Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର

ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା। ହେଲେ ଏଥର ଧନତରାସ ସେମାନଙ୍କୁ ମାଲେମାଲ କରିଦେଇଛି। ଏକ ବେସରକାରୀ ହିସାବରୁ ଜଣାପଡିଛି ଯେ, ଏଥର ଧନତରାସରେ ଲୋକମାନେ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ସୁନା ବୋହି ନେଇଥିବାର ଜଣାପଡିଛି।

ଏହି ହିସାବରୁ ଜଣାପଡିଛି ଯେ, ଏଥର ସୁନା ଅଳଙ୍କାର ବେପାରୀ ପ୍ରାୟ ୧୫୦ କୋଟି ଟଙ୍କାର ବେପାର କରିଛନ୍ତି। ତେବେ ଆଶ୍ଟର‌୍ୟ୍ୟର କଥା ହେଉଛି ଯେ, କେବଳ ଭୁବନେଶ୍ବରରେ ପ୍ରାୟ ୨ କ୍ବିଣ୍ଟାଲ ସୁନା ବିକ୍ରି ହୋଇଯାଇଛି। ଭୁବନେଶ୍ବରର ସମସ୍ତ ସୁନା ଗହଣା ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନାମଜାଦା ଦୋକାନଗୁଡିକରେ ଲୋକେ ଧାଡିବାନ୍ଧି ସୁନା କିଣୁଥିବାର ଦେଖାଯାଇଥିଲା।

ବିଶେଷ ଭାବେ ଧନତରାସରେ ଏକ ସୁନା ଜିନିଷ କିଣିବାର ବିଧି ରହିଥିବାରୁ ଅନେକ ଗ୍ରହାକ ତାହା ପାଳନ ପାଇଁ ଛୋଟ ଛୋଟ ଜିନିଷ କିଣୁଥିବାର ଦେଖାଯାଇଛି। ସେଥିରେ ରହିଛି ଛୋଟ କାନଫୁଲ, ଝରା, ନାକଫୁଲ, ବ୍ରେସଲେଟ, ସରୁ ଚେନ, ପତଳା ମୁଦି କିଣିଥିବାର ଜଣାପଡିଛି। କାରଣ ଏଗୁଡିକର ଦାମ କମ ରହିବ। ହେଲେ ବଡବଡ ଗ୍ରାହକ ସୁନା ହାର, ଓଜନିଆ ଚେନ, ମୁଦି ଅଣ୍ଟାସୁତା ପ୍ରଭୃତି କିଣିଛନ୍ତି।

ଭୁବନେଶ୍ବର ବ୍ୟତିତ ଅନ୍ୟ ଯେଉଁ ସହରରେ ସୁନା ବିକ୍ରି ହୋଇଛି ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମପୁର, ରାଉରକେଲା, କଟକ, ଜୟପୁର, ଅନୁଗୁଳ, ଝାରସୁଗୁଡା ଏବଂ ବାଲେଶ୍ବରରେ ମଧ୍ୟ ସୁନା ବେପାର ବେଶ ଜମିଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏଥର ସୁନା ବିକ୍ରି ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି। ବଡବଡ ଦୋକାନକୁ ଛାଡି ଦେଲେ ଛୋଟଛୋଟ ଦୋକାନଗୁଡିକର ବେପାର ମଧ୍ୟ ବେଶ ଜମି ଯାଇଛି।

ଚଳିତ ବର୍ଷ ବେପାର ଭଲ ଜମିବ ବୋଲି ଆଶା କରି ଏଥର ସୁନା ଗହଣା ଦୋକାନୀ ଗ୍ରାହକଙ୍କ ଲୋଭନୀୟ ଅଫର ମଧ୍ୟ ପ୍ରଦାନ କରିଛନ୍ତି। ମୁଖ୍ୟତଃ ଗଢା ମଜୁରୀ ଛାଡ ସହିତ ଦଶ ହଜାର ଟଙ୍କାରୁ ଅଧିକ ଜିନିଷ କିଣିଲେ ଏକ ସୁନା ମୁଦ୍ରା ମାଗଣ ଉପହାର ଦେବାପରି ଅଫର ମଧ୍ୟ ଲାଗୁ କରିଥିଲେ। ଅନେକ ଗ୍ରାହକ ସୁନା ଗହଣା ସହିତ ହୀରା, ପ୍ଲାଟିନିୟମ ଗହଣା ମଧ୍ୟ କିଣିଥିବାର ଜଣାପଡିଛି।

ଏଥର ଧନତରାସରେ ସୁନା ପେ ସୁହାଗା ପରି ସୁବିଧା ଉପଲବ୍ଧ ଥିଲା। କାରଣ ଏଥର ଧନତରାସରେ ସୁନା ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା କମ ରହିଥିଲା। ପୂର୍ବରୁ ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୫୨ ହଜାର ପାଖାପାଖି ରହିଥିଲା। ହେଲେ ଧନତରାସ ବେଳକୁ ଏହି ମୂଲ୍ୟ ପ୍ରାୟ ୪୭ ହଜାର ଟଙ୍କା ରହିଥିଲା। ଫଳରେ ଏଥର ଧନତରାସ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ରାସ୍ତାରେ ମାତିଲେ ଲୁଟେରା, ମହିଳାଙ୍କ ନିକଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ଅନ୍ତରକିଆରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋଟର ସାଇକେଲରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଯାଇଛନ୍ତି।

ସୂଚନା ମୁତାବକ ସୁନାକେରା ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନ ବାଣପୁର ବାଲୁଗାଁ ରୋଡ ଉପରେ ଥିବା ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ନନ୍ଦପୁର ଶାଖାରେ ୩୫ ଗ୍ରାମ ସୁନା ବନ୍ଧକ ରଖିଥିଲେ। ପୁଷ୍ପାଞ୍ଜଳି ଉକ୍ତ ବ୍ୟାଙ୍କରେ ଦୁଇଟି ହାର, ୧ଟି ସୁନାମୁଦି ଓ କାନ ଫୁଲକୁ ୧ଲକ୍ଷ ୯ହଜାର ଟଙ୍କାରେ ବନ୍ଧକ ରଖିଥିଲେ। କିନ୍ତୁ ଆଜି ସମସ୍ତ ସୁନା ଜିନିଷକୁ ବନ୍ଧକ ମୁକ୍ତ କରି ତାଙ୍କ ଭାଇଙ୍କ ସାଥିରେ ଘରକୁ ଫେରୁଥିଲେ।

ଠିକ ଏହି ସମୟରେ ପାରିନୂଆଗାଁ ଗ୍ରାମ ପାଖରେ ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ଏମାନଙ୍କୁ ପିଛା କରି ପୁଷ୍ପାଞ୍ଜଳିଙ୍କ ହାତରୁ ବ୍ୟାଗଟିକୁ ଛଡାଇ ନେଇ କେନାଲ ରାସ୍ତା ଦେଇ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ବାଇକ ଚାଳକ ଏବଂ ମହିଳା ଜଣକ ରାସ୍ତାରେ ପଡି କ୍ଷତବିକ୍ଷତ ହେବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସି ଟିଭି କ୍ୟାମେରା ଯାଞ୍ଚ କରି ଡକାୟତମାନଙ୍କର ଠାବ ପ୍ରକ୍ରିୟା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରାମାନଙ୍କର ସନ୍ଧାନ ମିଳିନଥିବା ଜଣାପଡିଛି।

