ନିମଖଣ୍ଡି ଥାନା ପୋଲିସକୁ ବଡ ସଫଳତା: ଜବତ କଲା ଦୁଇ କିଲୋରୁ ଉର୍ଦ୍ଧ୍ଵ ସୁନା ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା

Published: Oct 3, 2023, 7:41 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ୩ ୟ ଗଳିର କାଳି ଚରଣ ପଣ୍ଡା ନାମକଙ୍କ ଘରେ ଏକ ବଡ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଗତ ସେପ୍ଟେମ୍ବର ୨୧ ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କ ଘରୁ ୪୦୦ ଗ୍ରାମ ସୁନା ଅଳଙ୍କାର ଓ ୪୦୦ ଗ୍ରାମ ରୁପା ଅଳଙ୍କାର ସମେତ କିଛି ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଏସ୍ ଆଇ ଜେ ଆର୍ ବେହେରା ଓ କିଛି ଗ୍ରୁହରକ୍ଷୀଙ୍କୁ ନେଇ ଏକ ଟିମ୍ ଗଠନ କରି ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ତତ୍ବାବଧାନରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ବଜାର ଥାନା ଅନ୍ତର୍ଗତ ନିଳାଞ୍ଚଳ ସାହିର ସନ୍ୟାସୀ ଗୌଡ଼ ନାମକ ଜଣେ ଯୁବକ କୁ କାବୁ କରି ଥାନାରେ ଜେରା କରିବା ବେଳେ ତା’ର ଜଣେ ସହଯୋଗୀ ସୁରେନ୍ଦ୍ର ମହାପାତ୍ର କୁ ଧରି ଉଭୟ ଙ୍କୁ ଜେରା କରିଥିଲେ।

ପରବର୍ତ୍ତୀ ସମୟରେ ଏହି ସବୁ ଚୋରି କାରନାମାରେ ଅଭିଯୁକ୍ତ ମୁଥୁଟ୍ ଫାଇନାନ୍ସ ବ୍ୟାଙ୍କ ର ମେନେଜର୍ ମୋହନ ପାଢୀ ଓ ମହାରାଷ୍ଟ୍ର ସାଙ୍ଗିଲି ଜିଲ୍ଲାର ସନ୍ତୋଷ ଗାଏଖୱ।ଡ଼ ନାମକ ଜଣେ ସ୍ବର୍ଣ୍ଣ ଅଳଙ୍କାର କାରିଗର କୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଏକ ବଡ଼ ଧରଣର ସଫଳତା ପୋଲିସ କୁ ମିଳିଛି। ଯାହା ଫଳରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଦୁଇ କିଲୋ ୭୨୮ ଗ୍ରାମ ର ସ୍ବର୍ଣ୍ଣ ଅଳଙ୍କାର, ମୁଦ୍ରା ଓ ସୁନା ଖାଡି ସମେତ ୪୦୦ ଗ୍ରାମ ର ବିଭିନ୍ନ ରୁପା ଅଳଙ୍କାର ଓ ନଗଦ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରିଛନ୍ତି ଓ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଆଜି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସମସ୍ତ ବିବରଣୀ ପ୍ରଦାନ କରିବା ସହ ଉକ୍ତ ସଫଳତା ପାଇଁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରିଛନ୍ତି।

Related posts