Categories
ଆଜିର ଖବର ରାଜ୍ୟ ଖବର

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ପୋଲିସ୍ କୁ ବଡ ସଫଳତା ମିଳିଛି। ଡକାୟତି ଯୋଜନା କରୁଥିବା ଦୁର୍ବୃତ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।

ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ପୋଲିସ ଶ୍ରୀକ୍ଷେତ୍ର ବିହାର ଠାରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ୪ ଜଣ ଯୁବକଙ୍କୁ କାବୁ କରିଥିଲା। ଏବଂ ଘଟଣାସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ, ୫ ଟି ଗୁଳି ସହ କିଛି ମାରଣାସ୍ତ୍ର ଜବତ କରିଥିଲା। ଗିରଫ ହୋଇଥିବା ଯୁବକ ହେଉଛନ୍ତି ତୋଫାନ ସାହୁ, ନିମାଇଁ ଚରଣ ନାୟକ, ଦେବାନନ୍ଦ ଗୌଡ଼ ଓ କେ ସୁରିୟା ରାଓ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଠାରୁ ମୋବାଇଲ୍ ଫୋନ୍ ଲୁଟ୍ ମାମଲା: ଲୁଟେରା ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳର ହେମାଙ୍ଗ ପ୍ରସାଦ ରାଉଳ ନାମକ ଜଣେ ସାମ୍ବାଦିକ ମୋବାଇଲ ଫୋନ ଯୋଗେ କଥା ହେଉଥିଲା ବେଳେ ପଛପଟୁ ଜଣେ ଯୁବକ ଆସି ତାଙ୍କର ମୋବାଇଲ ଫୋନକୁ ଝାମ୍ପି ଚାଲିଯାଇଥିଲ। ଏହିଭଳି ପରିସ୍ଥିତିରେ ସାମ୍ବାଦିକ ଜଣକ ନିମଖଣ୍ଡି ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ପୋଲିସ ୮୮/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ମୋବାଇଲ ଫୋନ ଲୁଟେରାର ସନ୍ଧାନ ଚଳାଇ କାହ୍ନୁଚରଣ ମହାରଣା ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଥିଲେ। ହେଲେ ଜେରା କରିବା ବେଳେ ସେ ସତ ମାଣିଥିଲା ଓ ପୋଲିସ ତାଠାରୁ ୩ ଟି ମୋବାଇଲ ଫୋନ ଜବତ୍ କରି ଅଭିଯୁକ୍ତ କାହ୍ନୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୀରକୃଷ୍ଣଚନ୍ଦ୍ର ପୁର ଗ୍ରାମର ବାବୁଲା ସାହୁ ଓ ବୁଲୁ ସାହୁ ଙ୍କ ଘର ଉପରେ ବୋମାମାଡ ଓ ଉକ୍ତ ଦୁଇ ଭାଇଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ନିମଖଣ୍ଡି ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ଆଲୋକ ସାହୁ ଓ ସହଯୋଗୀ ଅନୀଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣା ରୁ ପ୍ରକାଶ ଯେ ଗୁରୁତର ଆହତ ଦୁଇ ଭାଇଙ୍କ ସହ ଆଲୋକ ପୁର୍ବରୁ ଶତ୍ରୁତା ଥିଲା ଓ ଗତ ୨୬ ତାରିଖ ଦିନ ବାବୁଲା ଘରକୁ ଫେରିବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ତାକୁ ଖଣ୍ଡାରେ ହାଣି ତାର ଘର ଉପରକୁ ବୋମାମାଡ କରିବା ସହ ତାର ଭାଇକୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଆକ୍ରମଣ ଘଟଣା ପରେ ଲୋକେ ଗୁରୁତର ଦୁଇ ଭାଇଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ପରେ ଉଭୟଙ୍କ ସ୍ତ୍ରୀ ଆସି ନିମଖଣ୍ଡି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଉକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିମଖଣ୍ଡି ଥାନା ପୋଲିସକୁ ବଡ ସଫଳତା: ଜବତ କଲା ଦୁଇ କିଲୋରୁ ଉର୍ଦ୍ଧ୍ଵ ସୁନା ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ୩ ୟ ଗଳିର କାଳି ଚରଣ ପଣ୍ଡା ନାମକଙ୍କ ଘରେ ଏକ ବଡ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଗତ ସେପ୍ଟେମ୍ବର ୨୧ ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କ ଘରୁ ୪୦୦ ଗ୍ରାମ ସୁନା ଅଳଙ୍କାର ଓ ୪୦୦ ଗ୍ରାମ ରୁପା ଅଳଙ୍କାର ସମେତ କିଛି ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଏସ୍ ଆଇ ଜେ ଆର୍ ବେହେରା ଓ କିଛି ଗ୍ରୁହରକ୍ଷୀଙ୍କୁ ନେଇ ଏକ ଟିମ୍ ଗଠନ କରି ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ତତ୍ବାବଧାନରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ବଜାର ଥାନା ଅନ୍ତର୍ଗତ ନିଳାଞ୍ଚଳ ସାହିର ସନ୍ୟାସୀ ଗୌଡ଼ ନାମକ ଜଣେ ଯୁବକ କୁ କାବୁ କରି ଥାନାରେ ଜେରା କରିବା ବେଳେ ତା’ର ଜଣେ ସହଯୋଗୀ ସୁରେନ୍ଦ୍ର ମହାପାତ୍ର କୁ ଧରି ଉଭୟ ଙ୍କୁ ଜେରା କରିଥିଲେ।

