ବାଣପୁର-ବାଲୁଗାଁ ରାସ୍ତାରେ ମାତିଲେ ଲୁଟେରା, ମହିଳାଙ୍କ ନିକଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

Published: Nov 29, 2021, 5:13 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ଅନ୍ତରକିଆରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋଟର ସାଇକେଲରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଯାଇଛନ୍ତି।

ସୂଚନା ମୁତାବକ ସୁନାକେରା ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନ ବାଣପୁର ବାଲୁଗାଁ ରୋଡ ଉପରେ ଥିବା ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ନନ୍ଦପୁର ଶାଖାରେ ୩୫ ଗ୍ରାମ ସୁନା ବନ୍ଧକ ରଖିଥିଲେ। ପୁଷ୍ପାଞ୍ଜଳି ଉକ୍ତ ବ୍ୟାଙ୍କରେ ଦୁଇଟି ହାର, ୧ଟି ସୁନାମୁଦି ଓ କାନ ଫୁଲକୁ ୧ଲକ୍ଷ ୯ହଜାର ଟଙ୍କାରେ ବନ୍ଧକ ରଖିଥିଲେ। କିନ୍ତୁ ଆଜି ସମସ୍ତ ସୁନା ଜିନିଷକୁ ବନ୍ଧକ ମୁକ୍ତ କରି ତାଙ୍କ ଭାଇଙ୍କ ସାଥିରେ ଘରକୁ ଫେରୁଥିଲେ।

ଠିକ ଏହି ସମୟରେ ପାରିନୂଆଗାଁ ଗ୍ରାମ ପାଖରେ ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ଏମାନଙ୍କୁ ପିଛା କରି ପୁଷ୍ପାଞ୍ଜଳିଙ୍କ ହାତରୁ ବ୍ୟାଗଟିକୁ ଛଡାଇ ନେଇ କେନାଲ ରାସ୍ତା ଦେଇ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ବାଇକ ଚାଳକ ଏବଂ ମହିଳା ଜଣକ ରାସ୍ତାରେ ପଡି କ୍ଷତବିକ୍ଷତ ହେବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସି ଟିଭି କ୍ୟାମେରା ଯାଞ୍ଚ କରି ଡକାୟତମାନଙ୍କର ଠାବ ପ୍ରକ୍ରିୟା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରାମାନଙ୍କର ସନ୍ଧାନ ମିଳିନଥିବା ଜଣାପଡିଛି।

କିନ୍ତୁ ଅନୁସନ୍ଧାନକୁ ଦୃତ କରାଯାଇଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ଗୋଟିଏ ଟିମ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି। ଲୁଟେରାଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବାଣପୁର ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଚୋରି ହୋଇଥିବା ମହିଳାଙ୍କ ବ୍ୟାଗରେ ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଏବଂ ଗୋଟିଏ ସ୍ମାର୍ଟ ଫୋନ ରହିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଥାଉକି ବାଣପୁର-ବାଲୁଗାଁ ଭଳି ଏକ ମୁଖ୍ୟ ରାସ୍ତାରେ ବ୍ୟାଙ୍କଟି ଥିବା ସ୍ଥଳେ ବ୍ୟାଙ୍କର ମୁଖ୍ୟ ଫାଟକ ଆଗରେ ସିସି ଟିଭି କ୍ୟାମେରା ନଥିବା ଏବଂ ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିବା ଦେଖାଯାଇଛି। ବ୍ୟାଙ୍କର ଯାବତୀୟ ଅସୁବିଧାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହା ଫଳରେ ଆଗକୁ ଯେ ଅନ୍ୟ କୌଣସି ଦୁର୍ଘଟଣା ନ ଘଟିବ ସେ କଥା କିଏ କହିବ।

Related posts