Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲକୁଦା ନିକଟରେ ଆଜି ସକଳେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ପଡ଼ିରହିଛି। ମହିଳା ଜଣକ ହେଲେ ହରିକୁଣ୍ଡବରଡ଼ି ଅଞ୍ଚଳର ମୃତ ବିଜୟ ବରାଳଙ୍କ ପତ୍ନୀ ରମା ଦେଇ (୬୦)। ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ଏଏସଆଇ ହାଡିବନ୍ଧୁ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛସନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମଦ ଧରପଗଡ ଅଭିଯାନ ଜାରି, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ମଦ ଧରପଗଡ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଏବଂ ଆଜି ସଂନ୍ଧ୍ୟାରେ ନାଚୁଣୀ ଫାଣ୍ଡି ପୋଲିସ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗତକାଲି ରାତିରେ ନାଚୁଣୀ ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସୁନାଖେଳା ଛକରୁ ଏକ ମଟରସାଇକେଲ ଜବତ କରିବା ସହ ସେଥିରୁ ୧୨.୩୦୦ ଲିଟର ବିଦେଶୀ ମଦ ଜବତ କରିଛି। ଏଥିରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଜଣଙ୍କ ଟାଙ୍ଗିର ମାନସ ଦଳେଇ (୨୬) ବୋଲି ଜଣାପଡିଛି।

ଅନୁରୂପ ଭାବେ ଆଜି ସନ୍ଧ୍ୟାରେ ସେହି ସ୍ଥାନରୁ ପୁଣି ଥରେ ଫାଣ୍ଡି ଅଧିକାରୀ ଏକ ଅଟୋ ଜବତ କରିବା ସହ ସେଥିରୁ ୧୬ ପେଟି ଆସ୍କା-୪୦ ମଦ ଜବତ କରିଛନ୍ତି। ଏହି ଘଟଣାରେ ଅଟୋଚାଳକଙ୍କୁ ଗିରଫ କରାଯାଇଛି। ଗିରଫ ଅଟୋଚାଳକଜଣଙ୍କ ହେଲେ ନଈରୀ ଗ୍ରାମର ଗୌତମ ବେହେରା (୪୫)।

ଏହି ମାମଲାରେ ବାଣପୁର ଥାନାରେ ଦୁଇ ଗୋଟି ମାମଲା ରୁଜୁ କରାଯାଇଛି। ଉକ୍ତ ଚଢ଼ାଉରେ ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା, ଏଏସଆଇ ହାଡିବନ୍ଧୁ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସକୁ ବଡ ସଫଳତା: ନାଚୁଣୀ ନିକଟରୁ ଜବତ କଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି। ଚୋରା ମଦ ଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଦେଶୀ ମଦ ପୋଲିସ ଜବତ କରିଛି। ଆଜି ଅପରାହ୍ନରେ ବାଲୁଗାଁ  ଏସଡ଼ିପିଓ ଏବଂ ଟାଙ୍ଗୀ ଥାନା ଆଇଆଇସି ମିଳିତ ଭାବେ ଚଢାଉ କରି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ଜବତ କରିଛନ୍ତି।

ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମସ୍ତ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହି ତଦାରଖ କରୁଥିଲେ।  ଏହି ସମୟରେ ନାଚୁଣୀ ପଟୁ ହାଟବରଡି ଅଭିମୁଖେ ଏକ ମଦ ବୋଝେଇ ଟାଟା ଏସି ଗାଡ଼ିଯାଉଥିବାର ପୋଲିସ୍ ଖବର ପାଇଥିଲା। ଖବର ପାଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସଦଳବଳେ ଗାଡିଟିର ପିଛା କରିଥିଲେ। ପୋଲିସ୍ ଗାଡିର ପିଛା କରୁଥିବା ଜାଣିପାରି ହାଟବରଡି ଗ୍ରାମ ଠାରେ ଗାଡ଼ି ଚାଳକ ସହ ଜଣେ ମାଫିଆ ମଦ ବୋଝେଇ ଗାଡି ଛାଡି ବିଲ ଗହୀରରେ ଦୌଡି ପଳାଇଥିଲେ।

