Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିମଖଣ୍ଡି ଥାନା ପୋଲିସକୁ ବଡ ସଫଳତା: ଜବତ କଲା ଦୁଇ କିଲୋରୁ ଉର୍ଦ୍ଧ୍ଵ ସୁନା ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ୩ ୟ ଗଳିର କାଳି ଚରଣ ପଣ୍ଡା ନାମକଙ୍କ ଘରେ ଏକ ବଡ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଗତ ସେପ୍ଟେମ୍ବର ୨୧ ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କ ଘରୁ ୪୦୦ ଗ୍ରାମ ସୁନା ଅଳଙ୍କାର ଓ ୪୦୦ ଗ୍ରାମ ରୁପା ଅଳଙ୍କାର ସମେତ କିଛି ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଏସ୍ ଆଇ ଜେ ଆର୍ ବେହେରା ଓ କିଛି ଗ୍ରୁହରକ୍ଷୀଙ୍କୁ ନେଇ ଏକ ଟିମ୍ ଗଠନ କରି ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ତତ୍ବାବଧାନରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ବଜାର ଥାନା ଅନ୍ତର୍ଗତ ନିଳାଞ୍ଚଳ ସାହିର ସନ୍ୟାସୀ ଗୌଡ଼ ନାମକ ଜଣେ ଯୁବକ କୁ କାବୁ କରି ଥାନାରେ ଜେରା କରିବା ବେଳେ ତା’ର ଜଣେ ସହଯୋଗୀ ସୁରେନ୍ଦ୍ର ମହାପାତ୍ର କୁ ଧରି ଉଭୟ ଙ୍କୁ ଜେରା କରିଥିଲେ।

ପରବର୍ତ୍ତୀ ସମୟରେ ଏହି ସବୁ ଚୋରି କାରନାମାରେ ଅଭିଯୁକ୍ତ ମୁଥୁଟ୍ ଫାଇନାନ୍ସ ବ୍ୟାଙ୍କ ର ମେନେଜର୍ ମୋହନ ପାଢୀ ଓ ମହାରାଷ୍ଟ୍ର ସାଙ୍ଗିଲି ଜିଲ୍ଲାର ସନ୍ତୋଷ ଗାଏଖୱ।ଡ଼ ନାମକ ଜଣେ ସ୍ବର୍ଣ୍ଣ ଅଳଙ୍କାର କାରିଗର କୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଏକ ବଡ଼ ଧରଣର ସଫଳତା ପୋଲିସ କୁ ମିଳିଛି। ଯାହା ଫଳରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଦୁଇ କିଲୋ ୭୨୮ ଗ୍ରାମ ର ସ୍ବର୍ଣ୍ଣ ଅଳଙ୍କାର, ମୁଦ୍ରା ଓ ସୁନା ଖାଡି ସମେତ ୪୦୦ ଗ୍ରାମ ର ବିଭିନ୍ନ ରୁପା ଅଳଙ୍କାର ଓ ନଗଦ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରିଛନ୍ତି ଓ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଆଜି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସମସ୍ତ ବିବରଣୀ ପ୍ରଦାନ କରିବା ସହ ଉକ୍ତ ସଫଳତା ପାଇଁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଚୋରି, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ବୈକୁଣ୍ଠନାଥ ମହାରଣା ସୋମବାର ଦିନ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ କେଉଁଝର ଯାଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମାନେ ମଧ୍ୟରାତ୍ରିରେ ତାଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଏବଂ କିଛି ନକଦ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠ।

ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୬୭/୨୩ ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ବାଣପୁର ଥାନା ପଦନପୁର ଛକସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରୁ ଚୋରି ଉଦ୍ୟମ ବିଫଳ ହୋଇଥିବାର ଜଣାପଡିଛି।

ରାମପୁର ଗ୍ରାମ ବାସିନ୍ଦା ବିଭୁତି ଭୂଷଣ ସ୍ୱାଇଁ ପଦନପୁର ଛକରେ ଏକ ବାଇକ ସ୍ପେୟାର ପାର୍ଟସ ଦୋକାନ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ବିଭୁତିଙ୍କ ଦୋକାନ କବାଟକୁ ତାଡିବାକୁ ଚେଷ୍ଟା କରୁଥିଲେ। ତେବେ ସ୍ଥାନୀୟ ଜନସାଧାରଣ ଏହା ଜାଣିବାରୁ ଜୋରରେ ଚିତ୍କାର କରିଥିଲେ। ଫଳରେ ଦୁର୍ବୁତ୍ତମାନେ ଭୟରେ ନିଜ ବାଇକ ଓ ମୋବାଇଲ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଛଥିଲେ।