ପରବର୍ତ୍ତୀ ସମୟରେ ଏହି ସବୁ ଚୋରି କାରନାମାରେ ଅଭିଯୁକ୍ତ ମୁଥୁଟ୍ ଫାଇନାନ୍ସ ବ୍ୟାଙ୍କ ର ମେନେଜର୍ ମୋହନ ପାଢୀ ଓ ମହାରାଷ୍ଟ୍ର ସାଙ୍ଗିଲି ଜିଲ୍ଲାର ସନ୍ତୋଷ ଗାଏଖୱ।ଡ଼ ନାମକ ଜଣେ ସ୍ବର୍ଣ୍ଣ ଅଳଙ୍କାର କାରିଗର କୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଏକ ବଡ଼ ଧରଣର ସଫଳତା ପୋଲିସ କୁ ମିଳିଛି। ଯାହା ଫଳରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଦୁଇ କିଲୋ ୭୨୮ ଗ୍ରାମ ର ସ୍ବର୍ଣ୍ଣ ଅଳଙ୍କାର, ମୁଦ୍ରା ଓ ସୁନା ଖାଡି ସମେତ ୪୦୦ ଗ୍ରାମ ର ବିଭିନ୍ନ ରୁପା ଅଳଙ୍କାର ଓ ନଗଦ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରିଛନ୍ତି ଓ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଆଜି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସମସ୍ତ ବିବରଣୀ ପ୍ରଦାନ କରିବା ସହ ଉକ୍ତ ସଫଳତା ପାଇଁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସେକ୍ସ ରାକେଟ ଉପରେ ଚଢ଼ାଉ,୩ ଗିରଫ ଓ ୩ ଝିଅ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ପ୍ରଥମ ଗଳିରେ ଗତ ଦୁଇ ମାସ ଧରି ଚାଲିଥିବା ସେକ୍ସ୍ ରାକେଟର ଖବର ପାଇ ସଦର ଏସ୍ ଡି ପି ଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ଵରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସ୍ ଆଇ ରଶ୍ମିତା ସାମଲ ଚଢ଼ାଉ କରି ଘର ମାଲିକ ଅମୁଲ୍ୟ କୁମାର ପାଢ଼ୀ, ଯୌନ କାର୍ଯ୍ୟରେ ଲିପ୍ତ ୩ ଝିଅକୁ ଅଟକ ରଖି ଥାନାରେ ଜେରା କରିଥିଲେ। ଏଥି ସହିତ ଉକ୍ତ ଘରୁ ପୋଲିସ କିଛି ମଦ ବୋତଲ, ସିଗାରେଟ, ନିରୋଧ ପାକେଟ୍ ସହ ଯୌନ ଉଦ୍ଦୀପକ ଔଷଧ ଜବତ କରିଛନ୍ତିି ଓ ଉକ୍ତ ଘରକୁ ସିଲ୍ କରିଛନ୍ତି।

