଦୁଇ ଜଣ ଯୁବକ ନାଚୁଣୀ ଦେଇ ଯାଉଥିବା ବେଳେ କଉଡ଼ିଖଣି ଛକରେ ଏକ ଅଜଣା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ସ୍କୁଟି। ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ଘଟିଥିବାବେଳେ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲ ପଠାଯାଇଛି।

କଉଡ଼ିଖଣି ଛକରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଁଚିଛି।

Categories
ଆଞ୍ଚଳିକ

ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା

ନାଚୁଣୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଦୁଇ ଯୁବକ ଗୌରାଙ୍ଗ ମାର୍ଥା ଓ କାର୍ତ୍ତିକ ମାର୍ଥା ଆଜି ଅପରାହ୍ନରେ ଏକ ବାଇକ ଯୋଗେ ନାଚୁଣୀସ୍ଥିତ ଏକ ଘରୋଇ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ହରିପୁର ଷଣ୍ଢ ଛକରେ କୌଣସି କାରଣବଶତଃ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଛି l

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମାଲକାନାଗିରି-ଭୁବନେଶ୍ଵର ରିଲାଏନ୍ସ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ପିଟିଲା ରିଲାଏନ୍ସ ବସ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ। ଏଥିରେ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି। ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନାଚୁଣି ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ମାଲକାନାଗିରିରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍ ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି। ରାସ୍ତାର ଗୋଟିଏ ପାର୍ଶ୍ଵରେ ଉଭୟ ଟ୍ରକ ଏବଂ ବସ୍ ଚାଲୁଥୁବା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଥିଲା ବସ୍। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବସର ହେଲ୍ପର ଗୁରୁତର ଆହାତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିମାନଙ୍କୁ ବାଲୁଗାଁ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଏକ ଘରୋଇ ସୁନା ବନ୍ଧକ ଶାଖାରେ ନକଲି ସୁନା ବନ୍ଧକ ରଖି ଜନସାଧାରଣଙ୍କ ଅସଲି ସୁନା ହଡ଼ପ ମାମଲାରେ ଅଭିଯୁକ୍ତ ଥିବା ଉକ୍ତ ଶାଖା ପ୍ରବନ୍ଧକଙ୍କୁ ଆଜି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାଣପୁର ଜେଏମଏଫସି କୋର୍ଟ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ଶାଖା ପ୍ରବନ୍ଧକ ସଚିନ ପ୍ରଧାନ ଗତ ବର୍ଷ ଫେବୃୟାରୀ ୧୯ ତାରିଖରେ ଉକ୍ତ ଶାଖାରେ ବନ୍ଧକ ଥିବା ସୁନା ଜିନିଷ ହଡପ କରି ନକଲି ସୁନା ବନ୍ଧକ ରଖି ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କାଗଜପତ୍ରରେ ସୁନା ଋଣ କରି ଟଙ୍କା ଜାଲିଆତି ଘଟଣାରେ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଜେଏମଏଫସି କୋର୍ଟରେ ଜିଆର କେସ ନମ୍ବର ୭୩/୨୨, ଆଇପିସି ଦଫା ୪୦୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୩୪ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଏହାର ବିଚାର ପ୍ରକ୍ରିୟା ଜାରି ରହିଥିଲା। ଅଭିଯୁକ୍ତ ସଚିନ ଗତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଜେଲରେ ରହିଥିବା ବେଳେ ଇତି ମଧ୍ୟରେ ୧୪ ଜଣଙ୍କ ସାଖ୍ୟ ପ୍ରମାଣକୁ ଭିତ୍ତି କରି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଦଫା ୪୦୯ ଓ ୪୭୧ ରେ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଭରିବା ରାୟ ପ୍ରକାଶ କରିଛନ୍ତି। ଏବଂ ଜରିମାନା ଅନାଦେୟ ହେଲେ ଆଉ ଏକ ମାସ
କାରାଦଣ୍ଡ ଦଣ୍ଡାଦେଶ ରହିଛି।

ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ପରିଚାଳନା କରୁଥିଲେ।

Categories
ଆଞ୍ଚଳିକ

ନାଚୁଣୀ: ବରଡ଼ି ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଚାଳକ ଗୁରୁତର

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବରଡ଼ି ଢ଼ାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଗୁରତର ଅଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ଆନ୍ଧ୍ରରୁ ଭୁବେନେଶ୍ୱର ଅଭିମୁଖେ ଏକ ଟ୍ରକ ଓ ଟ୍ରଲର ଆଗ ପଛ ହୋଇ ଯାଉଥିଲା। ତେବେ ନାଚୁଣୀ ବରଡ଼ି ଢ଼ାବା ନିକଟରେ ଅଦା ବୋଝେଇ ଟ୍ରକର ଚକା ଫାଟିଯିବାରୁ ଆଗରେ ଯାଉଥିବା ଟ୍ରଲରକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଅଦା ବୋଝେଇ ଟ୍ରକର ସମ୍ମୁଖ ପାର୍ଶ୍ୱ ନଷ୍ଟ ହୋଇଯାଇଥିବା ବେଳେ ଟ୍ରକ ଚାଳକ କ୍ୟାବିନରେ ଚାପି ହୋଇଯାଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଟ୍ରକରୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଟାଙ୍ଗୀ ମେଡିକାଲଙ୍କୁ ପଠାଯାଇଥିବା ସୂଚନା ରହିଛି।