ଏ ନେଇ ବିଭୁତି ବାଣପୁର ଥାନାରେ ଏକ ଏତଲା ଦେଇଥିବା ବେଳେ ପୋଲିସ ବାଇକ ଓ ମୋବାଇଲ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏକାଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୪.୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ସୁରଜ ମଣ୍ଡଳ ଏବଂ ସିମନ୍ତ ମଣ୍ଡଳ। ସେହିପରି ଭାବେ ଜଟଣୀ ଅବକାରୀ ବିଭାଗ ଯାଆଁଳା ରୁ ୪ କେଜି ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାର ଯଶୋଦା ଦିଗଲ ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଅନୁରୂପ ଭାବେ ଟାଙ୍ଗୀ ଅବକାରୀ ବିଭାଗ ରାମେଶ୍ୱର ଛକରୁ ୮ କେଜି ଗଞ୍ଜେଇ ସମେତ କନ୍ଧମାଳ ଜିଲ୍ଲାର ରସିକ ଦିଗଲ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମୁଦାୟ ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଲକ୍ଷାଧିକ ଟଙ୍କାର ପାନମସଲା ଚୋରି ହୋଇଥିଲା। ଏହି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବିଡ଼ାନାସି ଅଞ୍ଚଳର ୱାଇ. ନରେଶ, ନିବେଶ ବେହେରା ଏବଂ ସୁଶାନ୍ତ ସାହୁ।  ତତସହିତ ଚୋରି ହୋଇଥିବା ପାନ ମସଲାର ବିକ୍ରି ମୂଲ୍ୟ ତିନି ଲକ୍ଷ ଟଙ୍କା ସମେତ ଚୋରି ପାଇଁ ବ୍ୟବହାର ହୋଇଥିବା ପିକ ଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତମାସ ୧୮ ତାରିଖ ମଧ୍ୟ ରାତ୍ରିରେ ବାଲୁଗାଁ ପାଟଣା ସାହିସ୍ଥିତ ସୁଶୀଲ ସୁବୁଦ୍ଧିଙ୍କ ଗୋଦାମରୁ ପାଖାପାଖି ତିନି ଲକ୍ଷ ଟଙ୍କାର ପାନ ମସଲା ଚୋରୀ ହୋଇଯାଇଥିଲା। ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କ ଦ୍ଵାରା ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ତିନି ଗୋଟି ଟିମ ଗଠନ କରଯାଇଥିଲା। ଏବଂ ଏହି ଟିମ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ତଦନ୍ତ ବେଳେ ଅଭିଯୁକ୍ତମାନେ ଉକ୍ତ ପାନ ମସଲାକୁ ଝାରସୁଗୁଡା ଅଞ୍ଚଳରେ ବିକ୍ରି କରିଥିବାର ସ୍ୱୀକାର କରିଥିଲେ।

ପୋଲିସ ସୁଦୂର ଝାରସୁଗୁଡା ଅଞ୍ଚଳ ଯାଇ ଏକାଧିକ ଦୋକାନୀଙ୍କ ଠାରୁ ବିକ୍ରି ହୋଇଥିବା ସମସ୍ତ ଚୋରା ପାନ ମସଲାର ମୂଲ୍ୟ ତିନି ଲକ୍ଷ ଟଙ୍କା ଜବତ କରିଥିଲା। ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ କେସ ନମ୍ବର ୨୧୩/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଚୋରିରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଅବ୍ୟାହତ ରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ରାସ୍ତାରେ ମାତିଲେ ଲୁଟେରା, ମହିଳାଙ୍କ ନିକଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ଅନ୍ତରକିଆରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋଟର ସାଇକେଲରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଯାଇଛନ୍ତି।

