ନାଚୁଣୀ: ବିଷପିଇ ଆତ୍ମହତ୍ୟା କଲେ ମହିଳା, ମୃତଦେହ ଜବତ କଲା ପୋଲିସ

Published: Sep 10, 2022, 7:51 am IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ଥାନା ସାମନ୍ତସିଂହାରପୁର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଅନିତା ନାୟକ (୨୮)। ସେ ସଲପଡିହ ଗ୍ରାମର ନିରଞ୍ଜନ ନାୟକଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ମୁମ୍ବାଇରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ତେବେ କୌଣସି କାରଣବଶତଃ ଗତକାଲି ସଂନ୍ଧ୍ୟାରେ ଅନିତା ବିଷ ପିଇଦେଇଥିଲେ।  ପରବର୍ତ୍ତୀ ସମୟରେ ପରିବାର ବର୍ଗଙ୍କ ଦ୍ୱାରା ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଥାନାନ୍ତରଣ ସମୟରେ ବାଲୁଗାଁରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଡାକ୍ତରଙ୍କ ଠାରୁ ସୂଚନା ପାଇ ନାଚୁଣୀ ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଅନିତାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛି।  ତେବେ ଅଦ୍ୟାବଧି ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ନାଚୁଣୀ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

Related posts