ପୋଲିସ୍ ଘଟଣା ସ୍ଥଳରେ ପହଁଚି ମଦ ବୋଝେଇ ଗାଡିକୁ ଜବତ କରିଥିଲା। ଗାଡି ଭିତରୁ ପ୍ରାୟ ୩ ହଜାର ୭୫୦ଟି ଆସ୍କା- ୪୦ ବୋତଲ (୬୭୫ଲିଟର) ପୋଲିସ ଜବତ କରିଥିଲାl ଯାହାର ବଜାର ମୂଲ୍ୟ  ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏ ସଂକ୍ରାନ୍ତରେ ପୋଲିସ କେସ ନମ୍ବର ୩୨୩/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଛିl ତେବେ ଫେରାର ହୋଇଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଛି ଏବଂ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଟ୍ରେଡ୍ ପ୍ରମାଣ ପତ୍ର ବିନା ଚାଲିଥିଲା ବାଇକ୍ ସୋ ରୁମକୁ ସିଲ କଲେ ପରିବହନ ଅଧିକାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦିର୍ଘ ଦିନ ହେଲା ଏକ ବାଇକ୍ ସୋ ରୁମ୍ ଚାଲିଥିଲା। ଭୁବନେଶ୍ୱରର ଏକ ନାମୀ ବାଇକ୍ ବିକ୍ରେତା ସୋ ରୁମ୍ ସହାୟତାରେ ନାଚୁଣୀରେ ବାଇକ୍ ସୋ ରୁମ୍ ଚାଲିଥିଲା। ସେଠାରେ ଗ୍ରାହକମାନଙ୍କୁ ବାଇକ୍ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର ସୋ ରୁମ୍ ସହାୟତାରେ ବିନା ବ୍ୟବସାୟ ଚାଲୁଥିଲା।

କିନ୍ତୁ ଏହି ବାଇକ୍ ସୋ ରୁମ୍ ପାଇଁ  ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି  ଟ୍ରେଡ୍  ପ୍ରମାଣ ପତ୍ର  ମିଳି ନଥିଲା। ଏହାର ସୁରାକ୍ ପାଇ ପରି ବହନ ବିଭାଗ ଅଚାନକ ଚଢାଉ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଆଂଚଳିକ ପରିବହନ ଅଧୀକାରୀ ପ୍ରଦୀପ ମହାନ୍ତିଙ୍କ ନିର୍ଦ୍ଧେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ  ଜୁନିଅର ଏମଭିଆଇରୁ ରୁପାଲିନ୍  ବାହୁବଳେନ୍ଦ୍ର, ଟ୍ରାଫିକ୍ ଇନସପେକ୍ଟର ଆରକେ ଦୋରା ପ୍ରମୁଖ ସାମିଲ ହୋଇଥିଲେ।

ଉକ୍ତ ଚଢାଉରେ ମୋଟ ୧୯ଟି ବାଇକକୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ସୋ’ ରୁମ ମାଲିକଙ୍କୁ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା  ଜରିମାନା କରାଯାଇଛି। ଏବଂ ବାଇକ୍ ସୋ ରୁମ୍ ମାଲିକଙ୍କ ନାମରେ ପରି ବହନ ବିଭାଗ ଏକ ମୋକଦ୍ଧମା ରୁଜୁ କରିଥିବା ସୂଚନା ରହିଛି। ଏହା ସହ ମାଲିକଙ୍କ ଠାରୁ ସମସ୍ତ ଜବତ  ଗାଡିର ୧୫ ବର୍ଷ ପର୍ଯ୍ୟନ୍ତ ଟିକସ ଆଦାୟ କରାଯିବ ବୋଲି ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ: ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଅବସ୍ଥାରେ କୂପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ।

ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ମାନେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍ଜା ଦେଲା ବାଇକ୍: ଆରୋହୀ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍ଜା ଦେବାରୁ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ବଡପଦର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, କବି ବରାଡ ନାମକ ଜଣେ ବ୍ୟକ୍ତି ନିଜ ବାଇକ୍ ରେ ଵଡ ପଦରରୁ ବାହାରି ନାଚୁଣୀ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନସ ସହାୟତାରେ କବିଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଜଟିଳ ଥିବାରୁ ମେଡିକାଲରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ଲେଖା ହେବା ଯାଏଁ ଟାଙ୍ଗୀ ହସ୍ପିଟାଲରେ ମୃତ ଦେହ ପଡିରହିଥିବା ବେଳେ ନାଚୁଣୀ ଫାଣ୍ଡିକୁ ଶବ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ପୋଲିସ୍ ଖବର ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା।

ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ ମମତା ବାଇକରୁ ତଳେ ପଡିଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ନଗେନ୍ଦ୍ର ଏହା ଜାଣିପାରି ସଙ୍ଗେସଙ୍ଗେ ବାଇକକୁ ରଖିଥିଲେ। ମମତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନଗେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ମମତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରଥିଲେ।

ବର୍ତ୍ତମାନ ମମତା ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୀଡିତା ଏଯାବତ ଥାନାରେ ଏତଲା ଦେଇନାହାନ୍ତି। ତେବେ ମମତାଙ୍କ ସୂଚନା ଅନୁଯାୟୀ ଉକ୍ତ ଭ୍ୟାନିଟି ବ୍ୟାଗରେ ୫ ହଜାର ୫୦୦ ଟଙ୍କା, ଗୋଟେ ମୋବାଇଲ, ତିନି ଗୋଟି ଏଟିଏମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା।

ଅନୁରୂପଭାବେ ଗତ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ବାଇପାସରୁ ଜଣେ ମହିଳାଙ୍କ ଠାରୁ ୯୯ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଥିବା ବେଳେ ଆଜି ପୁଣି ସକାଳୁ ନାଚୁଣୀ ବାଇପାସରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇନେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା ଅଟୋ: ଶ୍ଵଶୁର ମୃତ, ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋ ଦ୍ଵାରା ନୟାଗଡ ସ୍ଥିତ ଡିମିସିର ଯାଉଥିଲେ। ହେଲେ ଅଟୋଟି ବେପରୁଆ ଗାଡି ଚାଳନ ତଥା ଦ୍ରୁତଗତି ଲାଗି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଯେଉଁଥିରେ ରାମକୃଷ୍ଣ ବିଷୋଇ (୭୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାମକୃଷ୍ଣଙ୍କ ବୋହୁ ମଞ୍ଜୂବାଳା (୪୫) ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଛନ୍ତି। ସେହିଭଳି ଅଟୋରେ ଥିବା ଛୋଟ ଛୋଟ ଶିଶୁମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଦେଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ବାଇକକୁ ବିକିବା ଏବଂ କିଣିବା ପଡିଲା ମହଙ୍ଗା: ନାଚୁଣୀ ପୋଲିସ ହାତରେ ଧରା ହେଲେ ବେପାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଚୋରା ବାଇକ ବିକିବା ଏବଂ କିଣିବା ମହଙ୍ଗା ପଡିଛି। ଦୁଇ ଚୋରା ବାଇକ ବେପାରୀ ପୋଲିସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏପରି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଚୋରା ମଟରସାଇକେଲ ଧରି ବଡ଼ପଦର ଠାରୁ ନାଚୁଣୀ ବଜାର ଦେଇ ରତନପୁର ଯାଉଛନ୍ତି ବୋଲି କୌଣସି ସୂତ୍ରରୁ ଖବର ପାଇଥିଲେ। ବିଳମ୍ବ ନକରି ଶ୍ରୀ ସାହୁ ନାଚୁଣୀ ବଜାର ଅଭିମୁଖେ ଅଗ୍ରସର ହୋଇଥିଲେ ଏବଂ ସଲପଡ଼ିହ ଛକଠାରେ ଉକ୍ତ ବାଇକ ଚାଳକଙ୍କୁ ଧରିଥିଲେ। ଚାଳକ ଜଣକ ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) ବୋଲି ଜଣାପଡିଛନ୍ତି।

ତେବେ ସେ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ଚଲାଉଥିବା ବେଳେ ପଚରାଉଚୁରା ସମୟରେ ଏହା ଏକ ଚୋରା ଗାଡ଼ି ବୋଲି ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ମଟରସାଇକେଲରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା। ତେବେ ବାବୁଲି ଗତ ବର୍ଷ ଚୋରା ମଟରସାଇକେଲ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିବାର ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ।

ଅନୁରୂପଭାବେ ଟାଙ୍ଗୀ ଥାନା ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ସେ ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ବାବୁଲି ଆଉ ଦୁଇ ଗୋଟି ଚୋରା ବାଇକ ବିକିଥିବାର ମଧ୍ୟ ପୋଲିସକୁ କହିଥିଲେ। ଏହା ଜାଣିବାପରେ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଚଢ଼ାଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ ମଧ୍ୟ ଜବତ କରିଛନ୍ତି।

ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ନାଚୁଣୀ ଫାଣ୍ଡି ଅଧିକାରୀ।

Categories
ଆଞ୍ଚଳିକ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏବିଭିପି ପକ୍ଷରୁ ‘ରନ ନାଚୁଣୀ ରନ’ ମାରାଥନ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା।

ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ ସଭାପତି ବିପ୍ଳବ ଗୁରୁ ଯୋଗଦେଇଥିଲେ। ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଏବଂ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦ୍ବୀପ ପ୍ରଜ୍ବଳନ କରିବାପରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ପରିଷଦ ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅତିଥିମାନେ ଯୁବ ଦିବସର ମହତ୍ୱ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପରି ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ।

ପରିଶେଷରେ ‘ରନ ନାଚୁଣୀ ରନ ‘ ମିନି ମାରାଥନରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପଦକ ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଉକ୍ତ ମାରାଥନରେ ରାକେଶ କୁମାର ସାମନ୍ତରାୟ, ବାଙ୍କାନିଧି ଜେନା ଏବଂ ଅଶୋକ କୁମାର ଜଗଦ୍ଦେବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥା ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ଶୁଭମ ତ୍ରିପାଠୀ ଏବଂ ବ୍ୟବସ୍ଥା ସହ ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ପାଠ୍ୟଚକ୍ର ପ୍ରମୁଖ ଆଶାତୀତ ସାହୁ ପରିଚାଳନା କରିଥିବାବେଳେ ଯଶକେତନ ସାହୁ, ବାଦଲ ସୁବୁଦ୍ଧି, ପ୍ରଭଞ୍ଜନ ସ୍ୱାଇଁ ଏବଂ ସତ୍ୟ ନାରାୟଣ ମହାପାତ୍ର ଆଦି କାର୍ଯ୍ୟକର୍ତା ସହଯୋଗ କରିଥିଲେ। ଅନୁରୂପ ଭାବେ ଆଜି ଏବିଭିପି ଦ୍ୱାରା ବାଣପୁରରେ ନଗର ସହ ସମ୍ପାଦକ ପ୍ରିୟାଂଶୁ ପ୍ରଧାନ ଏବଂ ଗମ୍ଭାରୀମୁଣ୍ଡା ଠାରେ ନଗର ସହ ସମ୍ପାଦକ ସୌମ୍ୟରଂଜନ ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପୃଥକ ପୃଥକ ଭାବେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲିସ କର୍ମଚାରୀଙ୍କ ପତ୍ନୀ ମୃତ, ଚାରି ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ  ଆଜି ଅପରାହ୍ନରେ ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଦୁଇ ଜଣ କର୍ମଚାରୀ ନିଜ  ପରିବାର ସହ ଚିଲିକା ଭ୍ରମଣ ପାଇଁ  ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଅପରାହ୍ନ ୩ ଘଟିକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କର ନାନୋ କାରଟି ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ (୫୨)।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଯୋଗେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡ଼ିକାଲକୁ ପଠାଇଛନ୍ତି। ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା, ରାଜକିଶୋର ବେହେରା ଆଦି ଉପସ୍ଥିତି ଥାଇ ଟ୍ରଫିକ ନିୟନ୍ତ୍ରଣ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଠାରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ: ଡ୍ରାଇଭର ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ୧୬  ନମ୍ବର ଜାତୀୟ ରାଜପଥ ସରଳସିଂ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ କୋଇଲା ବୋଝେଇ ଟ୍ରକକୁ ଅନ୍ୟ ଏକ କୋଇଲା ବୋଝେଇ ଟ୍ରକ ପଛପଟୁ ଶକ୍ତ ଧକ୍କା ଦେଇଛି। ଫଳରେ ଟ୍ରକ ଡ୍ରାଇଭର ଚାପି ହୋଇରହିଛନ୍ତି।