ସୂଚନା ମୁତାବକ ସୁନାକେରା ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନ ବାଣପୁର ବାଲୁଗାଁ ରୋଡ ଉପରେ ଥିବା ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ନନ୍ଦପୁର ଶାଖାରେ ୩୫ ଗ୍ରାମ ସୁନା ବନ୍ଧକ ରଖିଥିଲେ। ପୁଷ୍ପାଞ୍ଜଳି ଉକ୍ତ ବ୍ୟାଙ୍କରେ ଦୁଇଟି ହାର, ୧ଟି ସୁନାମୁଦି ଓ କାନ ଫୁଲକୁ ୧ଲକ୍ଷ ୯ହଜାର ଟଙ୍କାରେ ବନ୍ଧକ ରଖିଥିଲେ। କିନ୍ତୁ ଆଜି ସମସ୍ତ ସୁନା ଜିନିଷକୁ ବନ୍ଧକ ମୁକ୍ତ କରି ତାଙ୍କ ଭାଇଙ୍କ ସାଥିରେ ଘରକୁ ଫେରୁଥିଲେ।

ଠିକ ଏହି ସମୟରେ ପାରିନୂଆଗାଁ ଗ୍ରାମ ପାଖରେ ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ଏମାନଙ୍କୁ ପିଛା କରି ପୁଷ୍ପାଞ୍ଜଳିଙ୍କ ହାତରୁ ବ୍ୟାଗଟିକୁ ଛଡାଇ ନେଇ କେନାଲ ରାସ୍ତା ଦେଇ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ବାଇକ ଚାଳକ ଏବଂ ମହିଳା ଜଣକ ରାସ୍ତାରେ ପଡି କ୍ଷତବିକ୍ଷତ ହେବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସି ଟିଭି କ୍ୟାମେରା ଯାଞ୍ଚ କରି ଡକାୟତମାନଙ୍କର ଠାବ ପ୍ରକ୍ରିୟା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରାମାନଙ୍କର ସନ୍ଧାନ ମିଳିନଥିବା ଜଣାପଡିଛି।

କିନ୍ତୁ ଅନୁସନ୍ଧାନକୁ ଦୃତ କରାଯାଇଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ଗୋଟିଏ ଟିମ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି। ଲୁଟେରାଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବାଣପୁର ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଚୋରି ହୋଇଥିବା ମହିଳାଙ୍କ ବ୍ୟାଗରେ ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଏବଂ ଗୋଟିଏ ସ୍ମାର୍ଟ ଫୋନ ରହିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଥାଉକି ବାଣପୁର-ବାଲୁଗାଁ ଭଳି ଏକ ମୁଖ୍ୟ ରାସ୍ତାରେ ବ୍ୟାଙ୍କଟି ଥିବା ସ୍ଥଳେ ବ୍ୟାଙ୍କର ମୁଖ୍ୟ ଫାଟକ ଆଗରେ ସିସି ଟିଭି କ୍ୟାମେରା ନଥିବା ଏବଂ ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିବା ଦେଖାଯାଇଛି। ବ୍ୟାଙ୍କର ଯାବତୀୟ ଅସୁବିଧାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହା ଫଳରେ ଆଗକୁ ଯେ ଅନ୍ୟ କୌଣସି ଦୁର୍ଘଟଣା ନ ଘଟିବ ସେ କଥା କିଏ କହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର ପର୍ଯ୍ୟନ୍ତ ବ୍ୟାପିଲା ବ୍ରାଉନ ସୁଗାର କାରବାର: ଦୁଇ ଗିରଫ, ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟତଃ ସବୁ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବ୍ୟାପିଥିବାବେଳେ ଏଥିରୁ ବାଦ ପଡିନି ନିରାକାରପୁର ଅଞ୍ଚଳ। ଆଜି ନିରାକାରପୁର ପୋଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ବଡ଼ଙ୍ଗରା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲେ ଆଇଆଇସି ଗୀତାଞ୍ଜଳି ନାୟକ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ସମୟରେ ଦୁଇ ଜଣ ଯୁବକ ଉକ୍ତ ଅଞ୍ଚଳରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି ନେବାରୁ ଉଭୟଙ୍କ ନିକଟରୁ ୨୧.୨୦୦ ଗ୍ରାମ ବ୍ରାଉନ ସୁଗାର ପାଇଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସେହିପରି ଭାବେ ସେମାନଙ୍କ ନିକଟରୁ ଗୋଟେ ହିରୋ ଗ୍ଲାମର ମଟରସାଇକେଲ, ଆଉ ନକଦ ୫୦୦୦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗ୍ରାମର ଦିଲ୍ଲୀପ ପ୍ରଧାନ। ଉଭୟଙ୍କ ବିରୋଧରେ ନିରାକାରପୁର ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ୧୯୨/୨୧ ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Categories
ବିଶେଷ ଖବର ବ୍ୟବସାୟ