ଅଟକ ଥିବା ସମସ୍ତଙ୍କୁ ଥାନାରେ ଜେରା କରିବା ପରେ ପୋଲିସ କେଶ୍ ନଂ ୨୫୫/୨୩ ଅନୁଯାୟୀ ମାମଲା ରୁଜୁ କରି ଘର ମାଲିକ ଓ ଯୌନ କେଳେଙ୍କାରୀ ଯୁବକ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କାର୍ଯ୍ୟରେ ସଂଶ୍ଳିଷ୍ଟ ଝିଅ ମାନଙ୍କୁ ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରି ପଠାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହରଣ ଓ ମୁଣ୍ଡ ଜାମିନ ଅଭିଯୋଗ ରେ ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଗଳିର ସମ୍ଭବ ବିଷୋୟୀ ନାମରେ ଜଣେ ଯୁବକକୁ ଅପହରଣ କରି ୧୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ନିମଖଣ୍ଡି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ୍ କୁମାର ସ୍ବାଇଁ, ସୁର୍ୟାଂଶୁ କର, ବିଶ୍ଵାସ ବିଷୋୟୀ, ରାଧାମାଧବ ପାଣିଗ୍ରାହୀ, ନୀମାନା ଭାର୍ଗବ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ବଂଶୀଧର ନାୟକ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୁଚନା ଅନୁଯାୟୀ ଅପହୃତ ସମ୍ଭବ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ୍ ହେବା ପରେ ଅନ୍ ଲାଇନ୍ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ସମୟରେ ଦୀପକ୍ କୁମାର ସ୍ବାଇଁଙ୍କ ସମ୍ପର୍କରେ ଆସିଥିଲେ। ଏହା ମଧ୍ୟରେ ସେ ଦୀପକ୍ ଓ ଅନ୍ୟ କିଛି ଜଣଙ୍କଠୁଁ ଟଙ୍କା ଧାର ଆଣି ସୁଝି ନପାରି ବିଫଳ ହେବା ପରେ ଦୀପକ୍ ଯୋଜନା ମୁତାବକ ସମ୍ଭବଙ୍କୁ ଏହି ଋଣ ଟଙ୍କା ବିନିମୟରେ କଥା ହେବା ପାଇଁ ଡ଼କାଇ ଅନ୍ୟ କିଛି ଯୁବକ ମାନଙ୍କ ସହିତ ସମ୍ଭବଙ୍କୁ ଗତ ଅଗଷ୍ଟ ୨ ତାରିଖରେ ଅପହରଣ କରି ପୋଲସରା ଅଞ୍ଚଳର ଏକ କ୍ରସର କାରଖାନାରେ ରଖିଥିଲେ। ସେଠାରେ ସମ୍ଭକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ଓ ସମ୍ଭବଙ୍କ ମାଁ କୁ ଫୋନ କରି ୧୨ ଲକ୍ଷ ଟଙ୍କା ଦାବି କରିଥିଲେ। ନହେଲେ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଏହି ଭଳି ପରିସ୍ଥିତିରେ ମାଁ ଧରିତ୍ରୀ ସାମଲ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଅନୁସନ୍ଧାନ ଚଳାଇ ସମ୍ଭବଙ୍କୁ ଉଦ୍ଧାର କରିବା ସହ ଉକ୍ତ ୬ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏତଦବ୍ୟତୀତ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ଓ ଆଉ କେହି ଯଦି ସମ୍ପୃକ୍ତି ଜଣା ପଡ଼ିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ସ୍ବାମୀଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ

ଗଜପତି: ଦେବେନ୍ଦ୍ର ମାଳି ନାମକ ଜଣେ ଶିକ୍ଷକ ସ୍ବାମୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ରଶ୍ମି ବେହେରା ନାମ୍ନୀ ଜଣେ ମହିଳା ନିମଖଣ୍ଡି ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରିଛନ୍ତି।

ରଶ୍ମି ବେହେରାଙ୍କ ଏତଲା ଅନୁଯାୟୀ ସେ ଦେବେନ୍ଦ୍ର ମାଳିଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଦାବି ମୁତାବକ ୪୦ ଭରି ସୁନା, ନଗଦ ୫ ଲକ୍ଷ ଟଙ୍କା ସମେତ ବହୁ ଗୃହ ଉପକରଣ ସାମାନ ଓ ଆସବାବପତ୍ର ଇତ୍ୟାଦି ଦେବେନ୍ଦ୍ରଙ୍କୁ ତାଙ୍କ ବାପା ଦେଇଥିଲେ।

ଏତଦବ୍ୟତୀତ ଆହୁରି ଅଧିକ ଯୌତୁକ ଆଣିବା ପାଇଁ ମୋତେ ଚାପ ପ୍ରୟୋଗ ସହ ମାରପିଟ୍ କରୁଛନ୍ତି। ଏହି କିଛି ଦିନ ପୁର୍ବରୁ ମୁଁ ଶୁଣିବାକୁ ପାଇଲି ମୋତେ ବାହା ହେବା ପୁର୍ବରୁ ଦେବେନ୍ଦ୍ର ଆଉ ଜଣଙ୍କୁ ବିବାହ କରିଛନ୍ତି।

ଏହି ବିଷୟରେ ଆଲୋଚନା କରିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ସହ ମୁଁ ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ଭୋଗ କରୁଛି ଓ ଆଇନର ଦ୍ଵାରସ୍ଥ ହେବାକୁ ବାଧ୍ୟ ହୋଇଛି ବୋଲି ରଶ୍ମି ବେହେରା ପ୍ରକାଶ କରିଛନ୍ତି।

ଅଭିଯୋଗ ପାଇ ପୋଲିସ ଏତଲା ନଂ ୨୩୬/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୦ ମହିଳାଙ୍କ ସମେତ ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ନିମଖଣ୍ଡି ଥାନା ପୋଲିସ ଭାବିନିପୁର ବଜରଙ୍ଗ ନଗର ଠାରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଯେଉଁଥିରେ ୧୦ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ଗିରଫ କରିବା ସହ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଏଟିଏମ୍ କାର୍ଡ, ଦୁଇଟି ମୋଟରସାଇକେଲ ଓ ୧୪ ଟି ମୋବାଇଲ ଫୋନ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଙ୍କ ଠାରୁ ସୁଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାଦା ବଟି ଦାବି କରି ବ୍ୟବସାୟୀଙ୍କୁ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ହନୁମାନ ମନ୍ଦିର ନିକଟରେ ଆଖୁ ରସ ବିକୁଥିବା ଶୋଭା ଚନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭ ଜଣ ଯୁବକ ଆଖୁ ରସ ପିଇ ପଇସା ଦେଲେ ନାହିଁ। ବ୍ୟବସାୟୀ ଜଣକ ପଇସା ଦାବି କରିବାରୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଆହତ କରିଥିଲେ। ଯାହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଜିଠାରୁ ମାସିକିଆ ଦାଦା ବଟି ଦେବୁ ନହେଲେ ତୋତେ ହତ୍ୟା କରିବୁ ବୋଲି ଧମକ ଦେଇ ଚାଲିଗଲେ।

