ଟାଙ୍ଗୀ ପୋଲିସକୁ ବଡ ସଫଳତା: ନାଚୁଣୀ ନିକଟରୁ ଜବତ କଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ

Published: Sep 15, 2021, 6:20 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି। ଚୋରା ମଦ ଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଦେଶୀ ମଦ ପୋଲିସ ଜବତ କରିଛି। ଆଜି ଅପରାହ୍ନରେ ବାଲୁଗାଁ  ଏସଡ଼ିପିଓ ଏବଂ ଟାଙ୍ଗୀ ଥାନା ଆଇଆଇସି ମିଳିତ ଭାବେ ଚଢାଉ କରି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ଜବତ କରିଛନ୍ତି।

ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମସ୍ତ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହି ତଦାରଖ କରୁଥିଲେ।  ଏହି ସମୟରେ ନାଚୁଣୀ ପଟୁ ହାଟବରଡି ଅଭିମୁଖେ ଏକ ମଦ ବୋଝେଇ ଟାଟା ଏସି ଗାଡ଼ିଯାଉଥିବାର ପୋଲିସ୍ ଖବର ପାଇଥିଲା। ଖବର ପାଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସଦଳବଳେ ଗାଡିଟିର ପିଛା କରିଥିଲେ। ପୋଲିସ୍ ଗାଡିର ପିଛା କରୁଥିବା ଜାଣିପାରି ହାଟବରଡି ଗ୍ରାମ ଠାରେ ଗାଡ଼ି ଚାଳକ ସହ ଜଣେ ମାଫିଆ ମଦ ବୋଝେଇ ଗାଡି ଛାଡି ବିଲ ଗହୀରରେ ଦୌଡି ପଳାଇଥିଲେ।

ପୋଲିସ୍ ଘଟଣା ସ୍ଥଳରେ ପହଁଚି ମଦ ବୋଝେଇ ଗାଡିକୁ ଜବତ କରିଥିଲା। ଗାଡି ଭିତରୁ ପ୍ରାୟ ୩ ହଜାର ୭୫୦ଟି ଆସ୍କା- ୪୦ ବୋତଲ (୬୭୫ଲିଟର) ପୋଲିସ ଜବତ କରିଥିଲାl ଯାହାର ବଜାର ମୂଲ୍ୟ  ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏ ସଂକ୍ରାନ୍ତରେ ପୋଲିସ କେସ ନମ୍ବର ୩୨୩/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଛିl ତେବେ ଫେରାର ହୋଇଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଛି ଏବଂ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି।

Related posts