ସୂଚନା ମୁତାବକ ଗୋପାଳପୁର ଠାରୁ ବଡ଼ବିଲ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକଟିର ଚକା ପମ୍ପଚର ହୋଇଯିବାରୁ ସରଳସିଂ ଛକରେ ଠିଆ ହୋଇଥିଲା। ପାଖାପାଖି  ଅପରାହ୍ନ ୫ ଘଟିକା ସମୟରେ ବଡ଼ବିଲ ଯାଉଥିବା ଅନ୍ୟ ଏକ କୋଇଲା ବୋଝେଇ ଟ୍ରକ ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରକଟିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ  ଡ୍ରାଇଭର ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ଫସି ରହିଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ବାଲୁଗାଁ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ଡ୍ରାଇଭରଙ୍କ ଦୁଇ ଗୋଡ ଭାଙ୍ଗିଯାଇଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ସୂଚନା ମିଳିଛି। ଟ୍ରାଫିକ କ୍ଳିଅର କଲାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବାର ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଓଲଟିଲା କାର୍: ଦୁଇ ଶିଶୁ ସମେତ ଚାରି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଏକ କାର୍‌ ଓଲଟିଛି। ମିଳିଥିବା ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ଭୁବନେଶ୍ୱରରୁ ସୁନାଖଳା ଅଭିମୁଖେ ଏକ ଅଲ୍ଟୋ କାର୍ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍ ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୨ ଶିଶୁ ସମେତ ୪  ଗୁରୁତର ହୋଇଛନ୍ତି।

ଦୁର୍ଘଟଣାର  ଖବର ପାଇ ଟାଙ୍ଗୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମାନେ ହେଲେ ୯ ବର୍ଷର ଅର୍ପିତା ପ୍ରିୟ ଦର୍ଶନୀ, ୩ ବର୍ଷର ଆଶିଷ ଦାସ, ୩୦ ବର୍ଷର ଅର୍ପିତା ସୁଆର ଓ ୫୫ ଵର୍ଷୀୟ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟ। କାରରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ଓଲଟିଲା ଅଟୋ: ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମିଳିଲା ଦେଶୀ ମଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ଅଟୋ ଦୁର୍ଘଟଣା ହୋଇ ଓଲଟିପଡିଲା ଏବଂ ତାକୁ ଉଦ୍ଧାର କରିବାରୁ ଧରା ପଡିଲା ଅଟୋ ଭିତରେ ଥିବା ଦେଶୀ ମହୁଲି ବୋଝେଇ ବସ୍ତା। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାଖେଳା ବାଇପାସରେ ଏପରି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪:୧୦ ମିନିଟରେ ଓଡ଼ି-୦୨-ଏଇଉ ୫୦୪୧ ନମ୍ବର ବିଶିଷ୍ଟ ଏକ ଅଟୋ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁନାଖେଳା ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଏହି ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଅଟୋ ଏବଂ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ଯାଞ୍ଚବେଳେ ଉକ୍ତ ଅଟୋରୁ ତିନି ଗୋଟି ବ୍ୟାଗ ଯେଉଁଥିରେ ୯୦ ଲିଟର ଦେଶୀ ମହୁଲି ଏବଂ ଗୋଟିଏ ସିମେଣ୍ଟ ବସ୍ତା ମିଳିଥିଲା।

ଏହାକୁ କେନ୍ଦ୍ରକରି ନାଚୁଣୀ ପୋଲିସ ଅଟୋରେ ଉପସ୍ଥିତ ଥିବା ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଟୋ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଲେ ଭୁବନେଶ୍ୱରର ଜଗନ୍ନାଥ ରଣା(୩୪) ଏବଂ ଯାତ୍ରୀ ଜଣକ ହେଲେ ବିହାରର ରଞ୍ଜିତ ଶର୍ମା (୨୫)। ଉଭୟେ ଖଲିକୋଟ ନିର୍ମଳଝର ଅଞ୍ଚଳରୁ ଦେଶୀ ମହୁଲି ନେଇ ଭୁବନେଶ୍ୱରରେ ବିକିବା ଉଦ୍ଦେଶ୍ୟରେ ଯାଉଥିବାର ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଉଭୟଙ୍କ ନାମରେ ଓଡିଶା ଅବକାରୀ ଆଇନ ୨୦୦୮ ଅନୁଯାୟୀ କେସ ନମ୍ବର ୩୩୧/୨୦ ରେ ବାଣପୁର ଥାନାରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ହରିକୁଣ୍ଡ ବରଡି ନିକଟରେ ବାଇକ୍‌କୁ ପିଟିଲା ଟ୍ରକ୍‌ : ଦୁଇ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