ଆହତ ବ୍ୟବସାୟୀ ଜଣକ ଭୟଭୀତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିଲା ପରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମି ଦେବା ନାଁରେ ଠକେଇ, ଦୁଇ ଭାଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ସିଦ୍ଧାର୍ଥ ନଗରରେ ରହୁଥିବା ଦୁଇ ଭାଇ ସଲିଳ ମିଶ୍ର ଓ ଶରତ ମିଶ୍ର ଗତ ୨୦୧୦ ମସିହାରେ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରର ଦୁଇ ଭାଇ ଡଃ ଦିଲିପ ମିଶ୍ର ଓ ଅଶୋକ କୁମାର ମିଶ୍ରଙ୍କ ଠାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମୌଜାର ୬ ଟି ପ୍ଲଟ୍ ଜମି କିଣିଥିଲେ। କିନ୍ତୁ ଦୁଇ ଭାଇ ବାହାରେ ରହୁଥିବାରୁ ଏହା ମଧ୍ୟରେ ଜମି ବିଷୟରେ ଧ୍ୟାନ ଦେଇନଥିଲେ। ଏହି କିଛି ଦିନ ତଳେ ଦୁଇ ଭାଇ ଛୁଟିରେ ଆସି ଉକ୍ତ ଜମିରେ ପାଚେରୀ ନିର୍ମାଣ ପାଇଁ ଜମି ନିକଟରେ ପହଞ୍ଚିଲେ ଏବଂ କାମ ଆରମ୍ଭ କରିବାକୁ ଉଦ୍ୟମ କରିବା ବେଳକୁ କିଛି ଲୋକ ଆସି ବିରୋଧ କରି ନିଜର ଜମି ବୋଲି ଦାବି କରିଥିଲେ।

ଏହି ସମୟରେ ଦୁଇ ଭାଇ ସଲିଳ ଓ ଅଶୋକ ଅବାକ୍ ହେଇଗଲେ ଓ ସେଠାରୁ ଫେରି ଜମିର କାଗଜ ପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ସେମାନେ କ୍ରୟ ଲାଭ କରିଥିବା ଜମିରୁ ୩ ଟି ପ୍ଲଟ୍ ଅନ୍ୟ ଲୋକଙ୍କ ନାମରେ ବାହାରୁଛି। ଏହି ବିଷୟରେ ଜମି ବିକ୍ରି କରିଥିବା ଦୁଇ ଭାଇ ଦିଲିପ ଓ ଅଶୋକଙ୍କ ନିକଟରେ ଜଣାଇବାରୁ ସେମାନେ ଠକେଇ ବିଷୟରେ ଶୀକାର କରିବା ସହ ଉକ୍ତ ୩ ଟି ପ୍ଲଟ୍ ବାବଦରେ ନଗଦ ୧୫ ଲକ୍ଷ ଟଙ୍କା ଫେରାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ଏକ ଚୁକ୍ତିନାମା କରିଥିଲେ।