ଜନ ଧନ ଆକାଉଣ୍ଟଧାରୀଙ୍କ ପାଇଁ ଚେତାବନୀ: ତୁରନ୍ତ କରନ୍ତୁ ଏହି କାମ, ନଚେତ୍ କ୍ଷତି ହେବ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଜନ ଧନ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି, ତେବେ ଏହାକୁ ତୁରନ୍ତ ଆଧାର ସହିତ ଲିଙ୍କ କରନ୍ତୁ, ନଚେତ୍ ଆପଣଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିବ। ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଯଦି ଆପଣ ଆପଣଙ୍କର ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରନ୍ତି ନାହିଁ, ତେବେ ଆପଣଙ୍କୁ ୧.୩୦ ଲକ୍ଷ ଟଙ୍କା କ୍ଷତି ହୋଇପାରେ।

ଆମେ ଆପଣଙ୍କୁ କହିବୁ ଯେ, ସରକାରୀ ଜନ ଧନ ଆକାଉଣ୍ଟଧାରୀମାନେ ୧.୩୦ ଲକ୍ଷ ଟଙ୍କା କ୍ଷତି ସହିପାରନ୍ତି। ଏହି କ୍ଷତିକୁ ଏଡାଇବା ପାଇଁ, ଆପଣଙ୍କୁ କେବଳ ଆଧାର ସହିତ ଖାତା ସହିତ ଲିଙ୍କ୍ କରିବାକୁ ପଡିବ। ଆପଣ ବ୍ୟାଙ୍କ ପରିଦର୍ଶନ କରି ଆଧାର ସହିତ ଆପଣଙ୍କର ଆକାଉଣ୍ଟକୁ ଲିଙ୍କ୍ କରିପାରିବେ।

ଯଦି ଆପଣଙ୍କର ଜନ ଧନ ଆକାଉଣ୍ଟ ଆପଣଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଛି, ତେବେ ଆପଣ କେନ୍ଦ୍ରରୁ ୧.୩ ଲକ୍ଷ ପର୍ଯ୍ୟନ୍ତ ମୋଟ ଲାଭ ପାଇପାରିବେ। ଏହା ବ୍ୟତୀତ ଦୁର୍ଘଟଣା ବୀମାର ଲାଭ ମଧ୍ୟ ଉପଲବ୍ଧ। ଏଥିରେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପାଇବେ। ଏହି ସମୟରେ ୩୦ ହଜାର ଟଙ୍କା ବୀମା ଉପଲବ୍ଧ। ଯଦି ଆପଣଙ୍କର ଆଧାର ଲିଙ୍କ୍ ହୋଇନାହିଁ। ତେବେ ଆପଣ ଏହି ସୁବିଧା ପାଇବେ ନାହିଁ। ଏହା ବ୍ୟତୀତ, ଯଦି ଏହି ଆକାଉଣ୍ଟରେ ୧୦ ହଜାର ଟଙ୍କା ମୂଲ୍ୟର ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ଉପଲବ୍ଧ, ତେବେ ଆପଣ ଏହାର ଲାଭ ପାଇବେ ନାହିଁ।

କିପରି ଲିଙ୍କ୍ କରିପାରିବେ?:

ଯଦି ଆପଣ ବ୍ୟାଙ୍କକୁ ଯାଇ ଆଧାର ଲିଙ୍କ୍ କରନ୍ତି, ତେବେ ଆପଣଙ୍କୁ ସେଠାରେ ଆପଣଙ୍କର ଡକ୍ୟୁମେଣ୍ଟ୍ ନେବାକୁ ପଡିବ। ସେଠାରେ ଆପଣଙ୍କୁ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏଥିରେ ଆପଣଙ୍କର ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରିବାକୁ ପଡିବ, ଯାହା ପରେ ଆପଣଙ୍କ ଆଧାରକୁ ସଂଯୋଗ କରିବାର ପ୍ରକ୍ରିୟା ସମାପ୍ତ ହେବ। ଏହା ବ୍ୟତୀତ, ଯଦି ଆପଣ ଏହାକୁ ଅନଲାଇନରେ କରିବାକୁ ଚାହାଁନ୍ତି, ତେବେ ଆପଣ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଏହି କାର୍ଯ୍ୟ କରିପାରିବେ।

ଜନ ଧନ ଖାତାର ଲାଭ:

