ନାଚୁଣୀରେ ଅଘଟଣ: କୂପରେ ପଡ଼ି ନାବାଳକର ପ୍ରାଣହାନୀ

Published: Jan 24, 2022, 6:31 pm IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂପରେ ପଡ଼ି ଜଣେ ୧୨ ବର୍ଷୀୟ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ନାଚୁଣୀ ଗ୍ରାମର ପ୍ରଶାନ୍ତ କୁମାର ଦାସଙ୍କ ପୁତ୍ର ବିଶ୍ୱରଞ୍ଜନ ଦାସ ଗ୍ରାମରେ ଖେଳିଲାବେଳେ ଗ୍ରାମ ମଝିରେ ଥିବା ଏକ ଗଭୀର କୂପ ଭିତରେ ଖସି ଯାଇଥିଲେ।

ଏହା ଦେଖି ଗ୍ରାମବାସୀ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଲାପରେ ଅଗ୍ନିଶମ ବାହିନୀ ଦ୍ୱାରା କୂପରୁ ନାବାଳକଙ୍କୁ ଉଦ୍ଧାର କରାଯାଇ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।  ତେବେ ଡାକ୍ତର ସେଠାରେ ବିଶ୍ୱଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଶ ନମ୍ବର ୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ଫାଣ୍ଡି ଅଧିକାରୀ କେଶବ ବେହେରା କହିଛନ୍ତି।

Related posts