କିନ୍ତୁ ଧାର୍ଯ୍ୟ ସମୟରେ ଟଙ୍କା ନଫେରେଇବାରୁ ଦୁଇ ଭାଇ ପୂଣି ବିକ୍ରେତାଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ ଟଙ୍କା ତ ଫେରାଇବା ଦୁରର କଥା ଓଲଟି ହତ୍ୟାର ଧମକ ଦେଇଥିଲେ। ଯାହା ଫଳରେ ଦୁଇ ଭାଇ ଭୟଭୀତ ହୋଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ତୁରନ୍ତ ଅନୁସନ୍ଧାନ କରି ଏତଲା ନଂ ୨୪୮/୨୩ ଅନୁଯାୟୀ ମାମଲା ରୁଜୁ କରି ଦିଲିପ କୁମାର ମିଶ୍ର ଓ ଅଶୋକ କୁମାର ମିଶ୍ର ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ଜଗଦଳପୁରରେ ଜୁଆ ଆଡ୍ଡା ଉପରେ ଚଢ଼ଉ, ୫ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ, ୬ଟି ମୋଟରସାଇକେଲ ଓ ନଗଦ ୨୨୦୦ ଟଙ୍କା ଜବତ କରିଛନ୍ତି।ଆଉ କିଛି ଜୁଆଡି ପୋଲିସକୁ ଦେଖି ଡିଆଁ ମାରିଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ତାଲା ଭାଙ୍ଗି ଘରୁ ଚୋରି ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ୩ୟ ଗଳିରେ ରହୁଥିବା ଟୁଟୁ ସାହୁଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ନିଜର କୌଣସି ବ୍ୟକ୍ତିଗତ କାମରେ ଅଭିଯୋଗକାରୀ ଟୁଟୁ ଭୁବନେଶ୍ୱର ଯାଇଥିଲେ ଓ ଗତ ୧୯ ତାରିଖରେ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭାଙ୍ଗି ଜିନିଷ ପତ୍ର ସବୁ ଏଣେତେଣେ ପଡ଼ି ରହିଛି।

ଏହି ଭଳି ପରିସ୍ଥିତିରେ ସେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ମକଦ୍ଦମା ନଂ ୧୩୧/୨୩ ଅନୁଯାୟୀ ମାମଲା ରୁଜୁ କରି ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଝାଡାଙ୍କୁଲି ଛକରେ ଦୁର୍ଘଟଣା, ପିତା ମୃତ, ପୁତ୍ର ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡାଙ୍କୁଲି ଛକରେ ଦୁର୍ଘଟଣା ଘଟି ଗୋଟିଏ ଅଟୋ ଚୁରମାର୍ ହୋଇଯାଇଛି। ଏଥିରେ ପିତାଙ୍କର ମୃତ ହୋଇଥିବା ବେଳେ ପୁତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୋଲସରା ଅଞ୍ଚଳର ମୁଳ ବାସିନ୍ଦା ଗୋବିନ୍ଦ ସାହୁ ପୁଅ ରବିନ୍ଦ୍ର ସହ ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗରରେ ଘର ଭଡ଼ା ନେଇ ରହୁଥିଲେ ଓ ଆଖୁରସ ବ୍ୟବସାୟ କରୁଥିଲେ। ଇତ୍ୟବସରରେ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମେରୁ ଯାତ୍ରାରେ ଆଖୁରସ ଦୋକାନ ଖୋଲିବା ପାଇଁ ନିଜ ଅଟୋରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡିଥିଲା ଓ ପିତା ଗୋବିନ୍ଦଙ୍କ ମୃତ ହୋଇଥିଲା। ଗୋବିନ୍ଦଙ୍କ ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିଲା ବେଳେ ପୁତ୍ର ରବିନ୍ଦ୍ର ଗୁରୁତର ଆହତ ହୋଇ ପଡ଼ିଥିଲା। ଏହି ସମୟରେ ଅଞ୍ଚଳ ବାସିନ୍ଦା ଉଭୟଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଶ୍ ନଂ ୧୨୨/୨୩ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଜ ବୋମାରେ ଆହତ ହେଲା ଆକ୍ରମଣକାରୀ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ନୁଆ ଯୋଗିଆପଲୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବୋମାମାଡ ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଛି। ଏହି ବୋମାମାଡରେ ଭାବିନିପୁର ଗ୍ରାମର କାଳିଆ ପାତ୍ର ଓ ତାର ସହଯୋଗୀ ଏନ୍ ମହେଶ ଦୋରାଙ୍କ ସହ ଯୋଗିଆପଲି ଗ୍ରାମର କାର୍ତ୍ତିକ ପାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଯୋଗ୍ୟ ଯେ, କାଳିଆର ମାମୁଁ ଘର ଉକ୍ତ ଗ୍ରାମର ହୋଇଥିବା ବେଳେ କାର୍ତ୍ତିକ ସହ ପୁର୍ବରୁ ଶତ୍ରୁତା ଥିଲା। ଗତକାଲି କାଳିଆ ଓ ତା’ର ସହଯୋଗୀ ତାରାତାରିଣୀ ପୀଠରୁ ଭୋଜି ଖାଇ ମାମୁଁ ଘରକୁ ଗଲାବେଳେ ଛକରେ କାର୍ତ୍ତିକ ସହ ମୁହାଁମୁହିଁ ହୋଇ ଝଗଡ଼ା ହୋଇଥିଲା ଓ ସଙ୍ଗେ ସଙ୍ଗେ କାଳିଆ ଏକ ହାତ ବୋମା ଆଣି କାର୍ତ୍ତିକ ଉପରେ ପକାଇବା ବେଳକୁ ନିଜ ହାତରେ ଫୁଟି ଯାଇଥିଲା। ଯାହା ଫଳରେ କାଳିଆର ଡ଼ାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ କାର୍ତ୍ତିକର ପିଠି ଓ ସହଯୋଗୀର ମୁହଁକୁ ମାଡ଼ ହୋଇଥିଲା।