– ଜମା ଉପରେ ସୁଧ।
– ଦୁର୍ଘଟଣା ବୀମା କଭର ୧ ଲକ୍ଷ ଟଙ୍କା।
– ଏହା ବ୍ୟତୀତ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ କୌଣସି ଟେନସନ ନାହିଁ।
– ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ଉପଲବ୍ଧ ହେବ।
– ନଗଦ ଟଙ୍କା ଉଠାଇବା ଏବଂ ସପିଂ ପାଇଁ ରୁପେ କାର୍ଡ ମଧ୍ୟ ଉପଲବ୍ଧ ହେବ।
– ଗ୍ରାହକମାନେ ସାଧାରଣ ବୀମାର ସୁବିଧା ମଧ୍ୟ ପାଇବେ।

ଖାତା କିଏ ଏବଂ କେମିତି ଖୋଲିପାରିବେ?:

ନିକଟତମ ଶାଖା ପରିଦର୍ଶନ କରି ଆପଣ ଏହି ଖାତା ଖୋଲିପାରିବେ। ଏଠାରେ ଆପଣଙ୍କୁ ଏକ ଫର୍ମ ନେବାକୁ ପଡିବ ଏବଂ ଏହା ପରେ ଆପଣଙ୍କର ସମସ୍ତ ବିବରଣୀ ଯେପରିକି ନାମ, ମୋବାଇଲ୍ ନମ୍ବର, ବ୍ୟାଙ୍କ ଶାଖାର ନାମ, ଆବେଦନକାରୀଙ୍କ ଠିକଣା ଏବଂ ସମସ୍ତ ସୂଚନା ପୁରଣ କରନ୍ତୁ। ଏହା ବ୍ୟତୀତ ଭାରତରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆକାଉଣ୍ଟ ଖୋଲିପାରିବେ। ଏହି ଖାତା ଖୋଲିବାକୁ ଆପଣ ନିଶ୍ଚିତ ଭାବରେ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଏ ନେଇ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ  ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏ ନେଇ ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଏଲ।  ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତିତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା। ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ।

ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଗଞ୍ଜେଇ କନ୍ଧମାଳରୁ ଭାୟା ନୟାଗଡ ହୋଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା।

ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରିରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସକୁ ବଡ ସଫଳତା: ନାଚୁଣୀ ନିକଟରୁ ଜବତ କଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି। ଚୋରା ମଦ ଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଦେଶୀ ମଦ ପୋଲିସ ଜବତ କରିଛି। ଆଜି ଅପରାହ୍ନରେ ବାଲୁଗାଁ  ଏସଡ଼ିପିଓ ଏବଂ ଟାଙ୍ଗୀ ଥାନା ଆଇଆଇସି ମିଳିତ ଭାବେ ଚଢାଉ କରି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ଜବତ କରିଛନ୍ତି।

ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମସ୍ତ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହି ତଦାରଖ କରୁଥିଲେ।  ଏହି ସମୟରେ ନାଚୁଣୀ ପଟୁ ହାଟବରଡି ଅଭିମୁଖେ ଏକ ମଦ ବୋଝେଇ ଟାଟା ଏସି ଗାଡ଼ିଯାଉଥିବାର ପୋଲିସ୍ ଖବର ପାଇଥିଲା। ଖବର ପାଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସଦଳବଳେ ଗାଡିଟିର ପିଛା କରିଥିଲେ। ପୋଲିସ୍ ଗାଡିର ପିଛା କରୁଥିବା ଜାଣିପାରି ହାଟବରଡି ଗ୍ରାମ ଠାରେ ଗାଡ଼ି ଚାଳକ ସହ ଜଣେ ମାଫିଆ ମଦ ବୋଝେଇ ଗାଡି ଛାଡି ବିଲ ଗହୀରରେ ଦୌଡି ପଳାଇଥିଲେ।