Categories
ଆଞ୍ଚଳିକ

ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ଆତ୍ମହତ୍ୟା କଲା ପୁଅ

ସୀତାରାମ ଅଗ୍ରୱାଲ

ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା (୨୮ ବର୍ଷ)।

ପ୍ରଶାନ୍ତ ଏକ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ। ଗତକାଲି ରକ୍ଷା ବନ୍ଧନ ଉପଲକ୍ଷେ ଗାଁ କୁ ଆସିଥିଲେ। ଗାଁରେ ସାଙ୍ଗମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ। ହେଲେ କୋଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା। ତେଣୁ ପ୍ରଶାନ୍ତ ବିଳମ୍ବରେ ଘରକୁ ଫେରିଥିଲେ।

ଏହି ଘଟଣାକୁ ନେଇ ବାପା ପ୍ରସାନ୍ତକୁ ଆକଟ କରିଥିଲେ। ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘରେ ବାହାରେ ବିଶ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରଶାନ୍ତଙ୍କୁ ନାଚୁଣୀ ଓ ପରେ ଟାଙ୍ଗି ହସ୍ପିଟାଲକୁ ନେଇଥିଲେ। ହେଲେ ଟାଙ୍ଗିରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ନାଚୁଣୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ କଉଡିଖୁଣି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ କଉଡିଖୁଣି ଛକ ଠାରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏଭଳି ହୋଇଥିଲା ଯେ, ଟ୍ରକ ଚକା ତଳକୁ ବାଇକ ଆରୋହୀ ଆସିଯାଇଥିଲେ। ଯାହାଦ୍ୱାରା ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମାବାସୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ସେଠାରେ ଏକ ଅଣ୍ଡର ପାସ ପାଇଁ ଦାବି ହୋଇ ଆସୁଛି। କିନ୍ତୁ ଏହା ପ୍ରତି ସରକାରଙ୍କ କୌଣସି ଧ୍ୟାନ ଦିଆଯାଉନାହିଁ। ଏଠାରେ ତୁରନ୍ତ ଅଣ୍ଡର ପାସ ନିର୍ମାଣ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।

Categories
ଆଞ୍ଚଳିକ

ନାଚୁଣୀ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା, ଜଣେ ମୃତ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଜଣାପଡ଼ିଛି।

ମୃତକ ଜଣକ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁତ୍ର କାହ୍ନା ନାୟକ(୨୫ ) ବୋଲି ଜଣାପଡିଛି। ନାଚୁଣୀ ପୋଲିସ ସୂଚନା ମୁତାବକ କାନ୍ହା ଆଜି ରାତିରେ ବାଲୁଗାଁ ରୁ ନିଜ ଗ୍ରାମ ସୋରଣ ଏକ ସ୍କୁଟି ଯୋଗେ ଫେରୁଥିବା ବେଳେ ନାଚୁଣୀ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ କୌଣସି ଏକ ଭାରୀ ଯାନକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ରୁ ପଡିବା ସହ ତାଙ୍କ ମସ୍ତିଷ୍କ ରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ନାଚୁଣୀରେ ସଡକ ଦୁର୍ଘଟଣା, କାରର ଆଗପଟ ଚେପା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏସୟୁଭି ଏବଂ କାର ଆଗପଛ ହୋଇ ଯାଉଥିବା ବେଳେ ଏସୟୁଭି କୁ ପଛପଟୁ ଏକ କାର ଟକ୍କର ଦେଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱର ରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଏସୟୁଭି ଏବଂ ତେଲେଙ୍ଗାନା ଅଭିମୁଖେ ଯାଉଥିବା ଏକ କାର ଆଗପଛ ହୋଇ ଯାଉଥିଲେ।

ତେବେ ନାଚୁଣୀ କଉଡ଼ିଖଣି ଛକରେ ଏସୟୁଭି ର ଗତି ହଠାତ କମିଯିବାରୁ ପଛପଟୁ ଆସୁଥିବା କାର ଟି ଏସୟୁଭି କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ଫଳରେ କାରର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାର ରେ ଥିବା ତିନି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ କୁ ପଠାଯାଇଥିବା ବେଳେ ଏ ନେଇ ନାଚୁଣୀ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ଚନ୍ଦ୍ରଶେଖର ଜେନା କହିଛନ୍ତି।