ଖବର ପାଇ ନିମଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ନିମଖଣ୍ଡି ଥାନାର ନୂତନ କୋଠା ନିର୍ମାଣ ପାଇଁ ଦୋକାନ ଗୃହ ଉଚ୍ଛେଦ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସହର ଉପକଣ୍ଠ ନିମଖଣ୍ଡି ଫାଣ୍ଡିକୁ ରାଜ୍ୟ ସରକାର ଥାନାରେ ପରିଣତ କରିଥିଲେ। କିନ୍ତୁ ଆବଶ୍ୟକ ଭିତ୍ତିଭୂମୀ ଥାଇ କୋଠା ନଥିବାରୁ ସ‌ହର ମଧ୍ୟରେ ଖାଜା ସାହିସ୍ଥିତ ପୁରୁଣା ମହିଳା ଥାନାକୁ ଅସ୍ଥାୟୀ ଭାବେ ନିମଖଣ୍ଡି ଥାନାର କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ନୂତନ ସ୍ଥାୟୀ କୋଠା ନିର୍ମାଣ ପାଇଁ ସରକାରୀ ଜାଗା ଚିହ୍ନଟ ଆରମ୍ଭ ହୋଇଥିଲା। ସେହି ପ୍ରକାରେ ଲୋଚାପଡା କାଳୀ ମନ୍ଦିର ନିକଟରେ ୨୩୩ ଡିସିମିଲ ଜମି ଥିବାର ଜଣାପଡିଥିଲା ଓ ଜାଗା ସଂରକ୍ଷଣ ପାଇଁ ଗଲାବେଳେ ସେଠି କିଛି ସାଧାରଣ ଲୋକ ଜାଗା ଜବରଦଖଲ କରି ୮ ଟି ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ ପ୍ରତିଷ୍ଠାନ ଚଳାଇଥିଲେ।

ଏହି ଭଳି ପରିସ୍ଥିତିରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଓ ସଦର ଥାନା ଆଇଆଇସି ଭାଵାନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଗୃହ ଗୁଡ଼ିକ ଉଚ୍ଛେଦ କରି ସେହି ସ୍ଥାନରେ ଥାନା କୋଠା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ସିରିଜ୍ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବଡ଼ବଜାର ଥାନା, ନିମଖଣ୍ଡି ଥାନା ଓ ଗୋଳନ୍ଥରା ଥାନା ଅଞ୍ଚଳରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଚୋରି ଘଟଣାରେ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ବ୍ରହ୍ମପୁର ପୋଲିସ ସଫଳତା ହାସଲ କରିଛି।

ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଜନୈକ ବ୍ୟବସାୟୀଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ବଡ଼ବଜାର ଥାନାରେ ୧୭/୨୩ ଅନୁଯାୟୀ ମାମଲା ରୁଜୁ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଡଃ ଅମୁଲ୍ୟ ମିଶ୍ରଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ନିମଖଣ୍ଡି ଥାନାରେ ୩୭/୨୩ ଅନୁଯାୟୀ ମାମଲା, ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦି ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ୫୮/୨୩ ଓ ବାଲିଆ ସାହିର କେ ଦମୟନ୍ତୀଙ୍କ ଘରୁ ଚୋରି ଅଭିଯୋଗରେ ୮୦/୨୩ ଅନୁଯାୟୀ ମାମଲା ରୁଜୁ ହେବା ପରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ନେତ୍ରୁତ୍ବରେ ବିଭିନ୍ନ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।

ଏହି ଟିମ୍ ସବୁ ଚୋରି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ସଦର ଥାନା ବାଲିପଡା ଗ୍ରାମର ଏସ୍ ସନ୍ତୋଷ, ଟି ଭଜନ ଓ ଟି ଦିଲିପକୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ଉକ୍ତ ୪ ଟି ଚୋରି ଘଟଣାରେ ଲୁଟ୍ ହୋଇଥିବା ସୁନା ଓ ରୂପା ଅଳଂକାର ଜବତ କରିଛନ୍ତିି ଓ ଜବତ୍ ଅଳଙ୍କାର ମଧ୍ୟରେ୨୬୫ ଗ୍ରାମ ସୁନା ଓ ୩୫୦ ଗ୍ରାମ ରୁପା ପୋଲିସ ର ହସ୍ତଗତ ହୋଇଛି।

ଉଦ୍ଧାର ହୋଇଥିବା ସବୁ ଅଳଙ୍କାର ଗୁଡ଼ିକ ପ୍ରକ୍ରୁତ ମାଲିକଙ୍କୁ ଫେରସ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାକ୍ଷୀଙ୍କୁ ଆକ୍ରମଣ ଅଭିଯୋଗରେ ଜାମିନରେ ଆସିଥିବା ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହତ୍ୟା ଉଦ୍ୟମ କରି ଜେଲେ ଯାଇଥିବା ଯୁବକ ଜାମିନରେ ଆସିବା ପରେ ସାକ୍ଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି।

ସୂଚନା ମୁତାବକ ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମର ହେମନ୍ତ କୁମାର ଡାକୁଆ ନାମକ ଜଣେ ଯୁବକ ଗତ ବର୍ଷ ମେ ମାସରେ ଜେଲ ଯାଇଥିଲେ। ଘରର କାନ୍ଥ ନିର୍ମାଣକୁ ନେଇ ଦୁର୍ଯୋଧନ ବିଷୋୟୀ ନାମକ ଜଣେ ଲୋକକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍ ହୋଇଥିଲା। ହେଲେ କିଛି ଦିନ ପରେ ସେ ଜାମିନରେ ଆସିଥିଲେ। ଇତ୍ୟବସରରେ ଉକ୍ତ ମକଦ୍ଦମାରେ ନିଳାଚଳ ବେହେରା ନାମକ ଜଣେ ଯୁବକ ସାକ୍ଷୀ ଥିଲେ। କିନ୍ତୁ ଜେଲରୁ ଆସିବା ପରେ ହେମନ୍ତ ନିଳାଚଳକୁ ବିଭିନ୍ନ ଧମକ ଚମକ ଦେଉଥିଲା।

ଏହି ଗତ ବୁଧବାର ଦିନ ନିଳାଚଳ କୌଣସି କାମରେ ବ୍ରହ୍ମପୁର ଆସୁଥିବା ବେଳେ ନିମଖଣ୍ଡି ଫାଣ୍ଡି ନିକଟରେ ହେମନ୍ତ ନିଳାଚଳକୁ ଅଟକାଇ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାକୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନିଳାଚଳ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଓ ଘଟଣା ସମ୍ପର୍କରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ତଦନ୍ତ କରିବା ସହ ଅଭିଯୁକ୍ତ ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।