ପୋଲିସ୍ ଘଟଣା ସ୍ଥଳରେ ପହଁଚି ମଦ ବୋଝେଇ ଗାଡିକୁ ଜବତ କରିଥିଲା। ଗାଡି ଭିତରୁ ପ୍ରାୟ ୩ ହଜାର ୭୫୦ଟି ଆସ୍କା- ୪୦ ବୋତଲ (୬୭୫ଲିଟର) ପୋଲିସ ଜବତ କରିଥିଲାl ଯାହାର ବଜାର ମୂଲ୍ୟ  ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏ ସଂକ୍ରାନ୍ତରେ ପୋଲିସ କେସ ନମ୍ବର ୩୨୩/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଛିl ତେବେ ଫେରାର ହୋଇଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଛି ଏବଂ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କା ବାଟ ମାରଣା ଅଭିଯୋଗ: ଦୋଷ ସ୍ୱୀକାର କରିଥିବା ଜିଆରଏସଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ବର୍ତ୍ତମାନ ଭିନ୍ନ ମୋଡ଼ ନେବାରେ ଲାଗିଛି। ହିତାଧିକାରୀମାନଙ୍କୁ ବାରମ୍ବାର ପୋଲିସ ଡ଼ାକି ପଚରା ଉଚୁରା ଜାରି ରଖିଥିବା ବେଳେ, ହିତାଧିକାରୀ ଶ୍ରମିକମାନଙ୍କୁ ଅଭିଯୁକ୍ତ ମାନେ ବନ୍ଧାହୋଇ ଫେରିଲା ପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ

ରାମପୁର ଥାନା କେସ୍ ନମ୍ବର ୪୩/୨୦୨୧ ଅନୁଯାୟୀ ୪୨୦, ୪୬୭, ୪୬୮ ଏବଂ ୩୪ ଆଇପିସି ଧାରାରେ ୩ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ୨୦ ଲକ୍ଷ ଟଙ୍କା କେମିତି ହଡ଼ପକାରୀମାନଙ୍କ ଠାରୁ ଆଦାୟ କରାଯିବ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଏପରି ସ୍ଥଳେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଜିଆରଏସ ତଥା ଗ୍ରାମ ରୋଜଗାର ସେବକ ଆଦବାରୁ ମାଝୀ ଅନାୟାସରେ ଘୁରି ବୁଲୁଛନ୍ତି। ତାଙ୍କର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ତାଙ୍କ ପାଖକୁ ଆଇନର ଲମ୍ବାହାତ କିପରି ପହଞ୍ଚି ପାରୁ ନାହିଁ ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ସମ୍ପୂର୍ଣ୍ଣ ଘଟଣାବଳୀକୁ ନିରିଖେଇ ଦେଖିଲେ ଜିଆରଏସ ଆଦବାରୁ ମାଝୀଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଜଳ ଜଳ ହୋଇ ବାରିହୋଇ ପଡୁଥିବା ବେଳେ ପ୍ରଶାସନ କାହିଁକି ହାତବାନ୍ଧି ବସିଛି ତାହା ବୁଝା ପଡୁନାହିଁ।

ଅନ୍ୟପକ୍ଷେ ଜିଆରଏସ ଆଦବାରୁ ମାଝୀ ନିଜେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଦୋଷ ସ୍ୱୀକାର କରିଥିବା ସ୍ଥଳେ କାହିଁକି ପୋଲିସ ବିଭାଗ ନୀରବି ଗଲେ ତାହାନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଜିଆରଏସ ଆଦବାରୁ ମାଝୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ କେବେ ଗରିବ ଲୋକମାନେ ତାଙ୍କ ପାରିଶ୍ରମିକ ମଜୁରୀ ଫେରି ପାଇବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)।

ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା ସହ ନକଦ ପଇସା ମଧ୍ୟ ଲୁଟିନେଇଥିଲେ।

ପରବର୍ତ୍ତୀ ସମୟରେ ତିନି ଜଣ ପରସ୍ପର ମଧ୍ୟରେ ଚୋରି ଜିନିଷକୁ ବାଣ୍ଟିନେଇଥିଲେ। ତେବେ କେତେକ ଅଳଙ୍କାର ସେମାନେ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ଥଳେ ଆଉ କେତେକ ଅଳଙ୍କାର ବାଜାଜ ଫାଇନାନ୍ସ ରେ ବନ୍ଧା ପକାଇଥିଲେ।

ଦୀର୍ଘ ପନ୍ଦର ଦିନ ହେବ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ବିଜୟ କୁମାର ମଲ୍ଲିକ ଉକ୍ତ ଘଟଣାର ଅନୁସନ୍ଧାନରେ ଲାଗିପଡ଼ିଥିବା  ସ୍ଥଳେ ଗତକାଲି ଉଭୟଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଛନ୍ତି।