କିନ୍ତୁ ଅନୁସନ୍ଧାନକୁ ଦୃତ କରାଯାଇଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ଗୋଟିଏ ଟିମ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି। ଲୁଟେରାଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବାଣପୁର ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଚୋରି ହୋଇଥିବା ମହିଳାଙ୍କ ବ୍ୟାଗରେ ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଏବଂ ଗୋଟିଏ ସ୍ମାର୍ଟ ଫୋନ ରହିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଥାଉକି ବାଣପୁର-ବାଲୁଗାଁ ଭଳି ଏକ ମୁଖ୍ୟ ରାସ୍ତାରେ ବ୍ୟାଙ୍କଟି ଥିବା ସ୍ଥଳେ ବ୍ୟାଙ୍କର ମୁଖ୍ୟ ଫାଟକ ଆଗରେ ସିସି ଟିଭି କ୍ୟାମେରା ନଥିବା ଏବଂ ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିବା ଦେଖାଯାଇଛି। ବ୍ୟାଙ୍କର ଯାବତୀୟ ଅସୁବିଧାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହା ଫଳରେ ଆଗକୁ ଯେ ଅନ୍ୟ କୌଣସି ଦୁର୍ଘଟଣା ନ ଘଟିବ ସେ କଥା କିଏ କହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମରାମୋତି ଆଳରେ ପୂର୍ବତନ ସରପଞ୍ଚଙ୍କ ଠାରୁ ସୁନା ଗହଣା ଲୁଟି ନେଲେ ଛତିଶିଗଡି ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ସୁଦୂର ଛତିଶଗଡରୁ କେତେଜଣ ମହିଳା ଆସି ଓଡିଶାର ଅନେକ ଅଞ୍ଚଳରୁ ଲୁଟ କରୁଥିବା ଅଭିଯୋଗ ହୋଇଛି। ଓଡିଶାର ଗ୍ରାମାଞ୍ଚଳକୁ ଯାଇ ନିରୀହ ମହିଳାମାନଙ୍କୁ ଧୋକା ଦେଇ ସୁନା ଗହଣା ଲୁଟି ନେଉଛନ୍ତି। ସୁନା ଗହଣା ମରାମୋତି କରିବା ଆଳରେ ଗ୍ରାମାଞ୍ଚଳ ମହିଳାମାନଙ୍କ ଠାରୁ ଚୋରୀ କରିବାରେ ସକ୍ଷମ ହୁଅନ୍ତି। ଏହିଭଳି ଏକ ଘଟଣା ଘଟିଛି ବାଣପୁର ଥାନା ଅନର୍ଗତ ତୁମୁରାପୁଟ ପଂଚାୟତର ବେଙ୍ଗରାଜପଲି ଗ୍ରାମରେ। ଲୁଟର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ଚନ୍ଦ୍ରକଳା ପ୍ରଧାନ ଏବଂ ତାଙ୍କ ପରିବାର।

ଅଭିଯୋଗ ମୁତାବକ ତିନିଦିନ ତଳେ ୭ ଜଣ ଛତିଶିଗଡି ମହିଳା ବେଙ୍ଗରାଜପଲି ଗ୍ରାମର ଚନ୍ଦ୍ରକଳାଙ୍କ ସୁନାହାର ଗୁନ୍ଥି ଦେବାକୁ କହି ସୁନାହାର ଦେଖି ଚାଲିଯାଇଥିଲେ। ପରେ ସେହିଭଳି ଦେଖାଯାଉଥିବା ଏକ ନକଲି ହାର ଆଣି ଚଞ୍ଚକତା କରି ନକଲି ହାରଟିକୁ ବେକରେ ପିନ୍ଧାଇ ଅସଲି ହାରଟିକୁ ପାଖରେ ରଖିନେଇଥିଲେ। ହେଲେ ଚନ୍ଦ୍ରକଳାଙ୍କ ବୋହୁ ଆଇନାରେ ଦେଖି ଏହା ନକଲି ବୋଲି ଜାଣି ପାରିଥିଲେ। ଏଭଳି ଘଟଣା ଘଟିଥିବାର ଚନ୍ଦ୍ରକଳାଙ୍କ ବୋହୁ ସୂଚନା ଦେବା ପରେ ଉକ୍ତ ମହିଳା ଦଳକୁ ଗ୍ରାମବାସୀମାନେ କାବୁ କରିଥିଲେ। ଏବଂ ବାଣପୁର ପୋଲିସକୁ ଜିମା ଦେଇଥିଲେ।

ପରେ ପୋଲିସ ସେମାନଙ୍କ ଠାରୁ ଚାରି ଗୋଟି ସୁନା ପଦକ ଜବତ କରିଥିଲେ। ସେମାନଙ୍କ ବିରୋଧରେ କେସ ନମ୍ବର ୩୫୦/୨୧ ରେ ମାମଲା ରୁଜୁକରି ସାତଜଣ ମହିଳାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ସେହିପରି ଭାବେ ଅନ୍ୟ କୌଣସି ସ୍ଥାନରେ ଉକ୍ତ ମହିଳା ଗ୍ୟାଙ୍ଗ ଏହିଭଳି ଠକେଇ କରିଛନ୍ତି କି ନାହିଁ ତାହାର ଅନୁସନ୍ଧାନ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ: ଆଜିଠୁ ୨୫୬ ଟି ଜିଲ୍ଲାରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ସୁନାର ଶୁଦ୍ଧତା ଗ୍ୟାରେଣ୍ଟି ଦେବା ପାଇଁ ଆଜି ଠାରୁ ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଦେଶର ୨୫୬ ଟି ଜିଲ୍ଲାରେ ଏହି ନିୟମ ପ୍ରଥମେ ଲାଗୁ କରାଯିବ। ଦୋକାନୀ ପୁରୁଣା ସୁନା ଗହଣା ଗ୍ରାହକଙ୍କ ଠାରୁ କିଣିପାରିବେ। ପୁରୁଣା ଗହଣାକୁ କିଣି ଦୋକାନୀ ଏହାର ମାନକ ବଢାଇବେ। ନିର୍ଦ୍ଧିଷ୍ଟ ମାନକ ବଢାଇବା ପରେ ଦୋକାନୀ ଏଥିରେ ହଲମାର୍କ ଲୋଗୋ ଲଗାଇପାରିବେ। ଏନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମହାନିର୍ଦ୍ଦେଶକ ପ୍ରମୋଦ ତିୱାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ, ତଦନ୍ତ ଜାରୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୩.୨୦୨୧ ସକାଳୁ କଲମପୁର ଛକ ନିକଟସ୍ଥ କାଂଚନ ଜୁଏଲଏରୀ ଦୋକାନ ମାଲିକ ରଂଜନ କୁମାର ସାହୁ ସବୁଦିନପରି ଏକ ବେଗରେ ୨୫୦ ଗ୍ରାମ ସୁନା ଓ ୩ କି.ଗ୍ରା. ରୂପା ଗହଣା ରଖି ଦୋକାନ ସଟର ଖୋଲିବା ସମୟରେ ଅଜ୍ଞାତ ଚୋର ହଠାତ ଆସି ଉକ୍ତ ବେଗ ସହ ଗହଣା ଉଠାଇ ନେଇ ଚମ୍ପଟ ମାରିଥିଲେ। ଏ ସଂପର୍କରେ ରଂଜନଙ୍କ ଏତାଲ ଭିତିରେ ଜୁନାଗଡ ଥାନା କେଶ ନଂ. ୬୮/୨୦୨୧ ଆଇପିସି ୩୭୯/୩୪ ଧାରାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନୋକଟସ୍ଥ ଦୋକାନ ଗୁଡିକର ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ଜୁନାଗଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।

ଉକ୍ତ କେଶରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକେଲାପଲି ଗ୍ରାମର ଦାଶ ସୁରେଶ (୩୫) ପିତା- ଦାଶ ମାଧବ କୁ ଗିରଫ କରାଯାଇ ୭୨ ଗ୍ରାମ ସୁନା ଗହଣା ଓ ୮୦୦ ଗ୍ରାମ ରୂପା ଗହଣା ଜବତ କରାଯାଇଥିବା ଥାନାଧିକାରୀଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ଉତମ କୁମାର ସାହୁଙ୍କ ତତ୍ୱାବଧାନରେ ଏସଆଇ କୃଷ୍ନ ଚନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ପ୍ରକାଶ। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରିରହିଥିବା ଗଣମାଧ୍ୟମକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।