ଚିଲିକା :  ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ହରିକୁଣ୍ଡ ବରଡିଠାରେ ଏକ  ସଡକ ଦୁର୍ଘଟଣା ଘଟିଯାଇଅଛି ।  ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ନାଚୁଣୀ ଜୀବନଦେଇପୁର ଗ୍ରାମର 45 ବର୍ଷୀୟ ପବିତ୍ର ବାରିକ  ନିଜ ମୋଟର ସାଇକେଲ (ଓଡି -33-ଡି-3709) ରେ ଜଣେ ସହଯୋଗୀଙ୍କ ବସାଇ ବାଲୁଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ହରିକୁଣ୍ଡ ବରଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ (ଏପି-16-ଟିଜେ-5499)ଟି ମୋଟର ସାଇକେଲ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ  ଓ ସହଯୋଗୀ ଛିଟ୍‌କି କି ରାସ୍ତା ଉପରେ ପଡିଯାଇଥିବାବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଥିଲେ । ଗୁରୁତରଙ୍କୁ ଉଦ୍ଧାର କାର୍ଯ୍ୟରେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ମଧ୍ୟ  ସହଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏଏସ୍‌ଆଇ ହାଡିବନ୍ଧୁ ନାୟକ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତୁର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି।

ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏହାଦେଖି କିଛି ବ୍ୟକ୍ତି ତୁରନ୍ତ ନାଚୁଣୀ ଫାଣ୍ଡିକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ପହଁଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ।  ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଁଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ବେଡ଼ ଖାଲି ନଥିବାରୁ ପୂର୍ଣ୍ଣଙ୍କ ପରିବାର ବହୁ ଘରୋଇ ହସ୍ପିଟାଲକୁ ରାତି ଯାକ ଦୌଡ଼ି ଦୌଡ଼ି ଶେଷରେ ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ଣ୍ଣଙ୍କୁ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ନାଚୁଣୀ ବାଇପାସରୁ ଜବତ ହେଲା ତିନୋଟି ବେଆଇନ ମାଙ୍କଡ଼ାପଥର ବୋଝେଇ ଟ୍ରକ

ସୀତାରାମ ଅଗ୍ରୱାଲ 

ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ।

ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଟ୍ରକକୁ ଜବତ କରି ନାଚୁଣୀ ଫାଣ୍ଡି ପରିସରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମିଳିଥିବା ଶେଷ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଜବତ ଟ୍ରକର ଚାଳକ କିମ୍ବା ମାଲିକ ମାନେ ବାଣପୁର ତହସିଲଦାରଙ୍କ ନିକଟରେ ହାଜର ହୋଇନାହାନ୍ତି। ଆଗକୁ ସରକାରୀ ନିୟମ ଅନୁଯାୟୀ ସେମାନେ ଗାଡ଼ିର ସବୁ କାଗଜପତ୍ର ଦେଖାଇ ସରକାରୀ ଜରିମାନା ଦେଇ ଗାଡିଗୁଡିକୁ ଫାଣ୍ଡିରୁ ମୁକୁଳେଇ ନେଇପାରିବେ ବୋଲି ତହସିଲଦାର ସୂଚନା ଦେଇଛନ୍ତି। କରୋନା ସମୟରେ କରୋନା ଯୋଦ୍ଧାମାନେ ମିଳିଥିବା ଅତିରିକ୍ତ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ସହ ନିଜ ମୂଳ କାର୍ଯ୍ୟ ମଧ୍ୟ ଦିନରାତି ଅତି ନିଷ୍ଠାର ସହ ନିର୍ବାହ କରୁଥିବାରୁ ଜନସାଧାରଣମାନେ ବାଣପୁର ତହସିଲଦାର ଏବଂ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ପ୍ରଶାସନର ଅଜବ ନୀତି: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଦିଆଯାଉଛି ଥାନାରେ ଏତଲା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ ସେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ସଙ୍ଗୀନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାର ସମ୍ପାଦକ ଜଣକ ଫୋନ୍‌ ମାଧ୍ୟମରେ ତାଙ୍କୁ ଦୁର୍ବ୍ୟବହାର କରିବା, ଜାତିକୁ ଆକ୍ଷେପ କରିବା ସହିତ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ନୋଡାଲ୍‌ ଅଫିସର୍‌।

ଏଠାରେ ପ୍ରଶ୍ନ ଉଠୁଛି ଯେ, କ୍ବାରେଣ୍ଟିନ୍‌ରେ ପ୍ରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀମାନେ ନିଜକୁ ସର୍ବେସର୍ବା ଭାବି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଯାହା ଫଳରେ ପ୍ରବାସୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସାନିଟାଇଜର୍‌ ଦିଆଯାଉନଥିବାବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି କ୍ବାରେଣ୍ଟିନ୍‌ ସେଣ୍ଟରରେ ଶୌଚାଳୟ ନଥିବାର ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ପଚରାଯାଉଛି, ତେବେ ସେମାନେ ଏହାର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସମ୍ପୃକ୍ତ କର୍ମଚାରୀମାନେ ଏପ୍ରକାର ଅବହେଳା ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛୁ।

Categories
ଆଞ୍ଚଳିକ

ବାଣପୁରର ଆଉ ଦୁଇଟି ପଞ୍ଚାୟତକୁ କରାଗଲା ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍‌ଡାଉନ୍‌ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍‌ଡାଉନ୍‌  ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ମୋରାମୋରି ପଞ୍ଚାୟତରେ ଜଣେ ଗୁଜୁରାଟ ଫେରନ୍ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ ଉକ୍ତ ପଞ୍ଚାୟତକୁ ଆସନ୍ତା ୨ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଗହୀର ମୋରାମୋରି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସେହିପରି ଗତକାଲି ନାଚୁଣୀ ପଞ୍ଚାୟତର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ କାବୁଲ୍‌ ପ୍ରଧାନ ଉକ୍ତ ପଞ୍ଚାୟତକୁ ଆସନ୍ତା ତିନି ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତମାନେ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ନାଚୁଣୀ ପଞ୍ଚାୟତର ଜୀବନଦେଈପୁର, କହ୍ନେଇପୁର, ଗୋରଡାଝରୀ ଗ୍ରାମକୁ ଗତକାଲି ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ତିନି ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅବରୋଧ ଭାବେ ଘୋଷଣା କରାଯାଇଛି। ଏହି ନୋଟିସ୍‌ର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ବଜାରକୁ ଆସିବାକୁ ବାରଣ କରାଯାଇଛି। ସେହିପରି ଗମ୍ଭାରୀମୁଣ୍ଡା କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ କଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡା ସରପଞ୍ଚ ଜେ.କେ ମହାରଥା ମଧ୍ୟ ଗତକାଲି ଗମ୍ଭାରୀମୁଣ୍ଡା ବଜାରର ଦୋକାନ ବଜାର ଖୋଲିବାକୁ ନିଷିଦ୍ଧ କରିଛନ୍ତି। ଏହା ଆସନ୍ତା ତିନି ତାରିଖ  ସକାଳ ୭ଟା ଯାଏ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀଠାରେ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମୀକ୍ଷା ବ୍ୟୁରୋ

ନାଚୁଣୀ, ୨/୧: ନାଚୁଣୀ ନିକଟସ୍ଥ କହ୍ନେଇପୁର ଛକଠାରେ ଗତକାଲି ଜାତୀୟ ରାଜପଥଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍‌ ଓ କାର୍‌ ଉଭୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଭାରସାମ୍ୟ ହରାଇ ଗାଡ଼ି ଦୁଇଟି ଓଲଟି ପଡ଼ିଥିବାବେଳେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପାଇଁ ଭର୍ତ୍ତି କରାଯାଇଥିଲା।

ସୂଚନାରୁ ପ୍ରକାଶ ଯେ,  ଦ୍ରୁତ ଗତିରେ ବାଇକ୍‌ ଚାଳକଜଣକ କାର ସମ୍ମୁଖରେ ଆସି ଯିବାରୁ ହଠାତ୍‌ କାର୍‌ ଜଣକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ବ୍ରେକ୍‌ ଦେଇଥିଲେ। ଯାହାଫଳରେ ଉଭୟ ବାଇକ୍‌ ଏବଂ କାର୍‌ ନିକଟସ୍ଥ ରାସ୍ତା ପାର୍ଶ୍ବରେ ପାଣି ଜମିଥିବା ଏକ ବିଲରେ ପଡିଥିଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ବହୁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରୁ ନାଚୁଣୀ ଫାଣ୍ଡି ପୋଲିସ୍‌ ଗାଡ଼ି ଦୁଇଟିକୁ ଜବତ କରି ଏହି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗସ୍ତ ହୋଇଥିବା କାର୍‌ଟି ବ୍ରହ୍ମପୁରର ହୋଇଥିବାବେଳେ ବାଇକ୍‌ଟି ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