ସେମାନଙ୍କ ନିକଟରୁ ୧ ଟି ସୁନା ହାର, ଏକ ଯୋଡି ସୁନା ଶଙ୍ଖା, ୧ ଟି ସୁନା ଲକେଟ, ୧ ଟି ସୁନା ମୁଦି, ଏକ ଯୋଡି ସୁନା କାନ ଫୁଲ, ୧ ଟି ସୁନା ଚେନ, ନକଦ ୨୦ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟେ ମଟରସାଇକେଲ ପୋଲିସ ଜବତ କରିଛି। ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଗମ୍ଭାରିମୁଣ୍ଡାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ: ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି  ରାତି ୮ ଘଟିକାରେ  ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖୋଦ ଏସ.ଡ଼ି.ପି.ଓ ଶ୍ରୀ ଦାସ ଉପସ୍ଥିତ ରହି ବାଣଗୁଡିକୁ ଜବତ କରିଥିଲେ। ଏନେଇ ବାଣପୁର ପୋଲିସ ଅଶୋକଙ୍କୁ ଅଟକ ରଖିଥିବା ସୂଚନା ରହିଛି।

ଉକ୍ତ ଚଢାଉରେ ବାଣପୁର ଏସ.ଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ରାଜକିଶୋର ବେହେରା, ସି.ଏସ.ଆଇ ଆଶୁତୋଷ ପାଇକରାୟ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ଏବଂ ଗମ୍ଭାରୀମୁଣ୍ଡା ଫାଣ୍ଡି କର୍ମଚାରୀମାନେ ସାମିଲ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା।

ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍‌ଲାଇନ୍‌ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍‌ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ ୧୦.୬.୨୦୨୦ରେ ଏହି ଟଙ୍କା ପଠାଇଥିଲେ।

ପୁଣି ୧୫.୬.୨୦୨୦ରେ ୨୫ହଜାର ୫ଶହ, ୧୯.୬.୨୦୨୦ରେ ୩୨ହଜାର ୫୦୦ ଟଙ୍କା ଆଦି ବିିଭିନ୍ନ କାର୍ଯ୍ୟ ପାଇଁ ପଠାଇବାକୁ କହିବାରୁ ପଠାଇଥିଲେ। ପରେ ୨୯.୬.୨୦୨୦ରେ ସିକ୍ୟୁରିଟି ଡ଼ିପୋଜିଟ୍ କହି ୫୦ ହଜାର ଟଙ୍କା ନେଇଥିଲେ। ଶେଷରେ ୩୦.୬.୨୦୨୦ରେ ଟ୍ରେନିଂ ଫି କହି ୧୨ ହଜାର ୫୦୦ ଟଙ୍କା ପଠାଇଥିଲେ। ସମୁଦାୟ ୧ ଲକ୍ଷ ୨୩ ହଜାର ଟଙ୍କା ପଠାଇଥିଲେ।

ବର୍ତ୍ତମାନ ଟଙ୍କା ନେବା ପରେ ସେ ଆଉ ଫୋନ୍ ଉଠାଉନାହାନ୍ତି। ଗୁପ୍ତେଶ୍ୱର ତାଙ୍କ ସହ ଠକେଇ ହୋଇଛି ଭାବି ଆଜି ଗୋପାଳପୁର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ମ୍ୟାନେଜର ବୋଲାଉଥିବା ରୋହିତ ଶର୍ମା, ସିଲେକ୍ଟର ଦୁଗ୍ୟନ୍ତ ରାନା, ଟେନର ରାଜେଶ, ପାର୍ଶଲ ସାର ରାମ କୁମାର, ଗୋପାଳ ପ୍ରମୁଖ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ପୋଲିସ୍ ଥାନା କେସ ନଂ୨୨୫/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସେପେଟ ଅନ୍ୟଜଣଙ୍କୁ ମଧ୍ୟଠାରୁ ମଧ୍ୟ ଏଭଳି ଢ଼ଂଗରେ ଠକେଇ ହୋଇଛି। ସଂପୃକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ଗୁପ୍ତେଶ୍ୱର ମଧ୍ୟ ଆଜି ଏସ୍‌ପି ପିନାକ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଗୁପେଶ୍ୱର ଜଣେ ଗରିବ ପିଲା ହୋଇଥିବାବେଳେ ଚାକିରି ଆଶାରେ ଧାରଉଦ୍ଧାର କରି ଏତେଟଙ୍କା ଦେଇଛି। ତେଣୁ ଘଟଣାର ଅନୁସନ୍ଧାନ କରି ଟଙ୍କା ଫେରସ୍ତ ଯେପରି ମିଳିଯିବ ସେ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି।